ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

 

 

 

 

 

 

 

 

 

ଶ୍ରୀମଦ୍‌ ଭାଗବତ

(ତୃତୀୟ ସ୍କନ୍ଧ)

ଜଗନ୍ନାଥ ଦାସ

 

ତୃତୀୟ ସ୍କନ୍ଧ

 

ନାରାୟଣଂ ନମସ୍କୃତ୍ୟ ନରଂଚୈବ ନରୋତ୍ତମଂ ।

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଽଜୟ ମୁଦୀରୟେତ୍‌

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ ।

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ װ

ନିଗମ କଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତ ଦ୍ରବସଂଯୁତଂ ।

ପିବତ ଭାଗବତଂ ରସମାଳୟଂ ମୁହୁରହୋରସିକା ଭୁବିଭାବୁକାଃ

•••

 

ପ୍ରଥମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୌନକ ଆଦି ମୁନିଜନେ

ଆନନ୍ଦେ ସୂତ ସନ୍ନିଧାନେ

ବିଦୁର କଥା ମନେ ଚିନ୍ତି

ବିଶ୍ୱାସଭାବେ ପଚାରନ୍ତି

ହେ ସୁତ ତୁମ୍ଭର ବଚନ

ଶୁଣି ସନ୍ତୋଷ ଆମ୍ଭ ମନ

ସେ କୁରୁ ବିଦୁରର ବାଣୀ

ଆମ୍ଭେ ତୁମ୍ଭର ମୁଖୁ ଶୁଣି

ହୃଦୁ ଛାଡ଼ିବୁ ଭବ ବ୍ୟଥା

ବିଶେଷି କହ ତାର କଥା

ସର୍ବ ସମ୍ପଦ ଛାଡ଼ି ବନେ

କିମ୍ପା ପଶିଲା ଦୁଃଖ ମନେ

ଅନେକ ତୀର୍ଥେ ଦେଇ ମନ

ପୃଥିବୀ କଲା ପର୍ଯ୍ୟଟନ

ମୈତ୍ରେୟ ମୁନିଙ୍କ ସଙ୍ଗର

ଏକାନ୍ତେ ଅଧ୍ୟାତ୍ମ-ବିଚାର

କାହିଁ ବା ନଦୀ-ତୀର ବନେ

ସାନନ୍ଦେ ବସି ସର୍ବଜନେ

ସନ୍ତୋଷେ ବିଦୁରର ଆଗେ

ମୈତ୍ରେୟ ମୁନି ଅନୁମାର୍ଗେ

ବୋଇଲେ ବଦରିକାଶ୍ରମେ

ଯେଣୁ ସଂସାରୁ ତରେ ପ୍ରାଣୀ

କହିଲେ ତତ୍ତ୍ୱସାର ବାଣୀ

ଯେଣୁ ସଂସାରୁ ତରେ ପ୍ରାଣୀ

ସେ କଥା କହ ମୁନିବର

ବିଦୁର ବିଚେଷ୍ଟିତ ସାର

ସେ ପୁଣି ବନ୍ଧୁ ତ୍ୟାଗ ଅର୍ଥେ

ପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ

ଏମନ୍ତେ ମୁନିବର ବାଣୀ

ସୁତ ସନ୍ତୋଷ ମନେ ଶୁଣି

କହନ୍ତି ସନକାଦି ଆଗେ

କୃଷ୍ଣର ଭାବ ଅନୁରାଗେ

ଶୁଣ ହେ ମୁନିଜନ ତୋଷେ

ଏକଥା ଶୁକ ମୁନି ପାଶେ

ଆନନ୍ଦେ ଅଭିମନ୍ୟୁ-ସୁତ

ପୁଚ୍ଛିଲା ମୁନିଙ୍କ ଅଗ୍ରତ

ସେ ଶୁକ କହିଲେ ଯେମନ୍ତେ

ସେ କଥା ଶୁଣ ଏକଚିତ୍ତେ

ଶ୍ରୀଶୁକ ଉବାଚ

ଶୁକ କହନ୍ତି ଭାବ ଭରି

ଶୁଣ ପରୀକ୍ଷ ଦଣ୍ଡଧାରୀ

ସେ ଧୃତରାଷ୍ଟ୍ର ଯେତେବେଳେ

ନିଷ୍ଠୁର ହୀନବୁଦ୍ଧି ହେଲେ

ଅଧର୍ମେ ଧନ ସେ ସଞ୍ଚଇ

ନିଜ ସୁତକୁ ଭୋଗ ଦେଇ

ପଣ୍ତୁ ସୁତଙ୍କୁ ଦେଖି ଭିନ୍ନେ

ନିନ୍ଦଇ ନିଷ୍ଠୁର-ବଚନେ

ବାଳକେ ପିତୃହୀନ ହୋଇ

ମାତାର ସଙ୍ଗେ ଦୁଃଖ ସହି

ହସ୍ତିନାପୁରେ ତାଙ୍କ ଘରେ

ବଞ୍ଚନ୍ତି ଅତି ଅବେଭାରେ

ତାହାଙ୍କ ମରଣ ଇଚ୍ଛଇ

ଭୀମକୁ ବିଷଲଡ଼ୁ ଦେଇ

ଜତୁର ଘରେ ଅଗ୍ନି ଦେଲା

ସେ ବେଳେ ଗୋବିନ୍ଦ ରଖିଲା

ପୁଣି ସଭାର ତଳେ ଆଣି

ପଞ୍ଚୁ ପାଣ୍ତବଙ୍କ ରମଣୀ

କେଶ ଆକର୍ଷି ବାହୁ ବଳେ

ବିବସ୍ତ୍ର କଲେ ସଭା ତଳେ

କୁଚ କୁଙ୍କୁମ ଲୁହ ଭରେ

ଅଧୋବଦନ ଅନୁସାରେ

ବଧୂର ଦୁଃଖ ସେ ଶୁଣିଲା

ପୁତ୍ରକୁ ବାରି ନ ପାରିଲା

ମାୟା କପଟେ ସଭା କରି

ଦ୍ୟୁତ ଖେଳାଇ ଧନ ହରି

ବଳେ ହରିଲେ ତାଙ୍କ ଦେଶ

କାନନେ ଦ୍ୱାଦଶ ବରଷ

ଅଜ୍ଞାତେ ଅଧିକ ବରଷେ

ବିରାଟ ଦେଶ ମତ୍ସ୍ୟ ଦେଶେ

ତହିଁ ବଞ୍ଚିଲେ ଦୁଃଖେ-ସୁଖେ

ବନେ କଷଣ ଅତିରେକେ

ପୁଣି ମିଳିଲେ ରାଜ୍ୟେ ଆସି

ବିଶ୍ୱାସେ ରାଜା ପାଶେ ବସି

ଜୀବନ ଅର୍ଥେ କିଛି ଧନ

ମାଗିଲେ ନ ଦେଲା ରାଜନ

ପୁଣି କୃଷ୍ଣଙ୍କୁ କରି ଦୂତ

ଗ୍ରାମ ମାଗିଲେ ପଣ୍ତୁସୂତ

କୃଷ୍ଣଙ୍କ ବୋଲ ସେ ନକଲା

ସୂଚି ଅଗ୍ରରେ ସେ ନ ଦେଲା

କୃଷ୍ଣଙ୍କୁ କଲା ଅପମାନ

ଲୋଭେ ହୋଇଲା ହତଜ୍ଞାନ

ବିଦୂରେ ଆଣି ଏକ ଘରେ

ବିଚାର କଲା ଅନ୍ତଃପୁରେ

ପାଣ୍ତବେ ମାରି ନାନା ବ୍ୟାଜେ

ରାଜା ହୋଇବି ସର୍ବ ରାଜ୍ୟେ

ଶୁଣି ବିଦୁର କରଯୋଡ଼ି

ବୋଲଇ ରାଜା ପାଦେ ପଡ଼ି

ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ

ପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ

ନୋହିଲେ ସୁଖ ନାହିଁ ତୋର

ସେ ବିଷ୍ଣୁ ତେଜେ ବଳିଆର

ସେ ହରି ତାଙ୍କୁ ସଙ୍ଗେ ଘେନି

ଉଶ୍ୱାସ କରିବେ ମେଦିନୀ

ସେ ଥାଇ ତାର ନିଜପୁରେ

ପାଣ୍ତବ ବଂଶ ପକ୍ଷ ଧରେ

ସେ କୃଷ୍ଣ ଆସି ତୋର ଘରେ

ବସିଲା ବାନ୍ଧବ-ବେଭାରେ

ତାଙ୍କୁ ଇତର ପ୍ରାୟେ ମଣୁ

ମନୁଷ୍ୟ ସଙ୍ଗେ ପରି ଗଣୁ

ଏମନ୍ତ ବିଦୁରର ବାଣୀ

ସଭ୍ରମେ ଦୁର୍ଯ୍ୟୋଧନ ଶୁଣି

ସଙ୍ଗେ ଅଛନ୍ତି ତିନିଜଣ

କର୍ଣ୍ଣ ଶକୁନି ଦୁଃଶାସନ

ବୋଲଇ କୁପିତ ଅଧରେ

ଆକର୍ଷି ଦୁଃଶାସନ କରେ

ଏ ଦାସୀ ପୁତ୍ର ମୋର ଘରେ

ବସଇ ବାନ୍ଧବ-ବେଭାରେ

ଏ ମୋର ନିତ୍ୟେ ଅନ୍ନ ଖାଇ

ପଣ୍ତୁ ସୁତଙ୍କ ହିତେ ଥାଇ

କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ

ମୋର ବିନାଶ ଘେନି ଚିତ୍ତେ

ଏମନ୍ତ ବୋଲି ବିଚାରିଲା

କୋପେ ଅନେକ ଗାଳି ଦେଲା

ଦଶନେ କାମୋଡ଼ି ଅଧର

ବୋଲେ ଭଣ୍ତାରୁ ଦୂର କର

ଏହାକୁ ଦଣ୍ତେ ହେଁ ନ ଥୁଅ

ରାଜ୍ୟୁ ବାହାର କରିଦିଅ

ଏମନ୍ତ ତାର ବାକ୍ୟ ଶୁଣି

ବଜ୍ର ପଡ଼ିଲା ପ୍ରାୟେ ମଣି

ଏମନ୍ତ ନିଷ୍ଠୁର ବଚନ

ଶୁଣି ହୋଇଲା ହତଜ୍ଞାନ

ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା

ରାଜା ହିଁ ଆଶ୍ୱାସନା କଲା

ତକ୍ଷଣେ ଉଠି ସେ ବିଦୁର

ଚିତ୍ତେ ଚିନ୍ତଇ ଚକ୍ରଧର

ବିଷ୍ଣୁର ମାୟା ବିଚାରିଲା

ତକ୍ଷଣେ ବନସ୍ତେ ପଶିଲା

ସମ୍ପଦ ତୁଚ୍ଛ ପ୍ରାୟେ ମଣି

ମନେ ଚିନ୍ତଇ ଚକ୍ରପାଣି

ହସ୍ତିନା ନଗରୁ ବାହାର

ତୀର୍ଥ ଗମନ ସେ ବିଦୁର

ମିଳିଲା ଯାଇ ଘୋର ବନେ

ଭ୍ରମଇ ଋଷି-ବିପ୍ରସ୍ଥାନେ

ମନେ ଚିନ୍ତଇ ତୀର୍ଥ ଗତି

ହରି ଭକତେ ଯହିଁ ଥାନ୍ତି

ନିରାଶ କରି ଆତ୍ମାମନ

ଗ୍ରାମ ପାଟଣା ଉପବନ

ସୁବର୍ଣ୍ଣଗିରି କୁଞ୍ଜ ଦେଶେ

ଭ୍ରମଇ ତୀର୍ଥ ପୁଣ୍ୟ ଆଶେ

ପୁଣ୍ୟ ସରିତ ପୁଣ୍ୟ ସର

ନିରତେ ଭ୍ରମଇ ବିଦୁର

ଅନନ୍ତ ସିଦ୍ଧ ଲିଙ୍ଗ ଯହିଁ

ଶୁଦ୍ଧ ପବିତ୍ର ପୁଣ୍ୟମୟୀ

ଏମନ୍ତେ ଅରକ୍ଷିତ ବେଶ

ଅଧର୍ମ ନାହିଁ ପୁଣ୍ୟ ଦେଶ

ହରି ତୋଷଣେ ଯେତେ ବ୍ରତ

ତପେ ତୋଷଇ ଅବିରତ

ଏମନ୍ତେ ଭାରତ ବରଷେ

କାଳେ ମିଳିଲା ସେ ପ୍ରଭାସେ

ତହିଁ ଶୁଣିଲା ସାଧୁବାଣୀ

ଅଶେଷ କୁରୁବଳ ଜିଣି

କୃଷ୍ଣ ସାରଥି ପଣେ ଆଣି

ଅନେକ ଅକ୍ଷୌହିଣୀ ଜିଣି

ଗୋବିନ୍ଦ ଘେନି ତୀର୍ଥ ଜଳେ

ମଙ୍ଗଳ ଶୁଭ ଅନୁକୂଳେ

କରାଇ ଅଭିଷେକ ପୂଜା

କଲେ ଏକାନ୍ତ ଚକ୍ରେ ରାଜା

ସର୍ବେ ନାଶିଲେ କୁରୁ ବଳେ

ଯେସନେ ବେଣୁ ଦାବାନଳେ

ଦଗ୍‌ଧ ବଦନେ ଶୋକ କରି

ସ୍ୱଜନ ବନ୍ଧୁଙ୍କୁ ସୁମରି

ମଉନ ହୋଇ ଅଶ୍ରୁକଣ୍ଠେ

ଚଳିଲେ ସରସ୍ୱତୀ ତୀର୍ଥେ

ଯାହାର ତୀରେ ଏକାଦଶେ

ତୀର୍ଥେ ସେବନ୍ତି ପୁଣ୍ୟଦେଶେ

ତୀର୍ଥେ ପ୍ରସନ୍ନ ଅନୁଯାନ

କୌରବ ଅନଳ ପବନ

ସୁଦାସ ଗବ୍ୟ ଘୃତ ଯମ

ଏମନ୍ତେ ଏକାଦଶ ନାମ

ଏତେ ମନ୍ଦିର ବିଷ୍ଣୁ ଅର୍ଥେ

ତୀରେ ସେବନ୍ତି ଯେଝା ମତେ

ଏ ଆଦି ବ୍ରହ୍ମ କ୍ଷତ୍ରୀ ଯେତେ

ତୀର୍ଥେ ସଞ୍ଚିଲେ ଦୃଢ଼ ଚିତ୍ତେ

ପ୍ରତ୍ୟଙ୍ଗ ମୁଖେ ନିଜେ ତାର

ଦିଶନ୍ତି ଅତି ମନୋହର

ଯେ ପୁର ଦରଶନ ମାତ୍ରେ

ବିଷ୍ଣୁ ସ୍ମରଣ ପଶେ ଗାତ୍ରେ

ଏମନ୍ତେ ସରସ୍ୱତୀ ତୀର୍ଥ

ଦେଖି ବିଦୁର କୃତକୃତ୍ୟ

ତହୁଁ ଚଳିଲା ତୋଷ ମନେ

ସୌରାଷ୍ଟ୍ର ସୌବୀର ଭବନେ

କୁରୁ ଜାଙ୍ଗଳ ମତ୍ସ୍ୟ ଦେଶ

ଜିଣି ଯମୁନାରେ ପ୍ରବେଶ

କାଳିନ୍ଦୀ ତୀରେ ବୃନ୍ଦାବନ

ଯହିଁ ବିଜୟ ଗୋବର୍ଦ୍ଧନ

ସେ ବନେ ବୁଲି ଏକେ ଏକେ

ନିଶ୍ଚଳେ ଉଦ୍ଧବକୁ ଦେଖେ

ହରି-ଭକତଙ୍କର ସାର

ତପ ଆରାଧି ମହାଘୋର

ଆସନ ନିଶ୍ଚଳ ସମାଧି

କୃଷ୍ଣର ଚରଣ ଆରାଧି

ଏକାନ୍ତେ ଅଛି ବୃକ୍ଷ ତଳେ

ବିଦୁର ଦେଖି ବେନି ଡୋଳେ

ସେ ବାସୁଦେବ ଅନୁଚର

କି ଅବା ଦେବା ପଟାନ୍ତର

ଦେବଗୁରୁଙ୍କ ପୁତ୍ର ପ୍ରାୟେ

ସ୍ୱଭାବେ ଶାନ୍ତ ବୁଦ୍ଧି ବହେ

ଏମନ୍ତେ ମିଳି ବେନି ଜନ

ନିବିଡ଼େ କଲେ ଆଲିଙ୍ଗନ

ବିଦୁର ଉଦ୍ଧବଙ୍କୁ ଚାହିଁ

ଇଷ୍ଟ ବାନ୍ଧବ ସ୍ନେହ ବହି

ଲୋମ ହରଷେ ଶୁଦ୍ଧ ଚେତା

କୃଷ୍ଣର ପୁଚ୍ଛନ୍ତି ବାରତା

କୃଷ୍ଣ ପୁତ୍ରକୁ ଆଦି କରି

ଏକୁ ଆନେକ ନାମ ଧରି

ଶୁଣ ଉଦ୍ଧବ ମୋ ବଚନ

ମୁଁ ଯେ ପୁଚ୍ଛଇ ବିହ୍ୱଜନ

ସେ ହରି ପୁରୁଷ-ପୁରାଣ

ଅନାଦି-ପରମ-କାରଣ

ଧରଣୀ ଭାରା ନାଶ ଅର୍ଥେ

ମନୁଷ୍ୟ ଦେହ ଏ ଜଗତେ

ରାମ ଗୋବିନ୍ଦ ହଳଧାରୀ

ଯାଦବ ବଂଶେ ଅବତରି

ଅଛନ୍ତି ବସୁଦେବ ଘରେ

ଆନନ୍ଦେ ବେନି ସହୋଦରେ

ଆମ୍ଭ ବଂଶର ଅଧିଦେବ

ଦେବଙ୍କ ତୁଲେ ବସୁଦେବ

ସୁଖେ କି ଅଛି ନିଜ ଘରେ

ବନ୍ଧୁ-ସୁହୃଦ-ଭାବଭରେ

ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ

ଆନନ୍ଦେ ଜନନୀର ତୁଲେ

ରୁକ୍ମିଣୀ ପୂର୍ବ-ତପ ଫଳେ

ପ୍ରଦ୍ୟୁମ୍ନ ପୁତ୍ର କଲା କୋଳେ

ଭୋଜାଦି ସାତ ବଂଶ ରାଜା

ଗୋବିନ୍ଦ ତାଙ୍କୁ କଲେ ପୂଜା

ଛାଡ଼ି ଆପଣା ନୃପାସନ

ରାଜ୍ୟେ ସ୍ଥାପିଲେ ଉଗ୍ରସେନ

ଭଲେ କି ଜାମ୍ବବତୀସୁତ

ସେ ରଥି ମଧ୍ୟେ ମହାରଥ

କ୍ଷମେ କି ଛନ୍ତି ଯଦୁମାନେ

ତାହାକୁ ସନ୍ତୋଷ ଅର୍ଜ୍ଜୁନେ

ସନ୍ତୋଷ ଧନୁର୍ବେଦ ଦେଲା

ତେଣୁ କୃଷ୍ଣଙ୍କୁ ଆରାଧିଲା

ସଫଳା ଯଦୁସୁତ ତାର

ଶୁଭେ କି ଅଛଇ ଅକ୍ରୂର

କଂସ ଆଦେଶେ ଗୋପପୁରେ

ଲଭିଲା କୃଷ୍ଣ ରେଣୁ ଶିରେ

ଅଶେଷ ରଥୀ ମହାଯୋଦ୍ଧା

ଭଲେ କି ଅଛି ଅନିରୁଦ୍ଧା

ଯାର ମହିମା ଶବ୍ଦ ଯୋନି

ତୁରୀୟ ତତ୍ତ୍ୱ ସଙ୍ଗେ ଘେନି

ସତ୍ୟଭାମାର ପୁତ୍ର ଯେତେ

ଭଲେ କି ଅଛନ୍ତି ସମସ୍ତେ

ପ୍ରଦ୍ୟୁମ୍ନ କହ ଭଲ କଥା

ଯେ ଭୀଷ୍ମ ଅତି ବଳବନ୍ତା

ଯାର ଚରଣ-ଘାତ କୋପେ

ପଶେ ଶରଣ ଭୂମି ତାପେ

ଅର୍ଜ୍ଜୁନ ଅଛିଟି କି ଭଲେ

ନିରତେ ଗୋବିନ୍ଦର ତୁଲେ

ଗାଣ୍ତିବ ଧନୁ ଧରିକରେ

ରଣେ ତୋଷିଲା ଶୂଳ ଧରେ

ନକୁଳ ସହଦେବ ବାଣୀ

କୁଶଳ କହ ପରିମାଣି

ଅଶ୍ୱିନୀ ନାସିକା-ବିବରେ

ଜନ୍ମ ହୋଇଲା ଏକ ଶିରେ

କେ କହେ ତାଙ୍କ ଗୁଣ ଗ୍ରାମ

ଦେବଙ୍କ ବ୍ୟାଧି ହରେ ନାମ

ତାହାଙ୍କ ବୀର୍ଯ୍ୟେ ଜାତ ହୋଇ

ସୁନ୍ଦର ରୂପେ ମନ ମୋହି

ପାଣ୍ଡବ ଚକ୍ଷୁ ସେ ବୋଲାଇ

କହ କୁଶଳେ କି ଅଛଇ

ଦେଖ ଏ କୁନ୍ତୀ ଗର୍ଭ ଅର୍ଥେ

ସ୍ୱାମୀଙ୍କୁ ଚିନ୍ତେ ଅବିରତେ

ସେ-ସ୍ୱାମୀ ବିନୁ ସୁତ ଲୋଭେ

ଯା ନାମ ଚଉଦିଗେ ଭାବେ

ତାହାକୁ ଛାଡ଼ି ଭୋଗ ବିନେ

ରହିଲା ପୁତ୍ର ସ୍ନେହ ମନେ

ଯେ କୃଷ୍ଣ ପରମ ମଙ୍ଗଳ

ଆନନ୍ଦମାନଙ୍କର ମୂଳ

ତାର ଚରଣେ ସେବା କରି

ମୁଁ ଏବେ କାନନେ ବିହରି

ଦେଖ ଉଦ୍ଧବ ତା ମହିମା

କହି ନ ପାରେ ଗୁଣ ସୀମା

ଏ ଯେତେ ଥିଲେ ମହୀ ତଳେ

ଅନେକ ଅକ୍ଷୌହିଣୀ ମେଳେ

ତାହାକୁ ମାୟାରେ ସଂହାରି

ହେଳେ ତ୍ରିଭୁବନ ଉଦ୍ଧରି

ସେ ହରି ଶୁଭ କଥା ମୋତେ

କହ ଉଦ୍ଧବ ଶୁଦ୍ଧ ଚିତ୍ତେ

ଏମନ୍ତେ ବିଦୁରର ବାଣୀ

ଉଦ୍ଧବ ମନେ ପରିମାଣି

ଚିତ୍ତେ ଚିନ୍ତିଲା ନାରାୟଣ

ସୁଜନେ ଏକ ମନେ ଶୁଣ

ହରି ଚରିତ ସୁଧା ରସ

କହିଲେ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ

ନାମ ପ୍ରଥମୋଽଧ୍ୟାୟଃ

•••

 

ଦ୍ୱିତୀୟ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏମନ୍ତେ ବିଦୁର ବଚନ

ଶୁଣି ଉଦ୍ଧବ ହତଜ୍ଞାନ

କୃଷ୍ଣ-ଚରଣେ ମନ ଦେଇ

ଉତ୍କଣ୍ଠେ ନ ପାରଇ କହି

ପାଞ୍ଚ ବରଷେ ତାଙ୍କ ମାତା

ପ୍ରାନ୍ତେ ଯେ ମନେ କଲା ଚିନ୍ତା

କୃଷ୍ଣ ଚିନ୍ତାରେ ଦେଇ ମନ

ମୁହୂର୍ତ୍ତେ ହୋଇଲା ମଉନ

ତକ୍ଷଣେ ଦେହ ଭାବ ଛାଡ଼ି

କୃଷ୍ଣ ଭକତି ଭାବେ ବୁଡ଼ି

କୃଷ୍ଣ ଚରଣେ ଦେଇ ମନ

ଉଦ୍ଧବ କରଇ ରୋଦନ

କୃଷ୍ଣ ସେବାରେ ଦିନ ଗଲା

ସ୍ୱଭାବେ ବୟସ ସରିଲା

ବିଦୁର ବାଣୀ ଶୁଣି କର୍ଣ୍ଣେ

ବଦନୁ ନସ୍ଫୁରେ ବଚନେ

ପୁଲକ କରି ରୋମ ରାଜି

ଅଶ୍ରୁ ଗଳଇ ଚକ୍ଷୁ ବୁଜି

ସ୍ନେହେ ହୋଇଲା ପୂର୍ଣ୍ଣ କାମ

ସ୍ନେହ-ସଲୀଳେ କଲା ସ୍ନାନ

ସ୍ଥିରେ ଛଡ଼ାଇ ବିଷ୍ଣୁ ପଦେ

ପୁଣି ମିଳିଲା ଦେହ ମଧ୍ୟେ

ବେନି ଲୋଚନ ଘଷି କରେ

ନିଃଶ୍ୱାସ ଛାଡ଼ି ଉଚ୍ଚ ସ୍ୱରେ

ବିଦୁର ମୁଖ ଚାହିଁ ଦେଖେ

ଉଦ୍ଧବ କହେ ଅଶ୍ରୁମୁଖେ

ଯାଦବ ମଧ୍ୟେ କୃଷ୍ଣ ଥାଇ

ସୂର୍ଯ୍ୟର ପ୍ରାୟ ପ୍ରକାଶଇ

ସେ ସୂର୍ଯ୍ୟ ଅସ୍ତ ଗିରି ଗଲା

ନିବିଡ଼ ତମ ପ୍ରକାଶିଲା

ମୁଁ ଏବେ ଅତି ବଡ଼ ଦୁଃଖେ

ପଡ଼ିଛି ଅଜଗର-ମୁଖେ

ଆମ୍ଭ କୁଶଳ କାହିଁ ଆର

କହିବା ଶୁଣ ହୋ ବିଦୁର

ଦେଖ ଅଭାଗ୍ୟ ଯଦୁ ବଂଶ

ବାଳକ ପ୍ରାୟ ବୁଦ୍ଧି ଭ୍ରଂଶ

ବସନ୍ତି କୃଷ୍ଣ ଅନୁସଙ୍ଗେ

ରାତ୍ର ଦିବସ ଅନୁରାଗେ

ତାଙ୍କୁ ନ ଜାଣିଲେ ସକଳେ

ଚନ୍ଦ୍ର କୁମୁଦ ଯେବେ ଜଳେ

ଯାଦବ କୃଷ୍ଣ ସଙ୍ଗ କଲେ

ଦିନ ହରନ୍ତି କୁତୁହଳେ

ସଙ୍ଗତେ ପାଇ ନରହରି

ଦେଖନ୍ତି ଅନାଦର କରି

ଯାଦବେ ଜାଣି ତା ନ ପାରି

ମାୟା ମନୁଷ୍ୟ ନରହରି

ବିଷ୍ଣୁ ମାୟାରେ ସେହୁ ଗ୍ରସ୍ତି

ମନୁଷ୍ୟ ପ୍ରାୟ ସେ ମଣନ୍ତି

ଯାର ମାୟାରେ ଯୋଗୀ ଜନେ

ଆତ୍ମାକୁ ଦେଖୁଥାନ୍ତି ଭିନ୍ନେ

ପ୍ରାଣୀଙ୍କ ତପ ଫଳେ ସେହି

ନୟନେ ଶରୀର ଦେଖଇ

ପୁଣି ହରିଲେ ଚକ୍ଷୁ ସଙ୍ଗେ

ପ୍ରାଣୀଙ୍କ ଚକ୍ଷୁ ନିଜ ଅଙ୍ଗେ

ମାୟା ମନୁଷ୍ୟ ରୂପେ ହରି

ଅନନ୍ତ ଲୀଳାରେ ଶ୍ରୀହରି

ସର୍ବ ସମ୍ପଦ ଅଙ୍ଗ ତୁଲେ

ନିଜ ଭୁବନେ ବିଜେ କଲେ

ତାର ବିଭୂତି ଦେବଗଣ

ଏବେ ତୁ ବିଦୂର ହୋ ଶୁଣ

ଧର୍ମ କୁମର ଯଜ୍ଞ କାଳେ

ଦେବ-ମନୁଷ୍ୟ-ଋଷି ମେଳେ

ଯେ ରୂପ ଦେଖି ତୋଷ ମନେ

କେବଳ ତରିଲେ ନୟନେ

ସେ କୃଷ୍ଣ ଅନୁରାଗ ମୁଖ

ସୁନ୍ଦର ହାସ୍ୟେ ରଙ୍ଗରେଖ

ବେଣୁ ମୋହିତ ଚିତ୍ତ ଧରି

ମୋକ୍ଷ ଲଭିଲେ ଗୋପନାରୀ

ଯେ ସର୍ବ ରୂପେ ଏକରୂପୀ

ବସଇ ସର୍ବରୂପେ ବ୍ୟାପୀ

ତାର ବିଭୂତି ଦେବଗଣ

ପୂଜନ୍ତି ତାହାଙ୍କ ଚରଣ

ଦେବଙ୍କ ଅର୍ଥେ ସେ ମୁରାରୀ

ଜନ୍ମିଲେ ନାନା ରୂପ ଧରି

ସ୍ୱଭାବେ ଜନ୍ମ ଯାର ନାହିଁ

ନିର୍ମଳ ଭାବ କଲେ ଦେହୀ

ଅଗ୍ନି ଯେସନେ ନାନା ମତେ

ଜନ୍ମି ଯେ ଜଳଇ ଜଗତେ

ଏକଥା ମୋତେ ଖେଦ କରେ

ଯେ ଜନ୍ମ ବସୁଦେବ ଘରେ

କଂସର ଡରେ ଗୋପ ମେଳେ

ଲୁଚି ସେ ଥିଲେ ବାଳକାଳେ

ତେଣୁ ମଥୁରା ପୁରେ ଆସି

ଗଜ ଚାଣୁର କଂସ ଧ୍ୱଂସି

ମାତା ପିତାଙ୍କର ନିଃଶ୍ୱାସ

ବୋଲଇ କ୍ଷମା କର ଦୋଷ

ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି

ବ୍ୟର୍ଥେ ବଞ୍ଚିଲୁ ଦେହଧରି

ଏକଥା ବିଡ଼ମ୍ବନା ମୋତେ

ଚିତ୍ତେ ମୋହର ଅବିରତେ

ତୁମ୍ଭେ ତ ଦେଖିଅଛ ଡ଼ୋଳେ

ଧର୍ମ ନନ୍ଦନ ଯଜ୍ଞ କାଳେ

ତାର ଚରଣ ରୂପ ଗନ୍ଧେ

ଆଘ୍ରାଣ କରି ନାସା ରନ୍ଧ୍ରେ

କେ ତା ପାଶୋରି ପାରେ ଚିତ୍ତେ

ମୁକ୍ତି କି କୋପ ଭୋଗ ନିତ୍ୟେ

ଭୂମିର ଭାରା ନାଶ ଅର୍ଥେ

ଯାହାର ଜନ୍ମ ଏ ଜଗତେ

ତାହାଙ୍କୁ ଶିଶୁପାଳ ନିନ୍ଦି

ତକ୍ଷଣେ ତାର ଦେହ ଭେଦି

ଲୁଚିଲା ଅଭୟ-ଚରଣେ

ରହିଲା ଅଜରା ମରଣେ

ଯେ ଗତି ଯୋଗୀଜନେ ଚିନ୍ତି

ଜନ୍ମ ମରଣୁ ନିସ୍ତରନ୍ତି

ତାର ବିଯୋଗ କେବା ସହେ

ଯେ ଏ ଜଗତେ ଦେହ ବହେ

ଦେଖ ଭାରତ ମଧ୍ୟେ ଯେତେ

ରଥି ପଦାତି ଅପ୍ରମିତେ

ସେଲୋକେ ନର ଯେତେ ଥିଲେ

ମରଣେ ତା ମୁଖ ଦେଖିଲେ

ଅର୍ଜୁନ-ବାଣେ କ୍ଷୀଣ ହୋଇ

ପଶିଲେ ତାର ଦେହେ ଯାଇ

ତୈଲୋକ୍ୟ ନାଥ ସେ ଅନନ୍ତ

ସ୍ୱଭାବେ କମଳାର କାନ୍ତ

ତ୍ରିଦଶ-ଦେବେ ତା ଚରଣେ

ସେବା କରନ୍ତି ଅନୁକ୍ଷଣେ

ସେ ପୁଣି ସ୍ଥାପି ରାଜପଥେ

ପୂଜିଲା ଉଗ୍ରସେନ ପାଦେ

ଦେଖ ପୁତନା ଧାତ୍ରୀରୂପେ

ସ୍ତନ ନିବେଶି ତାର ମୁଖେ

କ୍ଷୀର ଗରଳ ସଙ୍ଗେ ଦେଇ

ପଶିଲା ତାର ଦେହେ ଯାଇ

ସେ ଦୟାନିଧିର ଚରଣ

କେବା ନ ପଶିବ ଶରଣ

ଯେତେ ଅସୁର ଏ ଜଗତେ

ନାଶିଲେ ଗୋବିନ୍ଦ ଶ୍ରୀହସ୍ତେ

ଗରୁଡ଼ ପୃଷ୍ଠେ ତାଙ୍କୁ ଚାହିଁ

ପଶିଲେ ତାର ଦେହେ ଯାଇ

ସେ ଭାଗବତ ମଧ୍ୟେ ସାର

କି ଅବା ଦେବା ପଟାନ୍ତର

କଂସ ରାଜାର ବନ୍ଦି ଘରେ

ଜନ୍ମିଲା ଦେବକୀ ଉଦରେ

କ୍ଷିତିରେ ଥୋଇ ପୁଣ୍ୟ ଯଶ

ଧରଣୀ ଭାରା କଲେ ନାଶ

ସେ ବସୁଦେବ କଂସ ଡରେ

ନେଇ ଥୋଇଲା ନନ୍ଦ ଘରେ

ଗୁପତେ ସଙ୍ଗେ ହଳଧର

ବଞ୍ଚିଲେ ବରଷ ଏଗାର

ଗୋପାଳଙ୍କର ସଙ୍ଗେ ଥାଇ

ବନେ ଚରାନ୍ତି ନିତ୍ୟେ ଗାଈ

ବେଣୁ ଶବଦ ଶଙ୍ଖ ନାଦ

ବନେ ବୁଲନ୍ତି ଅପ୍ରମାଦ

ଯମୁନା କୂଳେ ଥାଇ ନିତ୍ୟେ

ଭୃଙ୍ଗ-କୋକିଳର ସଙ୍ଗତେ

ଯେ ଗୋପନାରୀଙ୍କ ଲୋଚନ

କୁମାର ଲୀଳା ବେଣୁ ସ୍ୱନ

ବିରସ ହରି ସେ କ୍ରୀଡ଼ନେ

ନିରତ ବସେ ତାଙ୍କ ମନେ

ଗୋଧନ ଘେନି ତାଙ୍କ ସଙ୍ଗେ

ବେଣୁ ବଜାନ୍ତି ନାନାରଙ୍ଗେ

କଂସର ହିତେ ସେ ଅସୁରେ

ଯେତେ ମିଳିଲେ ତାଙ୍କପୁରେ

ପୁତନା ଆଦି ମାୟାରୂପୀ

ମିଳିଲେ ବନ ଗିରି ବ୍ୟାପୀ

ତାହାଙ୍କୁ କରି ବାଳଖେଳା

ସବୁ ମାଇଲେ ନନ୍ଦବଳା

ଯମୁନା ବିଷ ଜଳ ଖାଇ

ମରୁ ଯେ ଥିଲେ ଗୋପଗାଈ

ତାଙ୍କୁ ଜୀଆଇଁ ନନ୍ଦ ବାଳ

ଅମୃତ କଲେ ବିଷ ଜଳ

ଇନ୍ଦ୍ର ଉତ୍ସବ ଭଙ୍ଗ କରି

ଗୋପରେ ପୂଜା କଲେ ଗିରି

ଯେ ଜ୍ଞାନ ପାଇ କୋପ କରି

ଇନ୍ଦ୍ର ବରଷେ ଘୋର ବାରି

ଗୋରୁ ଗୋପାଳଙ୍କ ବିକଳ

ତକ୍ଷଣେ ଦେଖି ନନ୍ଦବାଳ

ଛତ୍ର ଆକାରେ ଗିରି ଧରି

ରଖିଲେ ଗୋପପୁରେ ଶିରୀ

ଶରତ ଋତୁ ଚନ୍ଦ୍ର ଚାହିଁ

କାନନେ ବେଣୁନାଦ ବାଇ

ଗୋପୀ ମଣ୍ଡଳେ ଗୋପପୁରେ

ରାସ ଉତ୍ସବ କୁତୁହଳେ

ଷୋଳ ସହସ୍ର ରୂପ ଧରି

ରମିଲେ ଷୋଳସସ୍ର ନାରୀ

ତାର ମହିମା କେ କହିବ

ଯାହା ନ ଜାଣେ ବ୍ରହ୍ମା-ଶିବ

ସେ ହରି ଚରଣ କମଳେ

ସୁଜନେ ଚିନ୍ତ ଧ୍ୟାନ ବଳେ

ବିଦୁର-ଉଦ୍ଧବ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

ଏଣେ ଗୋବିନ୍ଦ ପାଦେ ରସ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ

ନାମ ଦ୍ୱିତୀୟୋଽଧ୍ୟାୟଃ

•••

 

ତୃତୀୟ ଅଧ୍ୟାୟ

 

ଉଦ୍ଧବ ଉବାଚ

ଶୁଣ ବିଦୁର ମୋ ବଚନ

ଧରି ନ ପାରି ଖେଦ ମନ

ସେ ରାମ କୃଷ୍ଣ ଏକ ରଥେ

ମିଳିଲେ ଅକ୍ରୂର ସଙ୍ଗତେ

ମାତା ପିତାଙ୍କର କୁଶଳ

ପୁଚ୍ଛନ୍ତି ରାମ-ଆଦିମୂଳ

କଂସକୁ ଦୃଷ୍ଟିରେ ସଂହାରି

ମଞ୍ଚା ଉପରୁ କେଶ ଧରି

ତଳେ ପକାଇ ରୋଷଭରେ

ମୃତ ପିଣ୍ତକୁ ଆଶ୍ୱାସିଲେ

ତହିଁ ବ୍ରାହ୍ମଣ ଘରେ ଯାଇ

ସକଳବିଦ୍ୟା ଶିକ୍ଷା ପାଇ

ଗୁରୁ ଦକ୍ଷିଣା ଅର୍ଥେ ପୁଣି

ଯମର ଘରୁ ପୁତ୍ର ଆଣି

ଗୁରୁ କାମିନୀ ତୋଷ କରି

ପୁଣି ମିଳିଲେ ନିଜ ପୁରୀ

ଭୀଷ୍ମଙ୍କ ଦୁହିତାକୁ ହରି

କୁଣ୍ତି ନଗ୍ରରେ ବିଜେ କରି

ଗନ୍ଧର୍ବ ବୃତ୍ତି ଆଚରିଲେ

ବଳେ ସେ କନ୍ୟାକୁ ହରିଲେ

ଶୃଗାଳ ମଧ୍ୟୁ ସିଂହ ଯେହ୍ନେ

ସ୍ୱଭାବ ହରଇ ତେସନେ

କୋଶଳ ପୁରେ ନରହରି

ସପତ ଷଣ୍ଢ ବଧ କରି

କନ୍ୟା ଲଭିଲେ ନନ୍ଦବାଳ

ଜିଣି ସକଳ ଶତ୍ରୁ ବଳ

ସତ୍ୟଭାମାର ବୋଲେ ପୁଣି

ନନ୍ଦନ ବନୁ ଚକ୍ରପାଣି

ବଳେ ହରିଲେ ପାରିଜାତ

ଲୀଳାଏ ଜିଣି ଶଚୀନାଥ

ପୁରେ ସ୍ଥାପିଲେ ବୃକ୍ଷେ ନେଇ

ପତ୍ନୀକି ପ୍ରିୟ ଭାବ ବହି

ଗରୁଡେ଼ ବସି ଭାବଗ୍ରାହୀ

ନାରକାସୁର ପୁରେ ଯାଇ

ଦେଖିଲେ ତାହାର ଭୁବନ

ତେଜେ କି ଜିଣିଛି ଗଗନ

ଚକ୍ରେ ତାହାର ମୁଣ୍ତ ହାଣି

ତେଜ ପ୍ରସରେ ଏ ଧରଣୀ

ବୋଲଇ କଲୁ ପୁତ୍ର ନାଶ

ଧରଣୀ ବଚନେ ବିଶ୍ୱାସ

ନାରକା ପୁତ୍ରକୁ ମୁରାରି

ତା ରାଜ୍ୟେ ଅଭିଷେକ କରି

ନାରକା ଅନ୍ତଃପୁରେ ହରି

କୋଟି କନ୍ଦର୍ପ ରୂପଧରି

କନ୍ୟାଏ ଦେଖି କାମଭୋଳେ

ଚାହାନ୍ତି ନୟନ ନିରୋଳେ

ଷୋଳ ସହସ୍ର ଶତାଧିକେ

ପୁଷ୍ପ ବରଷି ଅତିରେକ

ହରିଙ୍କୁ ବରିଲେ ସକଳେ

ମଙ୍ଗଳ ଶୁଭ ଲଗ୍ନ ବେଳେ

ତାହାଙ୍କୁ ନିଜ ପୁରେ ଆଣି

ଏକ ମୁହୂର୍ତ୍ତେ ଚକ୍ରପାଣି

ବିବାହ କଲେ ବେଦ ମତେ

ଶୁଣ ତାହାଙ୍କ ପୁତ୍ର ଯେତେ

ଦଶ କୁମର କନ୍ୟା ଏକ

ଆତ୍ମା ସଦୃଶ ରୂପରେଖ

କାଳ ଦମନ ଜରାସନ୍ଧେ

ଶାଲ୍ୱ ସମସ୍ତ ପୁର ରୁନ୍ଧେ

ତାହାଙ୍କ ନିଜ ତେଜ ନାଶି

ସୁଜନ ବାନ୍ଧବ ବିକାଶି

ସମ୍ବଲ ଦ୍ୱିବିନ୍ଦ ବାନର

ଶୂର ବଲ୍ୱଳ ବାଣାସୁର

ସେ ଦନ୍ତବକ୍ର ଆଦିକରି

ତାହାଙ୍କୁ ସଂଗ୍ରାମେ ସଂହାରି

ଏବେ ତୋ ଜ୍ୟେଷ୍ଠଭ୍ରାତା ସୁତେ

ଅନେକ ନୃପତି ସମେତେ

ସଙ୍ଗତେ ନିଜ ବଳ ଘେନି

ଚରଣେ କମ୍ପଇ ମେଦିନୀ

ମିଳିଲେ କୁରୁକ୍ଷେତ୍ର ମଧ୍ୟେ

ଜିଣି ଭୁଞ୍ଜିବେ ମହୀ ଯୁଦ୍ଧେ

କର୍ଣ୍ଣ ଶକୁନି ଦୁଃଶାସନ

ସ୍ୱଭାବେ ଦୁଷ୍ଟି ତିନି ଜନ

ଏହାଙ୍କୁ କରିଣ ବିଶ୍ୱାସ

ଏଣେ ହୋଇଲେ ଅର୍ଦ୍ଧାୟୁଷ

ଦେଖା ପଡ଼ିଲେ ରଣ ମଧ୍ୟେ

ମୂଢ଼ ଅଧର୍ମ ଦୋଷବାଦେ

ଶୁଣ ବିଦୁର କହୁ ତୋତେ

ପୁଣି ଭାବିଲା ଆତ୍ମାଗତେ

ଏ ଭୀଷ୍ମ ଦ୍ରୋଣ କୁରୁଗଣ

ମରଣେ ଅନେକ ରାଜନ

ଭାରା ନିବାର ଅର୍ଥେମହୀ

ସଂସାରେ ଅଳପ ମଣଇ

ଏଣେ ମୋହର ଯଦୁବଂଶ

ଏମନ୍ତ ଭାରା ଅବଶେଷ

ମଦ୍ୟେ ଅରୁଣ ଚକ୍ଷୁ କୋପେ

ସର୍ବେ ମରିବେ ବିପ୍ରଶାପେ

ଏଣେ ନ ମଲେ ନ ମରନ୍ତି

ଏମନ୍ତ ଯୋଗମାୟା ଚିନ୍ତି

ଏମନ୍ତ ମନେ ଚିନ୍ତା କରି

ଧର୍ମ ସୁତଙ୍କୁ ନରହରି

ବନ୍ଧୁ ସୁହୃଦଙ୍କର ମଧ୍ୟେ

କୃଷ୍ଣ ସ୍ଥାପିଲେ ରାଜପଦେ

ଉତ୍ତରା ଗର୍ଭୁ କୁରୁବଂଶ

କୃଷ୍ଣ ରଖିଲେ ଅବଶେଷ

ପରୀକ୍ଷିତଙ୍କୁ କରି ରକ୍ଷା

ଧର୍ମ ନନ୍ଦନେ ଦେଲେ ଦୀକ୍ଷା

ଜ୍ଞାତି ମରଣ ଦୋଷନାଶେ

ଧର୍ମ ନନ୍ଦନଙ୍କ ବିଶ୍ୱାସେ

ସର୍ବସମ୍ପଦ ସୁସମ୍ପାଦି

କରାଇ ନିତି ଅଶ୍ୱମେଧି

ଆପଣେ ନିଜ ପୁରେ ଯାଇ

ନାରୀଗଣଙ୍କ ମଧ୍ୟେ ଥାଇ

ଗୃହସ୍ଥ ଧର୍ମ ବେଦ ମତେ

କୃଷ୍ଣ ଆଚରିଲେ ଜଗତେ

ନାରୀଙ୍କ ମନ କୃଷ୍ଣ ମୋହି

ଗୃହ ଚରିତ ଗୃହେ ଥାଇ

ଯେ ଧର୍ମ କରେ ପରଲୋକେ

କୃଷ୍ଣ ସ୍ଥାପିଲେ ଅତିରେକେ

ଏମନ୍ତେ ବହୁତ ବରଷେ

କ୍ରୀଡ଼ିଲେ ଗୃହାଶ୍ରମ ଆଶେ

କର୍ମ ଅଧୀନେ କାମେ ପଡ଼ି

ଦେବ ମାୟାରେ ସୁଖଲୋଡ଼ି

ପୁରୁଷ କର୍ମର ଅଧୀନ

ଯୋଗେଶ୍ୱରଙ୍କୁ ଯେ ଗହନ

ସେ ହର ବିଷ୍ଣୁ ମାୟା କରି

ନିଜ ସୁତଙ୍କ ମନ ହରି

ସେ ପୁତ୍ରେ କ୍ରୀଡ଼ାରସ ବନେ

କୋପେ ଚିନ୍ତିଲେ ବିପ୍ରମନେ

ସେ ବ୍ରହ୍ମଶାପ ପାଇ ପୁରୀ

ଅଦ୍ଭୁତ ଦେଖିଲେ ବିସ୍ତାରି

କୃଷ୍ଣ ବଚନେ ଶାନ୍ତି ଅର୍ଥେ

ପ୍ରଭାସେ ମିଳିଲେ ସମସ୍ତେ

ସେ ଜଳେ ସାରିଲେ ସ୍ନାହାନ

ପିତୃ ତର୍ପଣ ପିଣ୍ତ ଦାନ

ପୂଜିଲେ ଦେବ ଋଷିଗଣ

ଦାନେ ସନ୍ତୋଷିଲେ ବ୍ରାହ୍ମଣ

ତିଳ ରଜତ ଯେ ସୁବର୍ଣ୍ଣ

ବଚନ କୋମଳ ଅଧୀନ

ରଥ କୁଞ୍ଜର ଅଶ୍ୱଦାନ

ଧରଣୀ ତୁଲେ କନ୍ୟାମାନ

ଅନ୍ନ ସହିତେ ନାନା ରସେ

ବିପ୍ରଙ୍କୁ ଭୁଞ୍ଜାଇ ହରଷେ

ଏମନ୍ତେ ଯଦୁ ଭୋଜଗଣ

ଗୋ ବିପ୍ରସେବା ତାଙ୍କ ମନ

ସ୍ୱଭାବେ କରି ଉପବାସ

ରାତ୍ର ବଞ୍ଚିଲେ କରି ରାସ

ଏ ଯଦୁ ବଂଶର ଚରଣେ

ସୁଜନେ ଭଜ ଅନୁକ୍ଷଣେ

ହୋଇବ କୃଷ୍ଣର ବିଶ୍ୱାସ

କହିଲେ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁରଉଦ୍ଧବ

ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ

•••

 

ଚତୁର୍ଥ ଅଧ୍ୟାୟ

 

ଉଦ୍ଧବ ଉବାଚ

ଏବେ ବିଦୁର ଶୁଣ ସୁଖେ

ଯେ ଯଦୁରାଜା ରାତ୍ରି ମୁଖେ

ବାରୁଣୀ ମଦ୍ୟ କଲେ ପାନ

ତେଣୁ ହୋଇଲେ ହତଜ୍ଞାନ

ମନ ହରିଲେ ମଦ୍ୟ ଦୋଷେ

ଭୋଳ ହୋଇଲେ ବୁଦ୍ଧିଭ୍ରଂଶେ

ମର୍ମଭେଦନ ଦୁଷ୍ଟ ବାକ୍ୟେ

କନ୍ଦଳ କଲେ ଏକେ ଏକେ

ରଜନୀ ଅର୍ଦ୍ଧେ ଯଦୁବଳେ

କନ୍ଦଳ ଯୁଦ୍ଧେ ନାଶ ଗଲେ

ତତକ୍ଷଣେ ଆତ୍ମା ମାୟା ଗତି

ବିଶ୍ୱାସୀ ପ୍ରଭୁ ଦାଶରଥି

ମିଳିଲେ ସରସ୍ୱତୀ କୂଳେ

ବଳେ ଅଶ୍ୱତ୍‌ଥ ତରୁମୂଳେ

ନିଜ ବଂଶର ବଧ ପାଇଁ

ଆଜ୍ଞା ଯେ ଦେଲେ ଭାବଗ୍ରାହୀ

ମୋତେ ବୋଇଲେ ସୁଖ ମନେ

ଚଳ ତୁ ବଦରିକାଶ୍ରମେ

କିନ୍ତୁ ମୁଁ ତାଙ୍କ କୁଳ କ୍ଷୟ

ବୁଝି ପାରିଲି ଅଭିପ୍ରାୟ

ତାହାଙ୍କ ପଦ ବିଶେଷଣ

ସହଜେ ହୋଇ ମୁଁ ଅକ୍ଷମ

ତକ୍ଷଣେ କୃଷ୍ଣ ଆଜ୍ଞା ପାଇ

ପଦ କମଳେ ମନ ଦେଇ

ତୀର୍ଥ ଗମନେ କରି ମନ

ଚାହିଁଲେ କୃଷ୍ଣର ବଦନ

ଶ୍ୟାମ ସୁନ୍ଦର କୃଷ୍ଣ ବର୍ଣ୍ଣ

ପ୍ରଶାନ୍ତ-ଅରୁଣ ଲୋଚନ

ଚତୁର ଭୁଜେ ଶସ୍ତ୍ର ଶୋହେ

ପୀତ ବସନ ମନ ମୋହେ

ଦକ୍ଷିଣ ପାଦ ବାମ ଜଙ୍ଘେ

ତୃତୀୟାସନ ମନ ରଙ୍ଗେ

ଏବେ ହୋ କୁରୁବୀର ଶୁଣ

ମୈତ୍ରେୟ ମିଳିଲେ ତକ୍ଷଣ

ବ୍ୟାସ ମୁନିଙ୍କ ସଖା ହୋନ୍ତି

ଆନନ୍ଦେ ଭୁବନେ ଭ୍ରମନ୍ତି

ତକ୍ଷଣେ କୃଷ୍ଣ ପାଶେ ଯାଇ

ପାଦେ ନମିଲେ ଶିର ଦେଇ

ମୁନିଗଣଙ୍କ ଅନୁରାଗେ

ଯେବା କହିଲେ କୃଷ୍ଣ ଭାବେ

ମୈତ୍ରେୟ ଶୁଣ ମୋ ବଚନ

ମୁହିଁ ଜାଣଇ ତୋର ମନ

ଦୁର୍ଲ୍ଲଭ ଜ୍ଞାନ ଦେବି ତୋତେ

ସଂସାରୁ ତରିବୁ ଯେମନ୍ତେ

ପୂର୍ବେ ବ୍ରହ୍ମାର ଯଜ୍ଞ ଶାଳେ

ସକଳ ବସି ଏକମେଳେ

ଲଭିଲେ ଯୋଗ ଅଷ୍ଟନିଧି

ମୋର ଚରଣେ ଜ୍ଞାନବଧି

ଏ ଯୋଗ ସର୍ବ ପୂର୍ବେ ସିଦ୍ଧି

ଯଜ୍ଞ ପ୍ରକାରେ ସର୍ବସାଧି

ତହିଁ ବୈରାଗ୍ୟ ଦୃଢ଼େ ଚିନ୍ତି

ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି

ବିଷୟ ରସେ ଭୋଗ ଚିନ୍ତି

ଶୁକ ଶନକ ଜ୍ଞାନ ଚିନ୍ତି

ଭକ୍ତି ବୈରାଗ୍ୟ ତାର ନାହିଁ

ଯେବା ଲଭିବେ ଅବା କାହିଁ

ଏ ଜ୍ଞାନ ବ୍ରହ୍ମାର ସମୀପେ

ମୁହିଁ କହିଲି ପଦ୍ମ କଳ୍ପେ

ତା ବ୍ରହ୍ମ ଜ୍ଞାନର ମହିମା

କରନ୍ତି ଯାରେ ଆନ ସୀମା

ଏଣୁ ପଣ୍ତିତ ମୁନିଜନେ

ଦୃଢ଼େ ବିଚାରି ଅନୁମାନେ

ଏ ଭାଗବତ ଧର୍ମଚିନ୍ତି

ଏ ଭବ ଜଳୁ ତରିଯାନ୍ତି

ଏମନ୍ତ ପରମ ବଚନ

ଅମୃତ ଶୁଣିଣ ମୋ ମନ

ତା ଅନୁଗ୍ରହ ପ୍ରତିକ୍ଷଣେ

କଳ୍ପିଲା ତାହାର ସ୍ମରଣେ

କୃଷ୍ଣର ସ୍ନେହେ ମୋହ ଦେହୀ

ରୋମ ପୁଲକେ ତନୁ ବହି

କର ଯୁଗଳ ଦେଇ ମୁଣ୍ଡେ

କହେ ସେ ବାଳକର ତୁଣ୍ଡେ

ଭୋ ନାଥ ମୋର ପାଦ ପଦ୍ମେ

ଯେ ପ୍ରାଣୀ ଭଜିଲେ ଆନନ୍ଦେ

ତାଙ୍କୁ ଏ ଅଶେଷ ଜଗତେ

ଧର୍ମାର୍ଥ କାମ ମୋକ୍ଷ ଅର୍ଥେ

ଦୁର୍ଲ୍ଲଭ ନୋହେ ଲଭିବାର

ଏ ନିଶ୍ଚେ ମୋହର ବିଚାର

ମୋହର ଏଣେ ଆଶା ନାହିଁ

ତଥାପି ତୋ ପାଦେ ଭଜଇ

ନିଷ୍କ୍ରିୟ ହୋଇ କର୍ମ କରୁ

ଅଜ ହୋଇଣ ଦେହ ଧରୁ

ତୁ ନିଜେ କାଳରୂପୀ ହୋଇ

ଶତ୍ରୁ ଭୟରେ ଦୁର୍ଗାଧ୍ୟାୟି

ତୁ ନିଜେ ଆତ୍ମହତ ହୋଇ

ବହୁ ସ୍ତିରୀରେ ମନଦେଇ

ଏସବୁ ବ୍ୟାପାର ଦେଖିଣ

ପଣ୍ଡିତେ ହେଲେ ହତଜ୍ଞାନ

ମନ୍ତ୍ରଣା ଅର୍ଥେ ମୋତେ ରାଇ

ଆଗରେ ସମୀପେ ବସାଇ

ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧି

ଅଖଣ୍ତ-ଆତ୍ମା ଜ୍ଞାନ ସିଦ୍ଧି

ସର୍ବଜ୍ଞ ବାକ୍ୟ ଯାର ତହିଁ

ସେ କିମ୍ପା ମୋତେ ପଚାରଇ

ଏଣୁ ମୋ ମନେ ଖେଦ ପାଇ

ତୋ ମାୟା ଗଗନେ ଭ୍ରମଇ

ଯେ ଆତ୍ମା ଜ୍ଞାନ ତୁ ଏକାନ୍ତେ

କହିଲୁ ବ୍ରହ୍ମାର ଅଗ୍ରତେ

ମୁଁ ଯେତେ ଶୁଣିବାକୁ କ୍ଷମ

କହ ହେ ପୁରୁଷ ଉତ୍ତମ

ଯେ ଜ୍ଞାନ ମାର୍ଗେ ତୋତେ ଚିନ୍ତି

ଏ ମାୟା ସଂସାରୁ ତରନ୍ତି

ଏମନ୍ତେ ପଚାରନ୍ତେ ମୁହିଁ

ସେ କୃଷ୍ଣ ମୋତେ ଦୟାବହି

ମାୟାରେ ତହିଁ ନିଜ ଜ୍ଞାନ

କହିଲେ କମଳଲୋଚନ

ସେ ତୀର୍ଥ ପାଦ ଜଗନ୍ନାଥ

ମୋହର ହୃଦେ ଆରାଧିତ

ସେ ହରିଗୁରୁ ଜ୍ଞାନ ପାଇ

ଶ୍ରୀ ପାଦପଦ୍ମେ ଶିରଦେଇ

ତାର ବିଚ୍ଛେଦ ଆତ୍ମା ମୋର

କ୍ଷଣେ ହୃଦୟ ନୋହେ ସ୍ଥିର

ତାର ବିୟୋଗେ ଆତଯାତ

ତା ପାଦ ଦେଖିବା ନିମିତ୍ତ

ବଦ୍ରିକା ଆଶ୍ରମ ମଣ୍ଡଳେ

ନର ନାରାୟଣଙ୍କ ମୂଳେ

ଏ ନରଲୋକେ ଶୁଦ୍ଧି ଅର୍ଥେ

ତପ ଆରାଧି ଦୃଢ଼ ଚିତ୍ତେ

ଅଛନ୍ତି ନର ନାରାୟଣ

ଶୁକ ବୋଲନ୍ତି ରାୟେ ଶୁଣ

ଶ୍ରୀ ଶୁକ ଉବାଚ

ଏମନ୍ତେ ବନ୍ଧୁଜନ ବାଣୀ

ଉଦ୍ଧବ ମୁଖୁ ତାହା ଶୁଣି

ଦୁଃସହ-ଦୁଃଖ ମନସ୍ଥିର

ସେ ଜ୍ଞାନ ହରିଲା ବିଦୁର

କହିଣ ଉର୍ଦ୍ଧବ ଚଜନ୍ତେ

ବିଦୁର ପଡ଼େ ପାଦଗତେ

ପୁଣି ବିଶ୍ୱାସେ ତାଙ୍କୁ କହି

ବୋଲେ ଚରଣେ ଶିର ଦେଇ

ବିଦୁର ଉବାଚ

ଉଦ୍ଧବ ଶୁଣ ମୋ ବଚନ

ତୋର ଠାକୁର ଭଗବାନ

ଯେ ଜ୍ଞାନ କହିଛନ୍ତି ତୋତେ

ଉଦ୍ଧବ କହ ମୋ ଅଗ୍ରତେ

ଯେ ନର ଜ୍ଞାନ ଧ୍ୟାନ ଭୋଳେ

ପଶନ୍ତି ତା ପାଦ କମଳେ

ଉଦ୍ଧବ ଉବାଚ

ଶୁଣ ବିଦୁର ମୋ ବଚନ

ସେ ଯୋଗେଶ୍ୱର ତତ୍ତ୍ୱଜ୍ଞାନ

ଜୀବନ ଛାଡ଼ିବାର ବେଳେ

ମୈତ୍ରେୟ ମୁନିଙ୍କ ସୁମେଳେ

ସମ୍ପୂର୍ଣ୍ଣ-ଜ୍ଞାନ ତାଙ୍କୁ ଦେଲେ

ନିଜ ଭୁବନେ ବିଜେ କଲେ

ତୁ ଏବେ ଚଳ ତାର ପାଶେ

ନିର୍ମଳ-ଭକ୍ତି-ଉପଦେଶେ

ସେ ତୋତେ ଦେବେ ଦିବ୍ୟଜ୍ଞାନ

ଏମନ୍ତେ କହି ବେନି ଜନ

ପୁଳିନେ ବଞ୍ଚିଲେ ରଜନୀ

ନିଶ୍ଚଳେ ହରି ଭାବ ଘେନି

ବନ୍ଧୁ ବିଯୋଗ ପାଶୋରିଲେ

କୃଷ୍ଣ ଚରଣେ ଧ୍ୟାନ କଲେ

ଏମନ୍ତ ପାହିଲା ରଜନୀ

କୃଷ୍ଣ ଭକତି ଭାବ ଘେନି

ଉଦ୍ଧବ ଗଲା ତୋଷ ମନେ

ମିଳିଲା ବଦରିକାଶ୍ରମେ

ପରୀକ୍ଷେ ଶୁକ ମୁନି କହି

ଭାବେ ଚରଣେ ଶିର ଦେଇ

ଭୋ ନାଥ ଅସମ୍ଭବ ବାଣୀ

ମୁହିଁ ଯେ ତୁମ୍ଭ ମୁଖୁ ଶୁଣି

ସଂଶୟ ହୋଇଲା ମୋ ମନେ

ପୁଚ୍ଛଇ ତୁମ୍ଭ ସନ୍ନିଧାନେ

ବ୍ରାହ୍ମଣ ଶାପେ ଯଦୁବଳେ

ନାଶିଲେ ରଣେ ମଦ ଭୋଳେ

ରଥୀ ଯେ ଯୂଥ ଯୂଥପତି

କେବେ ହେଁ ରଣେ ନ ହାରନ୍ତି

ଉଦ୍ଧବ ଚଳିଲେ କେମନ୍ତେ

ଏ ବଡ଼ ସଂଶୟ ମୋ ଚିତ୍ତେ

ଯହିଁ ଗୋବିନ୍ଦ ଦେହଗଲା

କେମନ୍ତେ ଉଦ୍ଧବ ରହିଲା

ଶ୍ରୀ ଶୁକ ଉବାଚ

ଶୁଣି କହନ୍ତି ଶୁକ ମୁନି

ଆନନ୍ଦେ କୃଷ୍ଣ ଭାବ ଘେନି

ବ୍ରାହ୍ମଣ ବାକ୍ୟ ଉପଦେଶେ

ନିଶ୍ଚେ ଦହିବୁ ଯଦୁ ବଂଶେ

ଏମନ୍ତେ ଭାଳି ଭାବଗ୍ରାହୀ

ନିକଟେ ଉଦ୍ଧବ ବସାଇ

ଆତ୍ମାର ତାରଣ ପ୍ରମାଣି

ମନେ ଚିନ୍ତିଲେ ଚକ୍ରପାଣି

ଏ ମୋର ତତ୍ତ୍ୱ ଜ୍ଞାନ ଫଳେ

ମୋ ସଙ୍ଗେ ଯିବ ମୁହିଁ ଗଲେ

ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ

ପ୍ରାଣୀ ତରିବେ ଏହି ଭାବେ

ଏମନ୍ତେ ମନେ ବିଚାରିଲେ

ଉଦ୍ଧବ ତତ୍ତ୍ୱଜ୍ଞାନ ଦେଲେ

ବୋଇଲେ ସାଧୁ ତତ୍ତ୍ୱଜ୍ଞାନ

ଏବେ ଉଦ୍ଧବ ମୋର ସମ

ଏ ଆଜ୍ଞା ପ୍ରାଣୀଙ୍କୁ ବୁଝାଇ

ଏଣୁ ତୁ ନରଲୋକେ ରହି

ଏଣୁ ତ୍ରିଲୋକ୍ୟ ଗୁରୁ ହରି

ଜ୍ଞାନେ ଉଦ୍ଧବଙ୍କୁ ଉଦ୍ଧାରି

ଏଣୁ ଗୋବିନ୍ଦ ବୋଲେ ଗଲା

ବଦ୍ରିକା ଆଶ୍ରମେ ମିଳିଲା

ସମାଧି କରି ଘୋର ବନେ

ପଶିଲା କୃଷ୍ଣର ଚରଣେ

ଏମନ୍ତେ ଉଦ୍ଧବର ବାଣୀ

ବିଦୁର ସାବଧାନେ ଶୁଣି

କୃଷ୍ଣର ଲୀଳା ଅବତାର

ଯେ ଗୁଣ ଗାଥା ସୂକ୍ଷ୍ମ ସାର

ଶରୀର ଛାଡ଼ିଲେ ଯେମନ୍ତେ

ଏ ସର୍ବ କଥା ସ୍ମରି ଚିତ୍ତେ

କୃଷ୍ଣର ସ୍ନେହବନ୍ଧ କ୍ଷୀଣ

ଚଳନ୍ତେ କରଇ ରୋଦନ

କେତେହେଁ ଦିନ ବନେ ଗଲା

କାଳିନ୍ଦୀ ନିକଟେ ମିଳିଲା

ତହୁଁ ଚଳିଲା ଗଙ୍ଗା ତୀରେ

ମୈତ୍ରେୟ-ମୁନି-ଅନୁସାରେ

କହଇ ବିପ୍ର ଜଗନ୍ନାଥ

ତୃତୀୟ ସ୍କନ୍ଧେ ଭାଗବତ

ବିଦୁର-ଉଦ୍ଧବ-ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

ସୁଜନେ ଏଣେ ଦିନ ବଞ୍ଚ

କୃଷ୍ଣ ଭକତି ହୃଦେ ସଞ୍ଚ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ

ବିଦୁର ଉଦ୍ଧବ ସମ୍ବାଦେ ନାମ

ଚତୁର୍ଥୋଽଧ୍ୟାୟଃ

•••

 

ପଞ୍ଚମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁଣ ହେ କୁରୁ ନୃପବର

ଗଙ୍ଗାର ତୀରେ ସେ ବିଦୁର

ସେ ଗଙ୍ଗାତୀରେ ଉପବନ

ଦୃଢ଼ ନିଶ୍ଚଳ ଯୋଗା ଧ୍ୟାନ

ଅଗାଧ ବୋଧ ସାଧେ ଋଷି

ବୃକ୍ଷର ତଳେ ସେହୁ ବସି

ମୈତ୍ରେୟ ନାମ ତାହାଙ୍କର

ତେଜେ ଉଦୟ କି ଭାସ୍କର

ତାଙ୍କ ସମୀପେ ବେଗେ ଯାଇ

ନିମିଷେ ମାତ୍ର ସେହୁ ରହି

ବିଦୁର ଉବାଚ

ସୁଖ ଚିନ୍ତନେ ସୁଖ ଲଭେ

କହ ଏ କେବଣ ପ୍ରସ୍ତାବେ

କୃଷ୍ଣ-ବିମୁଖ ଯେତେ ନର

କର୍ମ ସ୍ୱଭାବେ ତାହାଙ୍କର

କାହୁଁ ପାଇବେ ସୁଖ ବାଞ୍ଛା

କୁଣ୍ଠିତ କର୍ମ ଗୁରୁ ଦୀକ୍ଷା

କୃଷ୍ଣର ଅନୁଗ୍ରହୀ ଜନେ

ଭୂତ-ଭବିଷ୍ୟ-ବର୍ତ୍ତମାନେ

କୁଶଳ କର୍ମ ଆଚରନ୍ତି

କ୍ଷମ କୁଶଳେ ସେ ଭୁଞ୍ଜନ୍ତି

ସୁସାଧୁ ଜନଙ୍କର ସାର

କହ ତୁ ସାଧୁଙ୍କ ବିଚାର

ଯେମନ୍ତେ ଧର୍ମକୁ ଆରାଧି

ପ୍ରାଣୀ ଲଭନ୍ତି ସର୍ବ ସିଦ୍ଧି

ସେ ହରି ଥାଇ ଅନୁମତେ

ଭକତ ଭାବ ହୃଦଗତେ

ନିର୍ମଳ ଚିତ୍ତେ ଜ୍ଞାନ କହେ

ଜନ୍ମ ମରଣ ପାପ ଦହେ

ସେ ହରି ନାନା-ଅବତାରେ

ସଂସାରେ କେତେ କର୍ମ କରେ

ସ୍ୱଭାବେ ତ୍ରୈଲୋକ୍ୟ ଈଶ୍ୱର

ବ୍ରହ୍ମା-ଶଙ୍କରେ ଅଗୋଚର

ସ୍ୱଭାବେ ଚେଷ୍ଟା ଯାର ନାହିଁ

କିମ୍ପାଇ ସଂସାର ସର୍ଜ୍ଜଇ

ବ୍ରହ୍ମାଣ୍ତ କରି ନାନା ମୂର୍ତ୍ତି

ଯେ ଜୀବ ଯେମନ୍ତେ ଜୀଅନ୍ତି

ଜୀବଙ୍କ ମଧ୍ୟେ ସୁଖେ ଶୋହେ

କେବଳ ଆତ୍ମା ସୁଖ ମୋହେ

ଯୋଗେଶ୍ୱରଙ୍କ ହୃଦଦେଶେ

ସ୍ୱଭାବେ ରହେ ଏକ ଆଶେ

ବହୁ ପ୍ରକାରେ ପ୍ରକାଶଇ

ରବି ଯେସନେ ଶୂନ୍ୟେ ଥାଇ

କିବା ବିହରେ ଏ ଜଗତେ

ରୂପ ପ୍ରକାଶେ ବହୁମତେ

କର୍ମ କରଇ ଏ ଜଗତ

ଗୋବିନ୍ଦ ପ୍ରସନ୍ନର ଅର୍ଥେ

ସେ ହରି-ଚରିତ-ଅମୃତ

ଶୁଣି ସନ୍ତୋଷ ନୁହେଁ ଚିତ୍ତ

ସେ ଆଦି ଲୋକନାଥ ହରି

ଯେ ଅବା ତତ୍ତ୍ୱ ଆଶ୍ରେ କରି

ଲୋକ-ଆଲୋକ ରକ୍ଷାପାଳ

ଯେ ଅବା ଭୁବନ ମଣ୍ଡଳ

ନାନା ପ୍ରକାରେ ଭେଦ କରି

ପ୍ରାଣୀଙ୍କୁ କର୍ମ ସୂତ୍ରେ ଧରି

ସେ ନାରାୟଣ ଆତ୍ମଯୋନି

ବିଶ୍ୱ ସର୍ଜ୍ଜଇ ତାହା ଘେନି

ଏ କଥା କହ ମୁନି ମୋତେ

ସଂସାରୁ ତରିବି ଯେମନ୍ତେ

ଅପରାପର କଥା ଯେତେ

ଗୋବିନ୍ଦ-ଚରିତ ଯେମନ୍ତେ

ବ୍ୟାସଙ୍କ ମୁଖୁଁ ଅନୁକ୍ଷଣେ

ଶୁଣିଛି ତୃଷିତ-ଶ୍ରବଣେ

ଅଳପ ସୁଖ ଯା ଲକ୍ଷଣ

ସେ କାହିଁ ହରିବ ମୋ ମନ

କୃଷ୍ଣ ଚରିତ ତୀର୍ଥ ପଦ

ହରଇ ବିଷୟା-ବିଷାଦ

ସକଳ ପୁଚ୍ଛେ ମୁନିଗଣେ

ଯାର ଚରିତ ଅନୁକ୍ଷଣେ

ସ୍ତୁତି କରନ୍ତି ଆତ୍ମଭାବେ

କେବଳ ଆତ୍ମଜ୍ଞାନ ଲଭେ

ଯେ କଥା ପଶି କର୍ଣ୍ଣଦ୍ୱାରେ

ସୁତୀକ୍ଷଣ ଚକ୍ର ଘେନି କରେ

ଯେ କର୍ମ ଗୃହବନ୍ଧେ ଥାଇ

ତ୍ରିଗୁଣ-ରଜ୍ଜୁ ଗଳେ ଦେଇ

ଜନ୍ମ ମରଣ-ମାର୍ଗେ ଟାଣେ

ସେ କର୍ମ ଛିଡ଼େ ତତକ୍ଷଣେ

ଏମନ୍ତେ କୃଷ୍ଣ କଥା ଯେତେ

କହିଲେ ମୈତ୍ରେୟ ଅଗ୍ରତେ

ଯାହା ଶୁଣନ୍ତେ କର୍ଣ୍ଣ ପଥେ

ମନ ନ ରହେ ଅବା ଦୁଃଖେ

ଯାହା ଶୁଣନ୍ତେ ନିତି ନିତି

ନିବିଡେ଼ ବଢ଼ଇ ପୀରତି

ସେ ହରି ଶ୍ରବଣ କଥନେ

ଯେ ପ୍ରାଣୀ ବଞ୍ଛେ ଅନୁକ୍ଷଣେ

ସକଳ ଦୁଃଖ ତାର ହରେ

ରବି ଯେସନେ ଅନ୍ଧକାରେ

ଯେ ହରି-କଥନେ ବିମୁଖ

ତାର ଜୀବନ ବ୍ୟର୍ଥ ଦେଖ

ତାହାର ଅମଙ୍ଗଳ ଶ୍ରୁତି

କର୍ଣ୍ଣ ସକାଶୁ ନାଶ ଯାନ୍ତି

ବିକଳ୍ପ କଳ୍ପ ଶୁଚିଘର

ସକଳ କଥା ମଧ୍ୟେ ସାର

ପୁଷ୍ପର ରସ ମଧ୍ୟୁ ଯେହ୍ନେ

ଉଦ୍ଧରି ମଧୁ କରେ ପାନେ

ଏଣୁ ଗୋବିନ୍ଦ କଥା ଯେତେ

ଆଗମ ନିଗମ ଉକତେ

ଉଦ୍ଧରି କହ ବିପ୍ର ମୋତେ

ଜୀବର ମୋକ୍ଷ ଆତ୍ମ ତତ୍ତ୍ୱେ

ସୃଷ୍ଟି-ପାଳନ-ସଂହାରଣେ

ସେ ହରି ଆତ୍ମା ମୋକ୍ଷଗଣେ

ନାନା ପ୍ରକାରେ ଶକ୍ତି ଧରେ

ଅଶେଷ ଶରୀରେ ବିହରେ

ଆତ୍ମା ପୁରୁଷ କର୍ମକରେ

ଆନନ୍ଦେ ସଂସାରେ ବିହରେ

ତାହାର ଗୁଣ କର୍ମ ଯେତେ

ଭୋ ମୁନି କହ ମୋ ଅଗ୍ରତେ

ଏମନ୍ତେ ବିଦୁରର ବାଣୀ

ଆନନ୍ଦେ ମଇତ୍ରେୟ ଶୁଣି

ଏ ଜୀବ ନିସ୍ତରେ ଯେମନ୍ତେ

କହନ୍ତି ବିଦୁର ଅଗ୍ରତେ

ମୈତ୍ରେୟ ଉବାଚ

ବିଦୁର ସାଧୁ ତୋ ବଚନ

ଯେଣେ ତରିବେ ଦୁଃଖୀଜନ

ଏ କଥା ହରି-ପରାୟଣ

ବିସ୍ତାରି ପୁଚ୍ଛୁ ତୁ କାରଣ

ବ୍ୟାସର ବୀର୍ଯ୍ୟେ ତୁ ସ୍ୱଭାବେ

ଜନ୍ମ ଲଭିଲୁ ହରି ଭାବେ

ସୁତିର ଗର୍ଭେ ତୋର ଯାତ

ଏଣୁ ତୁ ବ୍ୟାସଙ୍କର ସୁତ

ସେ ବିପ୍ରଶାପ ମୋକ୍ଷ ଅର୍ଥେ

ହରି ଭଜିଲୁ ଅବିରତେ

ସେ ହରି ପ୍ରାଣ ତ୍ୟାଗ କାଳେ

ବନେ ପିପ୍‌ପଳ ବୃକ୍ଷମୂଳେ

ତୋହର ଅର୍ଥେ ମୋତେ ଜ୍ଞାନ

କହିଲେ ଦେବକୀ ନନ୍ଦନ

ସେ ଫଳ ତୋତେ ମୁଁ କହିବି

ଶୁଣନ୍ତା-ପ୍ରାଣୀ ନିସ୍ତାରିବି

ସେ ହରି ଯୋଗମାୟା ବଳେ

ଲୀଲା ବିହାରେ ଏ ଶୟଳେ

ବିଶ୍ୱ ସର୍ଜ୍ଜନ କରେ ହରି

ଯେ ଯୁଗେ ଯେବା କର୍ମେ କରି

ସୃଷ୍ଟିର କାଳେ ଭଗବାନ

ଆତ୍ମାକୁ ଆତ୍ମା ରୂପେ ଧ୍ୟାନ

କରିଣ ଦେଖେ ଏକ କ୍ଷିତି

ସେ ପୁଣି ଆତ୍ମଜ୍ଞାନେ ଥାନ୍ତି

ବିଶେଷ ଶକ୍ତି ତାର ଦେହେ

ରହଇ ଆତ୍ମଜ୍ଞାନ ମୋହେ

ସେ ଶକ୍ତି ବଳେ ଜ୍ଞାନସ୍ମରି

ତକ୍ଷଣେ ମାୟା ରୂପ ଧରି

ସତ-ଅସତ-ଆତ୍ମା ଯାର

ଯେ ଭାବେ ସ୍ଥିତି ଏ ସଂସାର

ସେ ମାୟା ବଳେ ବିଧି ରୂପେ

ତ୍ରିଗୁଣ ମାୟା ଗୁଣ ସୁଖେ

ପୁରୁଷ ରୂପେ ବୀର୍ଯ୍ୟ ଥାଇ

ସେ ବୀର୍ଯ୍ୟେ ସୁଖେ ପ୍ରକାଶଇ

ଅବ୍ୟକ୍ତ ବଳେ କାଳବଳ

ମହତ ହୃଦୟ ନିଶ୍ଚଳ

ସେ ଦିବ୍ୟ ଗୁଣ କାଳ ଅଂଶ

ଅନ୍ଧାରେ ଯେହ୍ନେ ରବି ଦୃଶ୍ୟ

ଆତ୍ମାର ଆତ୍ମା ଜ୍ଞାନ ବଳେ

ଲହରୀ ଯେହ୍ନେ ସିନ୍ଧୁ ଜଳେ

ସେ ପୁଣି ଈଶ୍ୱରର ଇଚ୍ଛା

ତହୁଁ ଉପୁଜେ ସୃଷ୍ଟି ଦୀକ୍ଷା

ତାର ବିକାରୁ ଅହଙ୍କାର

ତକ୍ଷଣେ ହୋଇଲା ବାହାର

କାର୍ଯ୍ୟ କାରଣେ ତାର ଦେହେ

ଭୂତ ଇନ୍ଦ୍ରିୟ ମନୋମୟେ

ବିକାର ରାଜସ ତାମସ

ଏ ତିନି ରୂପେ ତା ପ୍ରକାଶ

ସେ ପୁଣ ବିଷ୍ଣୁ ମାୟା ବଳେ

ଜଳଦ ବୃଷ୍ଟି ଯେହ୍ନେ ଜଳେ

ମନୁ ଉପୁଜିଲା ତକ୍ଷଣେ

ଇନ୍ଦ୍ରିୟ ଦେବଙ୍କ କାରଣେ

ତେଣୁ ପ୍ରକାଶେ ଇନ୍ଦ୍ରିଗଣ

ସେ ଜ୍ଞାନ ପରମ କାରଣ

ମନୁ ଉପୁଜିଲା ଶରୀର

ଶଦ୍ଦ ସ୍ପରଶ ରୂପହର

ଏ ଗ୍ରନ୍ଥ ସଂଖ୍ୟା ଗୁଣେ ମିଶି

ତକ୍ଷଣେ ଗଗନେ ପ୍ରକାଶି

ସେ କାଳ ମାୟାରୂପ ଅଂଶେ

ବିଷ୍ଣୁ ସ୍ୱରୂପ ଦୃଶ୍ୟା ଦୃଶ୍ୟେ

ତହିଁ ଶବଦ ଗୁଣ ଥୋଇ

ଶୂନ୍ୟ ଶବଦ ପ୍ରକାଶଇ

ଯାହାର ତହିଁ ବେନି ଗୁଣ

ଶବଦ ସ୍ୱରୂପ ଲକ୍ଷଣ

ସେ ପୁଣ୍ୟବଳେ ବିକଶିତ

ଜ୍ୟୋତି ତାହାର ତନୁ ଜାତ

ସେ ଜ୍ୟୋତି ରୂପ ମଧ୍ୟେ ଥୋଇ

ସର୍ବ ଶରୀର ରସ ପାଇ

ବାୟୁ ବିକାରେ ଯେହ୍ନେ ଜଳ

ସର୍ବ ଶରୀର ରସ ମୂଳ

ଏ ତିନି ଗୁଣ ଜଳେ ଥୋଇ

ଭୂମି ଉପୁଜେ ଜଳେ ଥାଇ

ଏମନ୍ତେ ସୂର୍ଯ୍ୟ ପରିବାର

ଭୂତ ଇନ୍ଦିୟଙ୍କ ଈଶ୍ୱର

ତାହାଙ୍କୁ ଲକ୍ଷ ଦେବଗଣ

ଭୁତ ଇନ୍ଦ୍ରିୟଙ୍କ କାରଣ

ଅଧିଦେବତା ଅଧିକାରେ

ପ୍ରାଣୀଙ୍କ ବିଷୟ ଗୋଚରେ

ଦେବା ଉଚୁଃ

କର ଅଞ୍ଜଳି ଶିରେ ଦେଇ

ଭାବେ ବୋଲନ୍ତି କୃଷ୍ଣ ଚାହିଁ

ଭୋ ନାଥ ନମୁଁ ତୋ ପୟରେ

ପ୍ରପନ୍ନ ଜନ ଦୁଃଖ ହରେ

ଯା ପାଦପଦ୍ମେ ଆଶ୍ରେ କରି

ସଂସାରୁ ତରନ୍ତି ସଂସାରୀ

ଯେ ଧାତା ତୋର ମାୟାବଳେ

ଅଶେଷ ଜନ୍ତୁ ଏ ଶୟଳେ

ଶେଷେ ସଂସାରୁ ତରିଯାନ୍ତି

କେବେହେଁ ଭ୍ରମେ ନ ପଡ଼ନ୍ତି

ଏଣୁ ତୋ ପାଦ ସେବା ଅର୍ଥେ

ଆମ୍ଭେ ରହିବୁ ଏ ଜଗତେ

ତୋ ମୁଖ ପଦ୍ମ ଛାୟା ପ୍ରାୟେ

ଯେମନ୍ତେ ପକ୍ଷୀଙ୍କ ଆଶ୍ରୟେ

ନିଶ୍ଚନ୍ତ ପ୍ରାୟ ଘୋର ବନେ

ଆଶ୍ରେ କରନ୍ତି ମୁନିଜନେ

ସେ ମୁନିମାନଙ୍କ ଚରଣେ

ସମ୍ପୂର୍ଣ୍ଣ ଅଧମ ରକ୍ଷଣେ

ସେ ପାଦ ଧୋଇ ତୀର୍ଥ ଜଳେ

ସ୍ୱଭାବେ ପିଅନ୍ତି ନିଶ୍ଚଳେ

ଏ ଯେଣୁ ତୋହର ଚରଣେ

ହୃଦେ ଭାବନ୍ତି ଅନୁକ୍ଷଣେ

ଜ୍ଞାନ-ବୈରାଗ୍ୟ ମନେ ଚିନ୍ତି

ତୋ ପାଦ ହୃଦେ ଆରୋପନ୍ତି

ଭୋ ନାଥ ଗୃହ-ଅନ୍ଧକୂପେ

ପ୍ରାଣୀ ପଡ଼ନ୍ତି ଘୋର ଦୁଃଖେ

ମୁହିଁ ମୋହର ବୋଲି ଗ୍ରାସି

ଦୃଢ଼େ ବାନ୍ଧନ୍ତି ମୋହ ଫାଶି

ଦୃଢ଼-ବନ୍ଧନେ ଏ ବିଷାଦ

ହେଳେ ଖଣ୍ତଇ ତା ବିପଦ

ଅଶାନ୍ତି ଇନ୍ଦ୍ରିଗଣ ବଳେ

ହୃଦୟ ନୟନ ନିଶ୍ଚଳେ

ଅସାର ପଥ ନ ଦେଖନ୍ତି

ଯେ କଳ୍ପେ ସମ୍ୱାଦ ବିଭୂତି

ତୋ କଥା ସୁଧାରସ ପାନ

ପ୍ରବୋଧ-ଭକ୍ତି ବିଦ୍ୟମାନ

ବୈରାଗ୍ୟ ଶାନ୍ତି ଯେ ମଣନ୍ତି

ନିର୍ଭୟେ ବିଷ୍ଣୁ ଏକା ଥାନ୍ତି

ଅପରେ ଯେତେ ମୁନି କୁଳେ

ଆତ୍ମା ବିଯୋଗ ସ୍ନେହମେଳେ

ତୋର ପ୍ରକୃତି-ମୁଖୁଁ ତରି

ତୋ ପାଦ-କମଳ ଆବୋରି

ତୋର ସେବାରେ ଶ୍ରମ ତୁଟେ

ଅଶେଷ-ମାୟାବନ୍ଧ ଫିଟେ

ଲୋକ ସର୍ଜ୍ଜିବା ଅର୍ଥେ ତୁହି

ଆତ୍ମାକୁ ଆପଣେ ଭିଆଇ

ତ୍ରିଗୁଣ ଆତ୍ମାବନ୍ଧ ଦେଇ

ଆମ୍ଭଙ୍କୁ ସର୍ଜ୍ଜୁ ନାଥ ତୁହି

ଆମ୍ଭେ ବିମୁକ୍ତ ଭାବେ ଥିଲେ

ତୋ ପାଦ ଛାଡ଼ିବୁ କି ଭଲେ

ଯେମନ୍ତେ ଯଥାକାଳେ ବଳି

ତୋ ପାଦେ ଦେଇ ବନମାଳୀ

ଶରଣ ରକ୍ଷଣ ତୋ ଚିତ୍ତେ

ତୋ ପାଦେ ସେବୁ ଅବିରତେ

ତୁ କୁଟ ସ୍ଥିତି ଆଦି ହରି

ମାୟା-ପୁରୁଷ ରୂପ ଧରି

ତୋ ଶକ୍ତି ଗୁଣ କର୍ମ ବଳେ

ଆସକ୍ତି ଗର୍ଭେ ଯେ ନିଶ୍ଚଳେ

ଅମୋଘ-ବୀର୍ଯ୍ୟେ ନାଥ ଥୋଇ

ସୃଷ୍ଟି ସର୍ଜ୍ଜନା କରୁ ତୁହି

ତୋହର ତହୁଁ ଆମ୍ଭେ ଜାତ

ଶାନ୍ତି ପ୍ରମୁଖ ଜଗନ୍ନାଥ

ତୋ ଆଜ୍ଞା ଶିରେ ଘେନି ଭାବେ

କହ କି କରିବୁଟି ଏବେ

ଆମ୍ଭଙ୍କୁ ଦିବ୍ୟ ଚକ୍ଷୁ ଦେଇ

ତୋର ବ୍ୟାପାରେ ରଖ ନେଇ

ଏମନ୍ତ ଦେବଙ୍କ ବଚନ

ଶୁଣି ସନ୍ତୋଷ ଭଗବାନ

ସେ ହରି ଚରଣେ ବିଶ୍ୱାସ

ଭଣଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ବିଦୁର ମୈତ୍ରେୟ ସମ୍ୱାଦେ

ଏକାନ୍ତ ଭାବନା ନାମ ପଞ୍ଚମୋଽଧ୍ୟାୟଃ ।

•••

 

ଷଷ୍ଠ ଅଧ୍ୟାୟ

 

ଋଷି ଉବାଚ

ଏମନ୍ତ ଦେବଙ୍କ ବଚନ

ଶୁଣି ସନ୍ତୋଷ ଭଗବାନ

ନିବୃତ୍ତି ପ୍ରାୟେ ଲୋକହିତ

ଈଶ୍ୱର ଇଚ୍ଛା ଏ ଆୟତ୍ତ

ସେ କାଳ ଶକ୍ତି ରୂପ ଧରି

ତ୍ରୟୋବିଂଶତି ତତ୍ତ୍ୱେ ପୂରି

ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେ

ନିବୃତ୍ତି କର୍ମର ପ୍ରବୋଧେ

ସଂଯୋଗ କରି ଭିନ୍ନ ଭିନ୍ନ

ଯାହାର ଯହିଁ ପ୍ରୟୋଜନ

ଯେ ଯାହା ମାୟା ବଳ ନେଇ

ଅଧିପୁରୁଷ ରୂପ ବହି

ଏମନ୍ତ ପରମ ପୁରୁଷ

ମାତାଙ୍କ ମଧ୍ୟେ ପରକାଶ

ଏକ ଆରକେ କ୍ଷୋଭ ପାଇ

ଚର ଅଚର ଲୋକେ ତହିଁ

ସୁବର୍ଣ୍ଣମୟ ସେ ପୁରୁଷ

ରହିଲା ସହସ୍ର ବରଷ

ସେ ଜଳରୂପୀ ନାରାୟଣ

ଅନାଦି-ପରମ-କାରଣ

ସକଳ ଜୀବେ ଆତ୍ମା ସେହି

ସର୍ବ ଶରୀରେ ସଞ୍ଚରଇ

ସଂସାରେ ଯେତେ ପ୍ରଜାପତି

ବିଶ୍ୱ ସଂସାରକୁ ସୃଜନ୍ତି

ସେ ଦେବ କର୍ମ ଶକ୍ତିମୟ

ବିଭାଗ କରି ଆତ୍ମା ଦେହ

ସର୍ଜିଲା ଏକାଦଶ ତିନି

ଇନ୍ଦ୍ରି ବ୍ୟାପାରେ କର୍ମ ଘେନି

ଅଶେଷ ପ୍ରାଣୀ ଆତ୍ମା ହରି

ନିଜ ଭୁବନେ ରୂପ ଧରି

ଆଦି ଅବତାର ବଚନେ

ଏ ଭୂତ ଗ୍ରାମେ ଭିନ୍ନେ ଭିନ୍ନେ

ଅଧ୍ୟାତ୍ମ ଅଧିଭୂତ ଭାବ

ପୁଣି କଳ୍ପିଲା ଅଧିଦେବ

ବିରାଟ ରୂପ ଦେଶ ପ୍ରାଣ

ଏକା ସେ ହୃଦୟ କାରଣ

ବିଶ୍ୱ-ସର୍ଜ୍ଜନେ ତା ସଂହାରି

ବିଜ୍ଞାନେ ତାହାକୁ ସୁମରି

ପ୍ରଜାପତିଙ୍କ ଜନ୍ମ ଜାଣି

ବିରାଜେ ଦେବ ଚକ୍ରପାଣି

ତକ୍ଷଣେ ପଶି ନିଜ ତେଜେ

ଯେବା ଯେ ପ୍ରୟାଜନ କାର୍ଯ୍ୟୋ

ସ୍ଥାନ ଭିଆଇ ଦଶମତେ

ଶୁଣ ତୁ ସ୍ଥାପିଲେ ଯେମନ୍ତେ

ବିରାଟ ମୁଣ୍ତ ତୁଣ୍ତ କରି

ବଧଇ ଅର୍ଥେ ଅଧିକାରୀ

ଅଗ୍ନି ସ୍ଥାପିଲା ବାୟୁ ଅର୍ଥେ

ଏବେ ହୋ ଶୁଣ ଏକଚିତ୍ତେ

ସମ୍ମୁଖ ମଧ୍ୟେ ତାଳୁ ଭେଦି

ବରୁଣ ରସନା ସମ୍ପାଦି

ତାହା ଆବୋରି ଷଡ଼ ରସେ

ଲିଙ୍ଗ ରହିଲେ ଦୃଢ଼ ଦେଶେ

ତହୁଁ ନାସିକା ଯହୁଁ ହେଲା

ଅଶ୍ୱିନୀ କୁମାର ରହିଲା

ଯହୁଁ ଦୁଇଟି ଚକ୍ଷୁ ହେଲା

ଆଦିତ୍ୟ ତହିଁରେ ବସିଲା

ଶରୀର ତ୍ୱକ ଯେ ହୋଇଲା

ବାୟୁ ଦେବତା ଆଶ୍ରେ କଲା

ସେହି ତ୍ୱକରୁ ସ୍ପର୍ଶ ଜ୍ଞାନ

ହୋଇଲା ଏକଥା ପ୍ରମାଣ

କର୍ଣ୍ଣ ଦୁଇଟି ଯହୁଁ ହେଲେ

ଦଶଦିଗ ଯେ ଆବୋରିଲେ

ତ୍ୱକରୁ ଚର୍ମ ଭିନ୍ନ ହେଲା

ଔଷଧି ଲୋମରେ ବସିଲା

ସେହି ଲୋମରୁ କଣ୍ଡୁ ଆଦି

ହୁଅଇ ସ୍ପରଶ ସୁଖାଦି

ବିରାଟ ପୁରୁଷ ଉପସ୍ଥେ

ଈଶ୍ୱର ହେଲେ ଶୁକ୍ର ଅଂଶେ

ସେହି ଶୁକ୍ରରୁ ଅନୁକ୍ଷଣେ

ସୁଖ ଲଭନ୍ତି ଲୋକମାନେ

ଗୁହ୍ୟରେ ସ୍ଥିତ ବାୟୁ ଦେବ

ଯହିଁରେ ମୂଳକୁ ଛାଡ଼ିବ

ହସ୍ତ ଦ୍ୱୟରେ ଇନ୍ଦ୍ର ବସେ

କ୍ରୟ ବିକ୍ରୟ ଆଦି ଅଂଶେ

ପଦ ଦ୍ୱୟରେ ଲୋକଈଶ

ଗମନ ଗମନେ ପ୍ରକାଶ

ବୁଦ୍ଧିରେ ବ୍ରହ୍ମା ଯେ ବସିଲା

ଜ୍ଞାନ ଅଜ୍ଞାନ ପ୍ରକାଶିଲା

ତା ଅଧ ଉର୍ଦ୍ଧ୍ୱରୁ ଆକୁଳେ

ଯେ ଲୋମ ତାର ବାହୁବଳେ

ମୃତ୍ୟୁ ଯା ବସିଲା ଆବୋରି

ମୃତ୍ୟ ଦେବତା ଆଶ୍ରେକରି

ତାର ଉତ୍ସର୍ଗେ ଦୃଢ଼ବନ୍ଧେ

ବ୍ୟାପାର ଆବୋରି ଆନନ୍ଦେ

ହୃଦୟେ ଭେଦି ନିଶାକର

ଯେସନେ ବ୍ୟସନେ ଗୋଚର

ଚନ୍ଦ୍ରମା ତହିଁ ଦୃଢ଼ମତେ

ଆନନ୍ଦେ ରହିଲା ନିଶ୍ଚିନ୍ତେ

ଗୁଣ ସ୍ୱବୃତ୍ତି ଘେନି ଶୂନ୍ୟେ

ନାଭିରୁ ପ୍ରକାଶେ ଗଗନେ

ମର୍ତ୍ତ୍ୟକୁ ସ୍ୱର୍ଗ ଯେ ହୋଇଲା

ବିରାଟ ପୁଂସ ସବୁ ହେଲା

ଏମନ୍ତେ ଆତ୍ମା କୃତିମତେ

ଦେହ ଆବୋରିଲେ ନିଶ୍ଚିନ୍ତେ

ସୃଷ୍ଟି ସୃଜନେ ଯେତେ ଜନ

ଦେହେ କଳ୍ପିଲା ଭଗବାନ

ବ୍ରାହ୍ମଣ ବେଦ ଯେ ମୁଖରୁ

ଏ ଚାରି ବର୍ଣ୍ଣଙ୍କର ଗୁରୁ

ବିରାଟ ତେଜେ ପୁଣି ହରି

ଭୁଜୁ କ୍ଷତ୍ରିୟ ଜନ୍ମ କରି

ବୈଶ ଜନ୍ମିଲା ଉରୁ ଯୋଗେ

କୃଷ୍ୟାଦି ଜୀବିକା ସ୍ୱଭାବେ

ଏ ତିନି ବର୍ଣ୍ଣ ସେବା ଅର୍ଥେ

ଶୂଦ୍ର ଜନ୍ମିଲା ପାଦଗତେ

ତାହାର ସେବା ବୃତ୍ତି ଫଳେ

ହରି ସନ୍ତୋଷ ଏ ଶୟଳେ

ଏ ଚାରି ବର୍ଣ୍ଣ ଏ ଜଗତେ

ସ୍ୱଭାବେ ଜନ୍ମ ଅନୁମତେ

ଜଗତ ଗୁରୁଙ୍କର ପାଦେ

ଭଜିବେ ଯୁଗ ଅନୁବାଦେ

ସାଧୁ ସୁବୃତ୍ତି ଘେନି ସୁଖେ

ବିଷ୍ଣୁ ପୂଜିଲେ ଯଜ୍ଞମୁଖେ

ଏମନ୍ତେ ଶୁଣ ହୋ ବିଦୁର

ଯାହା କହିଲେ ଗଦାଧର

ତୋତେ କହିଲି ମୁହିଁ ଭାବେ

ଯାହା ତ ପୁଚ୍ଛିଲୁ ପ୍ରସ୍ତାବେ

ସେ ହରି ଗୁଣ-ମାୟା-ଅର୍ଥେ

କେ ମୁଖେ କହିବ ସାମର୍ଥ୍ୟେ

ତଥାପି ଜ୍ଞାନ ମୋର ଯେତେ

ସବୁ କହିଲି ତୋ ଅଗ୍ରତେ

ଯାର ମହିମା ଅବଧାନେ

ଜ୍ଞାନ-ଅମୃତ ରସପାନେ

ଜନ୍ମ-ମରଣୁ ପ୍ରାଣୀ ତରେ

ନ ବୁଡେ଼ ସଂସାର ସାଗରେ

ତାର ମହିମା ଏ ସଂସାରେ

କେ କହୁ ଶତେ ସମ୍ବତ୍ସରେ

ଯାର ମହିମା ଯୋଗୀ ଚିନ୍ତି

ବ୍ରହ୍ମା ଶଙ୍କରେ ମୋହ ଯାନ୍ତି

ଅପରେ କେବା ତାହା ଜାଣି

କେ ଅବା ମୁଖେ ରେଣୁ ଗଣି

ସେହି ମହିମା ନ ପାଇଲେ

ଅନନ୍ତ ମହିମା ଶୟଳେ

ସେ ହରି ପାଦେ କରି ଆଶ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂ
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ମୈତ୍ରେୟ ବିଦୁର ସମ୍ୱାଦେ

ନାମ ଷ‌ଷ୍ଠୋଽଧ୍ୟାୟଃ

•••

 

ସପ୍ତମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ

ବିଦୁର ଦୃଢ଼ ଚିତ୍ତେ ଶୁଣି

ଆନନ୍ଦ ମନେ ବ୍ୟାସ ସୁତ

କପୋଳେ ଦେଇ ବେନି ହସ୍ତ

ରୋମ ପୁଲକ ତାର ଦେହୀ

ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ

ବିଦୁର ଉବାଚ

ଭୋ ମୁନି ଏ ଯେ ବିପରୀତ

ଭାବେ ଭ୍ରମଇ ମୋର ଚିତ୍ତ

ସେ ହରି ସ୍ୱଭାବେ ନିର୍ଗୁଣ

ନିଶ୍ଚିନ୍ତେ ପରମ-କାରଣ

ଲୀଳା-ବିହର ଗୁଣ କ୍ରିୟା

କେ ଜାଣି ପାରିବଟି ଏହା

ବାଳକ କ୍ରୀଡ଼ାଭାବେ ଯେହ୍ନେ

ମୋତେ ନ ଘେନି ଅନୁମାନେ

ଇଚ୍ଛା-ସ୍ୱଭାବେ ଖେଳ ତାର

ସେ ନୋହେ ସଂଶୟ ଗୋଚର

ଯେ ନିଦ୍ରାଗତ ନିଜ ସୁଖେ

ସେ କିମ୍ପା ପଶେ ଏତେ ଦୁଃଖେ

ନିଜ ଗୁଣରୁ ମାୟା ବଳେ

ସେ ବିସର୍ଜିଲା ଅବହେଳେ

ପୁଣି ପାଳିଣ କରେ ଅନ୍ତ

ବ୍ୟାପାରୀ ପୁରୁଷ ଯେମନ୍ତ

କରମ କରି ନାନା ମତେ

ଏ ଦେଶ କାଳ ପାତ୍ର ଅର୍ଥେ

ଏମନ୍ତେ ସୃଷ୍ଟି ସେ କରଇ

ସେ ମର୍ମ ତାକୁ ନ ଲାଗଇ

ମାୟା ସଂଯୋଗ ନିପାତନେ

ପୁଣ୍ୟ ପୁରୁଷ କ୍ଷଣେ କ୍ଷଣେ

ଏଣୁ ମୋ ମନେ ଯେତେ ଭେଦ

ଜ୍ଞାନ-ଖଡ଼ଗ ଘେନି ଛେଦ

ଶ୍ରୀଶୁକ ଉବାଚ

କହନ୍ତି ଶୁକ ମୁନିବର

ଶୁଣ ପରୀକ୍ଷ ଦଣ୍ତଧର

ଏମନ୍ତେ ବିଦୁରଙ୍କ ବାଣୀ

ସାନନ୍ଦେ ମଇତ୍ରେୟ ଶୁଣି

ମୈତ୍ରେୟ ଉବାଚ

ବିଷ୍ଣୁ ଭଜନ ଅନୁରାଗେ

ହସି କହନ୍ତି ତାହା ଆଗେ

ସେ ବିଷ୍ଣୁ ମାୟାମୟ ଦେହୀ

ଏମନ୍ତ ମନକୁ ମୋହଇ

ଈଶ୍ୱର ସ୍ୱଭାବେ ବିମୁକ୍ତ

ସେ ଭାବେ ପ୍ରୟୋଜନ ଯୁକ୍ତ

ଆତ୍ମାର ବିପରୀତ ଭାବେ

ଈଶ୍ୱର ମହିମା ସ୍ୱଭାବେ

ଶରୀର ଭେଦେ ଆତ୍ମା କରେ

ଯେସନେ ଦର୍ପଣ ଭିତରେ

ଦେଖନ୍ତେ ପୁରୁଷକୁ ଶୋହେ

ତାର ବିକାରୁ ଦେହ ବହେ

କରମ କରାଇ କରଇ

ସେ ଯେହ୍ନେ ତାକୁ ନ ଲାଗଇ

ଅକ୍ଷୟ ବିଷ୍ଣୁ ମାୟାବଳେ

ଚନ୍ଦ୍ରମା ଛାୟା ଯେହ୍ନେ ଜଳେ

ଜଳ କମ୍ପନେ ସେ କମ୍ପଇ

ସେ ଯେହ୍ନେ ତାକୁ ନ ଲାଗଇ

ଏ ଜୀବ ବିଷ୍ଣୁ ମାୟାବଳେ

ଆତ୍ମାରେ ନ ରହେ ନିଶ୍ଚଳେ

ଯୋଗୀଏ ଯୋଗ ଧ୍ୟାନ ବଳେ

ଆତ୍ମାରେ ନରହେ ନିଶ୍ଚଳେ

ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତି

ଅନ୍ତରେ ନିଶ୍ଚଳେ ରହନ୍ତି

ବିଷ୍ଣୁର ପାଦେ ସେହି ମତେ

ଯେବା ଚିନ୍ତନ୍ତି ଅବିରତେ

ତାହାଙ୍କ ଦେହେ କ୍ଳେଶ ଯେତେ

ଦହିଯ୍ୟ ହୁଅନ୍ତି ସମସ୍ତେ

ଏଣୁ କୃଷ୍ଣର ଗୁଣ କଥା

ଯେ ଶୁଣେ ଯେ ଅବା ବକତା

ଅଶେଷ-କ୍ଳେଶ ତାଙ୍କ ଦେହେ

ଦହନ ହୋନ୍ତି ତୃଣ ପ୍ରାୟେ

ସେ ହରି-ପାଦପଦ୍ମ-ଗନ୍ଧେ

ଚିତ୍ତ ଲୋଭିତ ମକରନ୍ଦେ

ନିତ୍ୟେ ଚିନ୍ତନ୍ତି ଭୃଙ୍ଗ ପ୍ରାୟ

ତାଙ୍କୁ ନ ଲାଗେ ଯମ ଭୟ

ବିଦୁର ଉବାଚ

ଭୋ ମୁନି ତୁମ୍ଭ ବାକ୍ୟେ ଆସି

ମୋ ମନ-ସଂଶୟ ବିନାଶି

କ୍ଷୀଣ ସଂଶୟ ହୋଇ ଯେହ୍ନେ

ବିସ୍ତାରି ବସନ୍ତି କାରଣେ

ଏ ସୃଷ୍ଟି ବିସ୍ତାର କାରଣେ

ଯେମନ୍ତେ ପ୍ରଜାପତି ଗଣେ

ସଙ୍ଗ ସଙ୍ଗତେ ପ୍ରତି ସଙ୍ଗ

ମୋହନ ଅନନ୍ତରେ ବର୍ଗ

ଏହାଙ୍କ ତହୁଁ ବଂଶ ଯେତେ

ଜନ୍ମିଲେ ବଂଶାନୁଚରିତେ

ବିରାଟ ରୂପ ଦେହ ମଧ୍ୟେ

ଯେବା ବସନ୍ତି ଅଧ ଊର୍ଦ୍ଧ୍ୱେ

ଚତୁର ଲୋକେ ଦେହ ସ୍ଥିତି

କେ କେତେ ଅନ୍ତରେ ଅଛନ୍ତି

ଦେବ ମନୁଷ୍ୟ ପଶୁଗଣେ

ପକ୍ଷୀ ପତଙ୍ଗ ଭୂମି ତୃଣେ

ସ୍ୱେଦ ଅଣ୍ଡଜ ଜରାୟୁଜ

ଉଦ୍ଭିଦ ଆଦି ବୃକ୍ଷରାଜ

ଯେଣୁ ସେ ଯେବା ଆଦି ଭାର

ସୃଷ୍ଟି ପାଳନର ଅନ୍ତର

ତେଣୁ ସେ ସର୍ବେ ଶ୍ରୀନିବାସ

ଯାର ମହିମା ଅବକାଶ

ଯେ ବର୍ଣ୍ଣାଶ୍ରମଙ୍କ ବେଭାର

ଯେ ଜଳ ଅଣ୍ଡଜ ଆକାର

ଋଷିଙ୍କ ଜନ୍ମ କର୍ମ ଯେତେ

ଦେବ ବୃକ୍ଷର ସଧ ମତେ

ଯୋଗ ସାଧନେ କେତେ ସାଧି

କର୍ମ ବା କେତେକ ବିରୋଧି

ନିଷ୍କାମ ବିଧି ଯେତେ ସାର

ଯେମନ୍ତେ ତତ୍ତ୍ୱର ବିଚାର

ପାଷାଣ ପଥ ବନ ସମ

ଯେ ପ୍ରତି ଲୋମ ଅତି ଲୋମ

ଜୀବର ଗତି ଯେତେ ମାର୍ଗେ

ସେ ପୁଣ ଗୁଣ କର୍ମ ଯୋଗେ

ଧର୍ମାର୍ଥ-କାମ-ମୋକ୍ଷ ଆଦି

ଯେ ମାର୍ଗେ ଯେମନ୍ତେ ସମ୍ପାଦି

ଯେବା ତ୍ରିଦଣ୍ଡ କରେ ଘେନି

ଯେ ବେଦ ବିଧି ଅନୁମାନୀ

ଶ୍ରୀଧର ସେବା ନୀତି ବିଧି

ପିତୃଗଣଙ୍କ ସ୍ନାନ ଆଦି

ଗ୍ରହ ନକ୍ଷତ୍ର ତାରାଗଣେ

ଯେ କାଳରୂପୀ ଅପ୍ରମାଣେ

ଦାନ ତ୍ୟାଗର ଫଳ ଯେତେ

ଯେ ଅବା ଭଜେ କୃଷ୍ଣ ପ୍ରୀତେ

ଗୃହବାସୀର ଯେତେ ଧର୍ମ

ଆପଦ କାଳେ ଯେବା କର୍ମ

ଯେଣେ ଗୋବିନ୍ଦ ତୋଷ ହୋଇ

ଯେ ଧର୍ମ ଜନନୀ ବୋଲାଇ

ସେ ହରି ପ୍ରସନ୍ନେ ଯେମନ୍ତେ

ଭୋ ମୁନି କହ ଦୟା ଚିତ୍ତେ

ସେ ଭାବ ଗୁରୁ ଶିଷ୍ୟଗଣେ

ଯେମନ୍ତେ ଜୀବ ପରିତ୍ରାଣେ

ଯେ ପୁତ୍ର ପିତା ତୋଷ ହୋଇ

ଅଧର୍ମମତେ ସାକ୍ଷୀ ଦେଇ

ଆତ୍ମାର ତତ୍ତ୍ୱ ଅବା କେତେ

ସୃଷ୍ଟିରେ ସଞ୍ଚରନ୍ତି ଯେତେ

ବିରାଟ ରୂପେ ଦେହେ ଥାନ୍ତି

ପୁଣି କେମନ୍ତେ ଲୀନ ହୋନ୍ତି

ଆତ୍ମା ରକ୍ଷଣେ ଅବା ଦେହୀ

ବିଶ୍ୱ ରୂପେ କି ପ୍ରକାଶଇ

ଯେ ଗୁରୁ-ଶିଷ୍ୟର ସମ୍ବାଦ

ଜ୍ଞାନ ସାଧନ୍ତି ମୋକ୍ଷ ସାଧ୍ୟ

ଏ ଆଦି କରମ ଗୋଚର

ପଣ୍ତିତ ଜନଙ୍କ ବେଭାର

କେମନ୍ତେ ପୁରୁଷଙ୍କ ଦେହେ

ଭକ୍ତି ବୈରାଗ୍ୟ ଜାତ ହୁଏ

ଏ ଯେତେ ପୁରୁଷ ମୁରାରୀ

ହରି ମହିମା ଇଚ୍ଛା କରି

ଜଗତେ ଦେଖ ଯଜ୍ଞ ଯେତେ

ତପ ସମାଧି ନଦୀ ଅର୍ଥେ

ଜୀବକୁ ଯେତେ ଦୟା ବହେ

ହରିଙ୍କୁ ଦେଖେ ସର୍ବ ଦେହେ

ସେ ପୁଣ୍ୟ କଲା ଯେତେ ସମ

ହୁଅନ୍ତି ତେଜି ନିଜ କର୍ମ

ଏମନ୍ତେ ପୁରାଣ-ସଙ୍କଳ୍ପେ

ବିଦୁର ମୈତ୍ରେୟ ସମୀପେ

ଆନନ୍ଦେ ଯେତେ ପଚାରିଲା

ସୃଷ୍ଟି ସମ୍ପାଦେ ଯେତେ ଲୀଳା

ଶୁଣି ହରଷେ ମୁନିବର

ବୋଲନ୍ତି ଶୁଣ ହେ ବିଦୁର

ଶ୍ରୀ ଶୁକ ଉବାଚ

ଏ ଭାଗବତ ପ୍ରଶ୍ନ ବାଣୀ

କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ

ଯେ ଅବା ବଦନେ ଉଚ୍ଚାରି

ବିଷ୍ଣୁ ମାୟାରୁ ଯାନ୍ତି ତରି

ତୃତୀୟ ସ୍କନ୍ଧେ ଭାଗବତ

କହିଲେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂ

ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ମୈତ୍ରେୟ ବିଦୁର ସମ୍ୱାଦେ

ନାମ ସପ୍ତମୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

 

ବିଦୁର ପ୍ରଶ୍ନ ଶୁଣି କର୍ଣ୍ଣେ

ଆନନ୍ଦେ ମଇତ୍ରେୟ ମନେ

ବିଷ୍ଣୁ-ଚରଣେ ଚିତ୍ତଧ୍ୟାୟି

କହନ୍ତି ବିଦୁରଙ୍କୁ ଚାହିଁ

ମୈତ୍ରେୟ ଉବାଚ

ଶୁଣ ବିଦୁର ଶୁଦ୍ଧଚେତା

ସୁପୁଣ୍ୟ ପ୍ରସନ୍ନ ଯେ କଥା

ଯାହାର ଜନ୍ମ ପୂର୍ବ ଅଂଶେ

ଯେମନ୍ତେ ଆତ୍ମା ଯେ ପ୍ରକାଶେ

ଯାର ମହିମା ଶୁଣି କର୍ଣ୍ଣେ

ସେବା କରନ୍ତି ଭକ୍ତଜନେ

ଲୋକ ପାଳକ ଦୟାନିଧି

ସର୍ବ ସମ୍ପଦ ଗୁଣ ସିଦ୍ଧି

ଭକ୍ତଜନଙ୍କ ଶିରୋମଣି

ଯାର ମହିମା ଜନେ ଶୁଣି

ଇହ ସଂସାରେ କୃଷ୍ଣ ଲୀଳା

ବିଶ୍ୱ ମଙ୍ଗଳ କୀର୍ତ୍ତି ମାଳା

ନିରତେ ସନ୍ଥ ମୁଖ ଶୁଣି

ତୋତେ ନ ଭଜେ ଚିତ୍ତେ ପୁଣି

ତାର ମହିମା ତୋ ସମୀପେ

କହିବି ଭକ୍ତଜନ ମୁଖେ

ସୁଖ ସମୁଦ୍ରେ ଭାସିଯାଏ

ନିରତେ ଯାର ମନ ଧ୍ୟାୟେ

ତାହାଙ୍କ ନିସ୍ତାରଣ ଅର୍ଥେ

ଶୁଣି କହିବା ତୋ ଅଗ୍ରତେ

ଯେ ଭାଗବତ ରସସାର

ଋଷିଙ୍କୁ ଦେଲେ ଚକ୍ରଧର

ଶୁଣ ବିଦୁର ସାବଧାନେ

ବ୍ରହ୍ମାର ପୁତ୍ର ଏକ ଦିନେ

ସନକ ଆଦି ଚତୁର୍ଭ୍ରାତେ

ମିଳିଲେ ଅନନ୍ତ ଅଗ୍ରତେ

ରତ୍ନ ଆସନେ ଭୂମିଗତେ

ବସେ ଅନନ୍ତ ଶୁଦ୍ଧ ଚିତ୍ତେ

ଆଦି ଅନନ୍ତ ରୂପ ସାର

ବୈକୁଣ୍ଠ-ମହିମା ଯାହାର

ତାଙ୍କ ସମୀପେ ଚତୁର୍ଭ୍ରାତେ

ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ

ପରମ ତତ୍ତ୍ୱ କରି ଦୀକ୍ଷା

ଏକୁ ଅନେକ କଲେ ପୁଚ୍ଛା

ସ୍ୱଭାବେ ସ୍ଥିତି ଯା ଶରୀର

ଦେବ ମାନବେ ଅଗୋଚର

ସର୍ବେ କହନ୍ତି ବହୁ ଜ୍ଞାନ

ଶ୍ରୀ ବାସୁଦେବ ଯାର ନାମ

ବିବୁଧ ଜନଙ୍କ ଆନନ୍ଦ

ସୁଖେ ନିଶ୍ଚଳ ଯାର ପଦ

ନିର୍ମଳ ଭାଗବତ ନୀରେ

ଧୌତ କରନ୍ତି ଯାର ଶିରେ

ସେବନ୍ତି ସୁନ୍ଦର କାମିନୀ

ବିବିଧ ଉପହାର ଘେନି

ସେବନ୍ତି ଯାର ପାଦ ନିତ୍ୟେ

ଉତ୍ତମ ଭାବ ପ୍ରାପ୍ତି ଅର୍ଥେ

ସୁସ୍ୱରେ ଗୀତ ନାଦଧ୍ୱନି

ସ୍ୱଭାବେ ଅନୁରାଗ ଘେନି

ଶରଣ ପଶେ ଦୃଢ଼ ଚିତ୍ତେ

ସେବା କରନ୍ତି ପାଦଗତେ

ଜାଣନ୍ତି ଲୀଳା-ତତ୍ତ୍ୱଜ୍ଞାନେ

ନିଶ୍ଚଳ ମନେ ଚିନ୍ତି ଧ୍ୟାନେ

ସେ ଦେବ ସହସ୍ର ଶିରସ

କିରୀଟ ମଣିମୟ ତ୍ରାସ

ଫଣୀ ସହସ୍ର ଶୋଭା କରେ

ଆଦିତ୍ୟ ଯେସନେ ଅମ୍ବରେ

ତାର ଚରଣ ନିଜ ଶିରେ

ଶଙ୍କର ଧରି ନିଜ କରେ

ପୁଚ୍ଛିଲେ ତତ୍ତ୍ୱସାର ନାମ

ତା ଶୁଣି ନିସ୍ତରିବେ ଜନ

ନିବୃତ୍ତ ମାର୍ଗେ ଦେଇ ଚିତ୍ତ

ଆନନ୍ଦେ କହିଲେ ଯେମନ୍ତ

ସନକ ଚିତ୍ତେ ଅନୁରାଗେ

କହିଲେ ତାହା ଅନୁମାର୍ଗେ

ସେ ସାଂଖ୍ୟ ଅନୁଯୋଗ ଧ୍ୟାୟେ

ପରମହଂସ-ଦୀକ୍ଷା ବହେ

ସେ ପୁଣି ଦୟା-ଶୁଦ୍ଧ ଚିତ୍ତେ

ସଂସାର ନିସ୍ତାରଣ ଅର୍ଥେ

କୃଷ୍ଣ-ମହିମା ପରିମାଣି

ନିର୍ମଳ-ଭାଗବତ-ବାଣୀ

ବିଷ୍ଣୁର ଗତି ଅନୁରାଗେ

କହିଲେ ମୋର ଗୁରୁ ଆଗେ

ସେ ପରାଶର ମହାମୁନି

ଆନନ୍ଦେ ହରି ଭାବ ଘେନି

କହିଲେ ବୃହସ୍ପତି ଆଗେ

ଦେବ ସମୂହ ପ୍ରୀତିଭାବେ

ସେ ବୃହସ୍ପତି ଜ୍ଞାନ ବାଣୀ

ପୌଲସ୍ତ୍ୟ ମୁନି ଆଗେ ଭଣି

ବ୍ରହ୍ମା କୁପିତ ବାଣୀ ଏବେ

ଶୁଣ କହିବା ତୋତେ ଭାବେ

ତୁ ଶୁଦ୍ଧ ଚିତ୍ତେ ବତ୍ସ ଶୁଣ

ଏ ଆଦି ପରମ କାରଣ

ଯେ ବିଶ୍ୱ ସୃଷ୍ଟି ପୂର୍ବେ ଥିଲା

ପ୍ରଳୟ-ଜଳେ ନାଶ ଗଲା

ତାର ସମ୍ମୁଖେ ଭଗବାନ

ନିଦ୍ରାରେ ମୁଦ୍ରିତ ନୟନ

ପ୍ରଳୟ-ଜଳଧିର ମଧ୍ୟେ

ଅନନ୍ତ-ଶୟନ ଆନନ୍ଦେ

ଶୋଇଲେ ଏକ ରୂପ ହୋଇ

ସଙ୍ଗେ ସଙ୍ଗତି କେହି ନାହିଁ

ନିଶ୍ଚେଷ୍ଟ-ଆତ୍ମା ସୁଖେ ରତ

ଭୂଜେ ନିବେଶି ପଞ୍ଚଭୂତ

ଆତ୍ମା ପ୍ରାପତ ସୂକ୍ଷ୍ମ ଅର୍ଥେ

କାଳାତ୍ମା ମୁକ୍ତିର ଆୟତ୍ତେ

ସେ କାୟା ପଦ୍ମ ଜଳେ ପଶି

ଯେହ୍ନେ କନ୍ଦରେ ଅଗ୍ନିରାଶି

ବିଶ୍ୱ-ରଜନୀ ପ୍ରକାଶିଲା

ପରମ ଆତ୍ମାରେ ମିଶିଲା

ଜଳେ ଶୟନ ଭଗବାନ

ସେ ଆତ୍ମା ଶକ୍ତିର ଅଧୀନ

ତାର ଆୟତ୍ତ କାଳବଳେ

ଯେ କର୍ମ ଶକ୍ତିର ନିଶ୍ଚଳେ

ସେ ପୁଣି କର୍ମେ ତତ୍ତ୍ୱ ହୋଇ

ସର୍ବ ଜୀବଙ୍କ ଦେହ ଚାହିଁ

ତାହାଙ୍କ ଅବତାର ଅର୍ଥେ

ସୂକ୍ଷ୍ମ ଇନ୍ଦ୍ରିୟ ଦୃଢ଼ ଚିତ୍ତେ

ଉନିଦ୍ର ସୃଷ୍ଟିର କାରଣେ

ସମେ ପ୍ରବେଶ ରଜୋଗୁଣେ

ସେ କାଳବଳର ବିଶ୍ୱାସେ

ମିଳିଲେ ବିଷ୍ଣୁ-ନାଭି ଦେଶେ

ସେ ମଧ୍ୟନାଭି ପଦ୍ମକୋଷ

ତକ୍ଷଣେ ହୋଇଲା ପ୍ରକାଶ

କର୍ମେ ବାଧିଲେ କାଳବଳେ

ରୂପେ ବିରାଜେ କୁତୁହଳେ

ଉଦୟ ରବି ତେଜ ଜିଣି

ଜଳେ ପ୍ରକାଶ ଆତ୍ମା ଘେନି

ଲୋକ ପ୍ରଦ୍ୟୁମ୍ନ ନାରାୟଣ

ସ୍ୱୟଂ ପ୍ରବେଶ ରଜୋଗୁଣ

ସେ କାଳ ଗୁଣେ ସେ ପ୍ରବେଶ

ସହସ୍ର ରବି ଜିଣି ତ୍ରାସ

ସେ ପଦ୍ମ କର୍ଣ୍ଣିକାର ମଧ୍ୟେ

ବେଦ ପ୍ରକାଶେ ପଦେ ପଦେ

ବିଧାତା ନାମ ସେ ବୋଲାଇ

ତାର ଶରୀର କର୍ମମୟୀ

ସ୍ୱୟମ୍ଭୁ ନାମ ତା ସ୍ୱଭାବେ

ଉଦୟ ନିଜ କର୍ମ ଭାବେ

ସେ ପଦ୍ମ ମଧ୍ୟେ ବ୍ରହ୍ମାରହେ

ବସି ସକଳ ଦିଗ ଚାହେଁ

ନ ଦେଖି ଜୀବଙ୍କ ଉଦ୍ଦେଶ୍ୟ

ତକ୍ଷଣେ ଚାହିଁଲା ଆକାଶ

ହୋଇଲା ତାର ଚାରି ମୁଖ

କେବେହେଁ ନ ଲଭଇ ସୁଖ

ପୁଣି ଦେଖଇ ତେଜ ରାଶି

ଉତ୍କଣ୍ଠା ଉଲ୍ଲୋକ ପ୍ରକାଶି

ଆତ୍ମା ନ ଜାଣେ ତାହା ଚାହିଁ

ଏମନ୍ତ ପଦ ମଧ୍ୟେ ରହି

କାହୁଁ ଅଇଲି କେଉଁ ଦେଶେ

ନ ଜାଣି ଆତ୍ମାର ବିଶ୍ୱାସେ

ଏ ପଦ୍ମ କାହୁଁ ଉପୁଜିଲା

କିବା ଏ ଜଳ ମଧ୍ୟେ ଥିଲା

ଅନ୍ନ ନ ଥିଲେ ଜଳ କାହିଁ

ଏମନ୍ତ ମନେ ବିଚାରଇ

କିବା ଏ ପଦ୍ମ ମୂଳେ ଅଛି

ଏମନ୍ତ ମନେ ତାର ବାଛି

ପୁଣି ଚାହିଁଲା ଆତ୍ମା ଦୁଃଖେ

ନିଜ ଆସନ ଅଧୋମୁଖେ

ତଳେ ଦେଖିଲା ପଦ୍ମ ନାଳ

ତା ମଧ୍ୟେ ଅନ୍ଧକାର ବିଳ

ବିଚାରେ ଏହି ମାର୍ଗେ ଯିବି

କାହୁଁ ଅଇଲା ତା ଦେଖିବି

ଏମନ୍ତେ ବିଚାରି ସଂଶୟେ

ବିଳେ ପଶିଲା ମହାଭୟେ

ସେ ନାଳମାର୍ଗେ ନାଭି ପଥେ

ପଶିଲା ବିଷ୍ଣୁ-ଗର୍ଭ ଗତେ

ଅନେକ କାଳ ଗର୍ଭେ ଭ୍ରମି

ଫୁଟି ହୋଇଲା ପଥଶ୍ରମି

ସେ କାଳ ଜନ୍ତୁଙ୍କର ପ୍ରାଣ

ବଳେ ହରଇ ଅନୁକ୍ଷଣ

ସେ କାଳ ବଳର କର୍ଷଣେ

ବାହାର ହୋଇ ତତକ୍ଷଣେ

ମନେ କଳ୍ପି ସେ ନ ପାରିଲେ

ନିଜ ଆସନେ ବିଜେ କଲେ

ସ୍ଥିର-ନିଃଶ୍ୱାସ ଦୃଢ଼େ ଧରି

ମନ-ପବନ ହୃଦେ ଭରି

ନିବୃତ୍ତ ଚିତ୍ତେ ପ୍ରଜାପତି

ଯୋଗ ଅଭ୍ୟାସ କଲା ମତି

ସେ ପୁଣି ଅତି କାଳ ବଳେ

ବିଶ୍ୱ ସଂଯୋଗ ବୋଧ କାଳେ

ତାର ହୃଦୟ ବିଷ୍ଣୁ ଭାବେ

ପ୍ରକାଶେ ସୃଷ୍ଟି ଅର୍ଥଲାଭେ

ପୂର୍ବେ ଯେମନ୍ତେ ମହାଜଳେ

ଦେଖିଛି ନୟନେ ନିଶ୍ଚଳେ

ମୃଣାଳ ଦେହ ଗୌର କାନ୍ତି

ଅନନ୍ତ-ଶୟନ ଶ୍ରୀପତି

ଏକା ଅଛନ୍ତି ନାହିଁ କେହି

ଦେଖି ନିଶ୍ଚଳେ ନେତ୍ରେ ରହି

ଫଣା ସହସ୍ର ଊର୍ଦ୍ଧ୍ୱେ ଜ୍ୟୋତି

ରତ୍ନ ମୁକୁଟ ଝଟକନ୍ତି

ଯୁଗାନ୍ତ-ଜଳ-ଅନ୍ଧକାର

ସେ ରତ୍ନ ଜ୍ୟୋତି କଲା ଦୂର

ମହାପୁରୁଷ ବୃକ୍ଷ ରୂପେ

ସ୍ୱୟଂ ପ୍ରକାଶ ମହା କଳ୍ପେ

ପ୍ରକାଶେ ଆତ୍ମାର ବିଚାର

ତୈଲୋକ୍ୟ ପ୍ରକାଶ ଶରୀର

ଦିବ୍ୟ ବିଚିତ୍ର ଆଭରଣେ

ପ୍ରକାଶ ବସ୍ତ୍ର ଆଚ୍ଛାଦନେ

ସର୍ବ ସୁନ୍ଦରଙ୍କ ସମୂହ

ଯେଣେ ପ୍ରକାଶେ ବିଶ୍ୱ ଦେହ

ମିଳି ସକଳ ମହାଜନେ

ମଙ୍ଗଳ ଗୀତନାଦ ସ୍ୱନେ

ସେ ନାମ ଯେ କରନ୍ତି ଧ୍ୟାୟେ

ତାହାଙ୍କୁ କାମଧେନୁ ପ୍ରାୟେ

ଦୟାସାଗର ଭଗବାନ

ବ୍ରହ୍ମାଙ୍କୁ ଦେଲେ ଦରଶନ

ଅଙ୍ଗୁଳି ଅଗ୍ରେ ନଖପନ୍ତି

ଶଶାଙ୍କ ପ୍ରାୟେ ବିରାଜନ୍ତି

ସ୍ଫୁରିତ ଦିଶେ ହାସ୍ୟ ମୁଖ

ଦେଖନ୍ତେ ହରେ ପ୍ରାଣୀଦୁଃଖ

କର୍ଣ୍ଣେ କୁଣ୍ତଳ ବେନି ଶୋହେ

ବଦନ ଚନ୍ଦ୍ର ସରି ନୁହେଁ

ଶଶୀ ଅରୁଣ ଓଷ୍ଠ ବେନି

ବିରାଜେ ଦନ୍ତ ପନ୍ତି ଘେନି

କଦମ୍ବ ପୁଷ୍ପ ତେଜ ପ୍ରାୟେ

ପୀତ ବସନେ କଟି ଶୋହେ

ରତ୍ନମେଖଳା ତେଜ ଦମ୍ଭେ

ସୁନ୍ଦର ପ୍ରକାଶେ ନିତମ୍ବେ

ଅମୂଲ୍ୟ ଧଣ୍ଡା ହାର ମାଳ

ଲମ୍ବେ ଶ୍ରୀବତ୍ସ ବକ୍ଷ ସ୍ଥଳ

ସୁନ୍ଦର ଅଳକା କପୋଳ

ହାର କେୟୁର ରତ୍ନମାଳେ

ଭୁଜ ସହଜେ ଜାନୁ ଯାଏ

ଲମ୍ବେ ଶ୍ରୀବଟ ରୁହ ପ୍ରାୟେ

କେ ଅବା ଲୋଚନେ ଦେଖିବ

ଅଦୃଶ୍ୟ ମୂଳ ତା ସ୍ୱଭାବ

ସର୍ବ-ଭୁବନ ତାର ଦେହେ

ବିରାଜେ ପୁଷ୍ପକଣା ପ୍ରାୟେ

ମନ୍ଦରଗିରି ଯେହ୍ନେ ଜଳେ

କ୍ଷୀରୋଦ-ମନ୍ଥନର କାଳେ

ସହସ୍ର ଶୃଙ୍ଗ ତାର ସାଜେ

ସୁରତ୍ନ କିରୀଟ ବିରାଜେ

ପବନ ଗଗନ ସମୂହେ

ବିଧାତା ଦେଖି ବତ୍ସ ଦେହେ

କଣ୍ଠେ କୌସ୍ତୁଭ ମଣି ଶୋହେ

ରତ୍ନ ପ୍ରବାହେ ମନ ମୋହେ

ଦେହେ ଭୂଷିତ ବନମାଳ

ଲମ୍ୱେ ସୁନ୍ଦର ବକ୍ଷସ୍ଥଳ

ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି

ସୂର୍ଯ୍ୟ ଶଶାଙ୍କ ଅଗ୍ନି ଜ୍ୟୋତି

ଦେବାକୁ ନାହିଁଟି ଉପମା

କହିନୁହଇ ଗୁଣସୀମା

ସେ ବୃକ୍ଷ ଦେଖି ଜଳ ମଧ୍ୟେ

ଅଭୁତ ଶରୀର ବିରାଜେ

ଲୋକ ବିସ୍ମିତ ଦେହ ଦେଖି

ବିଧାତା ଆସନ ଉପେକ୍ଷି

କର ଯୁଗଳ ଦେଇ ମୁଣ୍ତେ

ସ୍ତୁତି କରଇ ତାଙ୍କୁ ତୁଣ୍ତେ

ସେ ହରି-ଚରଣେ ବିଶ୍ୱାସେ

ଭଣିଲେ ଜଗନ୍ନାଥ ଦାସେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଷ୍ଣୁ ନାଭିପଦ୍ମ ବ୍ରହ୍ମା ଜନ୍ମେ

ନାମ ଅଷ୍ଟମୋଽଧ୍ୟାୟଃ ।

•••

 

ନବମ ଅଧ୍ୟାୟ

 

ବ୍ରହ୍ମା ଉବାଚ

ଭୋ ନାଥ ତୋର ଗତି ମୁହିଁ

ଜାଣିଲି ତୋର ଭାବ ବହି

ଏ ଜୀବ ତୋର ମାୟା ଗତି

କାହୁଁ ଜାଣିବେ ତୋ ଭକତି

ଦୃଶ୍ୟ ଅଦୃଶ୍ୟ ତୋର ଭାବ

ଏ ଘେନି ତୋତେ କେ ଜାଣିବ

ତୋର ଉଦରେ ମୋର ବାସ

ନିତ୍ୟ ନିରଞ୍ଜନ ପ୍ରକାଶ

ମାୟାର ଗୃହେ ବନମାଳୀ

ତୁ ନାଥ ମାୟା ସଙ୍ଗେ ମିଳି

ତୁମ୍ଭ ବିଶ୍ୱାସେ ନାରାୟଣ

ମିଥ୍ୟା ଯେ ସତ୍ୟର କାରଣ

ତୋ ନାଭିପଦ୍ମୁ ମୋର ଜାତ

ସ୍ୱଭାବେ ଅବିକାର ତତ୍ତ୍ୱ

ତୋ ରୂପ ଦେଖିଲି ଲୋଚନେ

ଏ ଭାଗ୍ୟ ଲାଭ ନାହିଁ ଭିନ୍ନେ

ଆନନ୍ଦ ଗତିରୁ ବିକାର

ଅବଧି ବୀର୍ଯ୍ୟରୂପ ତୋର

ତୁ ବିଶ୍ୱ ସୃଷ୍ଟି-ମୂଳ ଏକ

ତୋ ତହୁଁ ପ୍ରକାଶ ଅନେକ

ଭୂତ ଇନ୍ଦ୍ରିୟ ଆତ୍ମା ତୁହି

ତୋ ପାଦେ ଆଶ୍ରେ କଲି ମୁହିଁ

ତୁ ଯେ ସଂସାର ଆଦିମୂଳ

ତୋ ନାମ ଭୁବନ ମଙ୍ଗଳ

ଧାରଣା ଧ୍ୟାନେ ମନ ଦେଇ

ପ୍ରାଣୀ ତରନ୍ତି ଯାହା ଧ୍ୟାୟି

ତୋ ଅନୁଭବେ ଭାଗବତ

ତୁ ନାଥ ଶ୍ରୀମନ୍ତ ଅନନ୍ତ

ଶ୍ରୀ ବାସୁଦେବ ନମସ୍ତୁତେ

ମନ ବଚନ ଧ୍ୟାନ ମତେ

ଯେ ତୋତେ ଅନାଦର କରେ

ନରକ ମଧ୍ୟେ ସେ ସଞ୍ଚରେ

ଅନିତ୍ୟ ସଙ୍ଗେ ତାର ବାସ

ଯେ ଭାବେ ହୁଅନ୍ତି ନିରାଶ

ତୋ ପାଦ ପଦ୍ମ-ଗନ୍ଧ ସାର

ଆଘ୍ରାଣ କରେ ନାସା ଦ୍ୱାର

ଶ୍ରୁତି ଯୁଗଳେ ନାମ ଶୁଣେ

ଯେ ଅବା ଜିହ୍ୱା ଅଗ୍ରେ ଗୁଣେ

ପରମ ଭକ୍ତି ଯୋଗବଳେ

ଯେ ପ୍ରାଣୀ ନରହେ ନିଶ୍ଚଳେ

ଏ ସର୍ବ ଭୟ ଯହିଁ ନାଶେ

ସେ ସଙ୍ଗେ ସଙ୍ଗେ ଯେହୁ ମିଶେ

ତା ପୁଣି ଇନ୍ଦ୍ରିୟ-ଲାଳସେ

କ୍ଷଣକେ ସୁଖ ନାହିଁ ଲେଶେ

ଯତ୍ନ କରନ୍ତି ଅବିରତେ

ଯେ ମାତ୍ର ତରିବେ ଯେମନ୍ତେ

କ୍ଷୁଧା ପିପାସା ଶ୍ରମେ ବସି

ଆତ୍ମ ବନ୍ଧନ ରୂପେ କ୍ଲେଶୀ

ହତ ନିଦାଘ ବାତ ବୃଷ୍ଟି

ଏଣୁ ଭ୍ରମନ୍ତି ପ୍ରାଣୀ ଫୁଟି

ଦୁର୍ବାର କାଳାନଳ ଦେହେ

କେବେହେଁ ତୋ ପାଦେ ନରହେ

ଏ ଦୁଃଖ ଦେଖି ମୋର ମନ

ମନେ କଳ୍ପଇ ଦିନୁ ଦିନ

ଇନ୍ଦ୍ରିୟ ଅର୍ଥେ ନିତ୍ୟେ ଜଡ଼େ

ଘୋର ସଙ୍କଟ ଅନ୍ଧେ ପଡ଼େ

ଯାବତ ସଂସାର ନ ତୁଟେ

ସଂସାରେ ପୁଣି ପ୍ରାଣୀ ଫୁଟେ

ଏ ବେନି ଲୋକ ସୁଖ ଅର୍ଥେ

ପୁଣି ଭ୍ରମନ୍ତି ସୃଷ୍ଟି ପଥେ

ଦୁଃଖ-ସମୁଦ୍ରେ ପୁଣି ମିଶେ

ଯତନ କରେ ସୁଖ ଲେଶେ

ଭୂତ ଭବିଷ୍ୟ ଆତ୍ମା କରି

ସର୍ବ ବିଷୟ ଚିତ୍ତେ ଧରି

ରାତ୍ରେ ନିଦ୍ରିତ ହୋଇ ଯେହ୍ନେ

ସ୍ୱପ୍ନେ କଳ୍ପିତ ମାୟା ଭ୍ରମେ

ଭ୍ରମଇ ମୁନିଙ୍କର ମନ

ତୋ ମାୟା ବଳେ ଭଗବାନ

ଏଣୁ ତୋ ସଙ୍ଗେ ଯେ ବିମୁଖ

ଇହ ସଂସାରେ ପାଏ ଦୁଃଖ

ତୁ ଭାବ ଯୋଗେ ସମ୍ଭବିତ

ହୃଦୟ ପଦ୍ମରେ ଉଦିତ

ସର୍ବ ଜୀବନେ ତୋ ବିହାର

ତୁ ପୁଣି ତୋତେ ଅଗୋଚର

ଯେ ଯେତେ ଭାବେ ତୋତେ ଭାବେ

ତୋ ଅନୁଗ୍ରହେ ସୁଖ ଲଭେ

ନାନା ରୂପରେ ଉପହାର

ତୋ ଆରାଧନେ ଯେ ବିଚାର

ତୁ ପୁଣି ବେଗେ ବଶ ହେଉ

ଯେଣୁ ତ୍ରିଦଶ ହୃଦେ ରହୁ

ତୋତେ ଯେ ଶୁଦ୍ଧଭାବେ ଚିନ୍ତି

ନିଶ୍ଚିନ୍ତେ ତ୍ରିଦଶେ ବସନ୍ତି

ତୁ ପୁଣି ସର୍ବ ଜନ୍ତୁ ଦେହେ

ପ୍ରକାଶ ଆଦିତ୍ୟର ପ୍ରାୟେ

ଏକୁ ଅନେକ ତୋ ପ୍ରକାଶ

ପ୍ରସନ୍ନେ ଯେସନେ ଆକାଶ

ସର୍ବ ହୃଦରେ ଅନ୍ତରାତ୍ମା

କେ ଲେଖିପାରେ ତୋ ମହିମା

ପ୍ରାଣୀଙ୍କ ମନ-କର୍ମ ବଳେ

ଦଣ୍ତେ ହେଁ ନ ରହ ନିଶ୍ଚଳେ

ଆରାଧି ନାନା ବ୍ରତ ତପେ

ସର୍ବ ଶକ୍ତି ଯେ ଦେଇ ତୋତେ

ତୋର ସ୍ୱରୂପ ଚିତ୍ତେ ଚିନ୍ତି

ଏ ମୋହ ଭବୁ ତରିଯାନ୍ତି

ଏମନ୍ତ ମହିମା ତୋହର

ଭୋ ଦେବ ତୋତେ ନମସ୍କାର

ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶେ

ତୋ ଲୀଳା ସ୍ୱରୂପେ ପ୍ରକାଶେ

ତୋ ଅବତାର ପୁଣି ବର୍ମେ

ନାମ ଉଚ୍ଚାରେ ଯେବା ଧର୍ମେ

ନିରତେ ଗୁଣେ ଯେବେ ମୁଖେ

ତେବେ ତରନ୍ତି ମହାସୁଖେ

ଅନେକ ଯୋନି ନ ଭ୍ରମନ୍ତି

ନିର୍ଭୟେ ବେଗେ ସେ ତରନ୍ତି

ଅମୃତ ଲାଭେ ଅପ୍ରମାଦେ

ସୁଖେ ତରନ୍ତି ତୋହ ପାଦେ

ଏମନ୍ତ ପ୍ରଭୁ ପାଦଜଳେ

ଶରଣ ପଶିବ ନିଶ୍ଚଳେ

ତୁ ନାଥ ପରମ ମଙ୍ଗଳ

ତୋ ଆଭା ଆତ୍ମା ଅନ୍ତରାଳ

ଭୁବନ ଦ୍ରୁମେ ତୋ ମହିମା

କେ ଜାଣିପାରେ ଅନ୍ତ ସୀମା

ମରୀଚି ମନୁ ଆଦି ଯେତେ

ଏ ସର୍ବଶାଖା ଅପ୍ରମିତେ

ଏମନ୍ତ ବୃକ୍ଷରୂପ ତୋର

ତୋ ପାଦେ ମୋର ନମସ୍କାର

ଏ ଜୀବ ଲୋକ ଅବିରତ

ବିକର୍ମ-ମାର୍ଗ ସୁଯନ୍ତ୍ରିତ

ଭାବଇ ଅକୁଶଳ କର୍ମ

ନିତ୍ୟ କଳ୍ପଇ ନିଜ ଧର୍ମ

ପ୍ରଥମେ ନାନା ଫଳ ଲାଭେ

ତୋହର ଭଜନ ପ୍ରସ୍ତାବେ

ତୋହର ଜୀବ ଆତ୍ମା ଯହିଁ

ତକ୍ଷଣେ ଛେଦୁ ଭାବଗ୍ରାହୀ

ଏମନ୍ତେ ପ୍ରଭୁ ପାଦଗତେ

ମୋ ନମସ୍କାର ଅବିରତେ

ଭୋ ନାଥ ଜୀବନ ମୋହର

ବେନି ପରାର୍ଦ୍ଧ ଅଧିକାର

ସକଳ ଲୋକେ ମନ ସ୍ଥିତି

ସପ୍ତ ମଣ୍ତଳେ ତୋ ବିଭୁତି

ଅନେକ ପାପେ ଅଧିକାରୀ

ତୋ ମାୟାବଳେ ରୂପ ଧରି

ତୁ ଅଧିଯଜ୍ଞ ଦାମୋଦର

ତୋ ପାଦେ ମୋର ନମସ୍କାର

ପଶୁ ମାନଙ୍କର ଦେହେ

ଜୀବନ ରୂପେ ଯେବେ ରହେ

ଇଚ୍ଛାରେ ଲଭେ ନାନା କର୍ମ

ଏଣୁ ତୁ ପୁରୁଷ ଉତ୍ତମ

ଯେ ପଞ୍ଚଭୂତ ନିଦ୍ରାକୃତି

ନିଦ୍ରା ଜାଗ୍ରତ ସ୍ୱପ୍ନ ସୁପ୍ତି

ତାହାର ବଳେ ଜ୍ଞାନ ହାରି

ଲୋକ ସଂସାରେ ପେଟ ଭରି

ପ୍ରଳୟ ଜଳେ ତୋ ଶୟନ

ଜୀବ ସଞ୍ଚରେ ଶ୍ରୁତିସ୍ଥାନ

ତ୍ରିଲୋକ-ଉପକାର ପାଦେ

ମୋ ଜନ୍ମ ତୋର ନାଭିମଧ୍ୟେ

ଏ ଯୋଗ ମାୟା ଅବସାନ

ନମସ୍ତେ ନଳିନଲୋଚନ

ଜୟ ତୁ ଜୟ ଭଗବାନ

ଅଶେଷ ଜନ୍ତୁଙ୍କ ଜୀବନ

ତୋର ଆଦେଶ ଶିରେ ଧରି

ମୁଁ ଏ ସଂସାରେ ଅଧିକାରୀ

ଏ ଦଶ ଗୁଣ ଏ ସଂସାରେ

ସର୍ଜ୍ଜଇ ଅଶେଷ ଶରୀରେ

ତୋ ଅନୁଗ୍ରହେ ମୁଁ ଏ ଦେହେ

ସୃଷ୍ଟି କରିବି ପୂର୍ବ ପ୍ରାୟେ

ଭୋ ନାଥ ପରମ ପୁରୁଷ

ଏ ଆତ୍ମା କୀର୍ତ୍ତି ତୋର ଯଶ

ଅଶେଷ ଜନ୍ତୁଙ୍କ ଜୀବନ

ତୁ ନାଥ ପରମ କାରଣ

ପୁଣି ଗୃହୀତ ଅବତାରେ

ଯେ ଅବା କରୁ ଏ ସଂସାରେ

ସେ ଗୁଣ ଘେନି ସୃଷ୍ଟି ଅର୍ଥେ

ଯେ ଅବା ହୋଇବ ଯେମନ୍ତେ

ସର୍ଜିବ ଆତ୍ମା ଯୋଗବଳେ

ମୋ ଚିତ୍ତ ଯେମନ୍ତେ ନିଶ୍ଚଳେ

ତୋର ଚରଣେ ଦୃଢ଼ ହୋଏ

ଭୋ ନାଥ କରତୁ ଉପାୟେ

ଦୁର୍ଗମ ପ୍ରଳୟ ଏ ଜଳେ

ମୋ ଜାତ ତୋ ନାଭି କମଳେ

ବିଜ୍ଞାନ ଶକ୍ତି ଯହୁଁ ବହୁ

ଏଣୁ ଅନନ୍ତ ତୁ ବୋଲାଉ

ସଭ୍ରମେ ପଦ ତଳେ ମୁହିଁ

ଭ୍ରମଇ ତୋର ମାୟା ବହି

ଦେଖିଲେ ତୋ ରୂପ ଗର୍ବିତ

ଯେ ରୂପେ ନିଗମ କଳ୍ପିତ

ଅଶେଷ କରୁଣା ସାଗର

ଭୋ ନାଥ ମହିମା ତୋହର

ରଙ୍ଗ ଅଧରେ ମନ୍ଦ ହାସ

ଦେଖି ମୋହର ମନ ତୋଷ

ଏ ବିଶ୍ୱ ସଂସାର କୁଶଳେ

ମୁଁ ଯେଣୁ ଥିଲି ମହାଜଳେ

ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ

ମୁହିଁ ଭାଳଇ ଅବିରତେ

ତୁ ନାଥ ମଧୁର-ବଚନେ

ଚିନ୍ତା ହରିଲୁ ମୋର ମନେ

ମୈତ୍ରେୟ ଉବାଚ

ଏକାନ୍ତେ ସଂଭ୍ରମ-ବଚନ

ବିଦୁର ଶୁଣ ସାବଧାନ

ନିର୍ମଳ ଦିବ୍ୟ-ଅନୁଭବେ

ନିଗମ ବଚନ ପ୍ରସ୍ତାବେ

ନାନା ପ୍ରକାରେ କରେ ସ୍ତୁତି

ଜନ୍ମ ମନୁଷ୍ୟ ବେଦପତି

ଅନ୍ତେ ଗୋବିନ୍ଦ-ଭାବ ଘେନି

ସେ ପଦ୍ମ ମଧ୍ୟେ ହେଲା ତୁନି

ଏମନ୍ତେ ବ୍ରହ୍ମା ମନ ଜାଣି

ଦୟା ସାଗର ଚକ୍ରପାଣି

ବିଶାଦେ ନିତ୍ୟେ ସେ ଭାଳଇ

ପ୍ରଳୟ ଜଳ ମଧ୍ୟେ ରହି

ସେ ଲୋକନାଥ ଚିନ୍ତା କରି

ଭାଳଇ ମନେ ଖେଦ ଭରି

ସେ ଚିନ୍ତା ଜାଣି ଭଗବାନ

କୋମଳ ଗଭୀର ବଚନ

ବ୍ରହ୍ମାର ମନ ଜାଣି ହରି

କହନ୍ତି ପ୍ରଭୁ ଦଇତ୍ୟାରୀ

ଶ୍ରୀ ଭଗବାନ ଉବାଚ

ହେ ବେଦଗର୍ଭ ବ୍ରହ୍ମା ଦେଖ

ବେଗେ ତୁ ଛାଡ଼ ମନୁ ଦୁଃଖ

ତୁ ଯେ କଳ୍ପିତ ମାଗୁ ମୋତେ

ଆଗେ ମୁଁ କହୁଅଛି ତୋତେ

ତୁ ଏବେ ତପେ କରୁ ଆଶା

ମୋ ବିଦ୍ୟାବଳେ ତୋ ଭରସା

ଏ ତପ-ଯୋଗ ବିଦ୍ୟାବଳେ

ସୃଷ୍ଟି ତୁ କର ମହାଜଳେ

ଆତ୍ମା ନିଯୋଗ ରାଜ୍ୟ କର

ତୁ ଏବେ ଭବିଷ୍ୟ ସଂସାର

ସର୍ବ ଦେଖିବୁ ମୋର ଦେହେ

ମୋତେ ଦେଖିବୁ ସର୍ବମୟେ

ମୁଁ ବସେ ସର୍ବ ପ୍ରାଣୀ ମନେ

ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ

ମୋତେ ଦେଖିଲେ ବେଦବର

ତାର ସଂଶୟ ଯିବ ଦୂର

ଭୂତ-ଇନ୍ଦ୍ରିୟଗଣ ବଳେ

ଏମନ୍ତ ଶ୍ରବଣ ନିଶ୍ଚଳେ

ଯେବେ ଦେଖଇ ବେଦମତେ

ସ୍ୱରାଜ୍ୟେ ରହେ ସେ ରହଇ ନିଶ୍ଚିନ୍ତେ

କର୍ମଭାବନା ନାନା ମତେ

ଏ ସୃଷ୍ଟି ସର୍ଜିବୁ ଯେମନ୍ତେ

ମୋ ଅନୁଗ୍ରହେ ତୋର ମନ

କେବେହେଁ ନ ଭାବିବୁ ଆନ

ତୁ ଯେ ମୋହର ଦେହେ ମନ

ହୋଇ ସର୍ଜିବୁ ପ୍ରଜାଜନ

ମୁଁ ଯେ ସଂଶୟ ଚିତ୍ତେ କହି

କମଳ ଜଳ ମଧ୍ୟେ ଯାଇ

ତୋହର ମନେ ଇଚ୍ଛା କଲୁ

ଅନେକ କାଳ ତୁ ଭ୍ରମିଲୁ

ଦୟା ବସିଲା ମୋର ମନେ

ବାହାରେ ଦେଖାଇଲି ଚ୍ଛନ୍ନେ

ତୁ ଯେବେ କଲୁ ମୋତେ ସ୍ତୁତି

କହିବା ଶୁଣ ବେଦପତି

ଯେତେ ସୁନିଷ୍ଠା ତୋର ଦେହେ

ଲଭିଲୁ ମୋର ଅନୁଗ୍ରହେ

ସୁପ୍ରୀତ ହୋଇଲି ମୁଁ ତୋତେ

କଲ୍ୟାଣ ଲଭ ତୁ ଜଗତେ

ଏ ସ୍ତୋତ୍ରେ ମୋତେ ଯେ ଭଜିବ

ସଂସାର ଭୟ ସେ ନାଶିବ

ପଣ୍ଡିତେ ଯୋଗ ଯଜ୍ଞମତେ

ଜ୍ଞାନ ବୈରାଗ୍ୟ ଉପଗତେ

ଏଣେ ନିସ୍ତାର ପ୍ରାଣୀ ଲଭେ

ମୋର ନିଶ୍ଚଳ ପ୍ରିୟ ଭାବେ

ମୁଁ ଆତ୍ମା ଜଗତ ଈଶ୍ୱର

ସଂଶୟ ଚିତ୍ତେ ଅଗୋଚର

ଏଣୁ ଯେ ମୋ ବିଷୟ ଭଜେ

ସ୍ୱଭାବେ ସର୍ବମାୟା ତେଜେ

ଆତ୍ମାରେ ଆତ୍ମା ଜ୍ଞାନ କରେ

ନ ବୁଡେ଼ ସଂସାର-ସାଗରେ

ଯେ ପ୍ରାଣୀ ମୋର ଦେହ ଥିଲେ

ପ୍ରଳୟ ଜଳେ ନାଶ ଗଲେ

ତାହାଙ୍କ ଭ୍ରମଣ ଆୟତ୍ତେ

ପୁଣି ପ୍ରକାଶ ଏ ଜଗତେ

ଏମନ୍ତ ବ୍ରହ୍ମା ଆଗେ କହି

ଅନ୍ତର ହେଲେ ଭାବଗ୍ରାହୀ

ସେ ହରି ଚରଣ-ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

 

 

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ବ୍ରହ୍ମାସ୍ତବ ବର୍ଣ୍ଣନେ ନାମ

ନବମୋଽଧ୍ୟାୟଃ ।

•••

 

ଦଶମ ଅଧ୍ୟାୟ

 

ବିଦୁର ଉବାଚ

ମୈତ୍ରେୟ ପାଦେ ଦେଇ କର

ଆନନ୍ଦେ ପଚାରେ ବିଦୁର

ମୁନି କହନ୍ତି ଶୁଦ୍ଧମନେ

ଯେ ବିଷ୍ଣୁ ଗଲେ ଅନ୍ତର୍ଦ୍ଧାନେ

ସେ ବେଦପତି ଜ୍ଞାନ ମତେ

ପ୍ରଜା ସର୍ଜିଲା ଏ ଜଗତେ

ତାର କି ଦେହେ ପ୍ରଜା ଥିଲା

କେତେ ପ୍ରକାରେ ଭିଆଇଲା

କେତେ କଳ୍ପନ୍ତେ ଦେହବନ୍ତ

କହ ସଂଶୟ ଯାଉ ଚିତ୍ତ

ବିଦୁର ବାକ୍ୟ କର୍ଣ୍ଣେ ଶୁଣି

କହନ୍ତି ମଇତ୍ରେୟ ମୁନି

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକ ଚିତ୍ତେ

ଯେମନ୍ତେ ସର୍ଜିଲା ଜଗତେ

ଗୋବିନ୍ଦ ବାକ୍ୟେ ବେଦପତି

ତପ ସାଧନେ କଲା ମତି

ଶତ ବରଷ ବେଦମତେ

ତପ ସାଧିଲା ଦୃଢ଼ ଚିତ୍ତେ

ଆତ୍ମାରେ ଆତ୍ମା ଲୀନକରି

ଗୋବିନ୍ଦ-ବଚନ ସୁମରି

ଦେଖିଲେ ନୟନ ଯୁଗଳେ

ଭ୍ରମ ଶଙ୍କୁଳ ମହାଜଳେ

ପବନ ଯୋଗେ ମହାଖର

ସ୍ୱଭାବେ ଦିଶେ ଭୟଙ୍କର

ପଦ୍ମ ସହିତେ ଜଳ କମ୍ପେ

ଭୂମି ଶଙ୍କୁଳ ଅତିରେକେ

ଜ୍ଞାନର ବଳେ କର୍ମମାନ

ଦେଖି ଉଷତ ବ୍ରହ୍ମା ମନ

ତକ୍ଷଣେ ତପ-ବିଦ୍ୟାବଳେ

କେ ଡାକେ ଦେଖ ଚର୍ମଡ଼ୋଳେ

ଭୂମି ସହିତେ ଜଳରାଶି

ସେ ବ୍ରହ୍ମା ଯୋଗବଳେ ବସି

ପ୍ରଳୟ ଜଳେ ବେଗେ ଗଲା

ନିଶ୍ଚଳେ ପଦ୍ମ ପ୍ରକାଶିଲା

ସେ ପଦ୍ମ ମଧ୍ୟେ ବେଦବର

ସୁମନେ କରଇ ବିଚାର

ପୂର୍ବେ କଶ୍ୟପ-ଗର୍ଭଗତେ

ଜନ୍ତୁ ଏ ପଶିଛନ୍ତି ଯେତେ

ତାହାଙ୍କୁ ନ କରି ପ୍ରକାଶ

ସେ ଯେଣୁ ସ୍ୱକର୍ମ ପ୍ରବେଶ

ଏକୁ ଅନେକ ରୂପ ଚିନ୍ତେ

ସ୍ୱକର୍ମ ବଳେ ନାନା ମତେ

ଦ୍ୱିତୀୟ ତୃତୀୟ ସପ୍ତମେ

ଏମନ୍ତେ ଜୀବ ଲୋକମାନେ

ଯେ ଯାହା ମତେ ଧର୍ମ ଚିନ୍ତି

ନିଶ୍ଚଳ ଯୋଗେ ପ୍ରଜାପତି

ବିଦୁର ଉବାଚ

ଭୋ ମୁନି ହରିର ମହିମା

ଅତି ଅଦ୍ଭୁତ ଗୁଣ ସୀମା

ସୃଷ୍ଟି ପାଳନ ସଂହାରଣ

କାଳ ସ୍ୱରୂପୀ ନାରାୟଣ

ବୋଲଇ ନିଜ ଆତ୍ମାବଳେ

କେ ତା ଦେଖିବ ଚର୍ମଡୋଳେ

ତାର ଲକ୍ଷଣ କହ ମୋତେ

ଏଣୁ ପ୍ରମାଣ ଅବା କେତେ

ମୈତ୍ରେୟ ଉବାଚ

ସ୍ୱଭାବେ ନିର୍ଗୁଣ ଅଚ୍ୟୁତ

ନିର୍ଲ୍ଲେପ ନିର୍ବିକଳ୍ପସ୍ଥିତ

ତୋର ଶରୀରୁ ଆତ୍ମା ଜାତ

କାଳେ ସେ ସର୍ଜ୍ଜଇ ଜଗତ

ସେ ବିଷ୍ଣୁ ବ୍ରହ୍ମ ମାୟାରୂପୀ

ନିଜ ଆତ୍ମାର ବଳେ ବ୍ୟାପି

ଈଶ୍ୱର ଭାବେ ପରିଚ୍ଛନ୍ନ

ଯେ କାଳରୂପୀ ଭଗବାନ

ଯେମନ୍ତେ ସୃଷ୍ଟି ଥିଲା ପୂର୍ବେ

ସ୍ୱକର୍ମେ ବିକର୍ମ ସ୍ୱଭାବେ

ପ୍ରକୃତି ବିକୃତି ପ୍ରକାରେ

ଯେ ଯାହା କର୍ମ ଅନୁସାରେ

ଯେ କାଳେ ବ୍ରହ୍ମ ଉଦେ ହୋନ୍ତି

ମହତ ଆଦି ତତ୍ତ୍ୱ ଚିନ୍ତି

ଗୁଣ ବିଶ୍ରାମେ ଆତ୍ମା ମିଶେ

ସ୍ୱଭାବେ ସ୍ୱଗୁଣ ପ୍ରକାଶେ

ଦ୍ୱିତୀୟ ଅହଙ୍କାର ବଳେ

ଯେ ବ୍ରହ୍ମଜ୍ଞାନ ଦୀକ୍ଷା ଦେଲେ

ତୃତୀୟେ ଉତ୍ସର୍ଗ ଯେ ହୁଏ

ସେ ମାୟା ବ୍ରହ୍ମ ଶକ୍ତି ବହେ

ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ

ଯେ ଜ୍ଞାନ-କ୍ରିୟାତ୍ମକ ନାମ

ଇନ୍ଦ୍ରିୟ ରକ୍ଷା ଦେବଗଣ

ଯେ ମନ ପଞ୍ଚମେ ପ୍ରମାଣ

ଷଷ୍ଠରେ ଅହଙ୍କାର ସର୍ବେ

ଅବୁଦ୍ଧି ମୁକ୍ତି ଶକ୍ତି ଭାବେ

ସ୍ୱକର୍ମ ପ୍ରକୃତି ଗୋଚରେ

ବିକୃତି ତାର ଅଭ୍ୟନ୍ତରେ

ଏ ସୃଷ୍ଟି ତାର ତ୍ରୟଗୁଣ

ସେ ହରିଲୀଳା ଏବେ ଶୁଣ

ଏବେ ହୋ ଯକ୍ଷଶୃଙ୍ଗ ବହି

ଯେବେ ରଚିବ ଭବ ମହୀ

ସପ୍ତମେ ସୃଷ୍ଟି ଲତା ଗୁଳ୍ମ

ବଳକଳ ଶିରେ ଏହୁ ନାମ

ଏହାଙ୍କ ନାମ ଉର୍ଦ୍ଧ୍ୱ ରେତା

ଅନ୍ତ ସରସ ଜ୍ଞାନ ମାତା

ଅଷ୍ଟମେ ସର୍ଜେ ପଶୁଗଣ

ଏ ଅଷ୍ଟବସୁ ଏବେ ଶୁଣ

ଏ ଜ୍ଞାନତତ୍ତ୍ୱ ଗୁଣେ ଥାନ୍ତି

କେବଳ ପ୍ରାଣ ସେ ରଖନ୍ତି

ଗୋରୁ ମହିଷ ଅଜା ତିନି

କୁକୁର ଶୂକର ହରିଣୀ

ଏହାଙ୍କ ପାଦେ ବେନି କ୍ଷୁର

ମେଷ ସୌରଭ ଓଟ ଖର

ସମ୍ବର ମୃଗ ଆଦି ଯେତେ

ଯେ ଏକାକ୍ଷରୁ କହୁଁ ତୋତେ

ଏବେ କହିବା ବୀର ଶୁଣ

ଯେ ପଞ୍ଚ ନଖ ପଶୁଗଣ

ସେ ବକ ଶାଗୁଣା ସଞ୍ଚାଣ

ଭଲ୍ଲୁକ ରାସଭ ହରିଣ

ଭଲ୍ଲୁକ ଆଦି ଚିଲ କାକ

ହଂସ ସାରସ ଚକ୍ରବାକ

ଏ ନବ ସର୍ଗ ଯେବେ କହି

ବିଦୁର ଶୁଣ ମନ ଦେଇ

ମନୁଷ୍ୟ ମଧ୍ୟେ ସେ ମିଶନ୍ତି

ଯେ ଦୁଃଖ ସୁଖ ପ୍ରାୟ ଚିନ୍ତି

ରଜ ଅଧିକ କର୍ମ ତାର

ବିକୃତି କୃତି ଅପ୍ରକାର

ଯେ ଦେବେ ସୃଷ୍ଟି ଅନୁପମ

କୁମାର ସୃଷ୍ଟି ଏ ନବମ

ଦେବଙ୍କ ସୃଷ୍ଟି ଆନ ବିଧି

ପିତାର ଅସୁର ବିରୋଧି

ଗନ୍ଧର୍ବ ଅପସରା ସିଦ୍ଧ

ଚାରଣ ଯକ୍ଷ ରକ୍ଷ ଭେଦ

ଭୂତ ପିଶାଚ ପ୍ରେତଗଣ

ବିଦ୍ୟାଧ୍ର କିନ୍ନର ଚାରଣ

ଏ ଅଷ୍ଟବିଧିଙ୍କ ଉତ୍ପତ୍ତି

ସ୍ୱଭାବେ ଦେବତା ବୋଲାନ୍ତି

ଏମନ୍ତେ ସୃଷ୍ଟି ସେ ବୋଲାନ୍ତି

ସେ ଯୁଗାନ୍ତରେ ନ ମିଶନ୍ତି

ନଦୀଙ୍କ ଜଳେ ଯେଉଁ ଭୂମେ

ଜଳଧି ଯାନ୍ତି ଯଥାକ୍ରମେ

ଏମନ୍ତେ ଦେବାସୁର ଆଦି

ଯେତେ କହିଲି ମୁଁ ସମ୍ପାଦି

ସେ ନାନାରୂପେ ଆଦି ହୋନ୍ତି

ମନୁ ଅନ୍ତରେ ହୋଇଥାନ୍ତି

ମୁନି କହିଲେ ପଦ୍ମ କଳ୍ପେ

ଏମନ୍ତେ ବିଦୁର ସମୀପେ

ଏ ଭାଗବତ ଜ୍ଞାନ ରସ

କହିଲା ଜଗନ୍ନାଥ ଦାସ

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେ

ବ୍ରହ୍ମା ସୃଷ୍ଟି ସର୍ଜନେ ନାମ

ଦଶମୋଽଧ୍ୟାୟଃ ।

•••

 

ଏକାଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକ ଚିତ୍ତେ

ସେ କାଳରୂପ ସଂଖ୍ୟାମତେ

ନିମିଷ ଆଦି ରୂପ ତାର

ଏମନ୍ତେ ପୂରଇ ବତ୍ସର

ନିମିଷ ଚକ୍ଷୁ ପରି ଭ୍ରମ

ଅଣୁ ବୋଲାଇ ତାର ନାମ

ତାର ଅର୍ଦ୍ଧେକ ପରମାଣୁ

ତ୍ରିଭାଗ ହୁଏ ଶତ ରେଣୁ

ଏ ସୃଷ୍ଟି ନିମିଷକେ ଶୁଣ

କାଷ୍ଠା ବୋଲାଇ ପରିମାଣ

ତିରିଶ କୋଟି ଦେବଗଣେ

କଳା ହୋଇଲା ପରିମାଣେ

କଳା ତିରିଶ କ୍ଷଣେ ହୋଇ

ଦ୍ୱାଦଶ ମୁହୂର୍ତ୍ତ ବୋଲାଇ

ଏ ବେନି ମୁହୂର୍ତ୍ତେ ପ୍ରହର

ଏ ଅନ୍ତେ ସେ ଅଷ୍ଟ ପ୍ରକାର

ତାର ଦ୍ୱାଦଶ ଗୁଣ ଅର୍ଦ୍ଧେ

ଚତୁର ଅଙ୍ଗୁଳି ବିରାଜେ

କରଇ ତତ୍ତ୍ୱକୁ ବିଚାରି

ସେ ବର୍ଣ୍ଣ ନାଶେ ସୁତ କରି

ଜଳ ପଡ଼ନ୍ତେ ଦଣ୍ତେ ହୁଏ

ଏ ଅଷ୍ଟ ପ୍ରହର ବୋଲାଏ

ଅଷ୍ଟ ପ୍ରହରେ ଅହୋରାତ୍ରି

କାଳ ସେ ଏମନ୍ତେ ଗଣନ୍ତି

ପନ୍ଦର ଅହୋରାତ୍ରି ପକ୍ଷ

ଏ କୃଷ୍ଣ ଶୁକ୍ଳଟି ପ୍ରତ୍ୟକ୍ଷ

ଏ ବେନି ପକ୍ଷେ ଏକମାସେ

ଦ୍ୱିମାସେ ଋତୁଏ ପ୍ରକାଶେ

ତୃତୀୟେ ଚତୁଃ ଷଡ଼ମାସେ

ଅୟନ ସେ ଅର୍ଦ୍ଧ ବରଷେ

ବେନି ଅୟନେ ସମ୍ବତ୍ସରେ

ଯେ କଳି ଛିଦ୍ର ଉସତରେ

ଏମନ୍ତେ ଶତେକ ବରଷ

ମନୁଷ୍ୟ ମାନଙ୍କ ଆୟୁଷ

ଗ୍ରହ ନକ୍ଷତ୍ର ଯୋଗ ଚକ୍ରେ

ସେ କାଳ ବଳ ଅତିରେକେ

ଏ ବେନି ପକ୍ଷେ ମାସେ କହି

ପିତୃଙ୍କ ଅର୍ଦ୍ଧ ରାତ୍ରେ ହୋଇ

ଦେବଙ୍କ ଦ୍ୱାଦଶ ବରଷେ

ତ୍ରୈଲୋକ୍ୟ ବୋଲାଇ ଦିବସେ

ଅଣୁ ପ୍ରମାଣ ପରିମାଣେ

ପ୍ରାଣୀଙ୍କ ମାସେ ଅନୁକ୍ଷଣେ

ଏମନ୍ତେ ସମ୍ୱତ୍ସର ମତେ

ବିହରେ ଆହାର ଆୟତେ

ଏ ପଞ୍ଚ ଋଷି ସର୍ବେଶ୍ୱର

ସୁମନେ ଶୁଣ ହେ ବିଦୁର

ପ୍ରଥମେ ସମ୍ବତ୍ସର ମତେ

ଚତୁର୍ବତ୍ସର ସେ ବିଦିତେ

ଦିବ୍ୟ ବତ୍ସରେ ତୃତୀୟକେ

ଚତୁର୍ଥେଽନୁ ବତ୍ସର କଳ୍ପେ

ବତ୍ସର ପଞ୍ଚମ ବୋଲାଇ

କାଳସ୍ୱରୂପୀ ପୁଣ୍ୟମୟୀ

ଏମନ୍ତ କାଳକୁ ସମସ୍ତେ

ବୁଦ୍ଧି ହରାଇ ଏ ଜଗତେ

ବିଦୁର ଉବାଚ

ପିତୃ ଦେବତା ନର ଆଦି

ପରମାୟୁଷ ଯଥାବିଧି

ଶୁଣିଲୁ ତୁମ୍ଭ ମୁଖୁ ଏବେ

ସନ୍ତୋଷେ କହ ମୁନି ଭାବେ

ଅପରେ କଳ୍ପନାଦି ଯେତେ

ନାନା ପ୍ରକାରେ ଏ ଜଗତେ

ଅଛନ୍ତି କାଳର ଆୟତ୍ତେ

ତାଙ୍କ ଆୟୁଷ କହ ମୋତେ

ତୁମ୍ଭେ ସେ କାଳ ତିନିଗୁଣ

ଯେ ରୂପେ ଏ ଅବା ପ୍ରମାଣ

ଏଣେ ଏ ବିଲକ୍ଷଣ ଧୀରା

ସଚମତୀ ସୁଗୁଣ ଗଭୀରା

ଯେତେ ବିଷୟ ଏ ଶୟଳେ

ଜାଣନ୍ତି ଜ୍ଞାନ ଚକ୍ଷୁବଳେ

 

 

 

 

ମୈତ୍ରେୟ ଉବାଚ

ସତ୍ୟ ତ୍ରେତା ଦ୍ୱାପର ଆଦି

କଳି ଏ ଚତୁର୍ଯୁଗ ବିଧି

ଦେବଙ୍କ ଦ୍ୱାଦଶ ବରଷେ

ଏ ଚାରିଯୁଗ କାଳଅଂଶେ

ଚାରି ସହସ୍ର ଯୁଗ ରାତ୍ର

ତିନି ସହସ୍ର ଯୁଗମତ

ଦ୍ୱାପର ଏକ ସସ୍ର ଜାଣି

କଳି ସହସ୍ରେ ପରିମାଣି

ଏମନ୍ତେ ବେଦ ସଂଖ୍ୟା ଯେତେ

ଦ୍ୱାଦଶ ସହସ୍ର ସମେତେ

ଏହି ପ୍ରକାରେ ସାତ ଦେଇ

ଦ୍ୱିଗୁଣେ ଏହାକୁ ମିଶାଇ

ଯୁଗକୁ ମଧ୍ୟେ ସିଦ୍ଧ ଅଂଶେ

ଆୟତେ ସେ କାଳ ପ୍ରକାଶେ

ଏଣୁ ସେ ଯୁଗ ସଂଖ୍ୟା ଜାଣ

ଜ୍ଞାନୀଙ୍କ ବଚନ ପ୍ରମାଣ

ଯେ ରୂପେ ସେବା ଧର୍ମ ବିଧି

କର୍ମ ସାଧନେ ଅନୁବାଦି

ଚତୁର୍ଥ ଦ୍ୱିତୀୟ ତୃତୀୟେ

କଳିରେ ଏକପାଦ ରହେ

ଦେବଙ୍କ ସହସ୍ର ସଂଯୋଗ

ବ୍ରହ୍ମା ଦିବସ କାଳ ଭୋଗ

ଚତୁର ଦଶ ମନୁ ଭୋଗେ

ଏ ବିଧି ସର୍ଜ୍ଜନା ସଂଯୋଗେ

ମନୁର ବଂଶେ ମନୁରାତ୍ରେ

ପିତୃ ଦେବତାଙ୍କ ସମୀପେ

ତିନି ଭୁବନେ ପ୍ରାଣୀ ଯେତେ

ଭୁଞ୍ଜନ୍ତି କଳ୍ପ ପରିଯନ୍ତେ

ଏ ସୃଷ୍ଟି କରି ତିନି ନାମ

ପିତୃ ଦେବତା ଋଷି ସ୍ଥାନ

ଏମନ୍ତେ କଳ୍ପ ପରିଯନ୍ତେ

କର୍ମ ଭୁଞ୍ଜନ୍ତି ପ୍ରାଣୀ ଯେତେ

ମନ୍ୱାଦି ଶରୀର ସଂସାରେ

କାଳ କ୍ରୀଡ଼ଇ ଏ ପ୍ରକାରେ

ମାୟାର ବଳେ ସେ ବିହରେ

ବ୍ରହ୍ମା ଦିବସ ଅନ୍ତ କରେ

ନିଶା ଆଗମେ ପୂର୍ଣ୍ଣ ଦେହୀ

ମଉନ ବ୍ରତେ ସେ ବସଇ

ତ୍ରୈଲୋକ୍ୟ କମ୍ପେ ତାହା ଦେଖି

ସୁଜ୍ଞାନ ଜୀବନ ଉପେକ୍ଷି

ରବି ଶଶାଙ୍କ ଶୂନ୍ୟେଗଲା

ପ୍ରଳୟ ଅଗ୍ନି ପ୍ରକାଶିଲା

ଶଙ୍କରଷଣ ମୁଖୁ ଆସି

ଅନଳ ତିନିଲୋକ ଗ୍ରାସି

ପ୍ରଚଣ୍ତ ଅଗ୍ନି ତେଜ ତ୍ରାସେ

ଋଷି ଏ ଥିଲେ ଯେ ଆକାଶେ

ସ୍ୱଲୋକ ଛାଡ଼ି ଅତିରେକେ

ବେଗେ ମିଳିଲେ ନରଲୋକେ

ତକ୍ଷଣେ ସପ୍ତସିନ୍ଧୁ-ଜଳେ

ତ୍ରିଲୋକ୍ୟ ଆଚ୍ଛାଦିଲେ ହେଳେ

ପବନ ଅଣଚାଶ ବଳେ

ଭ୍ରମିଣ ନାଦକଲେ ବଳେ

ଜଳେ ତରଳ ନାଦ ଶୁଣି

ନାଗ ଶୟନେ ଚକ୍ରପାଣି

ନିଶ୍ଚିତ୍ତେ ନିବୃତ୍ତି ନୟନେ

ଶୟନେ ଅନନ୍ତର ସ୍ଥାନେ

ସଙ୍ଗତେ କେହି ନାହିଁ ଏକେ

ସ୍ତୁତି କରନ୍ତି ନରଲୋକେ

ଏମନ୍ତେ ଅହୋରାତ୍ର ଗଣି

ଆଗମ-ନିଗମ ପ୍ରମାଣି

ଏ ଭାବେ ଶତେକ ବରଷ

ବ୍ରହ୍ମାର ପରମ ଆୟୁଷ

ଅର୍ଦ୍ଧେକ ପରାର୍ଦ୍ଧ ବୋଲାଇ

ଯେ ପୂର୍ବ ପର ଭାଗ ଦୁଇ

ପୂର୍ବ ପରାର୍ଦ୍ଧେ ବ୍ରହ୍ମା ନାମ

ଶବଦ ବ୍ରହ୍ମା ଅନୁପମ

ପରାର୍ଦ୍ଧ କଳ୍ପ ଯେବେ ହୁଏ

ସେ ପଦ୍ମ କଳ୍ପ ନାମ ବହେ

ବିଷ୍ଣୁର ନାଭିପଦ୍ମୁ ଜାତ

ତେଣୁ ସେ ପୂଜେ ବେଦମତ

ଦ୍ୱିତୀୟ କଳ୍ପ ଏବେ କହି

ଶତେକ ବରଷ ବୋଲାଇ

ଯେବେ ସଂକଳ୍ପେ ନରହରି

ଶ୍ୱେତ ବରାହ ରୂପ ଧରି

ଏ ବେନିକଳ୍ପ ଋଷି କାଳ

ନିମିଷ ଆଦି-ଅନ୍ତରାଳ

ଅନାଦି ଅବ୍ୟକ୍ତ ମହିମା

ଅନନ୍ତ ଈଶ୍ୱରଙ୍କ ସୀମା

ଷୋଡ଼ଶ ପ୍ରକାରେ ସଞ୍ଚାରେ

ନାନା ବିଷୟ ରୂପ ଧରେ

ଏମନ୍ତେ ତୋଷ ଆଦି ଅନ୍ତେ

ପଚାଶ କୋଟି ପରିଯନ୍ତେ

ଦଶ ଭରଣ ଯାର ଦେହେ

ଦିଶନ୍ତି ପରମାଣୁ ପ୍ରାୟେ

ବ୍ରହ୍ମ ଅକ୍ଷର ତାର ଗୁଣ

ସର୍ବ କାରଣ ସେ ଧାରଣ

ତାର ଚରଣେ ଦେଇ ଚିତ୍ତ

କହିଲା ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ସତ୍ୟକାଳ ବର୍ଣ୍ଣନେ ମୈତ୍ରେୟ

ବିଦୁର ସମ୍ୱାଦେ ନାମ ଏକାଦଶୋଽଧ୍ୟାୟଃ ।

•••

 

ଦ୍ୱାଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏବେ ବିଦୁର କହୁଁ ତୋତେ

ଯେ ବ୍ରହ୍ମା କାଳ ଅନୁମତେ

ବେଦ ପ୍ରଭାବେ କଲା ସୃଷ୍ଟି

ତେଣୁ ଅମୋହ ତାର ଦୃଷ୍ଟି

ଅନ୍ଧ ତାମସ ସୃଷ୍ଟି ଆଗେ

ବିଶ୍ୱ ବିକାର ଯଥା ଲାଭେ

ସର୍ଜିଲା ଆଗେ ମାୟା ମୋହେ

ତମେ ଅଜ୍ଞାନାବୃତ ଦେହେ

ପାପ ବହୁଳେ ସୃଷ୍ଟି ଏହି

ତା ଦେଖି ବ୍ରହ୍ମା ବିଚାରଇ

ଏ ନୁହେଁ ସୃଷ୍ଟି ଆଦିଭୂତ

ଦୃଢ଼େ ଗୋବିନ୍ଦେ ଦେଇ ଚିତ୍ତ

ଗୋବିନ୍ଦ ପାଦ ଜ୍ଞାନ ବଳେ

ସଂଯୁକ୍ତ-ଭକତି ନିଶ୍ଚଳେ

ବିଷ୍ଣୁର ଅଂଶେ ଚାରି ଭ୍ରାତ

ବ୍ରହ୍ମାର ମନ ମଧ୍ୟୁଜାତ

ସନକ ସନନ୍ଦ ଏ ବେନି

କପିଳ ସନାତନ ଘେନି

ଏ ଚାରି ମୁନି ସୃଷ୍ଟି ହେଲେ

ଉର୍ଦ୍ଧ୍ୱରେତା ସେ ବୋଲାଇଲେ

ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି

ବିଷ୍ଣୁ ହୁଁ ଆନ ନ ଜାଣନ୍ତି

ଏହାଙ୍କୁ ଚାହିଁ ବେଦବର

ସ୍ୱଭାବେ କହଇ ମଧୁର

ତୁମ୍ଭେ ହେଁ ଚାରିପୁତ୍ର ମୋର

ବେଦ ପ୍ରମାଣେ ସୃଷ୍ଟି କର

ନ ଜାଣି ବାସୁଦେବୁ ଭିନ୍ନ

ସୃଷ୍ଟିରେ ନ ଦେଲେ ସେ ମନ

ଆଜ୍ଞା ଅବଜ୍ଞା କଲେ ଜାଣି

କୋପେ କମ୍ପିଲା କୁଶପାଣି

ପୁଣି ବିଧିରେ ଚିତ୍ତ ଧରି

ଧ୍ୟାନେ ସୁମରିଲା ମୁରାରୀ

ଏକେ ଭ୍ରୁକୁଟି ତା କୁଟିଳ

ବଦନ ଦିଶିଲା ପିଙ୍ଗଳ

ଭ୍ରୂକୁଟି ମଧ୍ୟୁ ପୁତ୍ର ଜାତ

ଦିଶଇ ସୁନୀଳ-ଲୋହିତ

ଦେବଙ୍କ ପୂର୍ବେ ଜାତ ହୋଇ

କାନ୍ଦଇ ବ୍ରହ୍ମା ମୁଖ ଚାହିଁ

ବୋଲଇ ଶୁଣ ବେଦବର

ମୋହର ନାମ ଆଗେ କର

ନିଗମ ସ୍ଥାନେ ଛାଡ଼ ମୋତେ

ଏମନ୍ତେ ରହିବି ନିଶ୍ଚିନ୍ତେ

ଶୁଣି ସାନନ୍ଦ ପ୍ରଜାପତି

ଚିନ୍ତିଲା ଯେବା ନାମ ସ୍ଥିତି

ହେ ପୁତ୍ର ରୋଦନ ନ କର

କରିବି ବଚନ ତୋହର

ରୋଦନ କଲୁ ଆଗେ ଯେଣୁ

ତୋ ନାମ ରୁଦ୍ର ହେଉ ତେଣୁ

ଏମନ୍ତ କହି ତାର ଆଗେ

ସ୍ଥାନ କଳ୍ପିଲା ଯଥା ଭାଗେ

ମନ ଇନ୍ଦ୍ରିୟ ଦେହ ବ୍ୟୋମେ

ବୟୁ ଅନଳ ଜଳସ୍ଥାନେ

ମହା ମନ୍ଦିର ଚନ୍ଦ୍ରାତପ

ଏମନ୍ତେ ଏକାଦଶ ରୂପ

ଯେ ସ୍ଥାନେ ଯେ ରୂପ ତୋହର

ହୋଇବ ଶୁଣରେ କୁମର

ମନୁ ଉପରେ ମନୁ ନାମ

ଇନ୍ଦ୍ରି ସମୂହେ ମନଧ୍ୟାନ

ଦେହ ଉପରେ ମହୀ ନାଶେ

ଆକାଶେ ମହାନୁ ପ୍ରକାଶେ

ପବନେ ଶିବ ରୂପେ ବସେ

ଅନଳେ ଋତୁ ଧ୍ୱଜ ନାଶେ

ଉର୍ଦ୍ଧ୍ୱରେ ତା ସକଳ ଯୋଗେ

ଭବ ବସିବ ଭୂମି ଭାଗେ

ରବି ବିମାନେ କାଳ ଥିବ

ଚନ୍ଦ୍ରେ ବସିବ ବାମଦେବ

ତପେ ବସିବ ଧ୍ରୁବ ବ୍ରତ

ଏମନ୍ତେ ଏକାଦଶ ମତ

ଏହାଙ୍କ ପତ୍ନୀ ନାମ ଯେତେ

ଶୁଣ କହିବା ତୋ ଅଗ୍ରତେ

ଧୀ ଧୃତି ଆଉ ରସଲୋମା

ଅପରେ ଶୁଣ ଯେତେ ବାମା

ନିଉତି ସର୍ପା ଇଲାମ୍ୱିକା

ଇରାବତୀ ଯେ ସୁଧା ଦୀକ୍ଷା

ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି

ଏହାଙ୍କ ଏକାଦଶ ପତି

ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ

ସଂଶୟ ମନେ ବିଚାରଇ

ଏ ସୃଷ୍ଟି ମହା ଭୟଙ୍କର

ଦେଖି କମ୍ପିଲା ଚିତ୍ତ ମୋର

ବୋଲନ୍ତି ରୁଦ୍ର ମୁଖ ଚାହିଁ

ଭୋ ପୁତ୍ର ଏଣେ କାର୍ଯ୍ୟ ନାହିଁ

ଏ ସୃଷ୍ଟି ଦଶଦିଗ ତୁଲେ

ମୋହର ମନେ ତାପ କଲେ

ଏବେ ତୁ ତପ ସାଧ୍ୟ କର

ସର୍ବ ଜୀବଙ୍କ ଦୁଃଖ ହର

ତପର ବଳେ ଏ ଜଗତେ

ପ୍ରଜା ତୁ କର ପୂର୍ବ ମତେ

ତପେ ତୁ ବିଷ୍ଣୁଙ୍କୁ ପାଇବୁ

ଏ ଭାବେ ସର୍ବକାଳେ ଥିବୁ

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ

ସନ୍ତୋଷେ ପିତାର ବଚନେ

ଏମନ୍ତେ ବ୍ରହ୍ମା-ଆଜ୍ଞା ପାଇ

ନୀଳ ଲୋହିତ ତୋଷ ହୋଇ

ବ୍ରହ୍ମାର ଚରଣେ ନମିଲା

ତପ ସାଧନେ ବନେ ଗଲା

ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ

ସେ ବ୍ରହ୍ମା ଚିତ୍ତେ ବିଚାରଇ

ଏ ତ ଅସଂଖ୍ୟ ରୁଦ୍ରଗଣେ

ନୁହନ୍ତି ସୃଷ୍ଟିର କାରଣେ

ତାହାଙ୍କୁ ଶିବଲୋକେ ଥୋଇ

ପୁଣି ସଂଶୟେ ବିଚାରଇ

ଏବେ କି କରିବି ଉପାୟ

ନ ପୁଣ କୋପେ ଦେବରାୟ

ଏମନ୍ତେ ବିଷ୍ଣୁ ପାଦ ଚିନ୍ତି

ଧ୍ୟାନେ ବସିଲା ପ୍ରଜାପତି

ତାର ଶରୀରୁ ଦଶ ସୁତ

ତକ୍ଷଣେ ହୋଇଲେ ସମ୍ଭୂତ

ଲୋଭ ବର୍ଜନ ହେତୁ ଅର୍ଥେ

ନମିଲେ ବ୍ରହ୍ମା-ପାଦଗତେ

ମରିଚି ଅତ୍ରି ଅଙ୍ଗିରସ

ପୌଲସ୍ତ୍ୟ ପୁଲହ ପ୍ରକାଶ

କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ

ଦଶମେ ନାରଦ ପ୍ରତ୍ୟକ୍ଷ

ଶୁଣ ବିଦୁର କହୁଁ ଭଲେ

ଯେ ଅଙ୍ଗୁ ଯେବା ଉପୁଜିଲେ

ନାରଦ ଉପୁଜିଲେ କୋଳେ

ଦକ୍ଷ ଦକ୍ଷିଣାଙ୍ଗୁଷ୍ଠି ମୂଳେ

ପ୍ରାଣୁ ବଶିଷ୍ଠ ମୁନି ଜାତ

ଭୃଗୁ ତ୍ୱକରୁ ଉପଗତ

ଅଙ୍ଗିରା ବଦନୁ ସମ୍ଭୁତ

ପୌଲସ୍ତ୍ୟ କର୍ଣ୍ଣ ମୁଳୁଁ ଜାତ

କ୍ରତୁ ଉପୁଜେ ଭୁଜମୁଳେ

ପୁଲହ ଏ ନାଭି ମଣ୍ଡଳେ

ଅତ୍ରି ଉପୁଜେ ଚକ୍ଷୁ ଯୁଗେ

ମରିଚି ମନରୁ ସଂଯୋଗେ

ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ

ଯେ ଧର୍ମେ କରେ ଏ ଜଗତ

ଅଧର୍ମ ପୃଷ୍ଠ ଦେଶୁଁ ହୁଏ

ମୃତ୍ୟୁ ସଞ୍ଚରେ ତାର ଦେହେ

କାମ ତା ହୃଦରୁ ସମ୍ଭୁତ

ଭୂରୁ ମଣ୍ତଳୁ କ୍ରୋଧଜାତ

ଲୋଭ ହୋଇଲା ଓଷ୍ଠ ଦେଶେ

ବଚନ ବଦନୁ ପ୍ରକାଶେ

ମୃତ୍ୟୁ ଦେବତା ଗୁହ୍ୟଦେଶେ

ସପତ ସିନ୍ଧୁ ନେତ୍ରେ ବସେ

କର୍ଦ୍ଦମ ଛାୟାରୁ ସମ୍ଭୂତି

ଯାହାର ପତ୍ନୀ ଦେବହୂତି

ଏମନ୍ତେ ଅଶେଷ ଜଗତ

ବ୍ରହ୍ମାର ମନୁ କଲେ ଜାତ

ଯେ କନ୍ୟା ବଦନୁ ଜନ୍ମିଲା

ବ୍ରହ୍ମାର ମନ ସେ ମୋହିଲା

ସକାମେ ବ୍ରହ୍ମା ତାଙ୍କୁ ହସ୍ତେ

ଧଇଲେ ରତି ଅଙ୍ଗ ଅର୍ଥେ

ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ

ପୁତ୍ରେ ମିଳିଲେ ତା ଅଗ୍ରତେ

ମରିଚି ଆଦି ଯେତେ ଭାଇ

କହନ୍ତି ପିତା ମୁଖ ଚାହିଁ

ହେ ତାତ ସ୍ଥିର କରି ଚିତ୍ତ

ଏ ତ ତୁମ୍ଭର ବିପରୀତ

ଯେ କର୍ମ ପୂର୍ବାପରେ ନାହିଁ

ଏବେ ସେ ସମ୍ଭବିବ କାହିଁ

କାହିଁ ଦୁହିତା ରମେ ପିତା

ଏଣୁ ଆମ୍ଭର ମନେ ଚିନ୍ତା

ପୂର୍ବେ ଯଯାତି ଏଥେ ଥିଲେ

ସତ୍ୟେ ସେ ଧର୍ମ ଆଚରିଲେ

ସେ ନ କରନ୍ତି ଏଡ଼େ କର୍ମ

ସ୍ୱଭାବେ ନୁହଇ ଏ ଧର୍ମ

ଯେ କର୍ମ ଲୋକ କ୍ଷମା କରେ

ଆନନ୍ଦେ ଆତ୍ମାକୁ ବିହରେ

ଏଣୁ ସେ ବିଷ୍ଣୁ ସମାନର

ଆମ୍ଭର ତାଙ୍କୁ ନମସ୍କାର

ତୁ ଦେବ ଆତ୍ମାକୁ ସୁମର

ଅଧର୍ମ ମନ କରି ସ୍ଥିର

ଏମନ୍ତେ ଶିରେ କର ଦେଇ

ପାଦେ ମିଳିଲେ ସର୍ବ ଭାଇ

ଭୋ ତାତ ଧର୍ମେ କର ଚିତ୍ତ

ଅଧର୍ମେ ନ ବୁଡ଼ୁ ଜଗତ

ତୁ ଏଡ଼େ ପାପ ଆଚରିଲେ

ସଂସାରେ କେବା ଥିବ ଭଲେ

ଏମନ୍ତେ ପୁତ୍ରକୁ ଅନାଇଁ

ବ୍ରହ୍ମା କହିଲେ ଲଜ୍ୟାପାଇ

ତକ୍ଷଣେ ଛାଡ଼ି ତାର ହସ୍ତ

ବିଷ୍ଣୁ ସୁମରେ ବେଦନାଥ

ସେ କନ୍ୟା ମନେ ଲଜ୍ଜ୍ୟା କଲା

ତକ୍ଷଣେ ଅଷ୍ଟ ଦିଗେ ଗଲା

ଘୋର ଅନ୍ଧକାର ସୁରେଖା

ନାମ ହୋଇଲା କୁଜ୍‌ଝଟିକା

ଅଧର୍ମେ ଅନ୍ଧକାର ହୋଇ

ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ

ପୁଣି ଚଳଇ ଅଷ୍ଟଦିଶେ

ସଂହରି ସମ୍ଭବି ଆକାଶେ

ମେଘର ପ୍ରାୟେ ତାର ଦେହୀ

ଶୁଣ ବିଦୁର ଏବେ କହି

ବିଦୁର ଉବାଚ

ଚିନ୍ତା ଆକୁଳେ ପ୍ରଜାପତି

ସୃଷ୍ଟି ସଂଗ୍ରହେ କଲା ମତି

ଶବଦ ବ୍ରହ୍ମ ପରମାଣେ

ଧର୍ମ ଅଧର୍ମ ସେ ବଖାଣେ

ଧ୍ୟାନ କରନ୍ତେ ମନେ ଖେଦ

ମୁଖୁଁ ଜନ୍ମିଲା ଚାରି ବେଦ

ଦେଖି ବିଚାରେ ପଦ୍ମ ଯୋନି

ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି

କରିବି ସତ୍ୟ ଅନୁସାରେ

ଯେତେ ବିଦିତ ଏ ସଂସାରେ

ବେଦ ବିଚାରେ ନାନା ମତେ

କର୍ମ କରିବେ ଏ ଜଗତେ

ଏ ଚାରି ଲୋକେ କର୍ମ ତତ୍ତ୍ୱ

ଉପବେଦାନ୍ତ ତୁଲେ ମତ

ସ୍ୱଭାବେ ଚତୁର୍ଦ୍ଦଶ କର୍ମ

ଆଗତ ବୃତ୍ତି ଯଥା ଧର୍ମ

ଯେ ଯୁଗେ ପ୍ରଚରିବ ଯେତେ

ବ୍ରହ୍ମା ବିଚାରି ଅନ୍ତର୍ଗତେ

ସେ ବିଶ୍ୱ ସବୁଙ୍କ ଈଶ୍ୱର

ଅଶେଷ ଚିତ୍ତ ଶକ୍ତି ଧର

ଯେ ମୁଖେ ଯେ ବେଦ ସର୍ଜିଲା

ଯହୁଁ ସେ ଧର୍ମ ପ୍ରକାଶିଲା

ସେ କଥା କହ ମୁନି ମୋତେ

ସଂଶୟ ନରହୁ ମୋ ଚିତ୍ତେ

ମୈତ୍ରେୟ ଉବାଚ

ଶୁଣ ହୋ ବିଧାତାର ଲୀଳା

ଯେ ମୁଖେ ଯେ ବେଦ ସର୍ଜିଲା

ସାମ ପଶ୍ଚିମ ମୁଖୁ ଜାତ

ଅଥର୍ବ ଉତ୍ତରୁ ସମ୍ଭୁତ

ଦକ୍ଷିଣୁ ଯଜୁ ପ୍ରକାଶିଲା

ପୂର୍ବ ମୁଖୁ ଋକ୍‌ ସ୍ରବିଲା

ବେଦାଦି ଶାସ୍ତ୍ର ସ୍ମୃତି ସ୍ତୋତ୍ର

ଯଜ୍ଞାଦି କୃତ ଅଗ୍ନି ହୋତ୍ର

ଦେବଙ୍କ ଅଙ୍ଗ ଆଦି ଯେତେ

ପ୍ରତ୍ୟକ୍ଷେ ଯଥା କର୍ମ ତନ୍ତ୍ରେ

ଆୟୁର୍ବେଦ ଯେ ଧନୁର୍ବେଦ

ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ

ଦେବଙ୍କ ଅଙ୍ଗ ଆଦି ଯେତେ

ଅସତ୍ୟ ଅଙ୍ଗାଦି ସମେତେ

ପୂର୍ବାଭିମୁଖେ ଯେତେ କରି

ପୁଣି ବିଧାତା ମନେ ସ୍ମରି

ପଞ୍ଚମ ବେଦ ଇତିହାସେ

ଚତୁର ମୁଖେ ସୁପ୍ରକାଶେ

ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ

ପଞ୍ଚମ ଅଗ୍ନି ସ୍ମୃତି ମୁଖେ

ଗାୟତ୍ରୀ ଆଦି ସପ୍ତଛନ୍ଦ

ମନ୍ତ୍ର ଦେବତା ଅନୁବନ୍ଧ

ଉଷ୍ଣକ ଛନ୍ଦ ଲୋମୁ ଜାତ

ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୁତ

ମାତା ସଉର୍ଯ୍ୟେ ତ୍ରିଷ୍ଟୁପ ଛନ୍ଦ

ଅନୁଷ୍ଠୁପ ଶିରେ ସମ୍ଭବ

ଜଗତ ଉର୍ଦ୍ଧ୍ୱ ରକ୍ତ ହୁଏ

ଯଜ୍ଞେ ଉଷ୍ଣିକ ଛନ୍ଦ ବହେ

ବୃହତୀ ଛନ୍ଦ ଦଶ ପ୍ରାଣ

ସ୍ପରଶ ଜୀବର କାରଣ

ଶୁକ ବ୍ରହ୍ମା-ଶରୀରୁ ଜାତ

ଶେଷେଣ ଇନ୍ଦ୍ରିୟେ ସମ୍ଭୁତ

ବଳ ଉଦିତ ଅନ୍ତର୍ଦ୍ଦେଶେ

ଯେ ବଳେ ଶରୀର ପ୍ରକାଶେ

ବ୍ରହ୍ମା ଦେହରେ ସପ୍ତସ୍ୱର

ଭକତି ଗୁଣେ ହେ ବିଦୁର

ଏ ସପ୍ତ ବ୍ରହ୍ମା ତା ଶରୀର

ସ୍ୱଭାବେ ବକ୍ତାବନ୍ତ ତାର

ଏଣୁ ସଂସାର ବକ୍ତାମୟେ

ସେ ବ୍ରହ୍ମା ନାନା-ଶକ୍ତି ବହେ

ଏମନ୍ତେ ବ୍ରହ୍ମା ସର୍ବ କରି

ଅପର ସୃଷ୍ଟି ମନେସ୍ମରି

ଯେ ଋଷି ପୂର୍ବେ ସୃଷ୍ଟି କଲା

ତାଙ୍କ ବିଶ୍ରାମ ନ ରଖିଲା

ସ୍ୱଭାବେ ତେଜୋବନ୍ତ ହୋନ୍ତି

ପ୍ରକାଶ ଯୋଜନ କରନ୍ତି

ଏମନ୍ତେ ବିଚାରି ବିଧାତା

ମନେ ପାଇଲା ଗୁରୁ ଚିନ୍ତା

ତକ୍ଷଣେ ବ୍ରହ୍ମା ନିଜ ପିଣ୍ତ

ତପେ ହୋଇଲା ବେନିଖଣ୍ତ

ସେ ବେନିଖଣ୍ତ ବ୍ରହ୍ମା ଦେହେ

ନାରୀ ପୁରୁଷ ବେନି ହୁଏ

ସେ ବେନିଖଣ୍ଡ ଅନୁମାନୁ

ଜନ୍ମିଲା ସ୍ୱାୟମ୍ଭୁବ ମନୁ

ସଂସାରେ ରାଜା ସେ ବୋଲାଇ

ଶୁଣ ବିଦୁର ଏବେ କହି

ଉତ୍ତର ଖଣ୍ତ ନାରୀ ଜନ୍ମ

ହୋଇଲେ ସତ୍ୟରୂପ ନାମ

ମନୁର ପତ୍ନୀ ସେ ହୋଇଲା

ମୈଥୁନେ ସୃଷ୍ଟି ଉପୁଜିଲା

ପଞ୍ଚ ବାଳକ ତାଙ୍କ ତହୁଁ

ହୋଇଲେ ଶୁଣ ନାମ କହୁ

ଉତ୍ତାନପାଦ ପ୍ରିୟବ୍ରତ

ଆଗେ ହୋଇଲେ ବେନି ସୁତ

ଅପରେ ଜାତ ତିନି କନ୍ୟା

ସୁନ୍ଦରୀ ସୁଲୋଚନା ବାମା

ଆକୁତି ଦେବହୁତି ବେନି

ପ୍ରସୂତି ନାମେ କନ୍ୟା ତିନି

ସେ ମୁନି କନ୍ୟା ଦାନ କଲା

ଆକୁତି ରୁଚି ବିପ୍ରେ ଦେଲା

ତୋହର ଗର୍ଭୁ ନାନା ମତେ

ସନ୍ତତି ପୂରିଲେ ଜଗତେ

ଏମନ୍ତେ ଭାଗବତ ବାଣୀ

ମୈତ୍ରେୟେ ବିଦୁରେ ବଖାଣି

ଶୁଣ ସୁଜନେ ଶୁଦ୍ଧ ଚିତ୍ତେ

ତୃତୀୟ ସ୍କନ୍ଧେ ଭାଗବତେ

ମୈତ୍ରେୟ ବିଦୁର ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

ଏଣେ ହରିଙ୍କି କରି ଲୟେ

ବ୍ରାହ୍ମଣ ଜଗନ୍ନାଥ କହେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମାସୃଷ୍ଟି ସର୍ଜ୍ଜନେ ନାମ

ଦ୍ୱାଦଶୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏମନ୍ତେ ମୈତ୍ରେୟ ବଚନ

ଶୁଣି ବିଦୁର ତୋଷ ମନ

କୃଷ୍ଣ ଚରିତ ରସ ଭରି

ଶୁଣି ବୋଲଇ ପାଦ ଧରି

ବିଦୁର ଉବାଚ

ସେ ସ୍ୱାୟମ୍ଭୁବ ବ୍ରହ୍ମା ସୁତ

ସଂହାର-ପ୍ରିୟେ ପ୍ରିୟବ୍ରତ

ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର

ଯେ ସ୍ୱାୟମ୍ଭୁବ ନୃପବର

ସେ ସତ୍ୟରୂପୀ ପତ୍ନୀ ତାର

ସ୍ୱଭାବେ ବ୍ରହ୍ମାର ଶରୀର

ନିର୍ମିତ ନର ନାରୀ କଳ୍ପେ

ବିଷ୍ଣୁ ଆଦେଶେ ମୋହ କଳ୍ପେ

ମିଥୁନ ଭାବେ ସେ ରହିଲେ

କେମନ୍ତେ ସୃଷ୍ଟି ଭିଆଇଲେ

ସେ ରାଜ ଋଷିଙ୍କ ଚରିତ

କହି ସନ୍ତୋଷ କର ଚିତ୍ତ

ଏ କୃଷ୍ଣ କଥା ପୁଣ୍ୟ ଯଶ

ଶ୍ରବଣେ ଚିତ୍ତ କଲା ଆଶ

ମୈତ୍ରେୟ ଉବାଚ

ବ୍ରହ୍ମାର ଦେହରୁ ସମ୍ଭବ

ପତ୍ନୀର ତୁଲେ ସ୍ୱାୟମ୍ଭୁବ

କର ଅଞ୍ଜଳି ଶିରେ ଦେଇ

କହଇ ବ୍ରହ୍ମା ମୁଖ ଚାହିଁ

ତୁ ସର୍ବ ଜନ୍ତୁଙ୍କର ପିତା

ଜନ୍ମ ସମ୍ପଦ ବୃତ୍ତି ଦାତା

ଆମ୍ଭେ ତୋହର ଭୃତ୍ୟଗଣେ

ଯେମନ୍ତେ ଖଟୁ ତୋ ଚରଣେ

ସେ ଆଜ୍ଞା ଦିଅ ବେଦବର

ତୋର ଚରଣେ ନମସ୍କାର

ଯେ କର୍ମ ସାଧି ଏକେ ଏକେ

ସର୍ଜଇ ଇହ ପରଲୋକେ

ଲଭନ୍ତି ପ୍ରାଣୀ ଆତ୍ମା ସୁଖେ

ସେ ଆଜ୍ଞା କହ ତାତ ମୁଖେ

ବ୍ରହ୍ମା ଉବାଚ

ଏମନ୍ତେ ପୁତ୍ରର ବଚନେ

ବ୍ରହ୍ମା କହନ୍ତି ତୋଷ ମନେ

ଶୁଣ କୁମର ସାଧୁ ଧୀର

ତୁ ଏ ସଂସାରେ ନୃପବର

ନିର୍ମଳ ହୃଦେ ତୁ ପଚାରୁ

ଯେହ୍ନେ ସମ୍ପାଦି ଶିଷ୍ୟ ଗୁରୁ

ପିତାର ଆଜ୍ଞା ଶିରେ ଧରି

ସୁଦୂରେ ସର୍ବ ପରିହରି

ସନ୍ତତି କରି ଆତ୍ମ ସୁଖେ

ଶୋକ ନ କରେ ମନ ଦୁଃଖେ

ଧର୍ମ ପାଳନ ତାକୁ କହି

ବିଷ୍ଣୁଙ୍କୁ ପୂଜେ ଯଜ୍ଞବାହି

ପ୍ରଜା ରକ୍ଷଣ ଧର୍ମ କଲେ

ବିଷ୍ଣୁ ସନ୍ତୋଷ ହୋନ୍ତି ଭଲେ

ଯେ ଯଜ୍ଞ ଲିଙ୍ଗ ଜନାର୍ଦ୍ଦନ

ଯାହାକୁ ହୁଏ ସୁପ୍ରସନ୍ନ

ଆଶ୍ରମେ ତାରେ କାର୍ଯ୍ୟ ଭଲେ

ବ୍ରହ୍ମା ସମ୍ପାଦେ ଆତ୍ମା ତୁଲେ

ମନୁରୁବାଚ

ଭୋ ନାଥ ତୋହର ଆଦେଶେ

ସୃଷ୍ଟି କରିବି ମୁଁ ବିଶ୍ୱାସେ

ମୁଁ ସୃଷ୍ଟି ସରଜିବି କାହିଁ

ଏ ଜଳେ ଧରଣୀ ତ ନାହିଁ

ତାର ଉଦ୍ଧାରେ କର ଜନ୍ମ

ସୃଷ୍ଟି ଆଗମେ ବେଦ କର୍ମ

ମହାପ୍ରଳୟ ଜଳ ରାଶି

ପବନ ସଙ୍ଗେ ମୁହିଁ ଗ୍ରାସି

ପୃଥିବୀ ନିବେଶିଲେ ଜଳେ

ପ୍ରଜା କଳ୍ପିବି ଯୋଗବଳେ

ଦେବତା ସୁର ପିତୃନର

ପଶୁ ପତଙ୍ଗ ମହାଧୀର

ପନ୍ନଗ ଆଦି ଉଚ୍ଚ ନୀଚେ

ଧରଣୀ ସ୍ଥାପିବି ଏ ମଞ୍ଚେ

ଏବେ ତ ଜଳେ ପୂର୍ଣ୍ଣ ମହୀ

ଏମନ୍ତ ମନେ ବିଚାରଇ

ମୈତ୍ରେୟ ଉବାଚ

ଜଳେ ନ ଦେଖି ବସୁନ୍ଧରୀ

ବିଧାତା ମନେ ଧ୍ୟାନ କରି

ମହୀ ବୁଡ଼ିଲା ମହାଜଳେ

କେମନ୍ତେ ଉଦ୍ଧରିବି ବଳେ

ଯାର ଆଦେଶେ ଅବତରି

ମୁଁ ଏ ସଂସାରେ ଅଧିକାରୀ

ସେ ହରି ଯେବେ ଦୟାକରେ

ଧରଣୀ ଆପଣେ ଉଦ୍ଧରେ

ନୋହିଲେ ମୋର ଶକ୍ତି କାହିଁ

ଏମନ୍ତେ ବିଷ୍ଣୁ ପାଦେ ଧ୍ୟାୟି

ବ୍ରହ୍ମା ରହିଲା ସ୍ତମ୍ଭୀଭୂତେ

ଶୁଣ ବିଦୁର ଏକଚିତ୍ତେ

ତକ୍ଷେଣେ ପ୍ରଭୁ ନରହରି

ବାଳ ଶୂକର ରୂପଧରି

ଅଙ୍ଗୁଷ୍ଠି ପ୍ରମାଣ ଶରୀରେ

ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ

ପୁଣି କ୍ଷଣକେ ଗଜ ପ୍ରାୟେ

ଅଦ୍ଭୁତେ ବଢ଼େ ଦେବରାୟେ

ମରିଚି ଆଦି ମୁନି ଯେତେ

ସନତ କୁମାର ସହିତେ

ଅଦ୍ଭୁତ ବରାହ ଶରୀର

କ୍ଷଣ କ୍ଷଣକେ ଅଗୋଚର

ଅଙ୍ଗୁଷ୍ଠି ପ୍ରାୟ ଜନ୍ମ ହୋଇ

ପର୍ବତ ସଂଖ୍ୟାରେ ବଢ଼ଇ

ଋଷିଙ୍କୁ ଚାହିଁ ବେଦବର

କହିଲାନ୍ତି ଦେଖି ତା ଶରୀର

ଶୁଣ ସକଳ ମୁନିଜନେ

ଏ ରୂପ ଦେଖି ମୋର ମନେ

ଏମନ୍ତେ ପୁତ୍ର ଗଣ ଘେନି

ବିଚାର କଲେ ପଦ୍ମ ଯୋନି

ଅବା ଅନାଦି-ଭଗବାନ

ଅଭୁତେ ଦେଖ ମୋର ମନ

ଏ ବାକ୍ୟ ଶୁଣି ବେଦବର

ଗର୍ଜିଲେ ଗଜେନ୍ଦ୍ର ଆକାର

ବ୍ରହ୍ମାଙ୍କୁ ଋଷିଙ୍କ ସମେତେ

ତଟସ୍ଥ କଲେ ସର୍ବଚିତ୍ତେ

ଦିଗ ପୂରିଲା ସ୍ୱର୍ଗଜିତେ

ଅଦ୍ଭୁତ ଶରୀର ସହିତେ

ସେ ମାୟାମୟ ରୂପ ହରି

ଛଳେ ଶୁକର ରୂପ ଧରି

ଦେଖି ଚକିତ ମୁନିଜନେ

ସଖେଦେ ବିଚାରନ୍ତି ମନେ

ଜନ ତପସ୍ୱୀ ଅନ୍ୟବାସୀ

ମିଳି ସକଳ ବ୍ରହ୍ମଋଷି

ସ୍ତୁତି କରନ୍ତି ମନ ତୋଷେ

ଧରଣୀ ଉଦ୍ଧରିବା ଆଶେ

ତାହାର ଗୁଣ ଅନୁବାଦେ

କ୍ଷମ ନୁହନ୍ତି ଚାରିବେଦେ

ଯା ରୂପ ମନ ଜ୍ଞାନେ ଚିନ୍ତି

ଅଶେଷ ଶାସ୍ତ୍ରେ ନ ଜାଣନ୍ତି

ମୁନିଙ୍କ ସ୍ତୁତି ବାକ୍ୟଶୁଣି

ତକ୍ଷଣେ ପ୍ରଭୁ ଚକ୍ରପାଣି

ଦେବଙ୍କ ହିତ ଅର୍ଥେ ହରି

ପୁଣି ଶୂକର ରୁପଧରି

ଗଜେନ୍ଦ୍ର ଲୀଳା କରି ହେଳେ

ବିଷ୍ଣୁ ପଶିଲେ ମହାଜଳେ

କ୍ଷୁର-ଲାଙ୍ଗୁଳ ମୁଖ ତାଡ଼ି

ଶବଦ କଲେ ଘଡ଼ ଘଡ଼ି

ବରାହ ଦେହ ବଳ କୋଣେ

ଶୂନ୍ୟେ ଚିନ୍ତିଲେ ଦେବଗଣେ

ସ୍ୱର୍ଗ ବିଧୌତ ଜଳ ଲାଗି

ଧ୍ୱଜେ ହୋଇଲେ ସଉଭାଗୀ

ତକ୍ଷଣେ କ୍ଷୁରକ୍ଷିପ୍ତ ଜଳେ

ସମୁଦ୍ର ଉଛୁଳେ ଉଲ୍ଲୋଳେ

ପର୍ବତ ପ୍ରାୟେ ଦେହ କାନ୍ତି

ଜ୍ୟୋତି ସମୂହେ ଝଟକନ୍ତି

ମହି ଖୋଜନ୍ତେ ଘ୍ରାଣ ବଶେ

ଧରଣୀ ଉଦ୍ଧରିବା ଆଶେ

କରାଳ ଦଂଷ୍ଟ୍ର ଦନ୍ତ ପାଟି

ଉର୍ଦ୍ଧ୍ୱେ ଚାହାନ୍ତି ଘୋରଦୃଷ୍ଟି

ଅଙ୍ଗ ନିର୍ଘାତ ବ୍ରଜ ପ୍ରାୟେ

ଦେଖି ଜଳଧି କଲା ଭୟେ

ଉଲ୍ଲୋଳ କର ଉଚ୍ଚେ କରି

ଡାକଇ ରଖ ଦଇତ୍ୟାରି

ହେ ଯୋଗେଶ୍ୱର ତ୍ରାହିକର

ମୁଁ ତୁମ୍ଭ ଚରଣେ କିଙ୍କର

ସମୁଦ୍ର ମୁଖରାବଗୋଳେ

ହରି ପଶିଲେ ରସା ତଳେ

ଜଳେ ନିମଗ୍ନ ବସୁନ୍ଧରୀ

ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି

ଜଳୁଁ ଆସନ୍ତେ ଊର୍ଦ୍ଧ୍ୱ ମୁଖେ

ଅସୁର ମିଳିଲା ପ୍ରତ୍ୟକ୍ଷେ

ଆଦି ଅସୁର ସେ ପ୍ରତ୍ୟକ୍ଷ

ନାମ ତାହାର ହିରଣାଷ

ଗଦା ବୁଲାଇ ଅତିରେକେ

ମିଳିଲା ଯଜ୍ଞନାଥ ପାଶେ

ମତ୍ତ ମାତଙ୍ଗ ଯେହ୍ନେ ମହୀ

କର୍କଶ ଦନ୍ତେ ବିଦାରଇ

ତମାଳ ନୀଳବର୍ଣ୍ଣ ଦେହୀ

ଶୁଭ୍ର ତୀକ୍ଷଣ ଦନ୍ତ ଦୁଇ

ଦନ୍ତର ଅଗ୍ରେ ମହୀ ରହେ

ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ

ଏମନ୍ତ ରୂପ ଦେଖି ବେଗେ

ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ

ସଙ୍ଗତେ ମୁନିଗଣ ଘେନି

ସ୍ତୁତି କରଇ ପଦ୍ମଯୋନି

ବ୍ରହ୍ମା ଉବାଚ

ହେ ଯଜ୍ଞ ରୂପୀ ଜନାର୍ଦ୍ଦନ

ତୋର ବିହାର ତ୍ରିଭୁବନ

ଯଜ୍ଞ ମୂରତି ନିଜ ପିଣ୍ତେ

ଯେ ଯଜ୍ଞ ଧର୍ମ କର୍ମକାଣ୍ତେ

ତୋର ଶରୀର ଲୋମ କୂପେ

ସମୁଦ୍ର ଲୁଚିଲା ସ୍ୱରୂପେ

ନମୋ ଗୋବିନ୍ଦ ମହୀଧର

ଅଶେଷ-ମହିମା-ସାଗର

ଯେ କାଳରୂପୀ ତୋ ଚରଣ

ନିର୍ଭୟେ ପଶିଲୁ ଶରଣ

ଯଜ୍ଞାଦି ଆତ୍ମା ତୋ ଶରୀର

ଦୁଷ୍କୃତ ଜନେ ଅଗୋଚର

ତୋ ଦେହ ଚର୍ମେ ବେଦ ବସେ

ଅନଳ ଲୋମକୂପ ବସେ

ଘୃତ ଆହୁତି ନେତ୍ର ଯୁଗେ

ଚତୁର ହୋତ୍ର ପାଦ ଭାଗେ

ଏ ଶ୍ରୁତବନ୍ତ ତୋର ତୁଣ୍ତ

ସ୍ୱରେ ନିର୍ମିତ ନାସାଖଣ୍ତ

ଓଁ କାର ଉଦରାନୁବନ୍ଧେ

ଚମସା ରହେ କର୍ଣ୍ଣରନ୍ଧ୍ରେ

ଶଶୀ ଯେ ରହେ ତେଜ ଆଶେ

ଗ୍ରହେ ବସନ୍ତି ତୋର ପାଶେ

ଶ୍ରବଣେ ଅଗ୍ନି ହୋତ୍ର ରହେ

ଦୀକ୍ଷାରେ ବେନି ଘଟି ବହେ

ଦନ୍ତେ ବସନ୍ତି ଉଦୟିନୀ

ମସ୍ତକେ ଯଜ୍ଞଭାବ ଘେନି

ପ୍ରାଣେ ବସଇ ଚନ୍ଦ୍ରଗଣ

ସମୁଦ୍ରେ ରହେ ଆବରଣ

ପବନ ବସେ ପଞ୍ଚଭୂତେ

ସତ୍ୱ ଶରୀର ସନ୍ଧି ଗତେ

ମନ୍ତ୍ର ଦେବତା ରୂପେ ତୁହି

ତୁ ଦେବ ପ୍ରିୟା ଆତ୍ମା ଦେହୀ

ବୈରାଗ୍ୟ ଭକ୍ତି ଆତ୍ମାଜାତ

ତୁ ନାଥ ଯୋଗେଶ୍ୱର କାନ୍ତ

ତୁ ବିଦ୍ୟା ଗୁରୁଜ୍ଞାନ ଦାତା

ଜୀବ ଧାରଣେ ପିତା ମାତା

ତୋ ଦନ୍ତ ଅଗ୍ରେ ବସୁନ୍ଧରୀ

ବିରାଜେ ନିଜ ରୂପ ଧରି

କି ଅବା ଦେବା ପଟ୍ଟାନ୍ତର

ଜଳେ ଯେସନେ କରୀବର

ପଦ୍ମ ବସନ୍ତ ଅବଗାହେ

ତୋ ଦନ୍ତଅଗ୍ରେ ଯେହ୍ନେ ଶୋହେ

ଏ ଯେ ଶୂକର ତୋର ଦେହ

ଅଶେଷ ଯଜ୍ଞ ବେଦମୟ

ଦନ୍ତେ ଧରଣୀ କରେ ଶୋଭା

କିବା ଉପମା ଆମ୍ଭେ ଦେବା

ପର୍ବତ ଶୃଙ୍ଗେ ଜଳଧର

ଯେମନ୍ତେ ଦିଶଇ ସୁନ୍ଦର

ଏବେ ଧରଣୀ ସ୍ଥାପ ଜଳେ

ଭୋ ନାଥ ତୋର ମାୟା ବଳେ

ଏ ଭୂମି କୋଷ ଲୋକଦାତା

ତୁନାଥ ଜୀବ ଲୋକପିତା

ତୋ ବିନୁ ଅନ୍ୟ କେବା ଜଳେ

ମହୀ ଉଦ୍ଧାରେ ମହାବଳେ

ଏଣୁ ବିଷୟ ଆର କାହିଁ

ତୁ ଯେ ଈଶ୍ୱର ବିଶ୍ୱଦେହୀ

ଜଳେ ପଶନ୍ତେ ତୋ ଶରୀର

ଜଳଧି ଦିଶେ ଭୟଙ୍କର

ତୋ ଲୋମ ଅଗ୍ରେ ଜଳରାଶି

ଧ୍ୱନି ତୋ ଗଗନ ପ୍ରକାଶି

ଜଳେ ତପସ୍ୟା ତୋ ଭୁବନେ

ବରାହ ରୂପୀ ତୋଷ ମନେ

ତୋ ନାମ ଜଳେ କରି ସ୍ନାନ

ଆନନ୍ଦେ କରି ତୋଷମନ

ପବିତ୍ର କଲୁ ପିଣ୍ତ ପ୍ରାଣ

ତୋର ଚରଣେ ଭଗବାନ

ତୋ ଗୁଣ ମାୟା ଯୋଗବଳେ

ଆମ୍ଭେ ମୋହିତ ଏ ଶୟଳେ

ସ୍ଥାନେ ନ ପାରୁ ଆମ୍ଭେ ରହି

ଆମ୍ଭଙ୍କୁ କର ନାଥ ତ୍ରାହି

ମୈତ୍ରେୟ ଉବାଚ

ବ୍ରହ୍ମାଦି ମୁନିଙ୍କ ବଚନେ

ବରାହରୂପୀ ତୋଷମନେ

ଜଳେ ବସାଇ ବସୁନ୍ଧରୀ

ଅଦୃଶ୍ୟ ହୋଇଲେ ମୁରାରୀ

ସେ ହରି ବିଚିତ୍ର ଚରିତେ

ବିଦୁର ଶୁଣ ଏକ ଚିତ୍ତେ

ସଂସାରୁ ତରିବ ଯେମନ୍ତେ

ସୁଜନେ ଶୁଣ ତୋଷ ଚିତ୍ତେ

ଯାର ପ୍ରସନ୍ନେ ମାୟା ଘୋର

ନଳିନୀ ଦଳେ ଯେହ୍ନେ ନୀର

ନ ଲାଗେ ସେ ନୀର ସିଞ୍ଚନ୍ତେ

ବିଷ୍ଣୁ ପ୍ରବେଶ ଅନ୍ତର୍ଗତେ

କର୍ଣ୍ଣେ ପଶନ୍ତେ ହରିବାଣୀ

ସୁଧା-ସଦୃଶ୍ୟ ପରିମାଣି

ଆନନ୍ଦେ କର ସୁଧାପାନ

ଯେଣେ ନୋହିବ ହତଜ୍ଞାନ

ତୃତୀୟ ସ୍କନ୍ଧେ ଭାଗବତ

ଅଦ୍ଭୁତ ଗୋବିନ୍ଦ ଚରିତ

ଏଣେ ନିବେଶି ବୁଦ୍ଧି-ଚିତ୍ତ

କହିଲା ଦାସ ଜଗନ୍ନାଥ

ଏ ଅଧ୍ୟା ପୃଥିବୀ ଚରିତ

ସୁଜନ ଜନଙ୍କର ହିତ

 

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ପୃଥିବୀ ବର୍ଣ୍ଣନେ ନାମ

ତ୍ରୟୋଦଶୋଽଧ୍ୟାୟଃ ।

•••

 

ଚତୁର୍ଦ୍ଦଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ମୈତ୍ରେୟ ବାଣୀ ଶୁଣି କର୍ଣ୍ଣେ

ହରଷ ବିଦୁରର ମନେ

କୃଷ୍ଣ ଶୂକର ରୂପ କଥା

ଅମୃତ ପଦ ଏହୁ ଗାଥା

ଆନନ୍ଦେ ଶିରେ କର ଦେଇ

ସନ୍ତୋଷ ଚିତ୍ତେ ପଚାରଇ

ବିଦୁର ଉବାଚ

ଯଜ୍ଞବରାହ ରୂପ ଧରି

ଦନ୍ତାଗ୍ରେ ଧରଣୀ ଉଦ୍ଧରି

ଜଳେ ଆସନ୍ତେ ଊର୍ଦ୍ଧ୍ୱ ଦନ୍ତେ

ଆଦି ଅସୁରର ଅଗ୍ରତେ

ମିଳିଲା ଗଦା ହସ୍ତେ ଧରି

ତା ଦେହ ଦନ୍ତାଗ୍ରେ ବିଦାରି

ଶୁଣି ଏ କଥା ତୁମ୍ଭ ମୁଖେ

ଏବେ ପଚାରେ ମନସୁଖେ

ଏ ଦୈତ୍ୟ ତେଜ ଅନର୍ଗଳା

କି ହେତୁ ଗଦାଯୁଦ୍ଧ କଲା

ତାହାର ଜନ୍ମ କର୍ମ ଯେତେ

ବିସ୍ତାରି କହ ମୋ ଅଗ୍ରତେ

ପରମ କୁତୁହଳ ବାଣୀ

ଜୀବ ତରଇ ଏହା ଶୁଣି

ତୁ ଧନ୍ୟ ସାଧୁ କୁରୁବୀର

ସ୍ୱଧର୍ମ ପ୍ରଶ୍ନ ଏ ତୋହର

ହରି ଚରିତ ଗୁଣଗାଥା

ଅମୃତ ରସମୟ କଥା

ଯାହା ଶୁଣନ୍ତେ ମୃତ୍ୟୁ ପାଶ

ସୁତପ୍ତ ଚକ୍ରେ ହୋଇ ନାଶ

ହେ ସ୍ୱାୟମ୍ଭୁବ ମନୁ ସୁତ

ଶାନ୍ତନୁ ତନୟ ବିଖ୍ୟାତ

ତପର ବଳେ ସେ ପ୍ରଚଣ୍ତେ

ଚରଣ ଦେଇ ମୃତ୍ୟୁପିଣ୍ତେ

ସ୍ୱଭାବେ ତେଜ ଅନର୍ଗଳା

ପରମ ପଦେ ସେ ପଶିଲା

ତୁ ଏବେ ପଚାରିଲୁ ମୋତେ

ଶୁଣ ବିଦୁର ଏକ ଚିତ୍ତେ

ପ୍ରସ୍ତାବେ ଇତିହାସ ବାଣୀ

ଦେବଙ୍କ ସଭା ମଧ୍ୟେ ଶୁଣି

ଜାଣାଇ ଏଥିର କାରଣ

କହିବି ଏକଚିତ୍ତେ ଶୁଣ

ଦକ୍ଷ ଦୁହିତା ଦିତି ନାମା

କଶ୍ୟପ ଋଷିଙ୍କର ବାମା

ସେ ଏକଦିନେ ଯଜ୍ଞଶାଳେ

ଏକେ ପଶିଲା ସନ୍ଧ୍ୟାକାଳେ

ବସିଲା ନିଜ ପତି ପାଶେ

କାମେ ଜଡ଼ିତ ରତି ଆଶେ

ସେ ମହାମୁନି ତାହାପରେ

ମନ୍ତ୍ର ଆହୁତି ଦେବାଠାରେ

ଯଜ୍ଞ ପୁରୁଷ ପ୍ରୀତି ଅର୍ଥେ

ଅସ୍ତ ଅଚଳ ସୂର୍ଯ୍ୟଗତେ

ନିବିଡ଼ ସନ୍ଧ୍ୟା ଆଗମନେ

ମିଳିଲା ସ୍ୱାମୀ ସନ୍ନିଧାନେ

କର ପଲ୍ଲବ ଶିରେ ଦେଇ

କହେ କଶ୍ୟପ ମୁଖ ଚାହିଁ

ଦିତି ଉବାଚ

ଭୋ ନାଥ ଶୁଣ ତପୋଧନ

କନ୍ଦର୍ପ ଘେନି ଶରାସନ

ଅନଙ୍ଗ ବାଣେ ମୋର ମନ

କହଇ ଶୁଣ ସାବଧାନ

କଦଳୀ ବନେ ଯେହ୍ନେ ଗଜ

ଦନ୍ତେ ବିଦାରେ ଅତି ତେଜ

ମୋ ପିତା ଦକ୍ଷ ପ୍ରଜାପତି

ଯାର ସହିତେ ତାର ମତି

ଆମ୍ଭର ଘରେ ପୁତ୍ର ଯେତେ

ଧର୍ମ ପାଳିବେ ସେ ଜଗତେ

ଏ କଥା ମନେ ବିଚାରିଲା

ଯାନ୍ତେ ଆମ୍ଭଙ୍କୁ ପଚାରିଲା

ସମ୍ମତି ଦେଖିଲା ଆମ୍ଭର

ତେଣୁ ବରିଲା ତୋତେ ବର

ଆମ୍ଭେ ଯେ ଭଗ୍ନି ତୋର ପାଶେ

ତୁମ୍ଭର ଚରଣ ବିଶ୍ୱାସେ

ଆମ୍ଭର ଶୀଳରୂପ ଗୁଣ

ତୁମ୍ଭେ ତ ପ୍ରତ୍ୟକ୍ଷେ ପ୍ରମାଣ

ଭୋ ନାଥ ନଳୀନ ବଦନ

ଏବେ ତୁ କର ମୋ ବଚନ

ମୋର ସଙ୍ଗତେ କର ରତି

ସୁଭୋଗେ ହେଉ ମୋର ଶାନ୍ତି

ଏମନ୍ତ ଶୁଣିଣ ବଚନ

କଶ୍ୟପ ଋଷି ଦୁଃଖ ମନ

ଏ ସନ୍ଧ୍ୟାକାଳେ ମୋର ପାଶେ

ତୁ ଯେ ମିଳିଲୁ ରତି ଆଶେ

ଯେ ଧର୍ମ-ପ୍ରମାଣେ ତୋହର

ଅନ୍ୟଥା କେ କରୁ ତାହାର

ଏଣୁ ତୋହର ପ୍ରିୟ ଯେତେ

କରିବି ତୋହର ଆୟତେ

ସଂସାର ବେଭାରଟି ଏହି

ଏ ଧର୍ମ କର୍ମେ ରହେ ଗୃହୀ

ସର୍ବ ଆଶ୍ରୟ ମଧ୍ୟେ ସାର

ପୁତ୍ର କଳତ୍ର ଧନ ଘର

ଏଣୁ ମୋହର ଚିତ୍ତ ରସେ

ବୋଇତ ଯେହ୍ନେ ଜଳେ ଭାସେ

ଆମ୍ଭର ଅଙ୍ଗ ମଧ୍ୟ ନାରୀ

ଅନ୍ୟଥା କେବା କରିପାରି

ତାହାର ତହିଁ ଗୃହକାର

ଦେଇ ନିରତେ ଥାନ୍ତି କର

ଯାହାର ଆଶ୍ରେ ପ୍ରାଣୀ ଥାଇ

ଇନ୍ଦ୍ରିୟ ଚିତ୍ତକୁ ଜିଣଇ

ଏ କଥା କେ କରିବ ଆନ

ଯାହା ସଞ୍ଚିଲେ ଭଗବାନ

ଏବେ ଉଦ୍ଧର ଆତ୍ମା ମନେ

ଶୁଭେ ନ ରହ ମୋ ଚରଣେ

ଦେଖ ଏ ଭୟଙ୍କର ବେଳା

ପ୍ରେତ-ପିଶାଚଗଣ ମେଳା

ଭୂତ-ବେତାଳଗଣ ରଙ୍ଗେ

ଭବାନୀଗଣ ଘେନି ସଙ୍ଗେ

ଭୁତରେ ବସି ଭୂତପତି

ଦେଖଇ ସର୍ବଜନ ଗତି

ମୋହର ଦେହେ ସେ ସ୍ୱଭାବେ

କେ କହିପାରୁ ଏହି ଭାବେ

ପର ଅପର ଯାର ନାହିଁ

ବଦନେ ନିନ୍ଦା ସ୍ତୁତି କାହିଁ

ଆମ୍ଭେ ସକଳ ଯା ଚରଣେ

ସେବୁଛୁଁ ବ୍ରହ୍ମ ଆଚରଣେ

ଯାହାର ପ୍ରସନ୍ନେ ସୌଭାଗୀ

ଯେ ନର ଆତ୍ମା ଗୁଣେ ଭୋଗୀ

ଯାର ନିର୍ମଳ ଗୁଣ ଚିନ୍ତି

କିବା ପଟଳେ ସର୍ବେଛନ୍ତି

ଚିନ୍ତନ୍ତି ନିର୍ଲ୍ଲେପ ଶରୀର

ଦେବ ମାନବେ ଅଗୋଚର

ଏମନ୍ତେ ସ୍ୱାମୀ ମୁଖୁ ଶୁଣି

ସ୍ୱଭାବେ ଲଜ୍ଜିତ ତରୁଣୀ

ପିଶାଚ ଚେଷ୍ଟା ଦେଖି ତାର

ସୁମନେ କରନ୍ତି ବିଚାର

ଅଭାଗୀ ପ୍ରାଣୀ ଏହି ମତି

ଯେ ତା ମହିମା ନ ଜାଣନ୍ତି

ନିର୍ମଳ ଚିତ୍ତେ ଯୋଗୀ ଜନେ

ଧ୍ୟାନେ ଚିନ୍ତନ୍ତି ତା ଚରଣେ

ତପ ପ୍ରସନ୍ନେ ଯୋଗେ ଚିନ୍ତି

ଅଶେଷ ସମ୍ପଦ ଭୁଞ୍ଜନ୍ତି

ଘୋର ଗହନେ ମୁନିଗଣେ

ଯାର ପ୍ରସନ୍ନେ ଯୋଗ ଧ୍ୟାନେ

ବ୍ରହ୍ମାଦି ଦେବେ ଯା କିଙ୍କର

ଯା ମାୟାବଳେ ଏ ସଂସାର

ସୃଷ୍ଟି ପାଳନ ସଂହାରଣ

ଯେ ବିଶ୍ୱ ପରମ-କାରଣ

ପିଶାଚ ଚେଷ୍ଟା ତାର ଦେଖି

ସାଧବ ଜନେ ହୋନ୍ତି ଦୁଃଖୀ

ଚରିତ ବିଡ଼ମ୍ବନ ତାର

ଦେବ ମାନବେ ଅଗୋଚର

ଏମନ୍ତ ସ୍ୱାମୀ ମୁଖୁଁ ଶୁଣି

ସ୍ୱଭାବେ ଉନ୍ମତ୍ତ ତରୁଣୀ

ମଦନ ବାଣେ ଭୋଳ ଚିତ୍ତ

ବେଗେ ଧଇଲା ସ୍ୱାମୀ ହସ୍ତ

ବସ୍ତ୍ର ଆକର୍ଷି ବାମକରେ

କଟାକ୍ଷେ ଚାହେଁ ରୋଷଭରେ

ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି

ରମଣ ରସେ ଚିତ୍ତେ ବୁଡ଼ି

ବଳେ ଫେଇଲା ତାର ଅଙ୍ଗ

ଆକର୍ଷେ ସ୍ୱକାମ ଅନଙ୍ଗ

ପତ୍ନୀ ରମଣ ସଙ୍ଗ ବରି

ତକ୍ଷଣେ ଆଚମନ କରି

କର ଚରଣ ଧୋଇ ଜଳେ

ମଉନେ ବସିଲେ ନିଶ୍ଚଳେ

ଗାୟତ୍ରୀ ମନ୍ତ୍ର ପ୍ରଣିଧାନ

କରି ଚିନ୍ତିଲେ ବ୍ରହ୍ମଧାମ

ନିର୍ମଳ ଜ୍ୟୋତିରୂପେ ମନ

ନିବେଶି ହୋଇଲେ ମଉନ

ତକ୍ଷଣେ ଦିତି ଉଠି ବେଗେ

ବସ୍ତ୍ର ଆଚ୍ଛାଦି ସର୍ବ ଅଙ୍ଗେ

ସଲଜେ ଅଧୋମୁଖ ହୋଇ

କହେ କଶ୍ୟପ ମୁଖ ଚାହିଁ

ଦିତି ଉବାଚ

ଏ ଗର୍ଭ ହୋଇବ ମୋହର

ସ୍ୱଭାବେ ମହା ଭୟଙ୍କର

ପ୍ରାଣୀଙ୍କ ତେଜ ସେ ହରିବ

ଦୁର୍ବୁଦ୍ଧି ପଣେ ଦୁଷ୍ଟ ଭାବ

ଅବଜ୍ଞା କରି ନିଜ ପତି

ମୁଁ ଯେ ଆଚରିଲି ଅନୀତି

ଯୋଗୀନ୍ଦ୍ର ନମୁ ତୋ ଚରଣେ

ତୋର ବିହାର ଭୂତଗଣେ

ସର୍ବ ବିନାଶ ଦଣ୍ଡଧର

ତୁ ଦଣ୍ଡୁ ଦୁର୍ଦ୍ଦଣ୍ଡ କ୍ରୋଧର

ତୁ ଭୀମ ରୂପ କ୍ଷମା ପତି

ନମୋ ନମସ୍ତେ ପ୍ରଭୁ ଗତି

ଗର୍ଭ ଆମିଷ ମନ ଦେଇ

କହେ କଶ୍ୟପ ମୁଖ ଚାହିଁ

ତକ୍ଷଣେ ଧ୍ୟାନ ଛାଡ଼ି ବେଗେ

ମୁନି କହନ୍ତି ପତ୍ନୀ ଆଗେ

କଶ୍ୟପ ଉବାଚ

ଭୋ ସଖି ଶୁଣ ଶୁଦ୍ଧ ଚିତ୍ତେ

ଏ କର୍ମ ତୋହର ଆୟତେ

ମୁହୂର୍ତ୍ତ ଦୋଷ ଭୟଙ୍କର

ଦେହ ହେଳନ କର୍ମ ତୋର

ଏ ଦୋଷ ତୋର କର୍ମ ଗତେ

କର୍ମ ହୋଇବ ବିନା ସୂତ୍ରେ

ସୁଷ୍ଟି ହୋଇବ ଏ ଶୟଳେ

ତପ ସାଧନେ କର୍ମ ଫଳେ

ଏ ତିନି ପୁରେ ରାଜା ଗଣେ

ସକଳ ଖଟିବେ ଚରଣେ

ଧନ ଜୀବନ ସେ ହରିବେ

ପ୍ରାଣୀଙ୍କ ଦୁଃଖ ସୁଖ ଦେବେ

ନିର୍ଦ୍ଦୋଷ ପ୍ରାଣୀଙ୍କ ମାରଣେ

ପର ରମଣୀ କରଷଣେ

ମହାନ୍ତ ଜନେ କୋପ ଜାତ

ବଳେ ହରିବେ ବେନି ଭ୍ରାତ

ତାହାଙ୍କ ଦେଖି ଦୁଷ୍ଟ ପଣ

କୋପିବେ ଦେବ ନାରାୟଣ

ଏ ଭୂମି ମଧ୍ୟେ ରୂପ ବହି

ବିଷ୍ଣୁ ମାରିବେ ବେନି ଭାଇ

ଇନ୍ଦ୍ର ଯେସନେ ବ୍ରଜ ଧରେ

ଘୋର ପର୍ବତ ଦର୍ପ ହରେ

ଦିତି ଉବାଚ

ଭୋ ନାଥ ମୋର ପୁତ୍ର ଯେବେ

ସମ୍ଭବ ଦୁଷ୍ଟ କର୍ମ ଭାବେ

ବିଷ୍ଣୁର ଶସ୍ତ୍ରେ ହେବେ ନାଶ

ଏଣେ ମୋହର ନାହିଁ ରୋଷ

ତହିଁକି ଡର ମୋର ନାହିଁ

ବ୍ରାହ୍ମଣ ଶାପକୁ ଡରଇ

ବ୍ରାହ୍ମଣ କୋପେ ଯେ ମରନ୍ତି

ପ୍ରାଣୀଙ୍କ ବଧ ଆଚରନ୍ତି

ତାହାଙ୍କୁ ନାହିଁ ସୁଖ ଲେଶ

ନରକେ ହୁଅନ୍ତି ପ୍ରବେଶ

କଶ୍ୟପ ଉବାଚ

କର୍ମ ଅବଳେ ବୀର୍ଯ୍ୟ ଯୋନି

ଜନ୍ମ ଲଭନ୍ତି ଦେହ ଘେନି

ଅଶେଷ ଦୁଃଖ ପଳ ଭୋଗେ

ଭୁଞ୍ଜନ୍ତି ଜୀବନ ସଂଯୋଗେ

ସଂସାର ଶୋକ ଅନୁତାପେ

ଯେବା ଅର୍ଜିବ ବଳଦର୍ପେ

ବିଷ୍ଣୁର ହସ୍ତେ ପ୍ରାଣ ଦେଇ

ସମ୍ଭୁତ ରୂପେ ବେନି ଭାଇ

ତାହାଙ୍କ ପୁତ୍ରଙ୍କର ମଧ୍ୟେ

ବିଷ୍ଣୁର ଭକ୍ତ ଅନୁବାଦେ

ହୋଇବେ ବିଷ୍ଣୁ ଭକ୍ତ ସାର

ଅତୁଲ୍ୟ ସୁଖ ସୁବିଚାର

ତାହାର ଶତ ଇହଲୋକେ

ବିଷ୍ଣୁ ଭକତି ମନ ସୁଖେ

ତା ଯଶ ଗାଇ ନିରନ୍ତରେ

ତରିବେ ଏ ଭବ ସଂସାରେ

ଯାର ପ୍ରସନ୍ନେ ଏ ସଂସାର

ହୋଇବେ ମାୟାବନ୍ଧୁ ପାର

ସେ ମହାଭାଗବତ ବାଣୀ

ଯା ଯଶ ଗାଇ ତରେ ପ୍ରାଣୀ

ସେ ବିଷ୍ଣୁ ଭାବ ଅତିରେକେ

ଅନ୍ତେ ମିଳିବେ ବିଷ୍ଣୁ ଲୋକେ

ତୁ ପୁଣି ଦେଖିବୁ ତା ମୁଖ

ଲଭିବୁ ଅତିଶୟ ସୁଖ

ସୁକର୍ମ କରି ସୁକୁମାର

କର୍ଣ୍ଣେ କୁଣ୍ତଳ ହୃଦେ ହାର

ମୈତ୍ରେୟ ଉବାଚ

ପୁତ୍ର ପୁତ୍ରର ଗୁଣ ଗୁଣି

ବୈଷ୍ଣବ-ଗୁଣେ ଶିରୋମଣି

ଅନ୍ତର ଆତ୍ମା ଅତି ଦୋଷେ

ସ୍ୱାମୀଙ୍କୁ ନମିଲା ହରଷେ

ଦିତି-କଶ୍ୟପର ସମ୍ବାଦ

ଶୁଣ ସୁଜନେ ଜ୍ଞାନ ଭେଦ

ତୃତୀୟ ସ୍କନ୍ଧେ ଭାଗବତ

କହଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେ

ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।

•••

 

ପଞ୍ଚଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଦିତି ଉଦରେ ଶୂନ୍ୟମାର୍ଗେ

ସେ ପ୍ରଜାପତି ତେଜ ବୀର୍ଯ୍ୟେ

ଶତେ ବରଷ ବେଦ ମତେ

ଗର୍ଭେ ଧଇଲା ଭୟଚିତ୍ତେ

ଦେବ ଦଳନ ତେଜ ଶୁଣି

ଅନ୍ତରେ ଭାଳଇ ତରୁଣୀ

ନ ଜାଣି କଲି ଏଡ଼େ କର୍ମ

କାମେ ହୋଇଲି ମତି ଭ୍ରମ

ଦଇବ ଯୋଗେ ବଳୟାର

କି କରିପାରେ ସୁରନର

ଏବେ ହୋ ଶୁଣ କୁରୁବୀର

ସଂସାରେ ହୁଏ ଅନ୍ଧକାର

ଏ କାଳ ମହିମା ଯେ ଜାଣେ

ଆଗମ ନିଗମ ପ୍ରମାଣେ

ଦେବ ଉଚୁଃ

ତୁ ଦେବ ଦେବ ଜଗନ୍ନାଥ

ଆମ୍ଭେ ସକଳ ତୋର ଭୃତ୍ୟ

ତୁ ପରାତ୍ପର ଭାବଗ୍ରାହୀ

ଜଗତେ ମାୟାବଳେ ମୋହି

ଗୃହସ୍ଥଭାବେ ଗୁଣ ବହି

ତୋ ରୂପ ନ ଜାଣନ୍ତି କେହି

ମନ ପବନ ହୃଦେ ଛନ୍ଦି

ଇନ୍ଦ୍ରିୟ ସମୂହେ ନିରୋଧି

ତୋର ପ୍ରସନ୍ନେ ଯେ ଲଭନ୍ତି

ତାହାଙ୍କୁ ନାହିଁ ଭୟଭୀତି

ତାର ବଚନେ ରାଜାଗଣେ

ଭାବେଣ ଥାନ୍ତି ଅନୁକ୍ଷଣେ

ତରନ୍ତି ଭବ ଭୟ ତ୍ରାସ

ତୁ ନାଥ ଅନାଦି-ପୁରୁଷ

ଆମ୍ଭର ସୁଖ ଲାଭ ଜୟେ

ଭୋ ନାଥ କର ତୁ ଉପାୟେ

ନିଗମ ମାର୍ଗେ ତାଙ୍କ ଗତି

ତ୍ରିଦଶ ଭୋଗେ କଲା ରତି

ଦିତିର ଗର୍ଭେ ପୁତ୍ର ହେଲା

ସେ ଭୟେ ଭୁବନ କମ୍ପିଲା

ଏ ସର୍ବ ଦିଶେ ଅନୁତେଜେ

ଦହିବା ପ୍ରାୟେ ସେ ବିରାଜେ

ଏମନ୍ତ ଦେବେ ସ୍ତୁତି ଶୁଣି

ସମ୍ଭ୍ରମ ଚିତ୍ତେ କୁଶପାଣି

ଶବଦ ଭେଦେ ବ୍ରହ୍ମା ବର

ଦେବଙ୍କୁ କହନ୍ତି ମଧୁର

ବ୍ରହ୍ମୋ ଉବାଚ

ଶୁଣ ସକଳ ଦେବଗଣ

କହିବା ଏଥିର କାରଣ

ତୁମ୍ଭର ପୂର୍ବ ସୃଷ୍ଟି ଭାବେ

ମୁଁ ଯେ ବସିଲି ଧ୍ୟାନ ଭାବେ

ସନକ ଆଦି ଚତୁର୍ଭ୍ରାତେ

ଜନ୍ମିଲେ ମୋର ଶୁଦ୍ଧ ଚିତ୍ତେ

ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା

ଏଣୁ ହୋଇଲା ଊର୍ଦ୍ଧ୍ୱ ରେତା

ଗଗନ ମାର୍ଗେ ତାଙ୍କ ଗତି

ସକଳ ଭୁବନେ ମିଳନ୍ତି

ଏକା ବିଖ୍ୟାତ ମୋର ଶିକ୍ଷା

ନିଶ୍ଚେ ପରମହଂସ ଦୀକ୍ଷା

ଧୂଳି ଧୂସର ଦିଗମ୍ବର

ନିତ୍ୟେ ନିର୍ଭୟେ ଅଗୋଚର

ଏ ମୁନିଗଣ ଏକ ଦିନେ

ମିଳିଲେ ବିଷ୍ଣୁର ଭୁବନେ

ଅଚ୍ୟୁତ ବୈକୁଣ୍ଠ ବିହିତ

ସର୍ବ ଦେବତା ନମସ୍କୃତ

ଯହିଁ ପୁରୁଷେ ଯାହା ସୁଖେ

ବସନ୍ତି ବିଷ୍ଣୁର ସମ୍ମୁଖେ

ସର୍ବେ ବସନ୍ତି ବିଷ୍ଣୁ ରୂପେ

ବିନାଶ ନାହିଁ କାଳକଳ୍ପେ

ନିମିଷେ ନିମିଷ ଆଚାରେ

ହରିଙ୍କୁ ଭଜନ୍ତି ବେଭାରେ

ଯହିଁ ଆଦି ପୁରୁଷ ହରି

ଭକ୍ତ ବତ୍ସଳ ରୂପ ଧରି

ସର୍ବ ଗୋଚର ଦୃଷ୍ଟି ପାତେ

ବିଷ୍ଣୁଙ୍କ ସଙ୍ଗ ଅବିରତେ

ନିର୍ମଳ ସତ୍ୟ ଯୁଗେ ହରି

ସୁଜନେ ସମ୍ଭବ ବିସ୍ତାରି

ଯହିଁ ବିମଳ ନାମେ ବନ

ଆନନ୍ଦେ କଳ୍ପବୃକ୍ଷ ସ୍ଥାନ

ସକଳ ଋତୁ ଯହିଁ ବସେ

ଅନ୍ୟ ସେ ରହି କଳ୍ପପାଶେ

ଯହିଁ ବିମାନ ଶତ ଶତ

ଦିବ୍ୟ କାମିନୀ ଯୂଥ ଯୂଥ

କୋଟି ଶଶାଙ୍କ ରୂପ କାନ୍ତି

ବିଷ୍ଣୁର ରୂପ ଗୁଣ ଜ୍ୟୋତି

ବିଶ୍ରାମ ପୁଣ୍ୟଜଳ ସ୍ଥଳେ

ମଧୁ ମାଧବ ଗନ୍ଧ ଭୋଳେ

ନାନା ପକ୍ଷୀଏ ରସ ଭରେ

କୋକିଳେ ଡାକନ୍ତି ସୁଖରେ

ଚକ୍ରବାକ ଆଦି ସାରସ

ଭୃଙ୍ଗ ଭୃଙ୍ଗୁଣୀ ସୁପ୍ରକାଶ

ସର୍ବେ କରନ୍ତି ହରି ଗାଥା

ଯେ ଭାବେ ଖଣ୍ତେ ଭବ ବ୍ୟଥା

କୁନ୍ଦ କୁରୁବକ ମନ୍ଦାର

ଉତ୍ପଳ ଚମ୍ପକ ବକୁଳ

ପୁନ୍ନାଗ ଅଗ୍ର ପାରିଜାତ

ତୁଳସୀ ବନ ସୁଲଳିତ

ନାନା କୁସୁମେ ପରିମଳ

ସୁଗନ୍ଧ ସମୀର ଶୀତଳ

ମୁକୁତା ବୈଦୁର୍ଯ୍ୟେ ଯେ ହେମ

ସହସ୍ର ସମୂହ ବିଧାନ

ସୁଦତୀ ଶତ ଶତ ଯହିଁ

ବସନ୍ତି କୃଷ୍ଣ କଥା ଗାଇ

ପରମ ଲକ୍ଷ୍ମୀ ଯହିଁ ନିତ୍ୟେ

ନୀଳ ଲୋହିତ ପଦ୍ମ ହସ୍ତେ

ସୃଷ୍ଟି କଳ୍ପଇ ପୁରେ ବସି

ବାଦନ ପୂରି ବାଦ୍ୟ ଘୋଷି

ସୁବର୍ଣ୍ଣାଶ୍ୱତ୍‌ଥ ଗୃହ ମଧ୍ୟେ

ବିରାଜେ ଭୁବନ ଆନନ୍ଦେ

ପଦ କଳ୍ପିତ ସେ ରଜନୀ

ପାବନୀ ପଦ୍ମକରେ ଘେନି

ବିଷ୍ଣୁର ଅନୁଗ୍ରହ ଆଶେ

ତୁଳସୀ ବନ ପୁଷ୍ପ ବାସେ

ସେ ବନେ ପଶେ ପୁଷ୍କ ଗନ୍ଧ

ତୀରେ ପ୍ରବଳ ତଟ ସ୍କନ୍ଧ

ଏ ପୁରେ ଶତ ପାପୀଜନ

ପ୍ରବେଶେ ନୁହନ୍ତି ଭାଜନ

ସେ ଅନ୍ୟ ଆତ୍ମା ରତି କରେ

ଗୋବିନ୍ଦ ଗୁଣ ନ ସୁମରେ

ଦୁଷ୍କୃତେ ଯେ ଜନ ରମନ୍ତି

ନରକ ମାର୍ଗେ ତାର ଗତି

ସେ କାହିଁ ମଣିବେ ସେ ପୁରେ

ନରକେ ପଡ଼ନ୍ତି ନିର୍ଭରେ

ଯେ ଯୋଗମାର୍ଗ ଅନୁବାଦେ

ଦମ୍ଭେ କଠୋର ତପ ସାଧେ

ମନ-ପବନ ହୃଦେ ଛନ୍ଦି

ଚଞ୍ଚଳ ଇନ୍ଦ୍ରିୟ ନିରୋଧି

ଯେଣେ ଗୋବିନ୍ଦ ଭାବ ନାହିଁ

ସେ ପୁରେ ପଶିବେ ସେ କାହିଁ

ବିଷ୍ଣୁର ମାୟାବଳେ ବୁଡ଼ି

ଜନ୍ମ-ମରଣେ ଥାନ୍ତି ପଡ଼ି

ବ୍ରହ୍ମାଦି ଦେବତା ଚରଣେ

ଏ ଯେ ଖଟନ୍ତି ଅନୁକ୍ଷଣେ

ନିଗମ ମାର୍ଗେ ଗାଥା ଗାଇ

ପାଦେ ଖଟନ୍ତି ବଳିଆଇ

ବିଷ୍ଣୁର ଯଶ ଗୁଣ ଗାଥା

ନିତ୍ୟେ କରନ୍ତି ମନେ ଚିନ୍ତା

ଆନନ୍ଦେ ଅଶ୍ରୁ ବହେ ନେତ୍ରେ

ଲୋମ ହରଷ ସର୍ବ ଗାତ୍ରେ

ଏମନ୍ତେ ବିଷ୍ଣୁର ଭୁବନେ

ପଶିଲେ ବ୍ରହ୍ମାର ନନ୍ଦନେ

ଯହିଁ ପୁରାଣ ଇତିହାସ

ଆଗମ ନିଗମେ ପ୍ରକାଶ

ତହିଁ ବେଦାନ୍ତ ଯୋଗ ମାର୍ଗେ

ଶ୍ରୁତିଏ ଥାନ୍ତି ସାଂଖ୍ୟଯୋଗେ

ସ୍ତୁତି କରନ୍ତି ଅନୁଧ୍ୟାନେ

କୃଷ୍ଣ ଚରିତ ଗୁଣଗାନେ

ଏମନ୍ତେ ଶାସ୍ତ୍ର ମୂର୍ତ୍ତିମନ୍ତେ

ଯହିଁ ସେବନ୍ତି ଅବିରତେ

ଯେ ପୁରେ ପଶି ମନସୁଖେ

ଆନନ୍ଦେ କୃଷ୍ଣପାଦ ଦେଖେ

ନିରତେ ହରି ଗୁଣ ଚିନ୍ତି

ବିଷ୍ଣୁ ମାୟାରେ ନ ପଡ଼ନ୍ତି

ଚାରି କୁମର ଏକମେଳେ

ଆନନ୍ଦେ ପଶିଲେ ସେ ଦ୍ୱାରେ

ସପ୍ତମ ଦ୍ୱାରେ ଯାନ୍ତେ ବଳେ

ଆଗେ ମିଳିଲେ ଦ୍ୱାରପାଳେ

ଦିଶନ୍ତି ବିଷ୍ଣୁ ରୂପ ତେଜ

ସୁବର୍ଣ୍ଣ ବେତ ଘେନି ତେଜ

ସେ ବ୍ରହ୍ମ ପୁତ୍ରେ ଚତୁର୍ଜନେ

ମିଳିଲେ ବିଷ୍ଣୁ ସନ୍ନିଧାନେ

ଦ୍ୱାର କବାଟ ହେମମୟେ

ପ୍ରାଣୀ ନୟନ ମନ ମୋହେ

ସେ ଦ୍ୱାରେ ମିଳି ଚତୁଃଭାଇ

ଦ୍ୱାର ରୁନ୍ଧିଲେ ବେନି ଭାଇ

ସେ ଚତୁଃଭାଇ ବ୍ରହ୍ମାସୁତ

ଦେବଙ୍କ ପରେ ସୂର୍ଯ୍ୟ ଜାତ

ସ୍ୱଭାବେ ସର୍ବ ସେ ଅଟନ୍ତି

ବାଳକ ପ୍ରାୟେ ତାଙ୍କ ଗତି

ପଞ୍ଚ ବରଷେ ପୁତ୍ର ପ୍ରାୟେ

ଦିଶନ୍ତି ବସ୍ତ୍ର ନାହିଁ ଦେହେ

ଭଲ ନ ଦେଖି ତାଙ୍କ ରୂପ

ହୃଦେ ବସିଲା ମହାକୋପ

ତକ୍ଷଣେ ଅତି କୋପଭରେ

ନିରୋଧ କଲେ ଚତୁର୍ଦ୍ୱାରେ

ଖେଳନ୍ତି ଅନ୍ୟୋଅନ୍ୟେ ଚାହିଁ

ଏ ଭାବ ଏ ପୁରେ ତ ନାହିଁ

ମୁନୟ ଉଚୁଃ

ଏ ଦ୍ୱାରପାଳ ବେଗେ ଯାଇ

କୁହୁକ ଜନ ପ୍ରାୟ ହୋଇ

ଯେବେ ବୈକୁଣ୍ଠ ପୁରେ ଥାନ୍ତି

ତାକୁ ନ ଲାଗେ ରିପୁ ଭ୍ରାନ୍ତି

କାମାଦି ମତ ବେନି ଭାଇ

ଏ ପୁରେ ଦମ୍ଭେ ଥିବେ କାହିଁ

ସ୍ୱଭାବେ ସର୍ବ ପ୍ରାଣୀ ହୃଦେ

ହରି ବସନ୍ତି ଆତ୍ମା ପଦେ

ସର୍ବ ଅନ୍ତରେ ବିଷ୍ଣୁ ରୂପୀ

ଘଟ ଆକାଶ ପ୍ରାୟେ ବ୍ୟାପି

ସମ ଅସମ ଯହିଁ ନାହିଁ

ଅନ୍ୟାୟ କଲେ ବେନି ଭାଇ

ବିଷ୍ଣୁର ଦ୍ୱାରପାଳ ପଦେ

ଗର୍ବ ଯେ କଲେ ହୃଦ ଭେଦେ

କପଟ ଧର୍ମ ବେନି ଭାଇ

ଏ ପୁରେ ଥିବା ନ ଯୋଗାଇ

ଏବେ ହୋ ପଡ଼ ମହା ତଳେ

ଜନ୍ମିବ ଅସୁରର କୋଳେ

ତୃତୀୟ ଜନ୍ମ ଭୋଗସାରି

ପୁଣି ଲଭିବ ବିଷ୍ଣୁ ପୁରୀ

ପୁଣି କହିଲେ ଦୟାଚିତ୍ତେ

ସ୍ୱଭାବେ ମହା ଦୃଢ଼ଚିତ୍ତେ

ଏହାଙ୍କ ମଧ୍ୟେ ବିଷ୍ଣୁଭାବ

କଳାଏ ମାତ୍ର ଅଂଶ ଥିବ

ଅର୍ଜିଲା କର୍ମର ଆୟତେ

ଜନ୍ମ ମରଣ ଏ ଜଗତେ

ଏ ବ୍ରହ୍ମ ଦଣ୍ଡ ଅନିର୍ବାର

କେବେହେଁ ନାହିଁ ପ୍ରତିକାର

ଏବେ ହୋ ଶୁଣ ସୁରଗଣ

ତାହା ଜାଣିଲେ ନାରାୟଣ

ଦେବ ଦଳନ କର୍ମ ଶୁଣି

ପୁରୁ ବାହାର ଚକ୍ରପାଣି

ଦ୍ୱାରପାଳଙ୍କୁ ଦୟା ବହି

ଭକ୍ତ ବତ୍ସଳ ଭାବଗ୍ରାହୀ

ଲକ୍ଷ୍ମୀର କରେ ଦେଇ କର

ଗୋବିନ୍ଦ ହୋଇଲେ ବାହାର

ଗୋବିନ୍ଦ ଚଳନ୍ତି ଚରଣେ

ଯହିଁ ଅଛନ୍ତ ମୁନି ଜନେ

ପରମହଂସ ଦୀକ୍ଷା ବହି

ତେଜେ ପ୍ରଚଣ୍ତ ଚତୁର୍ଭାଇ

କୋପ କରନ୍ତି ମହାତପେ

ଗୋବିନ୍ଦ ମିଳିଲେ ସମୀପେ

ଯାହାର ଦରଶନ ଅର୍ଥେ

ଯୋଗ ସାଧନ୍ତି ମୁନି ମତେ

ଲକ୍ଷ୍ମୀ ଯାହାର ପରିବାରୀ

କରେ ଚାମର ଛନ୍ତି ଧରି

ବକ୍ଷରେ ମୁକ୍ତାମାଳା ଶୋହେ

ହେମାଦି ରତ୍ନେ ଶୋଭା ପାଏ

ପ୍ରାଣାନୁମୁଖ ଭଗବାନ

କିବା ସୁନ୍ଦର ଅନୁପମ

ସ୍ନେହ ଦୟାରେ ସର୍ବଜନ

ରୂପେ ମୋହିଲେ ଆତ୍ମାମନ

ଶ୍ୟାମ ସୁନ୍ଦର ପୃଥୁଭାରେ

ସୁସଞ୍ଚ ମନୋହର ଘରେ

କୌସ୍ତୁଭମଣି କର୍ଣ୍ଣ ଶୋହେ

ଅଶେଷ ଜନ ମନ ମୋହେ

ପୀତ ବସନ କଟି ମାଝେ

କନକ ମେଖଳା ବିରାଜେ

ଉରେ ଲମ୍ୱଇ ବନମାଳ

ସୁନ୍ଦର ଅଳକା କପୋଳ

କେୟୁର କଙ୍କଣ ବିରାଜେ

ରୂପେ କୋଟିଏ କାମ ଗଞ୍ଜେ

ବ୍ରହ୍ମା-ଶଙ୍କର-ଦେବ ମନ

ମୋହନ ରୂପେ ହୋଇ ଛନ୍ନ

ସ୍ଥିରେ ଲୋଚନ ସ୍ତମ୍ଭୀଭୂତ

ଦେଖି ତୃପତ ହୋଇ ଚିତ୍ତ

ସେ ହରି ଚରଣାରବିନ୍ଦେ

ସକଳ ତୁଳସୀ ଆନନ୍ଦେ

ପବନ ନାସା ଦ୍ୱାରେ ସ୍ପୁରେ

ଚିତ୍ତ ସ୍ଫୁରଣେ କ୍ଷୋଭ କରେ

କୃଷ୍ଣ ସୁନ୍ଦର ସୁଖ ତ୍ରାସ

ଯେହ୍ନେ ଅଶିତ ପଦ୍ମ କୋଷ

ବିମ୍ବ ଅଧରେ ମନ୍ଦହାସ

ଅଶେଷ ପ୍ରାଣୀ ମନ ତୋଷ

ସେ ରୂପ ଦେଖି ପୁଣ୍ୟ ଚିତ୍ତେ

ଆନନ୍ଦ ହୋଇ ପାଦଗତେ

ଅରୁଣ ଦେଖି ନଖପନ୍ତି

ନିଶ୍ଚଳ ଲୋଚନ ଧରନ୍ତି

ଯାହାର ଗତି ଯୋଗ ମାର୍ଗେ

ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ

ସେ ରୂପ ପ୍ରତ୍ୟକ୍ଷ ଗୋଚରେ

ଦେଖିଲେ ମୋହର କୁମରେ

କୁମାର ଉଚୁଃ

ତକ୍ଷଣେ ଶିରେ କରଦେଇ

କହନ୍ତି କୃଷ୍ଣ ମୁଖ ଚାହିଁ

ସେ ହରି ପ୍ରାଣୀଙ୍କ ଶରୀରେ

ଅନ୍ତର ହୃଦୟ ବାହାରେ

ସାଧୁ ଅସାଧୁ ଯାର ନାହିଁ

ତା’ର ମହିମା କେବା କହି

ସେ ହରି ଆମ୍ଭ ଦୃଷ୍ଟି ପଥେ

ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ

ଯାହାର ଗୁଣ କର୍ମ ଗାଥା

ଏକାନ୍ତେ ବସି ଆମ୍ଭ ପିତା

କହିଲେ ଯେ ମନ ଆନନ୍ଦେ

ବ୍ରହ୍ମାଦି ଗ୍ରନ୍ଥ ଅନୁବନ୍ଧେ

ସେ ପଶି ଆମ୍ଭ କର୍ଣ୍ଣଦ୍ୱାରେ

ରହିଲା ହୃଦୟ-ବିବରେ

ତୁ ନାଥ ତତ୍ତ୍ୱ ପରମାର୍ଥ

ଧ୍ୟାନେ ଚିନ୍ତନ୍ତି ମୁନିଶାନ୍ତ

ତୋ ଧ୍ୟାନ ଅତିଶୟ ଗୁଣେ

ଯେବା ଚିନ୍ତନ୍ତି ଅନୁକ୍ଷଣେ

ସଂସାର ଅନୁତାପେ ଛନ୍ତି

ସୁହୃଦ ମାର୍ଗେ ଭକ୍ତି ଚିନ୍ତି

ହୃଦେ ଯେ ସ୍ଥାପି ତାଙ୍କ ରୂପ

ବେଗେ ଛାଡ଼ନ୍ତି ତିନି ତାପ

ତାର ପ୍ରସାଦେ ଅନ୍ୟ ଏକେ

ଯେ ପ୍ରାଣୀ ତରନ୍ତି ନରକେ

ଭୋ ଦେବ ତୋହର ଚରଣେ

ଯେ ପ୍ରାଣୀ ପଶନ୍ତି ଶରଣେ

ତୋର ପ୍ରସାଦେ କରି ଭ୍ରାନ୍ତି

ଘୋର ସଂସାରୁ ତରନ୍ତି

ଭୋ ନାଥ କମଳା ରମଣ

ଅନାଦି ପରମ କାରଣ

ଯେ ଜନ ଶୁଣେ କର୍ଣ୍ଣମାର୍ଗେ

ତୋ ନାମ ଗୁଣେ ଜିହ୍ୱା ଅଗ୍ରେ

ତୋର ଚରଣେ ଲୋଭ ଭ୍ରାନ୍ତି

ଆତ୍ମାରେ ଜଡ଼ ବୁଦ୍ଧିମତି

ଏମନ୍ତ ମୋର ଚାରି ପୁତ୍ରେ

ନମିଲେ ବିଷ୍ଣୁ ପଦାଗ୍ରତେ

ତୃତୀୟ ସ୍କନ୍ଧେ ଭାଗବତ

କହିଲା ବିପ୍ର ଜଗନ୍ନାଥ

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ

ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ
ତୃତୀୟ ସ୍କନ୍ଧେ ଶ୍ରୀକୃଷ୍ଣ ବିଜୟେ ବ୍ରହ୍ମା କୁମାର ଦର୍ଶନେ

ନାମ ପଞ୍ଚଦଶୋଽଧ୍ୟାୟଃ ।

•••

 

ଷୋଡ଼ଶ ଅଧ୍ୟାୟ

 

ବ୍ରହ୍ମା ଉବାଚ

ଏମନ୍ତେ ମୁନିଙ୍କ ବଚନ

ଶୁଣି ସନ୍ତୋଷ ଭଗବାନ

ମୁନିଙ୍କ ମୁଖ ଚାହିଁ ଭଣି

ମଞ୍ଜୁ କୋମଳ ସୁଧାବାଣୀ

ଶ୍ରୀ ଭଗବାନୁବାଚ

ଜୟ ବିଜୟ ବେନି ଭ୍ରାତେ

ମୋ ଦ୍ୱାରେ ଥାନ୍ତି ଅବିରତେ

ମୋ ରୂପାସନ ମାନ ମନ

ଦ୍ୱାରୀ ଅଟନ୍ତି ବେନି ଜନ

କଳ୍ପନା କରି ଏବେ ମୋତେ

କୋପ ଦଂଶିଲା ତୁମ୍ଭ ଚିତ୍ତେ

ଏ ବ୍ରହ୍ମ ଦଣ୍ଡ ଏ ପାଇଲେ

ଅନ୍ୟଥା ନୁହେଁ କାର ବୋଲେ

ଏ ପ୍ରଶ୍ନ ମନ୍ତ୍ର କଲି ଚିତ୍ତେ

ଦେବ ଦଳନ ଅନୁମତେ

ଅସାଧୁ କର୍ମ ଯେ କରନ୍ତି

ମୋ ଅପରାଧ ଦଣ୍ଡ ପାନ୍ତି

ତା ଜୟ ସଂସାରେ ପ୍ରକାଶି

ବ୍ୟାଧି ଯେସନେ ରୂପ ନାଶି

ଯାହାର ଗୁଣ ଏ ସଂସାରେ

ଯେହ୍ନେ ନିର୍ମଳ ସାଧୁ ଧୀରେ

ଶ୍ରବଣ ପୁଟେ କରି ପାନ

ସଂସାରୁ ତରେ ସର୍ବଜନ

ସେ ବଇକୁଣ୍ଠ ନାଥ ମୁହିଁ

ତୁମ୍ଭର ଭାବ ହୃଦେ ବହି

ତୁମ୍ଭର କୋପେ ଅତିରେକେ

ମିଳିଲୁ ତୁମ୍ଭର ସମୀପେ

ତୁମ୍ଭର ଭାବ ଦୂର କରି

ଅତ୍ୟନ୍ତ କୋପ ହୃଦେ ଧରି

ବହିଲେ ଦ୍ୱାରପାଳ ଦଣ୍ତେ

ବ୍ରାହ୍ମଣ ତେଜରୁ ପ୍ରଚଣ୍ତେ

ଯା ପାଦ ରେଣୁ ଆଶ୍ରେ କରି

ସେବନ୍ତି ଯହିଁ ବ୍ରହ୍ମଚାରୀ

ମନ ପ୍ରାଙ୍ଗଣେ ମନ ହରେ

ସକଳ ପ୍ରାଣୀଙ୍କି ନିସ୍ତରେ

ମୋ ରୂପେ କମଳା ନିରତେ

ପ୍ରେମାନୁଜାତ ହୃଦଗତେ

ମୋତେ ବ୍ରାହ୍ମଣ ବେଦମାର୍ଗେ

ଯଜ୍ଞେ ପୂଜନ୍ତି ହବିର୍ଭାଗେ

ଦଧି ଓ ଦନେ କୃତ ପଥେ

ମଧୁ ସଂଯୁକ୍ତେ ବେଦ ମତେ

ଏଣେ ମୋହର ତୋଷ ନାହିଁ

ବ୍ରାହ୍ମଣ ଦେହେ ମୁଁ ବସଇ

ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ

ମୁହିଁ ଭକ୍ଷଇ ତା ପ୍ରତ୍ୟକ୍ଷେ

ବ୍ରାହ୍ମଣ ପାଦରଜ ବଳେ

ମୁଁ ଏ ସଂସାର ଜନମେଳେ

ବ୍ରାହ୍ମଣ ପାଦରେଣୁ ବହି

ସଂସାର ହିତେ ମୋର ଦେହୀ

ବ୍ରାହ୍ମଣ ଦୋଷ ଯେ ବା ସହେ

ତା ପାଦ ଜଳ ଅର୍ଘ୍ୟଦହେ

ଚନ୍ଦ୍ର ସହିତେ ଅତିରେକେ

ପବିତ୍ର ହୋନ୍ତି ତିନିଲୋକେ

ବିପ୍ର ଶରୀର ମୋର ତନୁ

ଏଣୁ ଦୁଃସହ ବିପ୍ର ମନୁ

ଯେ ଭେଦ ବୁଦ୍ଧି ନ ବିଚାରି

ମୋତେ ଚିନ୍ତନ୍ତି ଜ୍ଞାନ କରି

ବ୍ରାହ୍ମଣ ଅପରାଧ କଲେ

କେବେହେଁ ସଂସାରୁ ନ ତରେ

ବ୍ରାହ୍ମଣ ଗାଭୀ ଦୁଗ୍‌ଧବତୀ

ରକ୍ଷକ ହୀନ ପ୍ରାଣୀ ଚିନ୍ତି

ଏ ଯେ ଅଟନ୍ତି ମୋ ଶରୀର

ଏ କଥା ନିଶ୍ଚୟ ଆମ୍ଭର

ଏହାଙ୍କୁ ଭେଦ ଦୃଷ୍ଟି କଲେ

ପାପ ନାଶଇ ଦୃଷ୍ଟି ଭଲେ

ଯମର ଗୃଧ୍ରରୂପୀ ଦୂତ

ଚଞ୍ଚୁରେ ନାଶେ ଦୃଷ୍ଟି ପଥ

ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି

ଏ ଭବସିନ୍ଧୁ ନ ତରନ୍ତି

ତୁମ୍ଭର ଗତି ଭଜି ନିତ୍ୟେ

ଭ୍ରମନ୍ତି ଘୋର ମାୟା ପଥେ

ତୁମ୍ଭେ ଏ ବ୍ରହ୍ମ ଶାପ ଫଳେ

ତୃତୀୟ ପାପ ଦୁଷ୍ଟ କୁଳେ

ଦୁଷ୍ଟ ଆଚାର କର୍ମ କରି

ଧର୍ମ ଅଧର୍ମ ନ ବିଚାରି

ଏବେ ଏ ବିପ୍ରଙ୍କର ତୋଷେ

ପୁଣି ମିଳିବ ମୋର ପାଶେ

ପୁଣି ମୁଁ ତୁମ୍ଭ ଉପକାରେ

ବହିବି ଶରୀର ସଂସାରେ

କରିବି ତୁମ୍ଭଙ୍କୁ ନିସ୍ତାର

ଏମନ୍ତେ କହି ଚକ୍ରଧର

ଏମନ୍ତେ ବିଷ୍ଣୁ ମୁଖୁବାଣୀ

ସନ୍ତୋଷେ ବିପ୍ରବର ଶୁଣି

ବିଷ୍ଣୁର ଭକ୍ତି ହୃଦେ ବହି

କହନ୍ତି ଶିରେ କର ଦେଇ

ଦ୍ୱାରପାଳ ଉବାଚ

ଭୋ ଦେବ ଦେବ ଲକ୍ଷ୍ମୀପତି

ଆମ୍ଭେ ନଜାଣୁ ତୋର ଗତି

ଆମ୍ଭଙ୍କୁ ଅନୁଗ୍ରହ କରି

ଯାହା କହିଲ ନରହରି

ବ୍ରହ୍ମଣ ଦେବତା ମହିମା

ତୋ ଗତି ନ ଜାଣନ୍ତି ବ୍ରହ୍ମା

ତୁ ପୁଣି ବିପ୍ର ଦେବଙ୍କର

ଆତ୍ମା ସହୃଦ ଶକ୍ତିଧର

ସକଳ ଘଟେ ତୋର ବାସ

ତୁ ନାଥ ସର୍ବଜ୍ଞ ପୁରୁଷ

ଧର୍ମ ତୋ ଶରୀରୁ ପ୍ରକାଶ

ଯେ ଧର୍ମେ ସୃଷ୍ଟି ପାପ ନାଶ

ତୁ ନାଥ ନିର୍ବିକାର ବ୍ରହ୍ମ

ଯେ ଦେବ ଦେବ ବୁଦ୍ଧି କର୍ମ

ତାହାଙ୍କ ଅନୁଗ୍ରହେ ଜନ୍ମ

ଧନ ସଞ୍ଚୟେ ଦେଇ ମନ

ତୋ ପାଦପଦ୍ମ ସେବା ଫଳେ

ମୃତ୍ୟୁ ଜିଣଇ ଭବୁ ହେଳେ

ତୁ ଅଟୁ ଏମନ୍ତ ପୁରୁଷ

ଅନ୍ୟର ଅନୁଗ୍ରହେ ଆଶ

ଅନ୍ୟାନ୍ୟ ଅର୍ଥକାମୀ ଜନ

ଲକ୍ଷ୍ମୀ ସେବନ୍ତି ଅନୁଦିନ

ସେ ଲକ୍ଷ୍ମୀ ତୋହର ସେବାରେ

ଲିପ୍ତ ଥାଆନ୍ତି ସଦାକାଳେ

ଏମନ୍ତ ମୁନିଙ୍କ ବଚନ

ଶୁଣି ସନ୍ତୋଷ ଭଗବାନ

ବ୍ରାହ୍ମ ସ୍ୱଭାବ ଚିତ୍ତେ ବହି

କହନ୍ତି ବିପ୍ରଙ୍କୁ ଅନାଇ

ଜୟ ବିଜୟ ବେନି ଭାଇ

ତୁମ୍ଭ ଚରିତେ କ୍ରୋଧ ହୋଇ

ଅସୁର ଯୋନି ଏ ପାଇବେ

ସୁହୃଦ କର୍ମ ଆଚରିବେ

ପୁଣି ଯେମନ୍ତେ ମୋର ପୁରେ

ସୁବର୍ଣ୍ଣ ବେତ ଧରି କରେ

ପୁଣି ଏ ବୈକୁଣ୍ଠର ପାଶେ

ଯେବେ ତୁମ୍ଭର ମନ ତୋଷେ

ସେ ଚାରି ମୋହର ନନ୍ଦନ

ତକ୍ଷଣେ ଆନନ୍ଦ ବଚନ

ବିଷ୍ଣୁର ମୁଖୁ ଶୁଣି ତୋଷେ

ବେଗେ ମିଳିଲେ ବିଷ୍ଣୁ ପାଶେ

ସ୍ୱଭାବେ ବିଷ୍ଣୁର ଭୁବନେ

ଯହିଁ ନ ଯାନ୍ତି ଦୁଷ୍ଟ ଜନେ

ବିଷ୍ଣୁର ପାଦେ ସେ ନମିଲେ

ଆନନ୍ଦେ ନିଜ ସ୍ଥାନେ ଗଲେ

ଦ୍ୱାରପାଳଙ୍କ ମୁଖ ଚାହିଁ

କହନ୍ତି ପ୍ରଭୁ ଭାବଗ୍ରାହୀ

ତୁମ୍ଭେ ଯେ ଧରଣୀ ମଣ୍ତଳେ

ଜନ୍ମିବ ଅସୁରଙ୍କ କୋଳେ

ତୁମ୍ଭ କୁଶଳ ମୁଁ କରିବି

ତୃତୀୟ ଜନ୍ମେ ଉଦ୍ଧାରିବି

ଏଥକୁ ଶୋଚନା ନ କର

ମୋର ବଚନ ଦୃଢ଼େ ଧର

ମୁଁ ଅବା ସମର୍ଥ ଅଟଇ

ବ୍ରାହ୍ମଣ କୋପକୁ ଡରଇ

ସେ କଥା କମଳା ସମୀପେ

କହି ମୁଁ ଅଛି ପୂର୍ବକଳ୍ପେ

ବ୍ରହ୍ମ ହେଳନ ଯେ କରନ୍ତି

ମୋହ ଦୋଷରେ ସେ ଭ୍ରମନ୍ତି

ତୁମ୍ଭର ଧାରଣ ନିମନ୍ତେ

ମୁଁ ଦେହ ବହିବି ଜଗତେ

ଯେ କୀର୍ତ୍ତି ରହିବ ମୋ ଯଶ

ଶୁଣନ୍ତେ ପାପ ଯିବ ନାଶ

ମୋ କଥା ଭୁବନ-ପାବନୀ

ଯେ ଭୂମି ମଧ୍ୟେ ଦେହ ଘେନି

କରିବେ ଶ୍ରବଣ କୀର୍ତ୍ତନ

ଶୁଣି ତରିବେ ସର୍ବଜନ

ଏମନ୍ତ ଦ୍ୱାରପାଳେ କହି

ନିଜ ଭୁବନେ ଭାବଗ୍ରାହୀ

ବସିଲେ କମଳାର ମେଳେ

ଆବୃତ ବିମାନ ସଙ୍କୁଳେ

ସେ ଦ୍ୱାରପାଳ ବେନି ଭାଇ

ଭାଳନ୍ତି ଚାରିଦିଗେ ଚାହିଁ

ତକ୍ଷଣେ ଅଧର ଶୁଖିଲା

ଆତ୍ମାରୁ ବିଷ୍ଣୁ ତେଜ ଗଲା

ତକ୍ଷଣେ ହତଗର୍ବ ହୋଇ

ଅଧୋ ବଦନେ ବେନିଭାଇ

ବିଷ୍ଣୁର ଭୁବନୁ ପଡ଼ନ୍ତେ

ଆହା ଶବଦ ଶୂନ୍ୟପଥେ

ସେ ବେନି ବୀର ଏକଭାବେ

ତକ୍ଷଣେ ପଶି ଦିତି ଗର୍ଭେ

କଶ୍ୟପ ବୀର୍ଯ୍ୟେ ଆଶ୍ରେ କରି

ଏଣୁ ଭୁବନ ଲୋକେ ଡରି

ସେ ବେନି ଅସୁରଙ୍କ ଦର୍ପେ

ଦିତି ଭୁବନ ଦିଶେ କଳ୍ପେ

ସେ ବିଷ୍ଣୁ ସୃଷ୍ଟିର କାରଣ

ଅନାଦି ପ୍ରଭୁ ନାରାୟଣ

ଯା ମାୟା ନ ଜାଣନ୍ତି କେହି

ସଂସାର ମଧ୍ୟେ ଦେହ ବହି

ଆମ୍ଭେ ସକଳେ ଯା ଚରଣେ

ଆଶ୍ରୟ କରି ଭୃତ୍ୟ ପଣେ

ଏ ଭବ ଘୋର ଭୟଙ୍କର

ଖଣ୍ତିବେ ପ୍ରଭୁ ଚକ୍ରଧର

ଏମନ୍ତେ ଦେବଗଣ ମଧ୍ୟେ

ବିଧାତା କହିଲେ ଆନନ୍ଦେ

ସେ ହରି ବ୍ରାହ୍ମଣ-ବତ୍ସଳେ

ସୃଜନେ ଚିନ୍ତ ଧ୍ୟାନ ବଳେ

ସେ କୃଷ୍ଣ ଚରଣ-ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

 

 

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ଜୟ ବିଜୟ ଶାପ ବର୍ଣ୍ଣନେ ନାମ

ଷୋଡ଼ଶୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ବ୍ରହ୍ମା ବଚନ ଦେବଗଣ

ଶୁଣିଲେ କଳ୍ପିତ କାରଣେ

ବିଧାତା ପାଦେ ପ୍ରଣମିଲେ

ଆନନ୍ଦେ ନିଜ ପୁରେ ଗଲେ

ଦିତିଙ୍କ ଶାପ ଆଜ୍ଞା ପାଇ

ପୁତ୍ରଙ୍କ ଜନ୍ମେ ସେ ହୁଅଇ

ଶତେ ବରଷ ପୂର୍ଣ୍ଣ ହେଲା

ବେନି ବାଳକ ପ୍ରସବିଲା

ସେ ବେନି ପୁତ୍ର ଜନ୍ମକାଳେ

ନିଗମ ଦ୍ୱନ୍ଦ ଅନ୍ତରାଳେ

ଘୋର ଉତ୍ପାତ ଭୟଙ୍କର

ଦେଖି କମ୍ପିଲେ ସୁରନର

ଚଳ ଅଚର ଅଙ୍ଗେ ମହୀ

କମ୍ପିଲା ମହାଭୟ ପାଇ

ଦହିବା ପ୍ରାୟେ ଅଷ୍ଟ ଦିଗେ

ଦିଶନ୍ତି ଅନଳ ସଂଯୋଗେ

ଭୂମି ଉଲ୍ଲୁକ ବ୍ରଜ ସଙ୍ଗେ

ସମୁଦ୍ର କମ୍ପିଲା ତରଙ୍ଗେ

ଏ କିସ ବହଇ ପବନ

ଉଚ୍ଚେ କରଇ ଘୋର ସ୍ୱନ

ଘୋର ପ୍ରଚଣ୍ଡେ ବାତବଳେ

ବୃକ୍ଷେ ଉଡ଼ିଲେ ଅନ୍ତରାଳେ

ଧ୍ୱନି ପୂରିଲା ଦଶ ଦିଶ

ନିବିଡ଼ ଅନ୍ଧାର ଆକାଶ

ଗଗନେ ଯେତେ ଜ୍ୟୋତି ଥିଲେ

ଘୋର ତିମିର ପ୍ରକାଶିଲେ

ଗଗନେ ନ ଦିଶଇ ପଥ

ତେଜେ ଆକାଶ ଗଲା ଗ୍ରସ୍ତ

ନଦୀଙ୍କ ଜଳ ଶୁଖିଗଲା

ନଦୀ ତା ପଙ୍କ ପ୍ରକାଶିଲା

ଆକାଶେ ଚନ୍ଦ୍ର ଦିବାକର

ମଣ୍ତଳ ଦିଶେ ଅନ୍ଧକାର

ନିର୍ଘାତେ ରଥଘୋଷ ଦେଲେ

ଯେହ୍ନେ ଗର୍ଜ୍ଜଇ ଅନ୍ତରାଳେ

ଭୈରବଗଣ ପୂର୍ବ ମୁଖେ

ନାଦ କରନ୍ତି ଅତି ଦୁଃଖେ

କରନ୍ତି ଅତି ଘୋର ସ୍ୱନ

ତୁଣ୍ତେ କି ଜଳ ହୁତାଶନ

ଶୃଗାଳ ଶ୍ୱାନ ଆଦି ଖରେ

ନାଦ କରନ୍ତି ଅତି ଘୋରେ

ଗନ୍ଧର୍ବେ ସୂର୍ଯ୍ୟ ମୁଖେ ମିଳି

କାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି

ବୃକ୍ଷୁ ପଡ଼ନ୍ତେ ପକ୍ଷୀଗଣେ

ଅରଣ୍ୟେ ପଶୁ ଘୋର ସ୍ୱନେ

ମୂତ୍ର ପୁରୀକ୍ଷ ଉତ୍ସର୍ଗନ୍ତି

ପତି ପତିନୀ ମହାଭୀତି

ଗାବ ଦୁହନ୍ତେ ରକ୍ତସ୍ରାବେ

ଗଗନେ ଘୋର ନାଦ ଶୁଭେ

ଆକାଶେ ପୂରି ମେଘମାଳେ

ପ୍ରତ୍ୟହ ବର୍ଷନ୍ତି ଗହଳେ

ଭୃଙ୍ଗେ ରାବନ୍ତି ଶକ୍ତି ଯୁକ୍ତେ

ବୃକ୍ଷେ ପଡ଼ନ୍ତି ବିନା ବାତେ

ଆକାଶେ ଗ୍ରହଗଣ ମିଳି

ଶୂନ୍ୟେ ଚାହାଁନ୍ତି ତାରାବଳୀ

ଗ୍ରହେ କରନ୍ତି ଘୋର ରଣ

ପ୍ରଖର ଦିଶେ ଅଗ୍ନି କୋଣ

ଉତ୍ପାତ ଦିଶେ ଗୁରୁତରେ

ପ୍ରଜାଏ କମ୍ପିଲେ ନିର୍ଭରେ

ଶୌନକ ଆଦି ଚାରିଭାଇ

ଦେଖନ୍ତି ଶୂନ୍ୟମାର୍ଗେ ରହି

ବିଶ୍ୱ-ସଂସାରେ ମହାକ୍ରାସେ

ସୃଷ୍ଟି ପ୍ରଳୟ ପ୍ରାୟ ଦିଶେ

ଏମନ୍ତ କଶ୍ୟପ ଭୁବନେ

ପୁତ୍ରେ ବଢ଼ନ୍ତି ଦିନେ ଦିନେ

ସ୍ୱଭାବେ କଶ୍ୟପ ଶରୀର

ଦିଶଇ ମହା ଭୟଙ୍କର

ପର୍ବତ ପ୍ରାୟେ ଦିନେ ଦିନେ

ବଢ଼ିଲେ କଶ୍ୟପ ଭୁବନେ

ଶିରେ କିରୀଟ ହେମମୟେ

ଉଚ୍ଚେ ଭୁବନେ କିବା କ୍ଷୟେ

ରଙ୍ଗ ବସନେ କଟୀ ମାଝେ

ସୁରଙ୍ଗ ମେଖଳା ବିରାଜେ

ସର୍ବ ସୁମନ ଗଦା ହସ୍ତେ

ନିତ୍ୟେ ଆସନ୍ତି ନାନା ପଥେ

ଗୃହେ ମିଳନ୍ତି ଘୋର ନାଦେ

ଭୂମି କମ୍ପଇ ବାଜି ପାଦେ

ଏମନ୍ତ ପୁତ୍ରଙ୍କର ଗତି

ଦେଖି କଶ୍ୟପ ପ୍ରଜାପତି

ନାମ କରଣ ହୋମ କଲା

ବେନି ପୁତ୍ରଙ୍କ ନାମ ଦେଲା

ବଜ୍ର-କଠିନ ଦେଖି ବପୁ

ଏ ବଡ଼ ହିରଣ୍ୟକଶିପୁ

ଅନୁଜ ଚାହିଁ ଦେଖି ଦକ୍ଷ

କଳ୍ପିଲା ନାମ ହିରଣାକ୍ଷ

ଦିନକୁ ଦିନ ମହାବପୁ

ବଢ଼ିଲା ହିରଣ୍ୟ କଶିପୁ

ତପେ ବ୍ରହ୍ମାଙ୍କୁ ସେବା କଲା

ସ୍ୱଭାବେ ତେଜ ଅନର୍ଗଳା

ଗଦା ବୁଲାଇ ମହାରୋଷେ

ବେଗେ ଧାଇଁଲା ସେ ହରଷେ

ଚାଲନ୍ତେ ରୁଣୁ ଝୁଣୁ ବାଜେ

କୁସୁମ ମାଳା ଗଳେ ସାଜେ

କନ୍ଧେ ପକାଇ ଗଦାବର

କି ଅବା ଦେବା ପଟ୍ଟାନ୍ତର

ତାର ଗମନ ମନୋପମ

ଦେଖି ପଳାନ୍ତି ରିପୁ ଯମ

ନିର୍ଭୟେ ବୁଲନ୍ତି ଜଗତେ

ଦେବ ଦାନବ ଭୂମିଗତେ

ଦେବତା ରିପୁ ପୂରି ଦେଖି

ଭାଜିଲେ ତ୍ରିଦଶ ଉପେକ୍ଷି

ଆକାଶ ମାର୍ଗେ ଦେବମାନେ

ଛାଡ଼ି ପଶିଲେ ଘୋର ବନେ

ବନେ ଲୁଚିଲେ ତାର ଦର୍ପେ

ଗରୁଡ଼ ଭୟେ ଯେହ୍ନେ ସର୍ପେ

ସ୍ୱର୍ଗେ ବସିଲା ବେଗେ ଯାଇଁ

ଦେଖଇ ସ୍ୱର୍ଗେ ଲୋକ ନାହିଁ

ଦେବତା ଇନ୍ଦ୍ର ରାଜା ତୁଲେ

ସ୍ୱର୍ଗ ସମ୍ପଦ ଛାଡ଼ିଗଲେ

ଦେଖିଣ ଇନ୍ଦ୍ରର ସମ୍ପଦ

ଅନେକ କଲା ଘୋରନାଦ

ମୁହୂର୍ତ୍ତେ ସ୍ୱର୍ଗପୁରେ ରହି

ପୁଣି ମିଳିଲା ମଞ୍ଚେ ଯାଇ

ଅସୁର ବିଚାରଇ ମନେ

ପଶିବି ବରୁଣ ଭୁବନେ

ମୋହର ପ୍ରାୟ ପଦ ବଳେ

କେ ଅବା ଅଛନ୍ତି ପାତାଳେ

ଏମନ୍ତ ମନେ ବିଚାରିଲା

ଜଳଧି ମଧ୍ୟରେ ପଶିଲା

ସ୍ୱଭାବେ ବିଶ୍ୱରୂପ କାୟେ

ହସ୍ତୀର ପ୍ରାୟେ ଅବଗାହେ

ଜଳେ ପଶନ୍ତେ ମହାସୁର

କମ୍ପିଲା ବରୁଣର ପୁର

ଭାବିଲେ ଜଳଜନ୍ତୁ ମାନେ

କେବା ମିଳିବ ତାର ରଣେ

ଏମନ୍ତ କହି ପଳାଇଲେ

ଗଭୀର-ଜଳେ ସେ ପଶିଲେ

ଏମନ୍ତ ବରୁଣ-ଭୁବନେ

ବହୁ ବରଷ କୋପମନେ

ଭ୍ରମଇ କରେ ଗଦା ଧରି

କେ ତାରେ ସମର ଉଭାରି

ରାତ୍ରେ ଗମନ ଏକଦିନେ

ମିଳିଲା ବରୁଣ ଭୁବନେ

ବୁଲଇ କରେ ଗଦା ଧରି

ଘୋର ଶବଦେ ମହାବଳୀ

ମୁଁ ଏବେ ତୋର ଭୁବନରେ

ରହିଲି ବହୁ ସମ୍ବତ୍ସରେ

ତୁ ମୋତେ ଗଦାଯୁଦ୍ଧ ଦେବୁ

ନ ଦେଲେ ଭୁବନେ ନଥିବୁ

ଏମନ୍ତ ଶୁଣି ତା ବଚନ

ଜଳଧିପତି ମହାଚ୍ଛନ୍ନ

ନିରକ୍ଷଜନ ପ୍ରାୟ ହୋଇ

କହଇ ଶିରେ କର ଦେଇ

ଭୋ ବୀର ରହି ଦିନାକେତେ

ଶୁଣି ଦାନବ କୋପ ଚିତ୍ତେ

ତୁ ଯୁଦ୍ଧ କର ମୋର ତୁଲେ

ନୋହିଲେ ନଥା ଭୁବନରେ

ତୁ ଲୋକପାଳ ଶିରୋମଣି

ତୋହର ମହିମା ମୁଁ ଜାଣି

ମିଳିଲି ତୋହର ସମ୍ମୁଖେ

ସମର କର ଆତ୍ମା ସୁଖେ

ଧର୍ମଧାତାଙ୍କ ମଧ୍ୟେ ମେରୁ

ବୀରମାନଙ୍କ ଦର୍ପ ଚୂରୁ

ମୋହର ଦର୍ପ ଏବେ ହର

ସୁଖେ ରାଜୁସୀ ଯାଗ କର

ଏମନ୍ତ ତାର ବାକ୍ୟ ଶୁଣି

କୋପେ କହଇ ସାଧୁବାଣୀ

ତୁ ବୀର କହୁ ମୋର ହିତେ

ମୁଁ ତୋତେ ବୁଝାଇ କେମନ୍ତେ

ତୁ ମହାବୀରଙ୍କର ବୀର

ମୋ ବୋଲେ କୋପତୁ ନକର

ଯେ ତୋର ତୁଲେ ଯୁଦ୍ଧ କାରି

ମିଳିବ ତୋତେ ଦୟା କରି

ତୋତେ ମାରିବ ସେ ସମରେ

ତୁ ଶୁଣି ସଂଗ୍ରାମ ଭୂମିରେ

ଏ ରୂପ ବହିବୁ ଜଗତେ

ତୋହର ପ୍ରାୟେ ଦୁଷ୍ଟ ଚିତ୍ତେ

କହଇ ବିପ୍ର ଜଗନ୍ନାଥ

ତୃତୀୟ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ଅସୁର ବରୁଣ ପୁରେ

ଯୁଦ୍ଧ ଆରମ୍ଭ ନାମ ସପ୍ତଦଶୋଽଧ୍ୟାୟଃ ।

•••

 

ଅଷ୍ଟାଦଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ବରୁଣ ବାକ୍ୟ ଶୁଣି କର୍ଣ୍ଣେ

ଅସୁର ବିଚାରଇ ମନେ

ବରୁଣ ତୁଲେ ଯୁଦ୍ଧ ମୋର

ଏ ତ ନୁହଇ ପୁରନ୍ଦର

ନାରଦ କହିଛନ୍ତି ମୋତେ

ବିଷ୍ଣୁର ଗତି ଏ ଜଗତେ

ଶୂକର ରୂପେ ଏ ଜଗତେ

ସ୍ଥାପିବ ଆଣି ଅଗ୍ରଦନ୍ତେ

ତାହାର ତୁଲେ ତୋ ସମର

ନାମ ଯାହାର ଗଦାଧର

ତୋ ବଳ ଦର୍ପ ସେ ହରିବ

ଦେବଲୋକଙ୍କୁ ଉଦ୍ଧରିବ

ଏମନ୍ତ ମନେ ବିଚାରିଲା

ତକ୍ଷଣେ ପାତାଳେ ପଶିଲା

ଦେଖଇ ଗୋବିନ୍ଦର ଗତି

ଦଶନ ଅଗ୍ରେ ବସୁମତୀ

ଆଦିତ୍ୟ ପ୍ରାୟ ତେଜ ଦେଖି

ଭୟେ ବୁଜିଲା ବେନି ଆଖି

ପୁଣି କ୍ଷଣକେ ଚକ୍ଷୁ ଫେଇ

ବିଷ୍ଣୁଙ୍କୁ ଦେଖି ବିଚାରଇ

ନାରଦ ବାକ୍ୟ ଯେବେ ସତ

ମୁହିଁ ଦେଖଇ ବିପରୀତ

ଏ ମୃଗ କାନନ ଗୋଚର

ପଙ୍କ ଦୂଷିତ ଏ ଶୁକର

କହେ ଅସୁର ମୁଖ ଚାହିଁ

ଦଶନୁ ବେଗେ ଥୁଅ ମହୀ

ପାତାଳ ଲୋକଙ୍କୁ ମେଦିନୀ

ପୂର୍ବେ ଦେଇଛି ପଦ୍ମଯୋନି

ଯେବେ ମେଦିନୀ ନ ଛାଡ଼ିବୁ

ମୋ ମୁଖୁ ଭଲେ ନ ବର୍ତ୍ତିବୁ

ସୁର ଅଧମ ତୁ ବୋଲାଉ

ଯେଣୁ ଶୁକର ରୂପ ବହୁ

ମୋର ରିପୁଙ୍କ ଶୁଭ ଚିନ୍ତି

ତୁ ବହୁ ଶୁକର ଆକୃତି

ମାୟାରେ ମାରୁ ତୁ ଅସୁର

କପଟ ଧର୍ମ ଏ ତୋହର

ତୋର ମୋହର ଗଦାଯୁଦ୍ଧେ

ତ୍ରିଦଶେ ଦେଖନ୍ତୁ ଆନନ୍ଦେ

ତୋର ମୁର୍ଦ୍ଧନୀ ଗଦାଘାତେ

ବେଗେ ଉଡ଼ିବ ମହାବାତେ

ବଳି ହରନ୍ତି ଯେତେ ଦେବେ

ତୋହର ମରଣ ଦେଖିବେ

ମୁଷଳୀ ନାଶେ ବୃକ୍ଷ ଯେହ୍ନେ

ତ୍ରିଦଶେ ହୋଇବେ ତେସନେ

ଏମନ୍ତେ ଅସୁରର ବାଣୀ

ତା ଶୁଣି କମ୍ପିଲା ଧରଣୀ

ଜଳେ ପଡ଼ିଲା ମହାକାୟେ

ଗୋବିନ୍ଦ ଦେଖି ଭୂମିଭୟେ

ବରାହ ରୂପେ କୋପମନେ

ସର୍ପ ପ୍ରହାରେ ହସ୍ତୀ ଯେହ୍ନେ

କରିଣ ଗଦା ଦୃଢ଼ ପ୍ରାଣୀ

ବଜ୍ର ନିଷ୍ଠୁର ପ୍ରାୟେ ଜାଣି

ବୋଲେ ବରାହ ମୁଖ ଚାହିଁ

ତୋର ବଦନେ ଲଜ୍ଜା ନାହିଁ

ଦେବଙ୍କ ଈଶ୍ୱର ବୋଲାଉ

ଶୁକର ରୂପଗୁଣ ବହୁ

ଏମନ୍ତେ ଅସୁର ବଚନେ

କୋପ ବସିଲା ବିଷ୍ଣୁ ମନେ

ଧରଣୀ ସମୁଦ୍ରର କୂଳେ

ଦନ୍ତୁ ରଖିଳେ ବିଷ୍ଣୁ ତଳେ

ନିଜ ମୂରତି ଗଦାଧର

କି ଅବା ଦେବା ପଟ୍ଟାନ୍ତର

ଦେଖି ଆନନ୍ଦ ଦେବଗଣ

କରନ୍ତି ପୁଷ୍ପ ବରଷଣ

ବ୍ରହ୍ମାଦି ଦେବଗଣ ମିଳି

ସ୍ତୁତି କରନ୍ତି ଭୁଜତୋଳି

ଅସୁର ଦେବ ସ୍ତୁତି ଶୁଣି

କୋପେ ଉଠିଲା ଶିର ଝୁଣି

ବିଷ୍ଣୁର ହସ୍ତେ ଗଦା ସାଜେ

କାଞ୍ଚନ ଯେସନେ ବିରାଜେ

କୋପେ କମ୍ପିଲେ ଭଗବାନ

ଶୁଣି ଅସୁର ଦୁର୍ବଚନ

ପ୍ରଚଣ୍ତ ମନ୍ଦ ମନ୍ଦ ହାସେ

ଅସୁର ମୁଖ ଚାହିଁ ରୋଷେ

ମନ ବଚନ ଶୁଚି ଭାବେ

ମୋର ମହିମା ଶୁଣ ଏବେ

ଶ୍ରୀଭଗବାନୁବାଚ

ଆମ୍ଭେ ଯେ ପ୍ରକୃତ ବରାହ

ଖୋଜୁ କୁକୁର ତୋର ନ୍ୟାୟ

ତୁ କିମ୍ପା ଆତ୍ମଶ୍ଲାଘା କରୁ

ନ ଯିବୁ ତୁ ମୃତ୍ୟୁ ମୁଖରୁ

ବୀର ପୁରୁଷେ ନ କରିବେ

ତୋର ପ୍ରଶଂସା ଏହି ଭବେ

ତୁହି ଯେ ଜଳବାସୀଙ୍କର

ହରିଛୁ ସମ୍ପତ୍ତି ଆବର

ସେ ହେତୁ ଆମ୍ଭେ ଗଦାଘାତେ

ବାହାର କରିବୁ ନିଶ୍ଚିନ୍ତେ

କାୟ କ୍ଲେଶରେ ବ୍ୟସ୍ତ ଅଛୁ

ଏ ସ୍ଥାନୁ ଯିବା ତୁ ନ ଇଚ୍ଛୁ

ତୋହର ପ୍ରାୟେ ବୀରଗଣ

ମୋ ତୁଲେ କେ କରିବ ରଣ

ତୁ ମୋର ପାଶେ ଦମ୍ଭ ହୋଇ

ବିଶ୍ୱାସ କହୁ କିସ ପାଇଁ

ଆକାଶେ ଦେବଗଣ ଯେତେ

ଦେଖି ତୋହର ଗଦାହସ୍ତେ

ଆକାଶ ଛାଡ଼ି ପଳାଇଲେ

ମୋହର ସଙ୍ଗତେ ମିଳିଲେ

ମୁଁ ଆଜ ସଂଗ୍ରାମ କରିବି

ଏହାଙ୍କୁ ସଙ୍କଟୁ ତାରିବି

ଗଦା ପ୍ରହାରି ତୋର ହୃଦେ

ଦେବଙ୍କୁ ସ୍ଥାପି ନିଜ ପଦେ

ଏମନ୍ତେ ବରାହ ବଚନେ

ହିରଣ୍ୟ ଶୁଣି କୋପ ମନେ

ସ୍ୱଭାବେ ଦୁଷ୍ଟ ମହାବଳୀ

ଗର୍ଜ୍ଜଇ ଗଦା ହସ୍ତେ ତୋଳି

ଶବଦେ ଭୁବନ କମ୍ପିଲା

ବରାହ ଅଙ୍ଗେ ପ୍ରହାରିଲା

ସେ ହରି ନିଜ ଭୁଜବଳେ

ଦୁଷ୍ଟ ପ୍ରହାରୁ ବଞ୍ଚାଇଲେ

ପୁଣି ଅସୁର ଗଦା ହସ୍ତେ

ପ୍ରଚଣ୍ଡ ଭାବେ ଶୂନ୍ୟ ପଥେ

ଗଦା ବୁଲାଇ ଅତି ରୋଷେ

ପିଟିଲା ବିଷ୍ଣୁ ପୃଷ୍ଠ ଦେଶେ

ଶୁଭିଲା ବ୍ରଜ ଘଡ଼ଘଡ଼ି

ଅଧର ଦଶନେ କାମୁଡ଼ି

ସେ ଗଦା ବଞ୍ଚାଇ ମୁରାରୀ

ଦକ୍ଷିଣ କରେ ଗଦା ଧରି

ପିଟିଲେ ଅସୁରର ମୁଣ୍ତେ

ବ୍ରଜ ଯେସନେ ଗିରିଖଣ୍ତେ

ଏମନ୍ତେ ହରି-ହିରଣ୍ୟାକ୍ଷେ

ଦେବେ ଦେଖନ୍ତି ଅନ୍ତରୀକ୍ଷେ

ବେନି ଶରୀରେ ଗଦାଘାତ

ଶୁଭଇ ଯେହ୍ନେ ବ୍ରଜପାତ

ଜିଣିବା ପ୍ରାୟେ ଅନ୍ୟେ ଅନ୍ୟେ

କରନ୍ତି ଯୁଦ୍ଧ କୋପମନେ

ଗଦା ପ୍ରହାରେ ଜାନୁ ବକ୍ଷେ

କୋପେ ବସିଲା ସେ ପ୍ରତ୍ୟକ୍ଷେ

ଫାଟି ବହଇ ଶ୍ରୋଣୀଧାର

ବିଶେଷ ଯୁଦ୍ଧ ମହାଘୋର

ଗଦା ବିଚିତ୍ର ଗତି କରି

ବେଗେ ପିଟଇ ଗଦାଧରି

ଅନ୍ୟୋନ୍ୟେ ଯୁଦ୍ଧ ଭୟଙ୍କର

କମ୍ପଇ ଧରଣୀ ସାଗର

ଶବଦ ଶୁଭଇ ପ୍ରଚଣ୍ତେ

ଯେହ୍ନେ ଯୁଝନ୍ତି ବେନି ଷଣ୍ଢେ

ଏମନ୍ତେ ହରି-ହିରଣ୍ୟାକ୍ଷେ

ଯୁଦ୍ଧେ ମିଳନ୍ତି ଅନ୍ତରୀକ୍ଷେ

ମିଳିଲେ ଦେବ ଋଷି ଆଦି

କପୋଳେ ଅଞ୍ଜଳି ଆଚ୍ଛାଦି

ବିଧାତା ଶୂନ୍ୟ ପଥେ ଥାଇ

ସ୍ତୁତି କରନ୍ତି ବିଷ୍ଣୁ ଚାହିଁ

ବ୍ରହ୍ମା ଉବାଚ

ହେ ଦେବ ଦେବ ତୋ ଚରଣେ

ଆମ୍ଭେ ଯେ ପଶିଲୁ ଶରଣେ

ଗୋରୁ ବ୍ରାହ୍ମଣ ଦେବଙ୍କର

ନିଶ୍ଚୟ ଅନିଷ୍ଟ ଅସୁର

ନିର୍ଭୟେ ଗଦା ଘେନି କରେ

ଯୁଦ୍ଧର ଅର୍ଥେ ତିନିପୁରେ

ଭ୍ରମଇ ଅତି ମହାରୋଷେ

ବାରଣ ଯେହ୍ନେ ନିରଙ୍କୁଶେ

କାଳ କ୍ରୀଡ଼ଇ ଦିତିବଳା

ତିନି ଭୁବନେ କରେ ମେଳା

ଆମ୍ଭଙ୍କୁ ସଙ୍କଟୁ ଉଦ୍ଧରି

ଏହାର ପ୍ରାଣ ବେଗେ ହରି

ଦେଖ ଏ ସନ୍ଧ୍ୟା ବିଭାବରୀ

ଏ ଭୂମିଲୋକ ଛନ୍ନ କରି

ଆସଇ ମହାଘୋର ରୂପେ

ଭୋ ନାଥ ଦେଖ ତୋ ସମୀପେ

ଆମ୍ଭରେ କ୍ଷୟ ଦିତିବଳା

ଦେଖା ତୋହର ବିଷ୍ଣୁ ଲୀଳା

ମୁହୂର୍ତ୍ତ ଅଭିଜିତ ନାମ

ସର୍ବ ମଙ୍ଗଳ ସୁଖ ଧାମ

ଏ ଶୁଭବେଳେ ଚକ୍ରଧର

ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର

ଏମନ୍ତେ ଅସୁର ବିନାଶ

ଋଷି-ଦେବତାଙ୍କୁ ଉଶ୍ୱାସ

ଅତି ବିକଳେ ସ୍ତୁତି କଲେ

ବରାହରୂପୀ ପାଦତଳେ

ସୁଜନେ ଚିନ୍ତି ଅନୁକ୍ଷଣେ

ସେ ଯଜ୍ଞ ବରାହ ଚରଣେ

ହରି ଚରଣେ କରି ଆଶ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ହିରଣାକ୍ଷ ଯୁଦ୍ଧକରଣେ

ନାମ ଅଷ୍ଟାଦଶୋଽଧ୍ୟାୟଃ ।

•••

 

ଉନବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ବ୍ରହ୍ମାର ବଚନ

ଶୁଣି ସନ୍ତୋଷ ଭଗବାନ

ଅମୃତ ପ୍ରାୟେ ଶୁଣି କର୍ଣ୍ଣେ

ଅସୁର ବଧେ ସାବଧାନେ

ଦକ୍ଷିଣ ହସ୍ତେ ଗଦା ଧରି

ହୁଙ୍କାର ନାଦେ ଦଇତ୍ୟାରି

ପ୍ରହାର କଲେ କର୍ଣ୍ଣମୂଳେ

ଗଦା ପଡ଼ିଲା ହସ୍ତୁଁ ତଳେ

ବିଷ୍ଣୁଙ୍କୁ ହିରଣାକ୍ଷ ଚାହିଁ

ଶାସ୍ତ୍ରର ଧର୍ମ ବିଚାରଇ

ଆୟୁଧ ନାହିଁ ଏହା ହସ୍ତେ

ଏହାକୁ ମାରିବି କେମନ୍ତେ

ଏମନ୍ତ ବିଚାରେ ଅସୁର

ଅନ୍ତେ ଶୁଭିଲା ହାହାକାର

ତା ଶୁଣି ପ୍ରଭୁ ଗଦାଧର

ସଂଭ୍ରମେ ତୋଳି ବେନିକର

ଭୟ ନକର ତୁମ୍ଭେ କେହି

କହନ୍ତି ଦେବଗଣେ ଚାହିଁ

ଏମନ୍ତ କହି ଦେବରାଜ

ଉର୍ଦ୍ଧ୍ୱେ ତୋଳି ସେ ଦକ୍ଷଭୁଜ

ନିଜ ଆୟୁଧେ ଦେଇ ମନ

ତକ୍ଷଣେ ଜାଣି ସୁଦର୍ଶନ

ବେଗେ ଧାଇଁଲେ ଶୂନ୍ୟବ୍ୟାପୀ

ତେଜେ ବିରାଜେ ବିଶ୍ୱରୂପୀ

ବିଷ୍ଣୁର କରେ ମିଳିଯାଇ

ଦିତିର ପୁତ୍ର ନ ଜାଣଇ

ଦେବେ ଡାକନ୍ତି ଶୂନ୍ୟ ପଥେ

ଚକ୍ରକୁ ଚାହିଁ ବିଷ୍ଣୁ ହସ୍ତେ

ଭୋ ନାଥ ତୋର ଦ୍ୱାରପାଳ

ଏ ଦୁଷ୍ଟ ତେଜେ ଅନର୍ଗଳ

ଏହାର ପ୍ରାଣ ବେଗେ ହର

ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର

ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି

କୋପେ ଧାଇଁଲା ବୀରମଣି

ସମୀପେ ଦେଖି ଚକ୍ରଧର

ଓଷ୍ଠ କାମୁଡ଼େ ସେ ଅସୁର

ନିଃଶ୍ୱାସ ଖରତର ବହେ

କୋପେ କମ୍ପଇ ତାର ଦେହେ

କରାଳ ଦିଶେ ତା ବଦନ

ନୟନୁ ପ୍ରକାଶେ ଦହନ

ଦହିବା ପ୍ରାୟ ଦଶ ଦିଶେ

ବେଗେ ଧାମଇଁ ମହାରୋଷେ

ଡାକଇ ପୂରିଲା ତୋ କାଳ

ମୋ ଗଦା ପ୍ରହାର ସମ୍ଭାଳ

ଏମନ୍ତ କହି କୋପଭରେ

ପିଟିଲା ବିଷ୍ଣୁଙ୍କ ଉପରେ

ଯଜ୍ଞ ଶୂକର ଭଗବାନ

ଶତ୍ରୁର ପ୍ରହାର ଦେଖିଣ

ବାମ ପାଦରେ ସମ୍ଭାଳିଲେ

ଶତ୍ରୁର ପ୍ରହାରୁ ବଞ୍ଚିଲେ

ପୁଣି କହିଲେ ଭଗବାନ

ମୋତେ ତୁ ଜାଣିବୁ ହିରଣ୍ୟ

ପୁରି ତୋ ଗଦା ହସ୍ତେ ଧର

ମୋହ ସଙ୍ଗରେ ଯୁଦ୍ଧ କର

ଏହା ଶୁଣିଣ ରକ୍ଷବୀର

ପ୍ରହାରେ ଗଦା ଅନ୍ତରାଳ

ଗଦା ଆସିବା ଦେଖି ହରି

ଅବଲୀଳାରେ ତାହା ଧରି

ରଖିଲେ ଆପଣା ଜୀବନ

ରାକ୍ଷସ ହେଲା ହତମାନ

ଗଦା ଯାଚନ୍ତେ ଭଗବାନ

ନ ନେଲା ରାକ୍ଷସ ଦୁର୍ଜ୍ଜନ

ଶୂଳ ଯେ ନେଲା ମହାରୋଷେ

ଅଳ୍ପ ଦହନ ପ୍ରାୟ ଦିଶେ

ଚକ୍ରରେ ଛେଦିଲେ ତ୍ରିଶୂଳ

ତାହା ଦେଖିଲା ରକ୍ଷବୀର

ତ୍ରିଶୂଳ ଭଗ୍ନ ଦେଖି ରୋଷେ

ବେଗେ ମିଳିଲା ବିଷ୍ଣୁ ପାଶେ

ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ

ପ୍ରହାରେ ଯଜ୍ଞ ରୂପୀ ଦେହେ

ମାୟାବୀ ଦୁଷ୍ଟ ହିରଣାକ୍ଷ

ଶରୀର ଗଲା ଅନ୍ତରୀକ୍ଷ

କେହି ନ ଦେଖେ କେଣେ ଗଲା

ଅଦ୍ଭୁତେ ଶବଦ ଶୁଭିଲା

ତାର ପ୍ରକାଶେ ପଦ୍ମମୁଖ

ସ୍ୱଭାବେ ହୋଇଲେ ବିମୁଖ

ଯୁଦ୍ଧକୁ ପଶୁମେଷ ଯେହ୍ନେ

ପ୍ରହାରେ ଦୁଃଖ ନାହିଁ ମନେ

ପୁଣି କ୍ଷଣକେ ମହାରୋଷେ

ଅସୁର ମିଳି ବିଷ୍ଣୁ ପାଶେ

ମାୟା ସର୍ଜିଲା ଅପ୍ରମିତେ

ଶ୍ରୀମାୟାଧରର ଅଗ୍ରତେ

ସେ ମାୟା ଦେଖି ଦେବଜନେ

ହସ୍ତ ଆଚ୍ଛାଦିଲେ ଲୋଚନେ

ଶରୀର କମ୍ପେ ମହାଭୟେ

ଶୁଣିଲେ ପ୍ରଳୟର ପ୍ରାୟେ

ପ୍ରଚଣ୍ତ-ବାତ ବହେ ଖରେ

ଶୂନ୍ୟେ ପାଷାଣ ବୃଷ୍ଟିକରେ

ଭସ୍ମ ପୂରିତ ଦଶଦିଶେ

ନିର୍ଝର ପାଷାଣ ବରଷେ

ଘୋର ଗର୍ଜ୍ଜନ ମହାମେଘେ

ରୁଧିର ବରଷନ୍ତି ବେଗେ

ପୁଣି ପୁରୀକ୍ଷ ମୂତ୍ର ଅସ୍ଥି

ପ୍ରାଣୀର ସଙ୍ଗେ ବରଷନ୍ତି

ପର୍ବତ ପ୍ରାୟ ଦେହ କରି

ନିଶ୍ଚୟେ ଜାଣିଲେ ଆସୁରୀ

ମାୟାରେ ଦର୍ପ ବିନାଶନେ

କୋପ ବସିଲା ବିଷ୍ଣୁମନେ

ସୁଦରଶନ ଧରି କରେ

ହରି ଧାଇଁଲେ ଧାତିକାରେ

ସ୍ୱଭାବେ କଶ୍ୟପ ଭୁବନେ

ଭୟ ବସିଲା ଦିତି ମନେ

ହୃଦୟ କମ୍ପଇ କାତରେ

ପଦ ନସ୍ଫୁରେ କମ୍ପଜ୍ୱରେ

ସ୍ୱାମୀର ବଚନ ସୁମରେ

ତନୁରୁ ରୁଧିର ଯେ ଝରେ

ଚକ୍ରର ତେଜେ ମାୟା ଗଲା

ରବି କିରଣ ପ୍ରକାଶିଲା

ପୁଣି ଅସୁର ମହାକୋପେ

ମିଳିଲା ବିଷ୍ଣୁର ସମୀପେ

ରୋଷେ ଅରୁଣ ଦିଶେ ଦୃଷ୍ଟି

ଉର୍ଦ୍ଧ୍ୱେ ତୋଳିଲା ବେନିମୁଷ୍ଟି

ଗୋବିନ୍ଦ ପାଦେ ପ୍ରହାରିଲା

ସଭୟେ ଘୋର ନାଦ କଲା

ଘୋର ଗହନ ମାୟାମାର୍ଗେ

ବିଦ୍ୟୁତ ସ୍ଫୁରେ ଦଶଦିଗେ

ମୁଷ୍ଟି ବାଜିଲା ବଜ୍ର ପ୍ରାୟେ

ଦେଖି କମ୍ପିଲେ ଦେବରାୟେ

କର ପ୍ରସାରି କର୍ଣ୍ଣମୂଳେ

ଗୋବିନ୍ଦ ପ୍ରହାରିଲେ ବଳେ

ପୂର୍ବେ ଯେସନେ ସୁରରାୟେ

ବିଶ୍ୱକର୍ମାର ପୁତ୍ର ଦେହେ

ପ୍ରହାର କରି କର୍ଣ୍ଣମୂଳେ

ପ୍ରାଣ ହାରିଲେ ତାର ବଳେ

ଏମନ୍ତ ବିଷ୍ଣୁର ପ୍ରହାରେ

ପ୍ରାଣ ଛାଡ଼ିଲା କଳେବରେ

ମୁଷ୍ଟି ପ୍ରହାରେ ମୁଣ୍ତ ଫାଟି

ପଡ଼ିଲା ମହୀତଳେ ଲୋଟି

ଦାନ୍ତ କାମୁଡ଼େ ଅତି ଛନ୍ଦେ

ପ୍ରାଣ ଛାଡ଼ିଲା ଘୋର ନାଦେ

ଅସୁର ମୃତ୍ୟୁ ଦେବେ ଦେଖି

ମିଳିଲେ ଗଗନ ଉପେକ୍ଷି

ଦେଖିଲେ ଅସୁର ବଦନ

ଭୃକୁଟି କୁଟିଳ ନୟନ

ବିଧାତା ଆଦି ସୁରବୃନ୍ଦ

କରନ୍ତି ଜୟ ଜୟ ନାଦ

କହନ୍ତି ଧନ୍ୟ ଏ ଅସୁର

ବିଷ୍ଣୁର ହସ୍ତେ ଗଲା ମାର

ଏମନ୍ତେ କେ ପାଇ ମରଣ

ମାୟାରେ କଲା ଘୋର ଋଣ

ଧନ୍ୟ ଏ ଜୀବନ ଏହାର

ବ୍ରାହ୍ମଣ ଶାପୁଁ ଗଲା ପାର

ପୁଣି ହୋଇବ ଜନ୍ମ ଦୁଇ

ଏମନ୍ତ କହି ବିଷ୍ଣୁ ଚାହିଁ

ବ୍ରହ୍ମାଦି ଦେବ କରଯୋଡ଼ି

ଗୋବିନ୍ଦ ଚରଣରେ ପଡ଼ି

ଦେବା ଉଚୁଃ

ନମସ୍ତେ ଜୟ ଯଜ୍ଞତନ୍ତୁ

ତୋ ଅବତାର ଭକ୍ତ ହେତୁ

ଆମ୍ଭରି ପାଇଁ ଭଗବାନ

ଏ ଦୁଷ୍ଟ କଲୁ ତୁ ନିଧନ

ତୋର ପ୍ରସନ୍ନେ ଜଗନ୍ନାଥ

ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ

ତୋର ସଂସାର ପାଳ ଏବେ

ଏମନ୍ତ କହି ସର୍ବ ଦେବେ

ଆନନ୍ଦେ ଗଲେ ନିଜପୁର

ସୁମନେ ଶୁଣ ହେ ବିଦୁର

ମୈତ୍ରେୟ ଉବାଚ

ଏ ମହା ହିରଣ୍ୟାକ୍ଷ ମାରି

ଯଜ୍ଞ ବରାହ ରୂପ ଧରି

ନିଜ ଭୁବନେ ହରି ଗଲେ

ଉତ୍ସବେ ପରମ ମଙ୍ଗଳେ

ବ୍ରହ୍ମାଦି ଦେବ କଲେ ସ୍ତୁତି

ନିଜ ଭୁବନେ ଲକ୍ଷ୍ମୀପତି

ଭକ୍ତ ଉଦ୍ଧରି ମହାତୋଷେ

ମିଳିଲେ କମଳାର ପାଶେ

ତୁ ଯାହା ପଚାରିଲୁ ମୋତେ

ପ୍ରସନ୍ନେ କହିଲି ମୁଁ ତୋତେ

ବିଷ୍ଣୁର ଲୀଳା ଅବତାର

ହିରଣ୍ୟାକ୍ଷର ଯେ ଉଦ୍ଧାର

ସୁତ ଉବାଚ

ଏମନ୍ତେ ମୈତ୍ରେୟଙ୍କ ବାଣୀ

ବିଦୁର ସାବଧାନେ ଶୁଣି

ପରମାନନ୍ଦ ଖେଳ ଲୀଳା

ତା କର୍ଣ୍ଣେ ଶୁଣି ନୃପବଳା

ଆନନ୍ଦେ ଶୁଣ ଏକମନେ

ନାନା ପ୍ରକାର ଏ ଭୁବନେ

ତାହାଙ୍କ ଯଶ କର୍ଣ୍ଣେ ଶୁଣି

ଭବସାଗରୁ ତରେ ପ୍ରାଣୀ

କୃଷ୍ଣର ଗୁଣ-ଅବତାର

କରେ ଅମୃତ-ରସସାର

ଶୁଣିବା ଜନେ କର୍ଣ୍ଣଦ୍ୱାରେ

କିମ୍ପା ନ ତରିବେ ସଂସାରେ

ବନସ୍ତ ଗଜ ଜଳେ ପଶି

କର ପଖାଳନ୍ତେଣ ଆସି

ଜଳେ ତରନ୍ତେ ପଦ୍ମବନେ

କୁମ୍ଭୀର ଗ୍ରାସନ୍ତେ ତକ୍ଷଣେ

ଚରଣ ନ ପାରିଲା ଆଣି

ଅନେକ ହସ୍ତୀ ତାକୁ ପୁଣି

ନ ପାରି ହୋଇଲା ବିଷାଦ

ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ

ତକ୍ଷଣେ ପ୍ରଭୁ ଚକ୍ରପାଣି

ଗଜ ରଖିଲେ ଗ୍ରାହ ହାଣି

ତାର ଚରଣେ ମୁନିବୃନ୍ଦେ

ନାନା ପ୍ରକାରେ ଯୋଗ ସାଧ୍ୟେ

ଅଭୟ ପାଦେ ସେ ମିଳନ୍ତି

ଯେ ଜନ ନାନାଭାବ ଚିନ୍ତି

ଏବେ ହୋ ଶୁଣ ପରୀକ୍ଷିତ

ଅମୃତ ରସ ଭାଗବତ

ଶୂକର ରୂପେ ନାରାୟଣ

କଲେ ପାଳନ ସଂହାରଣ

ଧରଣୀ ଉଦ୍ଧରିଲେ ଦାନ୍ତେ

କ୍ରୀଡ଼ା ବିହରେ ଏ ଜଗତେ

ଏ କଥା ଶ୍ରବଣ କୀର୍ତ୍ତନ

କ୍ଷଣେ ବଞ୍ଚନ୍ତି ଯେଉଁ ଜନ

ବ୍ରାହ୍ମଣ ବଧ କରିଥିଲେ

ଦୋଷ ନ ଲାଗେ ତାକୁ ଭଲେ

ଏ ପୁଣ୍ୟ ଯଶ ହରି କଥା

ଧନ ଆୟୁଷ ମୋକ୍ଷ ଦାତା

ପ୍ରାଣ ଇନ୍ଦ୍ରିୟ ସୁଖ ଭାବେ

ଦୁର୍ଗତି ଦୁଷ୍ଟବୁଦ୍ଧି ଦେବେ

ଭାଷା ପ୍ରବନ୍ଧେ ଭାଗବତ

କହିଲେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ହିରଣ୍ୟାକ୍ଷ ବଧ କରଣେ

ନାମ ଉନବିଂଶୋଽଧ୍ୟାୟଃ ।

•••

 

ବିଂଶ ଅଧ୍ୟାୟ

 

ଶୌନକ ଉବାଚ

ବରାହ ରୂପୀ ଭାବଗ୍ରାହୀ

ଜଳେ ଧରଣୀ ଗଲେ ଥୋଇ

ସେ ସ୍ୱାୟମ୍ଭୁବ ମନୁ ବଳା

ଧରଣୀ ପୃଷ୍ଠେ ସେବାକଲା

ନାନା ଆବର ଜନ୍ମ ଯେତେ

ତାହାଙ୍କୁ ସାଧିଲା କେମନ୍ତେ

ବିଦୁର ଭ୍ରମି ତୀର୍ଥମାର୍ଗେ

ଆନନ୍ଦ ମୈତ୍ରେୟର ଆଗେ

ତୀର୍ଥ ସାଧନ ପୁଣ୍ୟବଳେ

ଏକାନ୍ତେ ବିଷ୍ଣୁ ଭକ୍ତି ଫଳେ

କୃଷ୍ଣ ଚରଣ ଆଶ୍ରେକରି

ପଶିଲା ହସ୍ତିନା ନଗରୀ

ତା ଜ୍ୟେଷ୍ଠ ଭ୍ରାତ ଧୃତରାଷ୍ଟ୍ର

ତାହାର ପୁତ୍ର ବଡ଼ ଦୁଷ୍ଟ

କର୍ଣ୍ଣ ଶକୁନି ଦୁଃଶାସନ

ଏହାଙ୍କ ବୋଲେ ଦୁର୍ଯ୍ୟୋଧନ

ପାଣ୍ଡବ ହିତେ ସେ ବିଶ୍ୱାସେ

ଗର୍ଜି ବୋଇଲେ ମହାରୋଷେ

ରାଜ୍ୟୁ ବାହାର କରିଦେଲା

ସେ ପୁଣି ବ୍ୟାସଙ୍କର ବଳା

ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ

ବର୍ତ୍ତଇ ଭକ୍ତ ଜନ ମେଳେ

ମୈତ୍ରେୟ ବିଦୁର ପୁଚ୍ଛିଲା

କହିବା ମୋତେ ବିଷ୍ଣୁ ଲୀଳା

ସେ ବିଷ୍ଣୁ କଥା ପରାଶର

ଶ୍ରୁତିଗୋଚରେ ସୁଧାସାର

ଯେ ପ୍ରାଣୀ ଗଙ୍ଗାସ୍ନାନ କରେ

ସେ ତିନି ପୁରୁଷ ଉଦ୍ଧରେ

ବିଷ୍ଣୁର କଥା ସେହି ମତ

ପାନ ନ ରହେ ତାଙ୍କ ଗାତ୍ର

ଯାହାର ଜିହ୍ୱା କୃଷ୍ଣରସେ

ପଶଇ କର୍ଣ୍ଣଦ୍ୱାର ପାଶେ

ବିଷ୍ଣୁ ବୈଷ୍ଣବ ଭାବ ଚିତ୍ତେ

ଭୋ ମୁନି କହ ମୋ ଅଗ୍ରତେ

ସେ କାହିଁ ଛାଡ଼େ କୃଷ୍ଣ କଥା

ଯେଣେ ହରଇ ଭବ ବ୍ୟଥା

ବିଷ୍ଣୁ ଶୁକର ରୂପ ଧରି

ଧରଣୀ ପାତାଳୁ ଉଦ୍ଧରି

ଲୀଳା ବିହାରେ ହିରଣ୍ୟାକ୍ଷ

ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ

ସେ କଥା ଶୁଣି ତୋଷ ଚିତ୍ତେ

ଅଶ୍ରୁ ଲୋଚନ ଲୋମଗାତ୍ରେ

ମୈତ୍ରେୟ ପାଦେ ଦେଇ ଶିର

ଆନନ୍ଦେ ପୁଚ୍ଛଇ ବିଦୁର

ବିଦୁର ଉବାଚ

ବ୍ରହ୍ମା ନାଭିରୁ ଅବତାର

ସେ ପ୍ରଜାପତିଙ୍କ ଈଶ୍ୱର

ପ୍ରଜାପତିଙ୍କୁ ଜାତ କଲା

ସୃଷ୍ଟି ସୃଜନେ ଆଜ୍ଞା ଦେଲା

ମରୀଚି ଆଦି ସପ୍ତତନୁ

ଅପରେ ସ୍ୱାୟମ୍ଭୁବ ମନୁ

ପିତାର ପାଦେ ଶିଷ୍ୟ ବେଶେ

ଶୁଭେ ରହିଲେ ସେହି ଦେଶେ

ଏ ସୃଷ୍ଟି ସାଧିଲେ କେମନ୍ତେ

ଦ୍ୱିତୀୟ ସୃଷ୍ଟି ବେଦମତେ

ସାଧିଲେ ନିଜ କର୍ମ ତନ୍ତ୍ରେ

ଶୁଭେ ପାଳିଲେ ନାନାମତେ

ସେ ସୃଷ୍ଟି ପଦ୍ମ କଳ୍ପ ଅନ୍ତେ

ଯେ କାଳ ବିଷ୍ଣୁର ବ୍ୟାପନ୍ତେ

ମୈତ୍ରେୟ ଉବାଚ

ସେ ମାୟା ବଳେ କ୍ଷୋଭ ପାଇ

ମହତ ରୂପ ସେ ଧରଇ

ରଜ ପ୍ରଧାନ ସେ ତ୍ରିଗୁଣ

କଳ୍ପିଲା ଦୈବର ପ୍ରମାଣ

ସେ ଭୂତ ଆଦି ସେ ମହତ

ଅଙ୍ଗେ ସର୍ଜିଲା ପଞ୍ଚଭୂତ

ଶବଦ ଆଦି ପଞ୍ଚଗଣ

ମିଳିଲେ ସୃଷ୍ଟିର କାରଣ

ସେ ପୁଣି ହୋଇ ଏକ ରୁଣ୍ତ

କଳ୍ପିଲେ ସୁବର୍ଣ୍ଣର ଅଣ୍ଡ

ସେ ଅଣ୍ତକୋଷ ମହାଜଳେ

ପଡ଼ି ଭାସଇ କାଳବଳେ

ସେ ପୁଣି ସହସ୍ର ବରଷେ

ଅଗାଧ ମହାଜଳେ ଭାସେ

ସେ ଅଣ୍ତକୋଷ ମଧ୍ୟେ ହରି

ଶୁଏ ଅନନ୍ତ ଶଯ୍ୟା କରି

ସେ ନାଭିପଦ୍ମ ପଦ୍ମ କୋଷ

ସଲିଳେ ହୁଅଇ ପ୍ରକାଶ

ସେ ପଦ୍ମ ନିଜ ତେଜ ପୁଞ୍ଜେ

ସହସ୍ର ରବି ରତ୍ନ ଗଞ୍ଜେ

ସେ ପଦ୍ମ ମଧ୍ୟେ ସର୍ବ ଜନ୍ତୁ

ପ୍ରକାଶେ ନିଜ କର୍ମ ହେତୁ

ବିରାଜେ ତାର ରୂପ ମଧ୍ୟେ

ଜନ୍ମିଲେ ଜନ୍ତୁ କର୍ମ ସାଧ୍ୟେ

ସେ ପୁଣି ବିଷ୍ଣୁ ଉପଦେଶେ

ସୃଷ୍ଟି ଭଜିଲା ଅଣ୍ତକୋଷେ

କାଳର ବଳେ କୋପମନ

ନିଃଶ୍ୱାସ ଛାଡ଼େ ଘନ ଘନ

ତାର ନିଃଶ୍ୱାସୁଁ ତତକ୍ଷଣେ

ସଂସାର ହିତେ ପଞ୍ଚଗୁଣେ

ତାମିସ୍ର ମହାତମା ତମ

ଅନ୍ଧ ତାମିସ୍ର ମୋହ ନାମ

ଏ ପଞ୍ଚ କର୍ମ ଏକ ମେଳେ

ଜନ୍ମିଲେ ଅନ୍ଧକାର ବଳେ

ଏ ସୃଷ୍ଟି ଦେଖି ତମୋମୟ

ଧାତା ଛାଡ଼ିଲା ନିଜ ଦେହ

ସେ ପିଣ୍ତ ଦେଖି ତମୋଗୁଣେ

ବେଗେ ଧାଇଁଲେ ତତକ୍ଷଣେ

ସେ ଦେହେ ସେହି ସନ୍ଧ୍ୟା ମିଶି

ତମେ ରଜନୀ ପ୍ରାୟ ଦିଶି

କ୍ଷୁଧାତୃଷାର ରାତ୍ରି ବେଳେ

ସେ ସର୍ବେ ମିଳି ଏକମେଳେ

ଥୋକେ କହନ୍ତି ରଖ ରଖ

ଥୋକେ କହନ୍ତି ଭକ୍ଷ ଭକ୍ଷ

ତକ୍ଷଣେ ବ୍ରହ୍ମା ଶୂନ୍ୟେ ରହି

ବୋଇଲେ ତାଙ୍କ ମୁଖ ଚାହିଁ

ଏ ପିଣ୍ଡ ଭକ୍ଷ ହେ ନ ଭକ୍ଷ

ଏଣୁ ହୋଇଲା ଯକ୍ଷରକ୍ଷ

ତୁମ୍ଭେ ଯେ ଯକ୍ଷ-ରକ୍ଷଗଣ

ମୋର ବଚନ ଏବେ ଶୁଣ

ତୁମ୍ଭେ ମୋହର ପ୍ରଜା ହୁଅ

ଏମନ୍ତ କହି ପିତା ମହ

ସର୍ଜିଲା ଅନୁକ୍ଷଣ ଗଣ

ଦେବଙ୍କ ଭୋଗ ଯେ ପ୍ରମାଣ

ତାହାକୁ ଦେଖି ତତକ୍ଷଣେ

ଧାଇଁଲେ ଯକ୍ଷ ରକ୍ଷଗଣେ

ମୈଥୁନ ମୂଳ ସୁଖ ପାଇଁ

ବେଗେ ବିଜୟ ଲୋଭ ବହି

ନିଲ୍ଲର୍ଜ ପଣ ତାହାଙ୍କର

ଦେଖି ହସିଲେ ବେଦବର

ବ୍ରହ୍ମାର ହାସ୍ୟ ଦେଖି କୋପେ

ମିଳିଲେ ବ୍ରହ୍ମାଙ୍କ ସମୀପେ

ଚାହାନ୍ତି କୁପିତ ବଦନେ

ଭୟ ପଶିଲା ବ୍ରହ୍ମା ମନେ

ଶୂନ୍ୟେ ଗୋବିନ୍ଦ ପାଦଧ୍ୟାୟି

କହଇ ଶିରେ କର ଦେଇ

ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ

ତୁ ନାଥ ଆଜ୍ଞା ଦେଲୁ ମୋତେ

ସୃଷ୍ଟି କରଇ ମୋର ବଳେ

ତୋ ଅନୁରୂପେ ଏ ଶୟଳେ

ତୁ ଏବେ ରଖ ଚକ୍ରଧର

ଏମାନେ ମହା ଭୟଙ୍କର

ଏ ଯେବେ ଭକ୍ଷିବେଟି ମୋତେ

କେମନ୍ତେ ଥିବି ଏ ଜଗତେ

ବ୍ରହ୍ମା ବଚନ କର୍ଣ୍ଣେ ଶୁଣି

ବୋଇଲେ ପ୍ରଭୁ ଚକ୍ରପାଣି

ଏ ଜାଣି ମହା ଭୟଙ୍କର

ଏବେ ତୁ ଛାଡ଼ ଏ ଶରୀର

ଶୁଣି ଗୋବିନ୍ଦର ବଚନ

ତକ୍ଷଣେ ଛାଡ଼ିଲା ଜୀବନ

ସେ ଦେହ ସନ୍ଧ୍ୟା ରୂପ ହୋଇ

ରୂପେ ରାକ୍ଷସ ମନ ମୋହି

ଯେ ଅପସରାଗଣ ଥିଲେ

ତାହାଙ୍କୁ ଦେଖି ମୋହ ଗଲେ

ନାନା ଅଳଙ୍କାର ସାଜେଣି

ଚରଣେ ନୂପୁର ବାଜେଣି

ବସ୍ତ୍ରେ ବେଷ୍ଟିତ ରୂପ ଛନ୍ନ

ମୁହୂର୍ତ୍ତେ ବିଷାକ୍ତ ନୟନ

ହୃଦୟେ ତୁଙ୍ଗ ପୟୋଧର

କଟୀ ମେଖଳା ରତ୍ନସାର

ସୁନ୍ଦର ନାସିକା ବିରାଜେ

ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ

ସୁନ୍ଦର ହାସ ମନୋହର

ସୁବିମ୍ୱ ସୁନ୍ଦର ଅଧର

ବସ୍ତ୍ର ଆଚ୍ଛାଦି କଳେବରେ

ପଥେ ରହିଲା ଲାଜଭରେ

ପଥରେ ଦେଖି ତା ବଦନ

ସର୍ବ ହୋଇଲେ ମୋହମାନ

କହନ୍ତି ଏକୁ ଏକ ଚାହିଁ

ଏମନ୍ତେ ଦେଖିଲାତ ନାହିଁ

ନବ ଶରୀର ତ୍ରାହି କର

ରୂପେ-ଲାବଣ୍ୟ ମନୋହର

ଏ ଆମ୍ଭ ମଧ୍ୟେ ମନୋରମେ

ଅକର୍ମ କଲା ପ୍ରାୟ ଭ୍ରମେ

ଏମନ୍ତେ ସନ୍ଧ୍ୟା ରୂପ ଦେଖି

ପ୍ରମଦା ପ୍ରାୟ ଉପଲକ୍ଷ୍ୟି

ନୟନ ଦେଇ ତା ବଦନେ

ଭାବେ ବୁଝନ୍ତି ଅନ୍ୟେ ଅନ୍ୟେ

ହେ ରମ୍ଭା ଉର୍ବଶୀ କଲ୍ୟାଣୀ

ପ୍ରମଦା କୂଳ ଶିରୋମଣି

ବିପ୍ର ଭୋଜନେ ଭଗବାନ

କହ କି କିସ ତୋର ନାମ

ତୋ ରୂପ ଗୁଣେ ହେଉ ଛନ୍ନ

ଆମର ଲଘିଂତ ଲୋଚନ

ତୋହର ରୂପ ଗୁଣ ଗୁଣି

ଆମ୍ଭର ପ୍ରଭା ଅବନ୍ଧଣି

କାହାର ପତ୍ନୀ ତୁ ବୋଲାଉ

କହ ତୁ ଉପୁଜିଲୁ କାହୁଁ

ତୁ ଆମ୍ଭ ପୂର୍ବ ଭାଗ୍ୟବଳେ

ମିଳିଲୁ ଆମ୍ଭର ଛାମୁରେ

କୌତୁକ କ୍ରୀଡ଼ା ତୋ ବଦନ

ରୂପେ ହରିଲୁ ଆମ୍ଭ ମନ

ତୋର ଚରଣ ପଦ୍ମଯୁଗେ

ଗମନେ ଯୁଥର ତରଙ୍ଗେ

ସେ ଗୁଣ ସ୍ତନଭାର ଛନ୍ନେ

ଭଜିବା ପ୍ରାୟେ ଅନୁମାନେ

ଏମନ୍ତେ ସନ୍ଧ୍ୟା ରୂପ ଚାହିଁ

ଯକ୍ଷ ରାକ୍ଷସ ଲୋଭ ବହି

ତକ୍ଷଣେ ନିଜ କାନ୍ତି ତେଜେ

ବ୍ରହ୍ମାର ଶରୀରୁ ବିରାଜେ

ସ୍ୱଭାବେ ବ୍ରହ୍ମା ସେ ଆନନ୍ଦେ

ଗନ୍ଧର୍ବ ଅପସରା ବୃନ୍ଦେ

ବ୍ରହ୍ମାର ଶରୀରୁ ବାହାର

ଯେ ରୂପ ମୋହେ ସୁରନର

ଗନ୍ଧର୍ବ ବିଶ୍ୱାବସୁ ଆଦି

ସୁନ୍ଦର ରୂପରେ ପ୍ରସିଦ୍ଧି

ଆବୋରି ଅପସରା ଗଣେ

ସୁଖେ ରହିଲେ ଜଣେ ଜଣେ

ପ୍ରଥମେ ଆତ୍ମା ତନ୍ତ୍ରେ ଭରି

ଭୂତ ପିଶାଚ ଗଣ କରି

ପଛେ ତାହାଙ୍କ ରୂପ ଦେଖି

ଭୟେ ବୁଜିଲେ ବେନି ଆଖି

ସେ ମୁକ୍ତ କେଶ ଦିଗମ୍ବର

ଦେଖି କମ୍ପିଲେ ସୁରନର

ଭୟ ଅଳସ ତାର ମୁଖେ

ଯେବେ ଏ ପ୍ରାଣୀ ମୋହେସୁଖେ

ସେ ଦେବ ନିଦ୍ରାବଶ ହୋଇ

ପୁଣି ଛାଡ଼ିଲା ନିଜ ଦେହୀ

ପରମେ ରହି ରଜଗୁଣ

ସର୍ଜିଲା ସିଦ୍ଧ ପିତୃଗଣ

ସେ ସିଦ୍ଧ ବିଦ୍ୟାଧର ଗଣେ

ଜାତ ହୋଇଲେ ତତକ୍ଷଣେ

ସ୍ୱଭାବେ ତେଜ ଅନର୍ଗଳା

ତାହାକୁ ଅନ୍ତର୍ଦ୍ଧାନ ହେଲା

କିନ୍ନର କିଂପୁରୁଷ ଗତି

ପୁଣି ସର୍ଜିଲା ପ୍ରଜାପତି

ତକ୍ଷଣେ ତମୋଗୁଣେ ଜାତ

ଯାହାର ତେଜେ ବଳବନ୍ତ

ତାହାକୁ ଚାହିଁ ପ୍ରଜାନାଥ

ସନ୍ତୋଷେ ହୋଇ କୃତ୍ୟ କୃତ୍ୟ

ପୁଣି କଳ୍ପିଲା ମନୋରଥେ

ଆବର ସୃଷ୍ଟି ଭାବ ଯେତେ

ନାରୀ ପୁରୁଷେ କଲେ ମନ

ଯେ ସୃଷ୍ଟି ଉପୁଜେ ମୈଥୁନ

ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ

ବିବୁଧେ ତାର ଯଶ ଗାଇ

କହନ୍ତି ଧନ୍ୟ ବେଦପତି

ସୃଷ୍ଟି ସଞ୍ଚରେ ଦୃଢ଼ମତି

ଅନେକ ତପ ଯହୁଁ କଲା

ଜ୍ଞାନ ଗୋବିନ୍ଦ ଆଜ୍ଞା ଦେଲା

ନିଜ ସାଧନା ତପ ଫଳେ

ଏ ସୃଷ୍ଟି କଲେ ବୁଦ୍ଧିବଳେ

ଏମନ୍ତେ ଶ୍ରୀକୃଷ୍ଣ କାରଣ

ବିଧାତା ରୂପେ ନାରାୟଣ

କହଇ ପୁଣ ପୁଣ ଭାବେ

ତୋର ଭକ୍ତ ଜନର ଲୋଭେ

ଏମନ୍ତେ ଭାଗବତ ବାଣୀ

ମୈତ୍ରେୟ ମୁନି ଆଗେ ଭଣି

ବନେ ପିପ୍ପଳ ବୃକ୍ଷମୂଳେ

ମନୁଷ୍ୟ ରୂପ ତ୍ୟାଗ କଲେ

ସେ କଥା ବ୍ୟାସ ତାଙ୍କ ଆଗେ

ମୁନି କହିଲେ ପ୍ରିୟ ଭାବେ

ହରି ଚରିତ ଭାଗବତ

କହିଲେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ଷ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜ୍ଜନେ

ନାମ ବିଂଶୋଽଧ୍ୟାୟଃ ।

•••

 

ଏକବିଂଶ ଅଧ୍ୟାୟ

 

ବିଦୁର ଉବାଚ

ବ୍ରହ୍ମାର ତହୁଁ ଜାତ ତନୁ

ଯେ ପୂର୍ବେ ସ୍ୱାୟମ୍ଭୂବ ମନୁ

ତାହାର ବଂଶ ଏ ଜଗତେ

କି ରୂପେ ପ୍ରସରିଲା ଯେତେ

ସ୍ୱାୟମ୍ଭୂବର ଦୁଇ ପୁତ୍ର

ଉତ୍ତାନପାଦ ପ୍ରିୟବ୍ରତ

ତେଜେ ପ୍ରଚଣ୍ତ ସେ ବିରାଜେ

ଏ ସପ୍ତଦ୍ୱୀପ ମହୀପୁଞ୍ଜେ

ତାର ଦୁହିତା ଅନୁପମ

ତାହାର ଦେବହୁତି ନାମ

କର୍ଦ୍ଦମ ତାର ନିଜ ପତି

ତିନିଭୂବନେ ଦେବହୁତି

ସେବା କରଇ ଅନୁବ୍ରତେ

ଯେ ଧର୍ମ ପତିବ୍ରତା ମତେ

ସ୍ୱାମୀ ସ୍ୱଭାବେ ଷଡ଼ଭାଗେ

ତାହାର ପୁତ୍ର ଯେତେ ଗର୍ଭେ

ଜନ୍ମିଲେ କହ ମୋ ଅଗ୍ରତେ

ଭୋ ମୁନି ଦୟା ଯେବେ ଚିତ୍ତେ

ସେ ମହାଯତି ମୁନିବର

ଆକୃତି ସଙ୍ଗତେ ବିହାର

ଦକ୍ଷ ଯେ ବ୍ରହ୍ମାପୁତ୍ର ଥିଲେ

ପ୍ରସୂତି କନ୍ୟା ବିଭାଦେଲେ

ସେ ବ୍ରହ୍ମାସୁତ ଋଷିବର

ଯୋଗ ସାଧନେ ନିର୍ବିକାର

ମୁନି ଦୁହିତା ପତି ପାଇ

କେବେହେଁ ସଙ୍ଗ ନ ଛାଡ଼ଇ

ମୈତ୍ରେୟ ଉବାଚ

କର୍ଦ୍ଦମ ରାଇ ବେଦବର

ବୋଇଲେ ତୁ ହୋ ସୃଷ୍ଟି କର

ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ

ମିଳିଲେ ସରସ୍ୱତୀ ତୀରେ

ଘୋର ତପରେ ନିମଜ୍ଜିଲା

ଶୁଣ ହୋ ଯେତେ ତପ କଲା

ଦେବଙ୍କ ଅୟୁତ ବରଷେ

ବସିଲା ଆତ୍ମାର ବିଶ୍ୱାସେ

ତପ ସମାଧି କ୍ରିଡ଼ା ଯୋଗେ

ନିଶ୍ଚଳ ଭକ୍ତି ଅନୁରାଗେ

ତାର ସମୀପେ ହୃଷିକେଶ

ତକ୍ଷଣେ ହୋଇଲେ ପ୍ରକାଶ

ଶୁକ୍ଳ ଶରୀର ଶୂନ୍ୟ ମାର୍ଗେ

ଯେ ରୂପେ ହୋଇ ସତ୍ୟଯୁଗେ

ଶବଦ ବ୍ରହ୍ମ ରୂପ ଧରି

ତେଜେ ଆଦିତ୍ୟ ନୁହେଁ ସରି

ଲୋଚନ ପୁଣ୍ତରୀକ ଦଳ

ସୁନ୍ଦର ଅଳକା କପୋଳ

ବିରାଜେ ବସ୍ତ୍ର ପରିଧାନ

ସ୍ନିଗ୍‌ଧ ମୁଣ୍ଡ ଯେ ଶୋଭାବନ

କିରୀଟ କୁଣ୍ତଳ ବିରାଜେ

ଶଙ୍ଖ କମଳ ଗଦା ସାଜେ

ଚକ୍ର ବିରାଜେ ଦକ୍ଷ କରେ

ତେଜିଣ ଦଶ ଦିଗ ପୁରେ

ସ୍ମିତ ଅଧର ରଙ୍ଗ ବେନି

ବିରାଜେ ନିଜ ତେଜ ଘେନି

ସୁନ୍ଦର ହାସ ମନ ମୋହେ

କୋଟି କନ୍ଦର୍ପ ରୂପ ଶୋହେ

ଗରୁଡ଼ କନ୍ଧେ ଆରୋହଣ

ଅମୂଲ୍ୟ ରତ୍ନ ବିଭୂଷଣ

ସୁରଙ୍ଗ ଅନୁଗ୍ରହ ମୁଖ

ଦେଖନ୍ତେ ହରେ ଭବଦୁଃଖ

ବ୍ରହ୍ମା ବରଷେ ତପଶ୍ରମେ

ଯେ ରୂପେ ବହେ ଉପଶ୍ରମେ

ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ

କୌସ୍ତଭ ମଣି କଣ୍ଠ ମାଝେ

ଶୂନ୍ୟ-ମଣ୍ତଳେ ବିଷ୍ଣୁ ଦେଖି

ଉଠିଲା ଆସନ ଉପେକ୍ଷି

ରୋମ ହରଷେ କଳେବର

ନୟନେ ପୂରେ ଅଶ୍ରୁଜଳ

କରଅଞ୍ଜଳି ଦେଇ ମାଥେ

ଦଣ୍ତ ପ୍ରଣାମ ଭୂମିଗତେ

ଆନନ୍ଦେ ପୂରେ ମନୋରଥେ

ଅନ୍ତରେ ହୁଏ ଗତା ଗତେ

ଭୋ ନାଥ ତୋବ ଦରଶନ

ନିର୍ମଳ କଲା ମୋ ନୟନ

ଯେ ରୂପେ ଦେଖିବାର ଅର୍ଥେ

ଯୋଗ ସାଧନ୍ତି ମୁନି ସନ୍ଥେ

ଭୋ ନାଥ ତୁମ୍ଭର ଚରଣେ

ଜୀବର ପରମ କାରଣେ

ତୋ ପାଦପଦ୍ମ ଆଶ୍ରେ କରି

ଭବ ସାଗରୁ ଯାନ୍ତି ତରି

ଏ ଭାବ ଛାଡ଼ି ଏ ସଂସାରେ

ବିଷୟ ସୁଖ ଆଶ୍ରେ କରେ

ନରକେ ଯାନ୍ତି ସେହି ମତେ

ସେ ତୋତେ ପାଇବେ କେମନ୍ତେ

ସେହି ପ୍ରକାରେ ମନ ମୋର

କଳ୍ପଇ ବିଷୟା ଗୋଚର

ତୋର ଆଦେଶେ ସୃଷ୍ଟି ଧର୍ମେ

କଳ୍ପିତ ଗୃହସ୍ଥ ଆଶ୍ରମେ

ସେ ଗୃହ କର୍ମ ଧେନୁ ପ୍ରାୟେ

କୁଟୁମ୍ବ ଜନ ମନ ମୋହେ

ତୋର ଚରଣ କଳ୍ପଦ୍ରୁମ

କି ଆଶେ ଲଭେ ପ୍ରାଣୀ ଶ୍ରମ

ସେ ଅନୁଗ୍ରହେ ମନୁ ରାଜା

କଳ୍ପିତ ତାହାର ତନୁଜା

ମୁଁ ପୁଣି ସର୍ବ ପ୍ରାଣୀ ହିତେ

ଯେମନ୍ତେ ତୋ ଶରଣାଗତେ

ବଳି ନିବେଦି ଗୃହ ଧର୍ମେ

ଯେମନ୍ତେ ଗମଇ ଆଶ୍ରମେ

ତୋ କଥା ତାପତ୍ରୟ କ୍ଷେତ୍ର

ଏ କଥା ଜଗତେ ବିଖ୍ୟାତ

ତୋ ରୂପ ଗୁଣ ଅବତାର

ନିର୍ମଳ ବହେ ସୁଧା ଧାର

ତୋତେ ଲୋଭିତ ଯାର ଚିତ୍ତ

ସେ ନୁହେଁ କାଳଗ୍ରସ୍ତେ ଗ୍ରସ୍ତ

ତୁ ଏକ ରୂପୀ କ୍ଷୀଣ ଦେହ

ଯୋଗ ମୋହିନୀ ଘୋରମୟ

କରଇ ସୃଷ୍ଟି ସ୍ଥିତି ଅନ୍ତେ

ଯେ ତୋର ଆଜ୍ଞାଘେନି ଖ୍ୟାତେ

ଭୋ ନାଥ ତୋହର ମହିମା

କେ କହିପାରେ ଗୁଣ ସୀମା

ଏମନ୍ତେ ମୁନି ବାକ୍ୟ ଶୁଣି

ଗରୁଡ଼ କନ୍ଧେ ଚକ୍ରପାଣି

ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ

କହନ୍ତି ମୁନି ମୁଖ ଚାହିଁ

ଶ୍ରୀଭଗବାନ ଉବାଚ

ଶୁଣ ହୋ ପ୍ରଜାପତି ସୁତ

ମୁହିଁ ଜାଣଇ ତୋର ଚିତ୍ତ

ତୁ ଯେଣୁ ପୂଜି ମୋ ଚରଣ

କଳ୍ପିଲୁ ସୃଷ୍ଟିର କାରଣ

ତୁ ଏବେ ସାବଧାନେ ଶୁଣ

କହିବା ତହିଁର କାରଣ

ତୋ ପୂର୍ବେ ପଦ୍ମଯୋନି ତନୁ

ସଂଭୂତ ସ୍ୱାୟଂଭୂବ ମନୁ

ଏ ବ୍ରହ୍ମା ବଂଶେ ରାଜା ହୋଇ

ଭୁଞ୍ଜନ୍ତି ସପ୍ତଦ୍ୱୀପା ମହୀ

ତାହାର ସତ୍ୟରୂପା ନାରୀ

ସ୍ୱରୂପେ ଲକ୍ଷ୍ମୀ ରୂପେ ସରି

ସେ ଏକଦିନେ ଏକମତେ

ମୋ ରୂପ ଦେଖିବାର ଅର୍ଥେ

ଏ ତୋର ସମୀପେ ସାକ୍ଷତେ

ମିଳିବେ ବେନିଦିନ ଅନ୍ତେ

ତାର ଦୁହିତା ଦେବହୂତି

ରୂପେ ସମାନ ନୋହେ ରତି

ତାର ବୟସ ରୂପ ଗୁଣେ

ଅପରେ କେ ଅଛି ପ୍ରମାଣେ

ତୋ ରୂପ ଅତି ମନୋହର

କି ତାହା ଅନୁରୂପେ ବଳ

ସେ କନ୍ୟା ସମର୍ପିବ ତୋତେ

ଯେ ବିଧି ବିଧାନ ଉକତେ

ତୁ ମୋ ଚରଣେ ଚିତ୍ତଦେଇ

ଯେତେ ବରଷ ତପ ଧ୍ୟାୟି

ନିରତେ କଲୁ ଆତ୍ମା ଯୋଗ

ଏ ବିଶ୍ୱ ତତ୍ତ୍ୱ ଅନୁଭବ

ମନୁ-ଦୁହିତା ତାର ସଙ୍ଗେ

ନିରତେ ଅଛି ଅନୁରାଗେ

ସେ ତୋର ତୁଲେ କରି ଭାବ

ସତ୍ୱରେ ଗର୍ଭ ପ୍ରସବିବ

ତୋର ସଙ୍ଗତେ ତାର ବୀର୍ଯ୍ୟେ

ଯେ ଅବା ପ୍ରତ୍ୟକ୍ଷ ଉପୁଜେ

ରୂପେ କି ଦେବା ଅନୁପମ

ହୋଇବ ଅନୁଗତ ନାମ

ତୁ ଯେ ମୋହର ଭାବ ଧରି

ଆତ୍ୱା ଇତର ପ୍ରୟ କରି

ଅଶେଷ ଭୂତେ ତୋର ଦୟା

ତୋତେ ନ ଲାଗେ ବିଷ୍ଣୁ ମାୟା

ଆତ୍ମାରେ ଜଗତ ଆବୋରି

ତୁ ଯେ ମୋହର ଭାବଭରି

ତପ ସାଧିଲୁ ଚିରକାଳେ

ମୋହର ସଂସାର ଉଲ୍ଲୋଳେ

ଏଣୁ ମୁଁ ପଶି ତୋହ ବୀର୍ଯ୍ୟେ

ସ୍ୱଭାବେ ବିଷ୍ଣୁ ମହାତେଜେ

ତୋହର ହେତୁ ମୁଁ ସଂଭୁତ

ହୋଇବି ଦେବହୁତି ସୁତ

ଏମନ୍ତ କହି ମୁନି ଆଗେ

ହରି ଗମିଲେ ସ୍ୱର୍ଗମାର୍ଗେ

ମିଳିଲେ ବିନ୍ଦୁ ସରୋବରେ

ନିର୍ମଳ ସରସ୍ୱତୀ କୂଳେ

ଦେଖିଲେ କର୍ଦ୍ଦମ ଶରୀର

ତପ ସାଧନେ ସେ ନିଷ୍ଠୁର

ସେ ନଦୀ ତୀରେ ପୁଷ୍ପ ବନେ

ଗମ୍ଭୀର ପକ୍ଷୀ ନାଦ ସ୍ୱନେ

ଭୃଙ୍ଗ ସମୂହେ ନାଦ ବହେ

ଶୁଭଇ ସାମଗାନ ପ୍ରାୟେ

ଏମନ୍ତେ ଶୁଣ ହୋ ବିଦୁର

ମନୁ ଯେ ବ୍ରହ୍ମାଙ୍କ କୁମର

ସୁବର୍ଣ୍ଣ ଆଚ୍ଛାଦିତ ରଥେ

ଆରୋହି ପାରିଷଦ ଯେତେ

ମଧ୍ୟେ ବସଇ ଦେବହୂତି

ବିଦୁର ମନେ କଲା ଭ୍ରାନ୍ତି

ଏମନ୍ତେ ବିଦୁରର କୋଳେ

ବିଷ୍ଣୁ ମିଳିଲେ ଋଷିମେଳେ

ଦେଖି ତାହାଙ୍କ ଭକ୍ତି ଭାବ

ତନୁ ପୁଲକେ ପଦ୍ମନାଭ

ସ୍ୱଭାବେ ଭକ୍ତଜନ ବନ୍ଧୁ

ନୟନେ ଅଶ୍ରୁ ଜଳ ବିନ୍ଦୁ

ପଡ଼ିଲା ସରସ୍ୱତୀ ତୀର

ତେଣୁ ବୋଇଲା ବିନ୍ଦୁସର

ପୁଣ୍ୟ ପବିତ୍ର ସୁଦ୍ଧ ଜଳ

ସ୍ୱଭାବେ ନିର୍ମଳ ଶୀତଳ

ସେ ଜଳ ବିଷ୍ଣୁର ଚରଣେ

ସେବା କରନ୍ତି ମୁନି ଗଣେ

ପୁଣ୍ୟ ପବିତ୍ର ବୃକ୍ଷ ଡ଼ାଳେ

ନାଦ କରନ୍ତି ପକ୍ଷୀମେଳେ

କ୍ରୀଡ଼ନ୍ତି ନାନା ବନଜୀବେ

ଗଭୀର ଶୁଭେ ରଙ୍ଗ ଭାବେ

ସକଳ ଋତୁ ଫଳ ଯହିଁ

ପୁଷ୍ପ ପଲ୍ଲବ ବିରାଜଇ

ଶତ ମୟୂର ଯୁଥ ଯୁଥ

କୋକିଳ ରାବ ସୁଲଳିତ

କଦମ୍ବ ଚମ୍ପକ ଅଶୋକ

ନାଗେଶ୍ୱର ଯେ କୁରୁବକ

କରଞ୍ଜ ପସନ ଅସନ

କୁନ୍ଦ ମନ୍ଦାର ଚୂତବନ

ସାରସ ଚକ୍ରବାକ ବାଣୀ

ଅତି ଗମ୍ଭୀର ପରିମାଣି

ଗୟଳ ସଲଭ କୁଞ୍ଜର

କୁରଙ୍ଗ ହରିଣ ଶୂକର

ବାନର ଗୋଲାଙ୍ଗୁଳ ସାଜେ

ବକୁଳ କସ୍ତୁରୀ ବିରାଜେ

ସେ ତୀର୍ଥବରେ ଆଦି ରାଜା

ରଥେ ମିଳିଲେ ମହାତେଜା

କଳତ୍ର ଦୁହିତା ସମେତେ

ପ୍ରବେଶ କଲା ରତ୍ନ ପଥେ

ଦେଖିଲା ମୁନିଙ୍କ ବଦନ

ସ୍ୱଭାବେ ତେଜ ହୁତାଶନ

ସ୍ୱଭାବେ ଘୋର ତପ ତେଜେ

ସୁନ୍ଦର ଶରୀର ବିରାଜେ

ବିଷ୍ଣୁ ଜନ୍ମିବେ ତା ଶରୀରେ

ସୁନ୍ଦର କେତେକ ମାତରେ

ବିଷ୍ଣୁ ଗମ୍ଭୀର ସାଧୁ ବାଣୀ

ସେ ମୁନି କର୍ଣ୍ଣ ପଥେ ଶୁଣି

ରୋମ ପୁଲକ କଳେବର

ନେତ୍ରେ ଆନନ୍ଦ ଅଶ୍ରୁଧାର

ଶିରେ ସୁନ୍ଦର ଶୋହେ ଜଟା

ବସନ ବେଷ୍ଟିତ କାଛଟା

ଶ୍ୱାନ ଶୂକର ଶୋହେ ଗାତ୍ରେ

ହାସର ପ୍ରାୟେ ଅସମ୍ଭୁତେ

ରଥ ଉପରୁ ଅବତରି

ମୁନି ସମୀପେ ଦଣ୍ତଧାରୀ

ମିଳିଲା ଯୋଡ଼ି ବେନିପାଣି

ଦେଖି ଉଠିଲେ ବେଗେ ମୁନି

ବସାଇ ପୂଜିଲେ ଆସନେ

କହନ୍ତି ଅମୃତ ବଚନେ

ତୋର ଗମନ ନୃପବର

ଏ ଯଶ ଆଶ୍ରମ ମୋହର

ରାଜା କୁମର ପ୍ରଶ୍ନ ଶୁଣି

ସନ୍ତୋଷେ ପୂଜି ବିପ୍ରମଣି

ବିଷ୍ଣୁ ଆଦେଶେ ଚିତ୍ତେ ଶୁଣି

ରାଜା ଆଦେଶେ ଚାହିଁ ଭଣି

ଆନନ୍ଦେ ଉଲ୍ଲୋଳ ଲୋଚନେ

କହନ୍ତି ଅମୃତ ବଚନେ

ତୁମ୍ଭ ଭ୍ରମଣ ଏ ଜଗତେ

ସାଧୁଜନ ରକ୍ଷଣ ଅର୍ଥେ

ଅସାଧୁ ଜନ ବିନାଶନେ

ନିଶ୍ଚଳ ଧର୍ମର ସ୍ଥାପନେ

ଏ ଦୁଷ୍ଟ-ଦିଗପାଳ ତେଜ

ଏଣୁ କ୍ଷତ୍ରିୟ ଅଷ୍ଟଭୁଜ

ଦିଗପାଳଙ୍କ ତେଜ ଧରେ

ଅସାଧୁ ଜନ ଗର୍ବ ହରେ

ଘୋର-ଗର୍ଜନ ଅନ୍ୟ ଭାବେ

ଉଦ୍ଦଣ୍ତ ସ୍ୱର୍ଗେ ମତ୍ତଗର୍ବେ

ବେଷ୍ଟିତ ଚତୁରଙ୍ଗ ବଳ

ତୋ ଭ୍ରମ ଅବନୀ ମଣ୍ତଳ

ସୁଜନ ପ୍ରାୟେ ତେଜ ଧରି

ଗିରି କାନନେ ବ୍ରହ୍ମଚାରୀ

ଶତ୍ରୁ ବିନାଶେ ଅବଧାନ

ରାଜାର ଧର୍ମ ଏ ସମାନ

ଏହା ନ କରି ଯେବେ ଘରେ

ଶୁଖେ ଶୟନ ନିଦ୍ରା କରେ

ତେବେ ଆନନ୍ଦ ରିପୁ ବଳ

ନାଶନ୍ତି ଅବନୀ ମଣ୍ତଳ

ତଥାପି ଶୁଣ ହେ ରାଜନ

ଯେ ଆଦି ତୁମ୍ଭ ଆଗମନ

ତୁମ୍ଭର ପ୍ରିୟ ଭାବ ବହି

ସୁହୃଦ ଭାବେ ପଚାରଇ

ଏମନ୍ତ କହି ରାଜା ଆଗେ

କର୍ଦ୍ଦମ ରହି ସ୍ତମ୍ଭୀଭାବେ

କୃଷ୍ଣର ବଚନ ସୁମରି

ଅଧିକ ପ୍ରିୟ ଭାବ କରି

ସେ ମୁନି ଚରଣ ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କର୍ଦ୍ଦମ ମୁନିଶିଷ୍ୟ

ସମ୍ୱାଦେ ନାମ ଏକବିଂଶୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

ଦ୍ୱାବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ ମନୁ ଗୁଣଗ୍ରାମ

ଆନନ୍ଦେ ବନ୍ଦିଲେ କର୍ଦ୍ଦମ

ତାହାର ବଦନ ଅନାଇ

ରାଜା ସଲଜ୍ଜ ଚିତ୍ତେ କହି

ମନିରୁବାଚ

ବ୍ରହ୍ମାର ମନରୁ ସମ୍ଭୁତ

ତୁମ୍ଭେ ସ୍ୱଭାବେ ପ୍ରଜାନାଥ

ଏଣୁ ପବିତ୍ର ତୁମ୍ଭ ଦେହ

ସ୍ୱବିଦ୍ୟା ତପ ଛନ୍ଦମୟ

ଯୋଗ ସାଧନେ ଅଙ୍କଗତ

ତୁମ୍ଭ ସାଧନେ ବାକ୍ୟମତ

ଏ ସର୍ବ ଧର୍ମ ରକ୍ଷା ଅର୍ଥେ

ସେ ପିତାମହ ଏ ଜଗତେ

ସହସ୍ର ଭୁଜ ତେଜ ଘେନି

ସୃଷ୍ଟି ପାଳନେ ପଦ୍ମଯୋନି

ଏ ବେନି ତେଜେ ବ୍ରହ୍ମା ରହେ

ଧର୍ମ ପାଳନେ ତେଜ ବହେ

ଏଣୁ ତୁମ୍ଭର ଦରଶନେ

ସଂଶୟ ନ ରହଇ ମନେ

ଏଥୁ ଅନେକ ଭାଗ୍ୟ ମୋର

ଦେଖିଲି ତୁମ୍ଭର ଶରୀର

ତୁମ୍ଭର ଅନୁଶିକ୍ଷା ପାଇ

ପବିତ୍ର କଲି ନିଜ ଦେହୀ

ତୁମ୍ଭର ବାକ୍ୟ କର୍ଣ୍ଣ ପଥ

ମିଥ୍ୟା ଅଟଇ ଏ ଜଗତ

ଏ ମୋ ଦୁହିତା ସ୍ନେହବତୀ

ଇଚ୍ଛଇ ଅନୁରୂପ ପତି

ବେଗେ ମୋହର ଦୁଃଖମନେ

କହିବି ଶୁଣ ସାବଧାନେ

ମୋହର ଜ୍ୟେଷ୍ଠ ବେନିସୁତ

ଉତ୍ତାନପାଦ ପ୍ରିୟବ୍ରତେ

ତାଙ୍କ ଭଗିନୀ ଏ ସୁମୁଖୀ

ଏ ଦେବହୂତି ଚନ୍ଦ୍ରମୁଖୀ

ଏହାର ଗୁଣଶୀଳ ସମେ

ପତି ଇଚ୍ଛଇ ନିଜ ଧର୍ମେ

ତୁମ୍ଭର ରୂପ ଗୁଣ ଯେତେ

ନାରଦେ ଏହାର ଅଗ୍ରତେ

କହିଲେ ମୋହର ସାକ୍ଷାତେ

ତେଣୁ କଳ୍ପିଲା ଏହା ଚିତ୍ତେ

ମୁଁ ଏବେ ସମର୍ପିବା ଅର୍ଥେ

ଘେନି ମିଳିଲି ତୋ ଅଗ୍ରତେ

ତୁ ଧର୍ମଜ୍ଞାନୀଙ୍କର ସାର

ଗୃହ ଆଶ୍ରମ ଧର୍ମ କର

ଏଣେ ତୋ ପ୍ରତିବାଦୀ ନାହିଁ

ପୁଷ୍କର ଧର୍ମ ଏହା କହି

ଉଦ୍ୟମ ଧର୍ମ ଏହା ଛାଡ଼ି

ଯୋଗାନ୍ତେ ଭିକ୍ଷୁ ପଥମାଡ଼ି

ଉଭୟ ଲୋକ ତାର ନାହିଁ

ସେ ପୁଣି ସ୍ତମ୍ଭୀବେଟି କାହିଁ

ତୁମ୍ଭର ଗୃହ ଧର୍ମାଧର୍ମ

ଦେଖ ଯେ ଶୁକ୍ଳ ସ୍ତ୍ରୀ ଉତ୍ତମ

ଏ ଦେବହୂତି କନ୍ୟା ମୋର

ବେଦ ପ୍ରମାଣେ ବିଭା କର

କର୍ଦ୍ଦମ ଉବାଚ

ତୁମ୍ଭର ଆଜ୍ଞା ଶିରେ ଧରି

ଏ ଦେବହୂତି ବିଭା କରି

କରିବି ଦାର ପରିଗ୍ରହ

ତୁମେ ମୋହର ସ୍ନେହ ବହ

ଏମନ୍ତେ ଦ୍ୱିଜ ବାକ୍ୟ ଶୁଣି

ସନ୍ତୋଷ ଚିତ୍ତେ ରାଜାରାଣୀ

ମୁନିଙ୍କୁ ଦରଶନ କରି

ବେଦବିଧାନେ ବିଭା ସାରି

ବିବାହ ଦେଇ ସେ ଉତ୍ସୂକ

ଅନେକ ଦେଲା ଯଉତୁକ

ଅମୂଲ୍ୟ ବସନ କାଞ୍ଚନ

ଗୃହ ପୁଷ୍କର ଗୃହମାନ

ସକଳ ଦେଇ ବେନି ଜନେ

ଗଲେ ସେ ଆପଣା ଭୁବନେ

ଆନନ୍ଦ ଚିତ୍ତେ ଦଣ୍ତଧାରୀ

ମୁନିଙ୍କୁ ଆଲିଙ୍ଗନ କରି

କଣ୍ଠେ ହୃଷିତ ଅଶ୍ରୁ ମୁଖେ

ବହୁତ ସ୍ନେହଭର ସୁଖେ

ମୁନିଙ୍କୁ କନ୍ୟାଦାନ ଦେଇ

ଆନନ୍ଦେ କୃତ୍ୟ କୃତ୍ୟ ହୋଇ

ରଥ ଆରୋହି ବେନିଜନେ

ଗଲେ ସେ ଆପଣା ଭୁବନେ

ଯେ ବେନି ଋଷି କଳ୍ପତଟେ

ଅଶେଷ ମୁନିଙ୍କ ନିକଟେ

ପର୍ଣ୍ଣ କୁଟୀର ସେ ଭିଆଇ

ସେ ନଦୀ ତୀରେ ସୁଖେ ରହି

ବିଷ୍ଣୁ ଭଜିଲେ ଯଜ୍ଞ ଦାହି

ବିଷ୍ଣୁର ପାଦେ ଚିତ୍ତ ଦେଇ

ବୁଦ୍ଧି ସମ୍ପାଦି ନିଜ ସ୍ଥାନେ

ମନୁ ରହିଲେ ସେ ଭୂବନେ

ପୁର ନିର୍ମିତ କୁଶ ଘାସେ

ସେ ସ୍ଥାନେ ତାପ କ୍ରୟ ନାଶେ

ଏ ଗୃହେ ପତି ସଙ୍ଗେ ନେଇ

ସନ୍ତତି ଅର୍ଥେ ପ୍ରିୟ ବହି

କଳ୍ପିତ ସୁଖ ଯେ ବୈରାଗ୍ୟ

ପ୍ରଜାର ଅର୍ଥେ ରତି ରଙ୍ଗ

ସୁସ୍ୱର ନାଦେ ଗୀତ ଧ୍ୱନି

ଗନ୍ଧର୍ବେ ନାରୀ ବୃନ୍ଦ ଘେନି

ସଙ୍ଗୀତଗଣ ବୀଣା ନାଦେ

ଲଳିତ ଗୀତ ଅନୁବନ୍ଧେ

ପ୍ରତି ଦିବସ ପୁତ୍ର ଅର୍ଥେ

ବିଷ୍ଣୁ ଚରିତ ହୃଦଗତେ

କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି

ଚିତ୍ତେ ଗୋବିନ୍ଦ ଭାବ ଭରି

ନିରତେ ବିଷ୍ଣୁଭାବ ଆଶେ

ସେ ବେନିଜନ ଗୃହ ବାସେ

ବିଷ୍ଣୁ ଚରିତ ହୃଦେ ଧରି

ନାମ ଶ୍ରବଣେ ଆଶ୍ରେ କରି

ଏମନ୍ତେ ନିଜ ମନ୍ୱନ୍ତରେ

ସେ ଯୁଗ ପ୍ରସନ୍ନ ବେଭାରେ

ଏକ ସନ୍ତତି ଚତୁର୍ଯୁଗେ

ଯେ ଭାବ ଜନ୍ମାନ୍ତର ଭାବେ

ଏମନ୍ତ ରତି ଭାବ କରି

ତୃତୀୟ ତାପୁଁ ଏ ସୁମରି

 

 

 

 

ମୈତ୍ରେୟ ଉବାଚ

ଶୁଣ ବିଦୁର ପୁଣ୍ୟ ଦେହା

କହିଲୁଁ ପଚାରିଲୁ ଯାହା

ସେ ଅଷ୍ଟରାଜାଙ୍କର କଥା

ଶୁଣନ୍ତେ ତୁଟେ ଭବ ବ୍ୟଥା

ଏଣୁ ଏ ଅନାଦି କାରଣ

ଏବେ ହେ ମନୁଗଣେ ଶୁଣ

ତୃତୀୟ ସ୍କନ୍ଧେ ଭାଗବତ

କହିଲା ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କର୍ଦ୍ଦମ ଋଷି ଚରିତେ

ନାମ ଦ୍ୱାବିଂଶୋଽଧ୍ୟାୟଃ ।

•••

 

ତ୍ରୟୋବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଏମନ୍ତେ କନ୍ୟା ବିଭା ଦେଇ

ମନୁ ଯେ ଗଲେ ପଥ ବାହି

ଦୃଢ଼େ ରହିଲେ ତପସ୍ଥାନେ

ସେ ନଦୀ ତୀରେ ପୁଷ୍ପ ବନେ

ଏବେ ହୋ ଶୁଣ କୁରୁନାଥ

କର୍ଦ୍ଦମ ମୁନୀଙ୍କ ଚରିତ

ଏହାଙ୍କ ପତ୍ନୀ ଦେବହୂତି

ସୁଗୁଣ ସୁନ୍ଦର ସୁମୂର୍ତ୍ତି

ସ୍ୱାମୀର ସେବା ଜାଣେ ନିତ୍ୟେ

ସେବା କରଇ ସେ ନିରତେ

ଈଷତ ମାର୍ଗେ କାର୍ଯ୍ୟ ବହେ

ଭବାନୀ ହର ସେବା ପ୍ରାୟେ

ବିଶ୍ୱାସ ଆତ୍ମ-ଶୌଚ ଧର୍ମେ

ଧୀର ଗୌରବ ତପ ଦମେ

ବର୍ଜିତ କାମ ଦ୍ୱେଷ ହିଂସା

ଲୋଭ ନ ଥାଇ ମିଥ୍ୟା ଭାଷା

ଏମନ୍ତେ ଦେବହୂତି ଚାହିଁ

ମୁନି ସାନନ୍ଦେ ସ୍ନେହ ବହି

ପତି ଦେବତାର ଆଶ୍ୱାସେ

ନିରତେ ସେବା ସ୍ୱାମୀ ପାଶେ

ଏମନ୍ତ ପତିବ୍ରତା ଧର୍ମ

ଦେଖି ବିଚାରଇ କର୍ଦ୍ଦମ

ଏ ପତିବ୍ରତାଙ୍କର ସାର

ସମ୍ପୂର୍ଣ୍ଣ ସୁଶୀଳ ଗମ୍ଭୀର

ଏମନ୍ତ ଗୁଣ ମନେ ଗୁଣି

ସେ ପ୍ରେମେ ଗଦଗଦ ବାଣୀ

ନିଜ କାମିନୀ ମୁଖ ଚାହିଁ

କର୍ଦ୍ଦମ କହେ ପ୍ରେମ ବହି

ଶୁଣ ସୁନ୍ଦରୀ ମୋ ବଚନ

ମୋର ବିଷୟେ ତୋର ମନ

ଦେଖି ସନ୍ତୋଷ ମୋର ଚିତ୍ତ

ତୁମ୍ଭ ଦୁରିତ ମୋର ଗତ

ପ୍ରାଣୀଙ୍କ ମଧ୍ୟେ ନର ଦେହ

ସୁହୃଦ ମଧ୍ୟେ ଅତି ସ୍ନେହ

ସେ ଦେହେ ତୋର ଯତ୍ନ ନାହିଁ

ମୋ ପରିଚେଷ୍ଟେ ମନ ଦେଇ

ସୁଧର୍ମ ତପ ପ୍ରାଣୀଙ୍କର

ତପ ସମାଧି ବିଦ୍ୟାସାର

ସୁହୃଦ କର୍ମ ଆତ୍ମା ଧ୍ୟାନେ

ଜୀବ କହଇ ତତ୍ତ୍ୱଜ୍ଞାନେ

ସେ ଧର୍ମ ଗୋବିନ୍ଦ ପ୍ରସାଦେ

ମୁଁ ଯେ ସାଧିଲି ନିରାପଦେ

ଏ ସର୍ବ ତୋହର ଦୁଃସାଧ୍ୟ

ତୁ ଏବେ ଭୁଞ୍ଜେ ବିଷ୍ଣୁପଦ

ଅଧିକ ଗୁଣ କେବା କହି

ସର୍ବ ସମ୍ପଦ ଯେଣୁ ପାଇ

ସେ ହରି-ଚରଣ ପଙ୍କଜେ

ନିର୍ମଳ ଚିତ୍ତେ ଯେବା ଭଜେ

ଏମନ୍ତ କର୍ଦ୍ଦମ ବଚନେ

ସେ ଦେବହୂତି ତୋଷମନେ

ଦେବହୂତି ଉବାଚ

ଭର୍ତ୍ତା ବଦନ ଚାହିଁ କହେ

ଗମ୍ଭୀର ବାକ୍ୟେ ସୁଧାମୟେ

ଭୋନାଥ ତୋହର ପ୍ରସାଦେ

ତୁମ୍ଭ ଚରଣ ଅପ୍ରମାଦେ

ନିରତେ ହେଉ ମୋର ସେବା

ପ୍ରସନ୍ନେ ମୋତେ ଆଜ୍ଞା ଦେବା

ତୁମ୍ଭେ ମୋହାର ତୁଲେ ଏବେ

ଗୃହସ୍ଥ ଧର୍ମ ପ୍ରିୟ ଭାବେ

ଅତୁଲ୍ୟ ଧର୍ମ ଭୋଗ କର

ଯେ ଧର୍ମ କାମଧେନୁ ସାର

ଏମନ୍ତେ ପତ୍ନୀର ବଚନ

କର୍ଦ୍ଦମ ଶୁଣି ତୋଷମନ

ମୈତ୍ରେୟ ଉବାଚ

ପ୍ରିୟ କଳତ୍ର ମନ ଜାଣି

ଚିତ୍ତେ ବିଚାରି ବିପ୍ରମଣି

ବିଶ୍ୱକର୍ମାଙ୍କୁ ମନେ ସ୍ମରି

ବିମାନେ ତପ ବଳେ କରି

ଯହିଁ କଳ୍ପିତ ବସୁ ପୁତ୍ର

ଅଶେଷ କର୍ମେ ସେ ନିର୍ମିତ

ସକଳ ଋତୁ ପୁଷ୍ପ ଫଳ

ମଣି ନିର୍ମିତ ସ୍ତମ୍ଭ ଠୁଳ

ସୁଗନ୍ଧ ପୁଷ୍ପ ମାଳେ ମାଳେ

ଯେ ରଥେ ଲମ୍ବେ ପୂର୍ଣ୍ଣହେଳେ

ଗଭୀର ଭୃଙ୍ଗନାଦ ଶୋହେ

ପାଟ ବସନ ମନ ମୋହେ

ଉପରେ ରତ୍ନ ନୀଳମଣି

ବିରାଜେ ରବି ତେଜ ଜିଣି

ସେ ରତେ ସୁବର୍ଣ୍ଣ ପଲ୍ୟଙ୍କ

ରଙ୍ଗେ ବିରାଜେ ସେ ତ୍ରିଲୋକ

ବିଶ୍ୱକର୍ମାର ଶିଳ୍ପୀପଣ

ସେ ରଥେ ଦେଖେ ପୁଣ ପୁଣ

ମହାମର୍କତ ସ୍ତମ୍ଭ ଯହିଁ

ବିଦ୍ରୁମ-ବେଦୀ ବିରାଜଇ

ଯେ ଦ୍ୱାରେ ବିଦ୍ରୁମ ଶାଙ୍କୋଳା

ହୀରା କବାଟ ଯହିଁ କିଳା

ବାମେ ଦକ୍ଷିଣେ ପୂର୍ଣ୍ଣକୁମ୍ଭେ

ଲାଗିଛି ଅଷ୍ଟରତ୍ନ ଖମ୍ୱେ

ଶ୍ୱେତ ହଂସ କବଚ ମତ

ପଦ କରନ୍ତି ନାନା ମତ

ବିମାନ ଶିଖେ ଜ୍ୱାଳାବନ୍ଧେ

ଶୁଦ୍ଧ ସ୍ୱଭାବ ଦୀପଗନ୍ଧେ

ବିରାଜ ସ୍ଥାନ ସୁରଗଣ

ସୁବର୍ଣ୍ଣ ନିର୍ମିତ ପ୍ରମାଣ

ନାନାଦି ଶୋଭା ସ୍ଥାନ ଶୋହେ

ଦେଖି ଦେବଙ୍କ ମନ ମୋହେ

ଏମନ୍ତ ବିଷ୍ଣୁ ପୁର ଯହିଁ

ତୋଷ ନ ଲଭେ ନେତ୍ର ଦୁଇ

ନାନା ବିଚିତ୍ର କାନ୍ଥ ଭିତ୍ତି

ଦେଖି ସନ୍ତୋଷ ଦେବହୂତି

କର୍ଦ୍ଦମ ମୁନି ପତ୍ନୀ ଚାହିଁ

ଅମୃତ ବଚନ କହଇ

ସେ ସର୍ବ ପ୍ରାଣୀ ହିତ ଜାଣେ

ତପ ସମାଧି ବିଦ୍ୟା ଗୁଣେ

ସୁନ୍ଦରୀ ଶୁଣ ମୋ ବଚନ

ଏ ତୀର୍ଥେ ତୋଷେ କର ସ୍ନାନ

ଏ ରଥେ ସୁଖେ ବିଜେକର

ଚିତ୍ତେ ଗୋବିନ୍ଦ ପାଦ ସ୍ମର

ସୁଖ ନିମିତ୍ତ ତୀର୍ଥ ଏହି

ପ୍ରାଣୀଙ୍କି ଶୁଭ ଫଳ ଦେଇ

ଏମନ୍ତେ ସ୍ୱାମୀର ବଚନେ

ସେ ଦେବହୂତି ଶୁଦ୍ଧମନେ

ଦିରଜ ବସ୍ତ୍ର ପରିଧାନ

ହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ

ଶିରେ ଶୋଭିତ ଜଟା ବେଣୀ

ସୁଗନ୍ଧ ଗନ୍ଧ ଲେପ ଆଣି

ପଶିଲା ସରସ୍ୱତୀ ନୀରେ

ଯେ ନୀର ସର୍ବ ପାପ ହରେ

ତକ୍ଷଣେ ସରୋବର ଜଳେ

ସହସ୍ର କନ୍ୟା ଏକ ମେଳେ

ଉଠିଲେ ଦିବ୍ୟ ରୂପ ଧରି

ଜୟ ଶବଦ ମୁଖେ ଭରି

ରୂପେ କି ଦେବା ପଟ୍ଟାନ୍ତର

ମୋହନ୍ତି ବ୍ରହ୍ମା ଶିବ ସୁର

କିଶୋର ବୟସେ ଆନନ୍ଦ

ବାସନ୍ତି ନୀଳୋତ୍ପଳ ଗନ୍ଧ

କନ୍ୟାଏ ଉଠି ଜଳତଟେ

ସେ ଦେବହୂତିର ନିକଟେ

କପୋଳେ ଦେଇ ବେନିକର

ସ୍ୱଭାବେ କହନ୍ତି ମଧୁର

ଆମ୍ଭେ ତୋହର ଦାସୀଗଣ

ସେବିବୁ ତୋହର ଚରଣ

ଦେଖ ଆମ୍ଭର ଦିବ୍ୟ ଦେହ

କିସ କରିବୁ ଆଜ୍ଞା ଦିଅ

ଏମନ୍ତେ କହି କନ୍ୟାଗଣେ

ସେ ଦେବହୂତିର କାରଣେ

ତକ୍ଷଣେ ନମସ୍କାର କରି

ସର୍ବେ ହୋଇଲେ ଚାରି ଚାରି

ସୁଗନ୍ଧ କନ୍ୟା ଅଙ୍ଗେ ବୋଳି

ଆନନ୍ଦେ ଦେଲେ ହୁଳହୁଳୀ

ସ୍ନାନ କରାଇ ଗଙ୍ଗା ନୀରେ

ମଣ୍ତିଲେ ନାନା ଉପହାରେ

ନୂତନ ବସ୍ତ୍ର ଯୁଗ ଦେଲେ

ବିବିଧ ଅଳଙ୍କାର ତୁଲେ

ଅମୂଲ୍ୟ ହାର ରତ୍ନ ପନ୍ତି

ଚନ୍ଦ୍ର କିରଣେ ଝଟକନ୍ତି

କର୍ପୁର ସୁଗନ୍ଧ କୁଙ୍କୁମ

ହୃଦରେ ଲେପେ ସ୍ନେହମନ

ଅନ୍ନ ବ୍ୟଞ୍ଜନ ଷଡ଼ରସେ

ଭୋଜନ କରାନ୍ତି ସନ୍ତୋଷେ

ସୁବାସ ଜଳେ ଆଚମନ

କରାଇ ସୁମୁଖ ବାସନ

ଉତ୍ତମ ଶଯ୍ୟାରେ ବସାଇ

ଦର୍ପଣ ସମର୍ପିଲେ ନେଇ

ଦର୍ପଣେ ଚାହିଁ ମୁଖ ଶୋଭା

ଶିରେ ଖୋଷିଲେ ପୁଷ୍ପଗଭା

ଦୁର୍ବା ଅକ୍ଷତ ଗନ୍ଧ ଆଣି

ଆଶିଷ କନ୍ୟାଗଣ ଭଣି

ଏମନ୍ତେ ସର୍ବ ପରିବାରୀ

ସୁଲଗ୍ନେ ଶୁଦ୍ଧ ସ୍ନାନ କରି

କଣ୍ଠେ ଲମ୍ୱାଇ ରତ୍ନହାର

ହରଷେ ଖଞ୍ଜିଲେ ନୂପୁର

କଟି ଶୋଭିତ କାଞ୍ଚି ଦାମ

ହୃଦେ କାଞ୍ଚଲା ଅନୁପମ

ଅମୂଲ୍ୟ ହାର ହୃଦେ ଶୋହେ

ରୂପେ କାମିନୀ ଜନ ମୋହେ

ସୁଧା ବଚନେ ସୁଧା ହାସ

ଅପାଙ୍ଗେ ମୋହନ ସଦୃଶ

ଲଲାଟେ ସୁନୀଳ କୁନ୍ତଳା

ସୁନ୍ଦର ପଦ୍ମ କୋଷ ବଳା

ଏମନ୍ତେ ରୂପ ଶୋଭା ଯେବେ

ସ୍ୱାମୀ ସ୍ମରଣ କରେ ତେବେ

ରୂପ ମୋହନ ପ୍ରିୟ ଭାବେ

ବାକ୍ୟ କହନ୍ତି ଶିଖିରାବେ

ତକ୍ଷଣେ କନ୍ୟାଗଣ ତୁଲେ

ଋଷିର ସମୀପେ ମିଳିଲେ

ସ୍ୱାମୀର ଯୋଗ ଗାତ୍ର ଦେଖି

ସତ୍ୟ ଶଉଚ ଅଧୋମୁଖୀ

ସଂଶୟ ଗତି ତାର ମନେ

ମୁନି ଜାଣିଲେ ଯୋଗ ଧ୍ୟାନେ

ତକ୍ଷଣେ ଧରି କନ୍ୟା ହସ୍ତ

ମୁନି ଆରୋହୀ ଦିବ୍ୟରଥ

ସହସ୍ର ନାରୀଗଣ ମଧ୍ୟେ

ଉର୍ଦ୍ଧ୍ୱେ ଗମନ ବିଷ୍ଣୁପାଦେ

ସ୍ୱର୍ଗେ ଦେଖନ୍ତି ସୁରଦେବା

କି ପଟ୍ଟାନ୍ତର ଆମେ ଦେବା

ଯେସନେ ତାରାଗଣ ମଧ୍ୟେ

ଚନ୍ଦ୍ର ବିରାଜେ ଶୂନ୍ୟ ଉର୍ଦ୍ଧ୍ୱେ

ଦେଖନ୍ତି ଦଶ ଦିଗପାଳେ

ବିମାନପନ୍ତି ଅନ୍ତରାଳେ

ଗିରି ପର୍ବତ ଘୋର ବନେ

ସିଦ୍ଧ କିନ୍ନର କ୍ରିୟା ସ୍ଥାନେ

ପୁଷ୍ପ କାନନ ଅଧିଦେଶେ

କାମ ବିମାନ କି ପ୍ରକାଶେ

ଉଦାର ଚିତ୍ତ ପ୍ରାଣୀଙ୍କର

କି ଅବା ସମ୍ପଦ ଅଗୋଚର

ଏମନ୍ତେ ଦଶ ଦିଗ ଭ୍ରମି

ପଥିକ ପ୍ରାୟ ପଥ ଶ୍ରମୀ

ପୁଣି ମିଳିଲେ ନିଜ ଘରେ

ଗୃହସ୍ଥ ଧର୍ମର ବେଭାରେ

ସେ ମୁନି ତପେ ଅନର୍ଗଳା

ଆତ୍ମାକୁ ନବରୂପ କଲା

ପତ୍ନୀ ସଂଯୋଗ ବହୁ କାମୀ

ଅନେକ ସମ୍ବତ୍ସର ରମି

କେବେହେଁ କାମ ନ ପୂରିଲା

ମୁହୂର୍ତ୍ତ ପ୍ରାୟ ଦିନ ଗଲା

ଏମନ୍ତ ଯୋଗ ଅନୁଭବେ

ରମିଲେ ଦମ୍ପତି ସ୍ୱଭାବେ

ଶତେ ବରଷ ବେଦ ମତେ

ସୁଚିତ୍ତେ ରମିଲେ ନିଶ୍ଚିନ୍ତେ

ସେ ଦେବହୂତି ଗର୍ଭ ଗତେ

ଗର୍ଭ ଧରିଲା ଶୁଭ ରାତ୍ରେ

ନବ କୁମାରୀ ଉପୁଜିଲା

ଶୁଭ ମଙ୍ଗଳ ଲଗ୍ନ ହେଲା

ଏମନ୍ତେ ନବ କନ୍ୟା ଚାହିଁ

ସେ ଦେବହୂତି ବିଚାରଇ

ଏ କି ଅଦ୍ଭୁତ ଗର୍ଭ ମୋର

ଦଇବ କର୍ମ ବଳିଆର

ଏମନ୍ତ ମୁନି ପାଶେ ଯାଇ

ରହିଲା ଅଧୋମୁଖ ହୋଇ

ଅଶ୍ରୁ ପରିପୂର୍ଣ୍ଣ ଲୋଚନେ

ପତି ସନ୍ନିଧେ ଦୁଃଖ ମନେ

ଦେବହୂତି ଉବାଚ

ଭୋ ନାଥ ତୁମ୍ଭର ପ୍ରସାଦେ

ସକଳ ଦୁଃଖରୁ ଆନନ୍ଦେ

ତରଇ ତୁମ୍ଭ ପାଦ ଧ୍ୟାୟି

ମୋହର ଚିତ୍ତେ ଅନ୍ୟ ନାହିଁ

ଏବେ ମୁଁ କନ୍ୟା ଜନ୍ମ ଦେଖି

ହୋଇଲି ମନଦୁଃଖେ ଦୁଃଖୀ

ସେବଇ ଚରଣ ତୁମ୍ଭର

ମୋହର ମନୁ ଦୁଃଖ ହର

ପୁତ୍ର ନୋହିଲା ମୋର ଗର୍ଭେ

ଏଣୁ ମୋ ମନ ଦୁଃଖ ଭାବେ

ଏବେ ହୋଇଲା ନବ ନାରୀ

ଏ ଅନୁରୂପେ ବର ବରି

ବିବାହ ଦିଅ ମୋ ସମ୍ମୁଖ

ମୋ ମନ ନଲଭୁ ଏ ଦୁଃଖ

ତୁମ୍ଭେ ହେ ତପ କରି ଗଲେ

ମୋ ମନ ନ ରହଇ ଭଲେ

ମୁଁ ଏତେ କାଳେ ତୁମ୍ଭ ତୁଲେ

ବଢ଼ିଲି ନାନା ଭୋଗ ବଳେ

ଇନ୍ଦ୍ରିୟ ଅର୍ଥରେ ଲାଳସ

ବଞ୍ଚିଲି ଅନେକ ବରଷ

ତୁମ୍ଭର ଅଙ୍ଗସଙ୍ଗ ମେଳେ

ଏ ଜନ୍ମ ଗଲା ମୋର ହେଳେ

ଏ କର୍ମ ଭୂମି ମଧ୍ୟେ ମୁହିଁ

ଉତ୍ତମ-କୁଳେ ଜନ୍ମ ହୋଇ

ଆତ୍ମାର ଗତି ନ ଜାଣଇ

ଏ ଦୁଃଖ ସୁଖ ମୁଁ ଜାଣଇ

ତୁମ୍ଭର ସଙ୍ଗେ ସଙ୍ଗ କରି

ହରି ଭଜନ ମୁଁ ପାଶୋରି

ହେ କାନ୍ତ ମୋତେ ଦୟା କର

ଏ ଭବ ସାଗରୁ ଉଦ୍ଧର

ଭୟ ନିବାରି ମୋରେ ଚିତ୍ତ

ଏ ମାୟା ତରିବି ଯେମନ୍ତ

ବିଷୟାବଶେ ଯାର ସଙ୍ଗ

ଆବୋରେ ସଂସାର-ତରଙ୍ଗ

ତାର ନିସ୍ତାର ଆର ନାହିଁ

କର୍ମର ବନ୍ଧନେ ସେ ପଡ଼ଇ

ବୁଡ଼ଇ ସଂସାର-ସାଗରେ

ସେ ଭ୍ରମେ ଅଶେଷ ଭାବରେ

ଏ ଭାବେ ଜାଣି ଯାର ମନ

ବିଷ୍ଣୁ-ଭଜନେ ଅବଧାନ

ସେ ଜୀବ ଆତ୍ମକୁ ଉଦ୍ଧରେ

ନ ବୁଡ଼େ ସଂସାର-ସାଗରେ

ଯେବା ଭଜନ୍ତି କାମ ଧର୍ମେ

ହରି ନ ଭଜି ଆତ୍ମାରାମେ

ସୁପୁଣ୍ୟ ତୀର୍ଥେ ସେ ନ ଗଲେ

ସେ ପ୍ରାଣୀ ଜୀବ ଥାଉଁ ମରେ

ମୁଁ ଏ ଇନ୍ଦ୍ରିୟ ଭୋଗ ବଳେ

ବଞ୍ଚିଲି ବିଷ୍ଣୁ ମାୟାବଳେ

ମୁଁ ତୁମ୍ଭ ପାଦ ସେବା କରି

ମୋକ୍ଷେ ହୋଇଲି ଅଧିକାରୀ

ଏବେ ଉପାୟ କହ ମୋତେ

ଏ ମାୟା ତରିବି କେମନ୍ତେ

ଏମନ୍ତ କର୍ଦ୍ଦମ ସମ୍ମୁଖେ

ସେ ଦେବହୂତି ମନଦୁଃଖେ

ଯେତେ କହିଲେ ମନ ତୋଷେ

ସୁଜନ ଜନ ଏଣେ ରସେ

ତୃତୀୟସ୍କନ୍ଧେ ଭାଗବତ

କହିଲା ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କର୍ଦ୍ଦମଋଷି ଗୃହସ୍ଥଧର୍ମ

ବର୍ଣ୍ଣନେ ନାମ ତ୍ରୟୋବିଂଶୋଽଧ୍ୟାୟଃ ।

•••

 

ଚତୁବିଂଶ ଅଧ୍ୟାୟ

 

ଋଷିରୁବାଚ

ଏମନ୍ତ ପତ୍ନୀର ବଚନେ

କର୍ଦ୍ଦମ ଋଷି ସାବଧାନେ

ଗୋବିନ୍ଦ ପାଦେ ମନ ଦେଇ

କହନ୍ତି ପତ୍ନୀ ମୁଖ ଚାହିଁ

ମୁକ୍ତି ଉପାୟ ସ୍ମରି ଧ୍ୟାନେ

କହନ୍ତି ଅମୃତ ବଚନେ

ଏହି ନିକଟେ ତୋ ଉଦରେ

ଗୋବିନ୍ଦ ନର କଳେବରେ

ଜନ୍ମ ହୋଇବେ ତୋର ଭାବେ

ତୋ ପ୍ରୀତି ତପର ପ୍ରସ୍ତାବେ

ଦୁହିତା ଦାନ ଧ୍ୟାନ କରି

ବିଷ୍ଣୁ ଚରଣ ଶିରେ ଧରି

ଏ ମାୟାମୟ ଦୁଃଖ ତ୍ୟଜ

ଚିତ୍ତେ ଈଶ୍ୱର ପାଦେ ଭଜ

ସେ ଶୁକ୍ଳବର୍ଣ୍ଣ ତୋର ଭାବେ

ତୋହର ତପଫଳ ଲାଭେ

ସଂଶୟ ଗ୍ରନ୍ଥି ତୋର ଚିତ୍ତେ

ଯେ ଦ୍ୱନ୍ଦ୍ୱ ତପ ଦର୍ପ ଅର୍ଥେ

ଯାହାର ଜ୍ଞାନ ଉପଦେଶେ

ମନକୁ ଆଶ୍ୱାସି ହରଷେ

ମୈତ୍ରେୟ ଉବାଚ

ସେ ଦେବହୂତିର ସନ୍ଦେଶ

କର୍ଦ୍ଦମ ଭକ୍ତିର ବିଶ୍ୱାସ

ସେ ବେନି ଭାବ ହୃଦେ ଧରି

ଜନ୍ମ ହୋଇଲେ ନରହରି

ସଂସାର ନିସ୍ତାରଣ ସାଧେ

ଅନଳ ଯେହ୍ନେ ଦାରୁ ମଧ୍ୟେ

ଆକାଶେ ଶୁଭେ ନାନା ବାଦ୍ୟ

ଶୁଭ ମଙ୍ଗଳ ଶୁଭ ନାଦ

ଗନ୍ଧର୍ବେ ଗାୟନରେ ରତ

ନୃତ୍ୟନ୍ତି ଅପସରା ଯୂଥ

ଦେବେ କରନ୍ତି ପୁଷ୍ପ ବୃଷ୍ଟି

ମହା ମଙ୍ଗଳ ସର୍ବ ଦୃଷ୍ଟି

ପ୍ରସନ୍ନ ଦଶ ଦିଗ ଦିଶେ

ଜଳଧି ଉଲ୍ଲୋଳ ପ୍ରକାଶେ

ସକଳ ପ୍ରାଣୀଙ୍କର ମନ

ସ୍ୱଭାବେ ହୁଏ ସେ ପ୍ରସନ୍ନ

କର୍ଦ୍ଦମ ଆସନେ ମଣ୍ତଳ

ସ୍ରବିଲା ସରସ୍ୱତୀ ଜଳ

ମରୀଚି ଆଦି ସପ୍ତଋଷି

ବ୍ରହ୍ମାର ତୁଲେ ସର୍ବେ ଆସି

ପରମ ତେଜ ବ୍ରହ୍ମବାସୀ

ସା‌ତ୍ତ୍ୱିକ ଅଙ୍ଗ ନବଋଷି

ସେ ସତ୍ୟ ଜ୍ଞାନ ସାଂଖ୍ୟ ଅର୍ଥେ

ବିରାଜ ରୂପ ଏ ଜଗତେ

ବିଶୁଦ୍ଧ ଚିତ୍ତେ ନରହରି

କର୍ଦ୍ଦମ ଭକ୍ତି ହୃଦେ ଧରି

ପ୍ରବେଶ କର୍ଦ୍ଦମ ମନ୍ଦିରେ

ଅଶେଷ ଜନ ଉପକାରେ

କର୍ଦ୍ଦମ ମୁଖ ଚାହିଁ ଭଣି

ଆନନ୍ଦ ମନେ କୁଶପାଣି

ବ୍ରହ୍ମୋ ଉବାଚ

ତୁ ଯେ ମୋହର ଆଜ୍ଞାଶିରେ

ଘେନିଣ ସଂସାର-ସାଗରେ

ତପ ସାଧିଲୁ ଘୋର ଦୁଃଖେ

ତୁ ନ ପଡ଼ିବୁ ମୃତ୍ୟୁ ମୁଖେ

ପୁତ୍ରର ଧର୍ମଟି ଏମନ୍ତ

ଯେ ବାକ୍ୟ ଲୋକ ପିତାମାତ

ଆଦର ସର୍ବଦା କରିବ

ତେବେ ସେ ବିଷ୍ଣୁ ତୋଷ ଶିବ

ତାହାଙ୍କ ଇହ ପରଲୋକେ

ସକଳ କାଳ ବଞ୍ଚେ ସୁଖେ

ଏ ନବ କୁମାରୀ ତୋହର

ପରମ ସୁଗୁଣ ସୁନ୍ଦର

ଏ ସୃଷ୍ଟି ହେତୁର କାରଣ

ତୁ ଏବେ ମୋର ବୋଲ ଶୁଣ

ମରୀଚି ଆଦି ମୁନି ଯେତେ

ତାହାଙ୍କୁ ବର ଶୁଦ୍ଧ ଚିତ୍ତେ

ଯଥା ଉଚିତେ କର ସେବା

ନିଗମ ମାର୍ଗେ କର ବିଭା

ତୋ ଯଶ ରହୁ ସର୍ବକାଳେ

ଅଶେଷ ଅବନୀ ମଣ୍ତଳେ

ଏବେ ତୋହର ଘରେ ହରି

ଆସି ହୋଇଲେ ଦେହଧାରୀ

ଜୀବଙ୍କ ନିସ୍ତାରଣ ଅର୍ଥେ

କପିଳ ରୂପେ ଏ ଜଗତେ

ଜ୍ଞାନ-ବିଜ୍ଞାନ ଯେବା କର୍ମ

ଦେଖ ଏ ମତିରୂପେ ଧର୍ମ

ଶିରେ ଅରୁଣ ଜଟା ଭାର

ସ୍ୱରୂପେ ଜଗତ ଈଶ୍ୱର

ତୁମ୍ଭ ଚରଣେ ପଦ ଚିହ୍ନ

ସୁନ୍ଦର ଜଗତ ମୋହନ

ପରମ ଜ୍ଞାନ ତୋତେ କହି

ଇଚ୍ଛାଏ ଭ୍ରମିବ ଏ ମହୀ

ଏ ସିଦ୍ଧଗଣଙ୍କ ଈଶ୍ୱର

ସୁଜ୍ଞ ଯୋଗୀଙ୍କ ଅଗୋଚର

ଯେ ଜନ କୀର୍ତ୍ତି ଦରଶନେ

ହୋଇବ କପିଳ ଏ ନାମେ

ମୈତ୍ରେୟ ଉବାଚ

କର୍ଦ୍ଦମ ଦେବହୂତି ବେନି

ଆସି କହିଲେ ପଦ୍ମଯୋନି

ନାରଦ ଆଦି ପୁତ୍ର ମେଳେ

ଅନେକ ମୁନିଙ୍କ ଗହଳେ

ସେହୁ ସଂଦିବ୍ୟମୟ ଜ୍ଞାନ

ତକ୍ଷଣେ ଗଲେ ନିଜ ସ୍ଥାନ

ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ

ହରଷ ଚିତ୍ତେ ଶୁଭ କର୍ମ

ବ୍ରହ୍ମାର ଆଜ୍ଞା ଘେନି ଶିରେ

ଋଷିଙ୍କୁ ଆଣି ନିଜ ପୁରେ

ମଙ୍ଗଳ ଦ୍ରବ୍ୟ ସୁତ ରେଖ

ବର ବରିଲା ଏକ ଏକ

ମରୀଚି ମୁନି କର ଧରି

କର୍ଦ୍ଦମ କନ୍ୟା ବର ବରି

ଆନନ୍ଦ ମନେ କରି ବିଭା

କି ଅବା ପଟ୍ଟାନ୍ତର ଦେବା

ତ୍ରିଦଶେ ଦେଖନ୍ତି ଆକାଶେ

ହର ଗଉରୀ ପ୍ରାୟ ଦିଶେ

ଦ୍ୱିତୀୟ କନ୍ୟା ଅନସୂୟା

ଅତ୍ରି ମୁନିଙ୍କି ଦେଲା ତାହା

ଶ୍ରଦ୍ଧାକୁ ଅଙ୍ଗୀରସ ମୁନି

ବରିଲା କରେ ଅର୍ଘ୍ୟ ଘେନି

ପୌଲସ୍ତ୍ୟେ ହବି ଦେଲା ଦାନ

ପୁଲହ ଗତି ହବ୍ୟମାନ

କ୍ରତୁଙ୍କୁ ଦେଲା କ୍ରିୟା ଜିତି

ଭୃଗୁଙ୍କୁ ସମର୍ପିଲା ଖ୍ୟାତି

ବଶିଷ୍ଠେ ଦେଲା ଅରୁନ୍ଧତୀ

ଅଥର୍ବେ ସମର୍ପିଲା ଶାନ୍ତି

ଜୟ ବିଜୟେ ଦେଲା ଭରି

ପ୍ରସୂତି ଦକ୍ଷେ ବିଭାକରି

ଏମନ୍ତେ ସର୍ବ ବିପ୍ରବରେ

କନ୍ୟାଏ ବିଭା ନିଜ ଘରେ

ଧନେ ସନ୍ତୋଷ ତାଙ୍କ ମନ

ଗଲେ ସେ ଯେ ଯାହା ଭୁବନ

ମୁନିଙ୍କି କରି ଅନୁମାନ

ସଂଭ୍ରମ କର୍ଦ୍ଦମ‌ର ମନ

ତାର ଯେ ପୁତ୍ର ଉପୁଜିଲା

ବିଭାଏ ବିଳମ୍ୱ ବଞ୍ଚିଲା

ବେଗେ ମିଳିଲେ ପୁତ୍ରପାଶେ

ସ୍ୱଭାବେ ଜନକ ବିଶ୍ୱାସେ

ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ

ସୁମରି ଶୁକ ବାକ୍ୟ ଏବେ

ଏକାନ୍ତେ ପୁତ୍ର ପାଶେ ଯାଇ

ବୋଲେକ ପୋଳେ କରଦେଇ

କର୍ଦ୍ଦମ ଉବାଚ

ଦେଖ ମୋହର ଦୁଷ୍ଟପଣ

ନ ସେବି ତୁମ୍ଭର ଚରଣ

ଏ ଗର୍ଭ ଚିନ୍ତି ହରି ପଥେ

ପଡ଼ଇ କର୍ମ ଫଳ ଯନ୍ତ୍ରେ

ଯେ ପ୍ରାଣୀ ଗୃହବନ୍ଧ ତ୍ୟଜେ

ବନେ ତୋହର ପାଦ ଭଜେ

ଅନେକ କାଳ ଯୋଗ ସାଧେ

ତପ ସାଧନ୍ତି ଅନୁବାଦେ

ତୋର ଭକତି ଲଜ୍ଜା ଅର୍ଥେ

ଯେ ଭାବ ତୋହର ଜଗତେ

ନିଜ ବଚନ ସତ୍ୟ କରି

ମୋହର ଗୃହେ ଅବତରି

ଭକତ ଅର୍ଥେ ନାନା ଯୋନି

ଉପୁଜେ ନାନା ଦେହ ଘେନି

ପଣ୍ତିତ ଜନେ ତୋ ବିଶ୍ୱାସେ

ସେବନ୍ତି ତୋର ଭକ୍ତ ପାଶେ

ସଂସାର ତ୍ୟଜି ଯେ ଭଜନ୍ତି

ଅନ୍ତେ ତୋ ଶରୀରେ ପଶନ୍ତି

ତୁ ପୁଣି ଅନ୍ତେ ନରହରି

ପ୍ରକାଶ ଜ୍ୟୋତି ରୂପ ଧରି

ସେ ରୂପେ ମୋର ନମସ୍କାର

ଭୋ ନାଥ ମୋ ଦୋଷ ନ ଧର

ତୁ ନାଥ ପରମ-ପୁରୁଷ

ପ୍ରକୃତି ମଧ୍ୟେ ତୋ ପ୍ରକାଶ

ମହତ ଆତ୍ମା ରୂପ ତୋର

ଭୂତଙ୍କ ସୂକ୍ଷ୍ମ ଅବତାର

ତ୍ରିଗୁଣ ରୂପ ମାୟାରୂପୀ

ତୁମ୍ଭେ ଯେ ସର୍ବ ରୂପେ ବ୍ୟାପି

ତୋହର ଆତ୍ମା ଗୁଣ ଅର୍ଥେ

କପିଳ ରୂପେ ଏ ଜଗତେ

ମୋତେ ସ୍ଥାପିଲୁ ପିତା ଅର୍ଥେ

ତୋ ପାଦ ଜ୍ଞାନ ଏ ଜଗତେ

ଯେମନ୍ତ ବଞ୍ଚଇ ବନସ୍ତେ

ଏମନ୍ତେ ଆଜ୍ଞା ଦିଅ ମୋତେ

ଶ୍ରୀଭଗବାନ ଉବାଚ

ତୋହର ତପ ତେଜ ବଳେ

ମୋ ଅବତାର ଏ ଶୟଳେ

ନିଜ ବଚନ ସତ୍ୟ କରି

ତୋ ପତ୍ନୀ-ଗର୍ଭେ ଅବତରି

କେ ଲଭିପାରେ ମୋର ଭାବ

ମୋ ରୂପ ଯୋଗୀଙ୍କୁ ଦୁର୍ଲ୍ଲଭ

ମୁଁ ଏବେ ଏ ସଂସାରର ଅର୍ଥେ

ଜ୍ଞାନ ପ୍ରକାଶି ଏ ଜଗତେ

ଏ ସିଦ୍ଧ ଦେହେ ଥିବି ମୁହିଁ

ଯାବତ ଚନ୍ଦ୍ର ସୂର୍ଯ୍ୟ ମହୀ

ଯେ ପୂର୍ବେ ତ‌ତ୍ତ୍ୱଜ୍ଞାନ ଥିଲା

କାଳର ବଳେ ସେ ଛାଡ଼ିଲା

ଏ ସତ୍ୟ ବିକାଶିବା ଅର୍ଥେ

ମୋ ଅବତାର ଏ ଜଗତେ

ତୁ ଏବେ ସତ୍ୟ କ୍ରିୟା ଯେତେ

ସବୁ ସୁକର୍ମ ଦିଅ ମୋତେ

ମୋର ଚରଣ ଭାବ ବଢ଼ି

ଚଳ ତୁ ଗୃହବନ୍ଧ ଛାଡ଼ି

ସୁହୃଦେ ମୋ ପାଦ ସେବିବୁ

ଦୁର୍ଜୟ ମରଣୁ ବଞ୍ଚିବୁ

ଅନ୍ତେ ପଶିବୁ ମୋ ଚରଣେ

ଯା ବେଗେ ତପ ସାଧୁବନେ

ମୁଁ ଆତ୍ମା ଜ୍ୟୋତି ସର୍ବଠାରେ

ପ୍ରକାଶ ସର୍ବ ହୃଦୟରେ

ଆତ୍ମାର ମଧ୍ୟେ ଆତ୍ମା ଦେଖି

ମୃତ୍ୟୁ ସକାଶୁ ଆତ୍ମା ରଖି

ଆଧାତ୍ମ୍ୟ ବିଦ୍ୟା ସାଧ୍ୟ କର

ଏ ମାୟା ସିନ୍ଧୁ ତୁ ନିସ୍ତର

ମୈତ୍ରେୟ ଉବାଚ

ଏମନ୍ତ ହରି ଆଜ୍ଞା ପାଇ

ଅଭୟ ପଦେ ମନ ଦେଇ

ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା

ମଉନ ବ୍ରତେ ଦିନ ଗଲା

ନିଃସଙ୍ଗ ଗୃହ ନିରପେକ୍ଷ

ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ

ଭ୍ରମଇ ଘୋର ବନ ଗିରି

ଦେଖଇ ସର୍ବ ଭୂତେ ହରି

ଏକାନ୍ତ ଭକ୍ତିରେ ସେ ରସେ

ଜିଣିଲା କାଳଦଣ୍ଡ ପାଶେ

ଇନ୍ଦ୍ରିୟ ବିଷ୍ଣୁଗଣେ ଭେଦି

ଯେସନେ ନିଶ୍ଚଳ ଜଳଧି

ସର୍ବ ସମ୍ମତି ଆତ୍ମଭାବ

ଯେହୁ ବୋଲାଇ ବାସୁଦେବ

ସେ ଭାବେ ରହି ସ୍ଥିର ପଣେ

ନିର୍ବାଣ ମୁକ୍ତି ସାଧି ବନେ

ଅନ୍ତେ ଲଭିଲା ହରି ଭାବ

ସେ ହରି ଯୋଗୀଙ୍କୁ ଦୁର୍ଲଭ

ଏମନ୍ତେ ବିଦୁରର ଆଗେ

ମୈତ୍ରେୟ କହି ପ୍ରିୟ ଭାବେ

ନିର୍ମଳ-ଭାଗବତ ବାଣୀ

ଭାଷା ପ୍ରବନ୍ଧେ ପରିମାଣି

ତୃତୀୟ ସ୍କନ୍ଧେ କୃଷ୍ଣ ରସେ

କହିଲା ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ବିଦୂର ମୈତ୍ରେୟ

ସମ୍ୱାଦେ ନାମ ଚତୁର୍ବିଂଶୋଽଧ୍ୟାୟଃ ।

•••

 

ପଞ୍ଚବିଂଶ ଅଧ୍ୟାୟ

 

ଶୌନକ ଉବାଚ

ତତ୍ତ୍ୱଜ୍ଞ କପିଳ ମହର୍ଷି

ଜନ୍ମ ହୋଇଲେ ମର୍ତ୍ତ୍ୟେ ଆସି

ଜନ୍ମ ବର୍ଜିତ ସେ ଅଟନ୍ତି

ଆତ୍ମାରେ ଜ୍ଞାନ ପ୍ରକାଶନ୍ତି

ପୁରୁଷ ଶ୍ରେଷ୍ଠ ସେ ଅଟନ୍ତି

ଯୋଗୀଙ୍କ ମଧ୍ୟେ ଯୋଗପତି

ତାହାଙ୍କ ଚରିତ ଶୁଣୁଛି

ମୋ ଆତ୍ମା ସନ୍ତୁଷ୍ଟ ନୋହୁଛି

ଭକ୍ତ ରୁଚିର ରୂପ ଧରି

ଆତ୍ମା ମାୟାରେ ଯାହା କରି

ସେ ସବୁ କହ ମୋ ଆଗରେ

ତାହା ମୁଁ ଶୁଣିବି ଶ୍ରଦ୍ଧାରେ

ଶୁତ ଉବାଚ

ଆପଣ ପଚାରିଲେ ଯାହା

ବିଦୁର ପୁଚ୍ଛିଥିଲେ ତାହା

ମୈତ୍ରେୟ ତାଙ୍କୁ କହିଥିଲେ

ଏବେ କହୁଛି ଶୁଣ ଭଲେ

ମୈତ୍ରେୟ ଉବାଚ

ପିତା ଅରଣ୍ୟେ ଗଲେ ଯହୁଁ

ମାତାର ପ୍ରିୟ କାର୍ଯ୍ୟ ତହୁଁ

କରିବା ପାଇଁ ଯେ କପିଳ

ରହିଲେ ବିନ୍ଦୁସର ତୀର

ତତ୍ତ୍ୱମାର୍ଗରେ ପାରଦର୍ଶୀ

ଅଟନ୍ତି କପିଳ ମହର୍ଷି

ନିଜ ସୂତକୁ ଦେବହୂତି

ବିନୟେ ଏପରି ପୁଚ୍ଛନ୍ତି

ଦେବହୂତି ଉବାଚ

ତୁ ଅର୍ଜ ନିର୍ଗୁଣ ନିର୍ଲେପ

ତୋହର ଭଜନ ପ୍ରତ୍ୟକ୍ଷ

ନାରୀ ସ୍ୱଭାବେ ମୁହିଁ ମନ୍ଦ

ନ ଜାଣେ ଆତ୍ମା ଭଲ ମନ୍ଦ

କି ରୂପେ ସଂସାର ତୁଟଇ

ଜୀବନ-ବନ୍ଧନ ଫିଟଇ

ମୁଁ ଯେ ଅଜ୍ଞାନ ଅନ୍ଧମତି

ସ୍ୱଭାବେ ଜନ୍ମ ମୁଁ ଯୁବତୀ

ତୁ ମୋତେ ଜ୍ଞାନ ଚକ୍ଷୁ ଦେଇ

ଉଦ୍ଧର ଦୁର୍ଗତି ଖଣ୍ତାଇ

ତୁ ପୁତ୍ର ମୋତେ ଦୟା କର

ଏ ଘୋର ସଂସାରୁ ଉଦ୍ଧର

ମାତୃ ସ୍ୱଭାବେ କର ଦୟା

ଯେମନ୍ତେ ତୁଟେ ମୋର ମାୟା

ମୈତ୍ରେୟ ଉବାଚ

ମାତା ବଚନେ ହୃଷିକେଶ

ତକ୍ଷଣେ ଧରି ମୁନିବେଶ

ଅଶେଷ ଦେହ ଜୀବବାସୀ

କହନ୍ତି ପ୍ରଭୁ ବ୍ରହ୍ମରାଶି

କପିଳ ଉବାଚ

ଶୁଣ ଜନନୀ କହୁଁ ତୋତେ

ତୁ ଯେ ପ୍ରସନ୍ନ କଲୁ ମୋତେ

ଯାହାର ଚିତ୍ତ ଭକ୍ତି ଯୋଗେ

ଭଜଇ ମୋ ଚରଣ ଯୁଗେ

ଯେବେ ବିଷୟ ବଇରାଗ

ଉପୁଜେ ପୂର୍ବେ ଯାର ଭାଗ୍ୟ

ଏବେ ଏ ଘୋର ମାୟା ବନେ

ନିସ୍ତରେ ଭକ୍ତି କରଷଣେ

ଶୁଣ ଜନନୀ ମୋ ନିର୍ଗୁଣ

କହିବା ଭକ୍ତଙ୍କର ଗୁଣ

ଜୀବନ କର୍ମ ବନ୍ଧ-ପାଶ

ଯେ ଭାବେ ହୋଇବ ଉଶ୍ୱାସ

ଏ ଭବ-ଜଳଧି-ତରଙ୍ଗ

ହରଇ ସାଧୁଙ୍କର ସଙ୍ଗ

ଉଭୟେ କୈବଲ୍ୟ କାରଣେ

ମନ ନ ଭ୍ରମେ ଭବ ବଣେ

ପ୍ରାଣୀ ବିଷୟ ସମ ମତ

କରଇ ଯୋଗ ଦୟା ହିତ

ଜଗତ ସର୍ବ ସମ ଦେଖେ

ନିଶ୍ଚଳେ ରୁହେ ଆତ୍ମା ସୁଖେ

ନିରତେ ଗୋବିନ୍ଦ ଚରଣେ

ସ୍ମରିବ ପ୍ରୀତି ଅନୁକ୍ଷଣେ

ଦାରା ସ୍ୱଜନେ ପ୍ରୀତି ଧନ

ଗୃହ ଉପେକ୍ଷି ଚଳେ ବନ

ସକଳ ଧର୍ମ ଛାଡ଼ି ଦୃଢ଼େ

ମୋ ଭାବେ ମତି ଅତି ଗାଢ଼େ

ମୋ ରୂପଗୁଣ କର୍ମ ଯେତେ

ଶ୍ରବଣ କୀର୍ତ୍ତନ ନିରତେ

ଏମନ୍ତେ ନିତ୍ୟ ଭାବ କରି

ଏ ମାୟା ଭବୁ ଯାନ୍ତି ତରି

ଏମନ୍ତେ ଭଜି ସାଧୁ ସଙ୍ଗ

ତରନ୍ତି ଏ ଭବ ତରଙ୍ଗ

ଭକତ ଜନ ସଙ୍ଗ ଯେବେ

କରଇ ଭ୍ରମି ଖଣ୍ତ ତେବେ

ମୋର ଚରିତ ଗୁଣ ଗାଥା

କରଇ ଆନ ଆନ ଚିନ୍ତା

ଶୁଣେ ଶୁଣାଇ ଅଶ୍ରୁଧାରେ

ଆନନ୍ଦ ପୁଲକ ଶରୀରେ

ନିରତେ ଭଜୁ ଶ୍ରଦ୍ଧା ବଢ଼େ

ଭବ-ବନ୍ଧନ-ପାଶ ଛିଡ଼େ

ଅଶେଷ ଜନ୍ମେ ଭାବ ବହେ

ଭକତ ଜନେ ଶ୍ରଦ୍ଧାରହେ

ଭକ୍ତଜନଙ୍କ ଶ୍ରଦ୍ଧା ନାବେ

ବସି ତରିବ ଭକ୍ତି ଭାବେ

ଭକତ ସଙ୍ଗେ ନାବେ ବସି

ଏ ସିନ୍ଧୁତରେ ଯେ ଆଶ୍ୱାସି

ଯେଣୁ ଭକତ ପ୍ରିୟ ହରି

ତୋ ପାଦେ ଭବସିନ୍ଧୁ ତରି

ଏମନ୍ତେ ସୁତ ବାକ୍ୟ ଶୁଣି

ଆନନ୍ଦେ କର୍ଦ୍ଦମ ଘରଣୀ

ଆନନ୍ଦ ରସେ ହରଷିତ

ତକ୍ଷଣେ ହୁଏ କୃତ୍ୟ କୃତ୍ୟ

ଦେବହୂତିରୁବାଚ

ପୁଣି ପଚାରେ କରଯୋଡ଼ି

ଆକୁଳେ ପୁତ୍ର ପାଦେ ପଡ଼ି

ଏ ରୂପେ ଭକ୍ତି ଯୋଗ ଜାଣି

କି ରୂପେ ଭକ୍ତି ପରିମାଣି

ଏଣେ ଯେ ମୋ ମନ ସଂଶୟ

କହ ହେ ପ୍ରଭୁ ଦୟାମୟ

ଏମନ୍ତେ ମାତା ବାକ୍ୟ ଶୁଣି

କପିଳ ବେଶେ ଚକ୍ରପାଣି

ଶ୍ରୀଭଗବାନୁବାଚ

ଶୁଣ ଜନନୀ ବାକ୍ୟ ମୋର

ଆଗମ ନିଗମ ପ୍ରକାର

ଯେ ଧର୍ମ କରେ ଶାସ୍ତ୍ର ବାଦେ

ଇନ୍ଦ୍ରିୟ କର୍ମର ସମ୍ୱାଦେ

ଯେ ବର୍ଣ୍ଣେ ଯେବା କର୍ମ ଧର୍ମ

ଇନ୍ଦ୍ରିୟ କରେ ସେହି କର୍ମ

ଏ ସର୍ବ କର୍ମ ଯେବେ ମୋତେ

ଦେଇ ଭଜଇ ଅବିରତେ

ଆପଣେ ଅକିଞ୍ଚନ ରୂପେ

ଭ୍ରମଇ ମାୟାମୟ କଳ୍ପେ

ଭକତ ଜନ ଯେ ପ୍ରଧାନ

ଲଭଇ କୈବଲ୍ୟର ପାନ

ଜୀବ-ବାସନା-ବନ୍ଧ ହରେ

ନ ବୁଡ଼େ ସଂସାର ସାଗରେ

ବ୍ୟାଧି ରୋଗାଦି ଏ ଶରୀରେ

ତୁଟେ ଔଷଧ ପାନ କଲେ

ଏ ଭାବେ ଯେ କରେ ବିଚାର

କୈବଲ୍ୟ ଜୀବକୁ ନିସ୍ତାର

ନିତ୍ୟେ ଭକତ ଜନ ମଧ୍ୟେ

ବିଷ୍ଣୁ ଚରିତ ନାମ ଛନ୍ଦେ

ନିରତେ କରେ ଅନୁଦାନ

ଆନନ୍ଦେ ସୁଧା ଜଳେ ସ୍ନାନ

ଏମନ୍ତେ ବଞ୍ଚେ ଦୁଃଖ ସୁଖେ

ସେ ମୋର ନିଜ ରୂପ ଦେଖେ

ତାର ସମାନ ଅନ୍ୟ ଜନେ

ନ ଦେଖି ଏ ତିନି ଭୂବନେ

ସୁନ୍ଦର ପ୍ରସନ୍ନ ବଦନ

ବିକଚ କମଳ ଲୋଚନ

ସେ ରୂପ ଛାଡ଼ି ଯାର ମନ

କଳ୍ପଇ କିବା ପ୍ରୟୋଜନ

ମୋର ଅମୃତମୟ ବାଣୀ

ତନୁ ରୋମାଞ୍ଚ କର୍ଣ୍ଣେ ଶୁଣି

ମୋ ଶ୍ୟାମ ସୁନ୍ଦର ଶରୀର

ସର୍ବ ସମ୍ପଦ ମନୋହର

ଏ ରୂପ ଗୁଣ ଚିତ୍ତ ହରେ

କୈବଲ୍ୟ ଲଭେ ଅଭ୍ୟନ୍ତରେ

ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତି

ଅନନ୍ତ ଅନନ୍ତ ବିଭୂତି

ସେ ସର୍ବ ଖଟନ୍ତି ତା ପାୟେ

ସେ ଭକ୍ତଜନ ଦୂର ନୋହେ

ଏଣୁ ଭକତ ରଖେ ହରି

କାଳ ନ ପାରେ ଗ୍ରସ୍ତ କରି

ଯାହାର ଇଷ୍ଟ ବନ୍ଧୁ ମୁହିଁ

ମୋତେ ସର୍ବସ୍ୱ ସମର୍ପଇ

ନାହିଁ ତା ଇହ ପରଲୋକ

ନ ମାନେ ଆତ୍ମା ଦୁଃଖ ସୁଖ

ଏକାନ୍ତେ ଭକ୍ତିବଳେ ମୋତେ

ମନ ବଚନେ ନିତ୍ୟେ ଚିନ୍ତେ

ସର୍ବ ସମର୍ପି ଅବିରତେ

ପଶଇ ମୋର ପାଦଗତେ

ମୁଁ ଜୀବ ପୁରୁଷ ପ୍ରଧାନ

ମୋ ବିନୁ ବନ୍ଧୁ ନାହିଁ ଆନ

ଦେଖ ମୋହର ଭକ୍ତ ଯେତେ

ଯନ୍ତ୍ରିତ ଅଛନ୍ତି ଜଗତେ

ମୋ ଆଜ୍ଞା କରୁଥାନ୍ତି ନିତ୍ୟେ

ଆନନ୍ଦ ବହେ ସୁଖ ଚିତ୍ତେ

ଦେଖ ପବନ ମୋର ଡରେ

ବହଇ ବାହ୍ୟ ଅଭ୍ୟନ୍ତରେ

ମୋ ଭୟେ ଉଦେ ଦିବାକର

ମୋତେ ଡରଇ ସୁନାଶିର

ମୋ ଦଣ୍ତେ ଯମଦଣ୍ଡ କରେ

ମୃତ୍ୟୁ ସକଳ ପ୍ରାଣ ହରେ

ମୋତେ ଯେ ଧର୍ମ ଲୋକ ରଖେ

ଅଗ୍ନି ଜଳ ହିଁ ସର୍ବ ଭକ୍ଷେ

ଶଶାଙ୍କ ଦିଶଇ ଆକାଶେ

ପ୍ରାଣୀଙ୍କ ଜ୍ଞାନ ସେ ପ୍ରକାଶେ

ଏମନ୍ତେ ମହାଯୋଗୀ ଜନ

ଯନ୍ତ୍ରିତ ମୋହର ବଚନ

ଏବେ ତୁ ଭକ୍ତିଯୋଗ ଶୁଣ

ଯେହ୍ନେ ଜୀବର ପରିତ୍ରାଣ

ଯେ ଭାବେ ଏ ସଂସାର ତୁଟେ

ସୁହୃଦ ଦୃଢ଼ଗଣ୍ଠି ଫିଟେ

ତାବତ ମନ ତମ ନାଶେ

ନିର୍ମଳ ଜ୍ଞାନ ହିଁ ପ୍ରକାଶେ

ଏଣୁ ଏ ତ‌ତ୍ତ୍ୱଜ୍ଞାନ କହି

ଶୁଣ ଜନନୀ ମନ ଦେଇ

ଏମନ୍ତ ତ‌ତ୍ତ୍ୱଜ୍ଞାନ ଜାଣି

ଯେ ଭାବ ଭଜେ ଚକ୍ରପାଣି

ଅନାଥ ନାଥ ନରହରି

ସେ ଦୟା ସାଗର ମୁରାରୀ

ଯେତେ କହିଲେ ଉପଦେଶ

ସୁଜନେ କ୍ଷଣେ ରସେ ରସ

ତୃତୀୟ ସ୍କନ୍ଧେ ଭାଗବତ

କହଇ ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ୱାଦେ

ନାମ ପଞ୍ଚବିଂଶୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

ଷଡ଼୍‌ବିଂଶ ଅଧ୍ୟାୟ

 

ଶ୍ରୀଭଗବାନୁବାଚ

ଶୁଣ ଜନନୀ ମୋ ବଚନ

ଯେ ତ‌ତ୍ତ୍ୱଜ୍ଞାନର ଲକ୍ଷଣ

ବହୁ ପ୍ରକାର ମନୁ ପୁଣି

ଯାହା ସେ କହିଛନ୍ତି ବାଣୀ

ଏ ଜ୍ଞାନ ଜାଣିଲେ ପୁରୁଷ

କାଟଇ ମୋହଗୁଣ ପାଶ

ନିଶ୍ଚଳ ଭାବେ କରି ଧ୍ୟାନ

ଆତ୍ମାକୁ କରନ୍ତି ଦର୍ଶନ

ଅଶେଷ-ବନ୍ଧନ ଫିଟଇ

ବିବେକ ଜ୍ଞାନ ପ୍ରକାଶଇ

ମାୟା ଯନ୍ତ୍ରିତ ଅହଙ୍କାର

ହୃଦରୁ ହୁଏ ତାହା ଦୂର

କହିବା ଶୁଣ ମନ ଦେଇ

ଯେ ମାର୍ଗେ ସଂଶୟ ନ ଥାଇ

ଯେ ଆତ୍ମା ଅନାଦି-ପୁରୁଷ

ପ୍ରକୃତି ପରେ ତାର ବାସ

ସ୍ୱଭାବେ ନିର୍ଗୁଣ ଅଟଇ

ଜ୍ୟୋତି-ସ୍ୱରୂପ ପ୍ରକାଶଇ

ବ୍ୟାପିଛି ଏ ବିଶ୍ୱ ସଂସାରେ

ପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ

ଏ ରୂପେ ପ୍ରକୃତି-ପୁରୁଷ

ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ

ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି

ଆଦି ପ୍ରକୃତି ରୂପ ଧରି

ତ୍ରିଗୁଣ ଜାତ ସେ କରଇ

ରଜ ସା‌ତ୍ତ୍ୱିକ ତମ ଦେହୀ

ରଜେ ସର୍ଜଇ ପାଳେ ସ‌ତ୍ତ୍ୱେ

ତମ ସ୍ୱରୂପେ ହରେ ନିତ୍ୟେ

ଏ ରୂପେ ଲୀଳା ସେ କରଇ

ଦଇବ ଗୁଣମୟ ଯେହି

ଜୀବ ହିଁ ନାନା ରୂପ ଧରେ

ଚିତ୍ର ବିଚିତ୍ର ଏ ସଂସାରେ

ପ୍ରଜା ସର୍ଜଇ ନାନା କଳ୍ପେ

ସ୍ଥାବର ଜଙ୍ଗମାଦି ରୂପେ

ଜ୍ଞାନ ଆବୃତ ତାର ଦେହୀ

ସାକ୍ଷୀ ସ୍ୱରୂପେ ସେ ଦେଖଇ

ଏ ରୂପେ ପୂର୍ବର ଭିଆଣ

ପ୍ରକୃତି କରଇ ନିର୍ମାଣ

କର୍ମ ଯେ ଗତାଗତ ହୋଇ

ଉଚ୍ଚ-ନୀଚକୁ ସେ ନିଅଇ

ପ୍ରକୃତି ମାର୍ଗେ କରି କର୍ମ

ପ୍ରାଣୀ ଲଭନ୍ତି ପଥ ଶ୍ରମ

ନିବୃତ୍ତି ଧର୍ମ ମୋକ୍ଷ ହୋଇ

ଏ ବେନି ମାର୍ଗେ ସେ ଭିଆଇ

ସାକ୍ଷୀ ସ୍ୱରୂପେ ସର୍ବଦେହୀ

ଦେଖଇ ହୃଦପଦ୍ମେ ରହି

କାର୍ଯ୍ୟ-କାରଣେ କର୍ତ୍ତା ହୋଇ

ପ୍ରକୃତି ଯେତେକ ଅଟଇ

ପୁରୁଷ ତାହା ସେ ଭୁଞ୍ଜଇ

ସୁକୃତ ଦୁଷ୍କୃତାଦି ହୋଇ

ଏମନ୍ତ ଶୁଣି ଦେବହୂତି

ସନ୍ଦେହ କରି ପଚାରନ୍ତି

ଦେବହୂତି ଉବାଚ

ଶୁଣ ହୋ ପୁରୁଷ-ଉତ୍ତମ

ସଦୟ ସ୍ଥୂଳ ସୂକ୍ଷ୍ମ ଶୂନ୍ୟ

କି ରୂପେ ପ୍ରକୃତି ପୁରୁଷ

ଜଗତେ ହୋଇଛି ପ୍ରକାଶ

ଏମନ୍ତ ଶୁଣି ଭଗବାନ

କହନ୍ତି ଅମୃତ ବଚନ

ଶ୍ରୀଭଗବାନୁବାଚ

ଯେତେ ଏ ତ୍ରିଗୁଣ-ବନ୍ଧନେ

ସତ ଅସତ ଜନ୍ତୁମାନେ

ଆତ୍ମାରେ ଜ୍ୟୋତିରୂପେ ଥାଇ

ଅବ୍ୟକ୍ତ ରୂପେ ପ୍ରକାଶଇ

ପ୍ରଧାନ ରୂପରେ ପ୍ରକୃତି

ସମସ୍ତ କର୍ମେ ଅଧିପତି

ସମସ୍ତ ରୂପେ ସେ ବହଇ

ମହତ ଆଦି ଯେତେ ଦେହୀ

ଶୁଣ ଜନନୀ ଏକ ଚିତ୍ତେ

ଚତୁର୍ବିଂଶତି ତ‌ତ୍ତ୍ୱ ଯେତେ

ଏ ପଞ୍ଚବିଂଶ ଚତୁର୍ଦ୍ଦଶ

ପ୍ରତ୍ୟକ୍ଷେ କରିବା ପ୍ରକାଶ

ପୃଥିବୀ ଆପ ତେଜ ଜାତ

ଆକାଶ ଆଦି ପଞ୍ଚଭୂତ

ଗନ୍ଧ ରୂପ ଏ ରସ ଶବ୍ଦ

ସ୍ପର୍ଶାଦି ତନ୍ମାନ୍ତରେ ଭେଦ

ଜିହ୍ୱା ନାସିକା ଚକ୍ଷୁକର୍ଣ୍ଣ

ଚମ ପାଣି ପାଦ ବଚନ

ବୃଷଣ ପାୟୁ ଏ ଦଶମ

ଇନ୍ଦ୍ରିୟ ବୋଲି ଏହା ନାମ

ମନ ବୁଦ୍ଧି ଯେ ଅହଂଚିତ୍ତ

ଚତର୍ବିଂଶତି ଏହୁ ତତ୍ତ୍ୱ

ପଞ୍ଚବିଂଶତି କାଳ କହି

ଏ ରୂପେ ସାଂଖ୍ୟକର୍ମ ହୋଇ

ପ୍ରକୃତି ଏତେ ରୂପ ହୋଇ

କାର୍ଯ୍ୟ-କାରଣେ ପ୍ରବର୍ତ୍ତଇ

କାଳ ସ୍ୱରୂପରେ ପୁରୁଷ

ସର୍ବତ୍ର ହୁଅଇ ପ୍ରକାଶ

ଏ ଦେହ ମୂଳ ଅହଙ୍କାର

ଆୟୁ ହରଇ ନିରନ୍ତର

ଏ ଦେହେ କର୍ତ୍ତା ନିତି ହୋଇ

ସମସ୍ତ ଭୋଗ ସେ କରଇ

ଏ ପୁଣ୍ୟକାଳ ଚେଷ୍ଟା ବଳେ

ସର୍ବ ନାଶଇ ଭୂମି ତଳେ

କାଳ-ସ୍ୱରୂପୀ ଭଗବାନ

କାଳ ସ୍ୱରୂପୀ ହୋଇ ଜାଣ

ଏ ପଞ୍ଚବିଂଶ ରୂପ ହୋଇ

ଅପରେ ଶୁଣ ମନ ଦେଇ

ସମସ୍ତେ ଧର୍ମେ ପରିପୂର୍ଣ୍ଣ

ଯେ ଯେତେ ପରେ ନାହିଁ ଧର୍ମ

ସେ ଯୋନି ପରେ ଯେ ପୁରୁଷ

ପରମ ରୂପୀ ସେ ପ୍ରକାଶ

ସେ ସର୍ବଭୂତେ ପରିପୂର୍ଣ୍ଣ

ଜଳରେ ଚନ୍ଦ୍ରମା ଯେସନ

ପ୍ରକୃତି ତାର ତହୁଁ ଜାତ

ତା ତହୁଁ ହୋଏ ମହତତ୍ତ୍ୱ

ହିରଣ୍ୟ ମଧ୍ୟେ ତାର ଦେହୀ

ବ୍ରହ୍ମାଣ୍ତମଧ୍ୟେ ବିରାଜଇ

ଏ ବିଶ୍ୱ ଆତ୍ମା ଯେ ଅଟଇ

ସୂକ୍ଷ୍ମ ସ୍ୱରୂପେ ଅଛି ରହି

ଆତ୍ମାରେ ପ୍ରକାଶ ସେ ହୋଇ

ଏ ଘୋରତିମିର ନାଶଇ

ଯେ ସ୍ଥାନେ ରାଗ ବଶ ନାହିଁ

ପର ଅପର ନ ଜାଣଇ

ସ‌ତ୍ତ୍ୱ ଗୁଣରେ ପ୍ରକାଶଇ

ନିର୍ମଳ-ଜ୍ୟୋତିର୍ମୟ ଦେହୀ

ସେ ବିଷ୍ଣୁଭକ୍ତି ଲାଭେ ସ୍ଥାନ

ବାସୁଦେବଟି ଯାର ନାମ

ଅଧ୍ୟାତ୍ମାରୂପୀ ସେ ଚୈତନ୍ୟ

ମହତ ବୋଲି ତାର ନାମ

ପର ଅପର ବ୍ୟାପିଛଇ

ବିକାର ଭାବ ଯାର ନାହିଁ

ସ୍ୱଇଚ୍ଛା ଶାନ୍ତ ଭାବ ବହି

ଅମୃତ ଭାବ ତାର ଦେହୀ

ଜଳ ତରଙ୍ଗୁ ଯେହ୍ନେ ଫେନ

ସୃଷ୍ଟି ତା ଦେହରୁ ଉତ୍ପନ୍ନ

ଯେ ଯାହା ତହୁଁ ଜାତ ହୋଇ

ଯେ କ୍ରିୟା ଶକ୍ତିରୂପେ ବହି

ଏ ଅହଂଙ୍କାର ରୂପ ତିନି

ଜନ୍ମଇ ଶୁଣ ଗୋ ଜନନୀ

ସାତ୍ତ୍ୱିକ ରାଜସ ତାମସ

ଏ ତିନି ହୁଅନ୍ତି ପ୍ରକାଶ

ମନ ଇନ୍ଦ୍ରିୟ ପଞ୍ଚଭୂତ

ଏ ତିନି ଗୁଣେ ହୋନ୍ତି ଜାତ

ସହସ୍ର ଶିର ବାହୁ ହୋଇ

ଶଙ୍କରଷଣ ଯାହା କହି

ଅନନ୍ତ ରୂପ ମାୟା ସେହି

ଭୂତ ଇନ୍ଦ୍ରିୟ ମନ ମୋହି

କର୍ତ୍ତା ସ୍ୱରୂପେ ଦେବେଜାତ

କାରଣେ ଇନ୍ଦ୍ରିୟ ସମ୍ଭୂତ

କାର୍ଯ୍ୟ ସ୍ୱରୂପେ ଭୂତଦେହୀ

ତ୍ରିଗୁଣେ ପ୍ରାଣୀ ମୋହହୋଇ

ସାତ୍ତ୍ୱିକ ଅଂଶୁ ମନ ଜାତ

ସଙ୍କଳ୍ପ ବିକଳ୍ପରେ ସ୍ଥିତ

ଯେ ହୃଷିକେଶ ସର୍ବେଶ୍ୱର

ଶ୍ୟାମ ସୁନ୍ଦର କଳେବର

ତା ଭକ୍ତି ସାଧି ଯୋଗ ସିଦ୍ଧ

ମନକୁ କରିଣ ନିରୋଧ

ରଜଗୁଣରୁ ବୁଦ୍ଧି ଜାତ

ଦିବ୍ୟ ବିଜ୍ଞାନ ଇନ୍ଦ୍ରିୟତ

ବିଜ୍ଞାନ ନିଶ୍ଚଳ ଅଟଇ

ନିଦ୍ରା ବିକଳ୍ପେ ଇନ୍ଦ୍ରି ରହି

ବୁଦ୍ଧିର ବଳୁ ହୁଏ ଜାତ

ଏବେ ଗୋ ଶୁଣ ତୁମ୍ଭେ ମାତ

କ୍ରିୟା କର୍ମରେ ଇନ୍ଦ୍ରିଗଣ

ଯେ ଯାହା କର୍ମେ ପ୍ରବର୍ତ୍ତନ

ପ୍ରାଣ ସେ କ୍ରିୟା ଶକ୍ତି ବଳେ

ଭୋଗ ଭୁଞ୍ଜଇ କୁତୂହଳେ

ବୁଦ୍ଧି ବିଜ୍ଞାନ ଶକ୍ତି ବଳେ

ଧ୍ୟାନ ଯୋଗରେ ସେ ନିଶ୍ଚଳେ

ତାମସ ଗୁଣ ପଞ୍ଚ ମାତ୍ର

ବିଷ୍ଣୁର ଅଂଶେ ସେ ବିଦିତ

ଆକାଶ ଗୁଣେ ଶ୍ରୋତ୍ର ହୋଇ

ଶବଦ ସଂଗ୍ରହ କରଇ

ଶବ୍ଦାଦି ପଞ୍ଚମାତ୍ରା ମାନେ

ଅର୍ଥ ଆଶ୍ରୟ ଯେଝା ସ୍ଥାନେ

ଆତ୍ମା ଲିଙ୍ଗକୁ ସେ ତୋଷନ୍ତି

ସ୍ୱଭାବେ ଅଦୃଶ୍ୟ ଅଟନ୍ତି

ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ

ପ୍ରାଣ ଇନ୍ଦ୍ରିୟ ସେ ଆତ୍ମାରେ

ଆଶ୍ରୟ ହୋଇ ନ ଦିଶନ୍ତି

ଆକାଶ ଗୁଣେ ଏ ପ୍ରବର୍ତ୍ତି

ଆକାଶ ଗୁଣେ ପଞ୍ଚମାତ୍ର

କାଳର ଗତି ବଳେ ଜାତ

ସର୍ବ ମାତ୍ରାରୁ ବାୟୁ ହୋଇ

କର୍ମ ତା ସଂଗ୍ରହ କରଇ

ମୃଦୁ କଠିନେ କର୍ମ ହୋଇ

ଶୀତ ତପତ ସେ ଜାଣଇ

ଏମନ୍ତେ ବୃକ୍ଷେ ହ୍ୱନ୍ତି ଜନ୍ମ

ଶାଖା ପ୍ରଶାଖା ପତ୍ରମାନ

ସେ ରୂପେ ଏକ ବ୍ରହ୍ମ ତହିଁ

ଏ ସର୍ବ ଉତ୍ପତ୍ତି ହୁଅଇ

ଆତ୍ମାକୁ ଆଶ୍ରେ କରିଥାଇ

ବାୟୁର ବଳେ ସେ ଚଳଇ

ଇନ୍ଦ୍ରୟଗଣ ଶବ୍ଦଜନ୍ଧ

ପ୍ରାଣୀଙ୍କୁ କରନ୍ତି ଏ ଭେଦ

କର୍ମ ମାର୍ଗରେ ଏ ଭ୍ରମନ୍ତି

ପ୍ରାଣୀଙ୍କୁ ବିଗ୍ରହ ଚିନ୍ତନ୍ତି

ଶବ୍ଦ ଯେ କର୍ଣ୍ଣ ଆଶ୍ରେ କରେ

ରୂପ ବସଇ ଚକ୍ଷୁଦ୍ୱାରେ

ଆଘ୍ରାଣେ ଗନ୍ଧ ଯେ ବସଇ

ରସ ଯେ ଜିହ୍ୱାରେ ରହଇ

ସ୍ପର୍ଶ ଯେ ଚର୍ମରେ ବିହରେ

ଏଣୁ ତପତି ସର୍ବଠାରେ

ଅଗ୍ନି ପବନ ନାଭି ଦେଶେ

ବସନ୍ତି କ୍ଷୁଧା ତୃଷା ରସେ

ରୂପ ଅରୂପ ଭଲ ମନ୍ଦ

ଚକ୍ଷୁ ଦ୍ୱାରରେ କରେ ଭେଦ

କଟ ଯେ ମଧୁ ତିକ୍ତ ରସ

ଜିହ୍ୱା ଯେ ଜାଣେ ତା ଅବଶ୍ୟ

ତପତି ଆଦି ଯେଉଁ କ୍ଲେଶ

ଆତ୍ମାରେ ହୁଅଇ ପ୍ରକାଶ

ସୌରଭ ଗନ୍ଧ ଯେ ଦୁର୍ଗନ୍ଧ

ନାସିକା କରେ ତେଣେ ଭେଦ

ସ୍ତୁତି ନିନ୍ଦନ ଯେତେ ବାଣୀ

ଶବ୍ଦ ଯେ ତାକୁ ପରିମାଣି

ସ୍ପର୍ଶ ଯେ ସ୍ନାନ ଲେପ ତପ୍ତେ

ଭେଦ କରଇ ଅନୁବ୍ରତେ

ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି

ଦଣ୍ତେ ହେଁ ସ୍ଥିର ସେ ନୁହନ୍ତି

ଧାରଣା ଯୋଗେ ମନ ଧରି

ପରମ ବ୍ରହ୍ମେ ଲୟ କରି

ସର୍ବ ପ୍ରକାରେ ସତ୍ତ୍ୱ ଗୁଣେ

ଶାନ୍ତି ଭଜିବ ଅନୁକ୍ଷଣେ

ଏ ଦେବ ବୃକ୍ଷର ଲକ୍ଷଣ

ଏବେ କହିବା ମାତ ଶୁଣ

ଯେ କାଳେ ପ୍ରଳୟ ହୁଅଇ

ଏ ସର୍ବ ରୂପ ଭଙ୍ଗ ଯାଇ

ଯାହାର ତହୁଁ ଯେ ଉତ୍ପନ୍ନ

ତାହାର ତହିଁ ସେହି ଲୀନ

ସେକ୍ଷଣି ପ୍ରଭୁ ଭଗବାନ

ଯୋଗ ନିଦ୍ରାରେ ଅବଧାନ

ପୁଣି ଏ ସୃଷ୍ଟି ଆଦିକାଳେ

ଉତ୍ପତ୍ତି ହୁଅନ୍ତି ସକଳେ

ଅନ୍ୟୋନ୍ୟ ଏକତତ୍ତ୍ୱ ହ୍ୱନ୍ତି

ତକ୍ଷଣେ ରୂପକୁ ଲଭନ୍ତି

ଜଳେ ହିରଣ୍ୟ କୋଷ ପ୍ରାୟେ

ପଡ଼ି ଭାସନ୍ତି ମହାଶୟେ

କେତେ ହେଁ କାଳେ ତହୁଁ ଜାତ

ସହସ୍ର-ଶିର ସେ ଅନନ୍ତ

ଜଳେ ଶୟନ ସେ ଆନନ୍ଦେ

ବ୍ରହ୍ମା ଜନ୍ମିଲେ ନାଭିପଦ୍ମେ

ସୃଷ୍ଟିର ଅଧିପତି ସେହି

ବିଷ୍ଣୁର ଆଦିରୂପ ହୋଇ

ଏ ଅଂଶ ତାର ଯେବା ଯହୁଁ ଜାତ

ବିରାଟ ରୂପ ଶୁଣ ମାତ

ବଚନୁ ଅଗ୍ନି ସମ୍ଭବଇ

ନାସାରୁ ପ୍ରାଣ ଜାତ ହୋଇ

ପ୍ରାଣରୁ ବାୟୁ ଉତପନ୍ନ

ଚକ୍ଷୁରୁ ଜନ୍ମିଲା ଅରୁଣ

କର୍ଣ୍ଣରୁ ଦିଗମାନ ହୋଇ

ଇନ୍ଦ୍ରିୟ ଦଶ ରୂପେ ତହିଁ

ଚର୍ମ ଉପରେ ଲୋମମାନ

ଔଷଧଗଣ ତାଙ୍କୁ ଜାଣ

ତା ରେତ ଆପ ଯେ ଅଟଇ

ଗୁହ୍ୟ ତା ମୃତ୍ୟୁ ଲୋକେ କହି

ଭୁଞ୍ଜେ ତାହାର ଇନ୍ଦ୍ରି ଦଶ

ତା ସର୍ବଗତି ହୃଷୀକେଶ

ନାଭି ଆଶ୍ରିତେ ଶିରାକୁଳ

ଏ ସର୍ବ ନଦୀଙ୍କର ମୂଳ

ଉଦରେ ସମୁଦ୍ର ଅଛଇ

କ୍ଷୁଧା ପିପାସା ଅଗ୍ନି ବହି

ମନ ସେ ଅଧିଷ୍ଠିତ ହୋଇ

ବିଷୟ ଭେଦ ସେ କରଇ

ମନର ପରେ ବୁଦ୍ଧି ଜାତ

ସେ ବୁଦ୍ଧି ମହତୁ ସମ୍ଭୂତ

ଏତେ ପ୍ରକାରେ ଜାତ ହୋଇ

ବିରାଟ ଅଙ୍ଗରେ ବହଇ

ଏ ଚତୁର୍ଦ୍ଦଶ ଲୋକ-ସ୍ଥିତି

ବିରାଟ ଅଙ୍ଗରେ ରହନ୍ତି

ଯେ ସ୍ଥାନୁ ଯେବା ଜାତ ହୋଇ

ସେ ଅଙ୍ଗେ ସେହୁ ବିଶ୍ରାମଇ

କ୍ଷେତ୍ରଜ୍ଞ ରୂପେ ଆତ୍ମା ଥାଇ

ସାକ୍ଷୀ ସ୍ୱରୂପେ ସେ ଦେଖଇ

କାର୍ଯ୍ୟ କରିଣ ଇନ୍ଦ୍ରିଗଣ

ଆତ୍ମାକୁ କରନ୍ତି ଭ୍ରମଣ

ଏ ଭାବ ଜାଣି ମୋର ପାଦେ

ଯେବା ଭ୍ରମଇ ଅପ୍ରମାଦେ

ଏ ଭବଜଳୁଁ ସେ ତରଇ

ଏ ମାୟା ତାଙ୍କୁ ନ ଲାଗଇ

ସୁଜନ ଜନେ ଏଣେ ରସ

କହିଲା ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ଷ୍କନ୍ଧେ କପିଳ ଦେବହୂତି

ସମ୍ୱାଦେ ନାମ ଷଡ଼ବିଂଶୋଽଧ୍ୟାୟଃ ।

•••

 

ସପ୍ତବିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ଶୁଣ ବିଦୁର ତତ୍ତ୍ୱବାଣୀ

ଏ ଜୀବ ତରେ ଯାହା ଶୁଣି

କପିଳ ରୂପେ ପ୍ରିୟ ଭାବେ

ଜନନୀ ପ୍ରବୋଧି ପ୍ରସ୍ତାବେ

ଯାହା କହିଲେ ନାରାୟଣ

ନିଶ୍ଚଳ ଚିତ୍ତେ ଏବେ ଶୁଣ

ଶ୍ରୀ ଭଗବାନ ଉବାଚ

ବିଷ୍ଣୁ କହନ୍ତି ତୋଷ ମନେ

ମନୁ ତନୟା ସନ୍ନିଧାନେ

ଶୁଣ ଜନନୀ ଏକ ମନେ

ଯେ ହରି ଅଜ ନିରଞ୍ଜନେ

ନିର୍ଗୁଣ ନିର୍ବିକାର ମୟେ

ବସଇ ଆତ୍ମାରୂପେ ଦେହେ

ସେ ଧର୍ମ ଦେହେ ବଦ୍ଧ ହୋଇ

ଆତ୍ମାକୁ ଅହଙ୍କାର ବହି

ଆତ୍ମାର ଦୁଃଖ ସୁଖ ଜାଣେ

କର୍ମର ଗତି ନ ପ୍ରମାଣେ

ଆତ୍ମାର ଗତି ଆତ୍ମା ପାଖେ

ନିତ୍ୟ ଭ୍ରମଇ ଦୁଃଖ ସୁଖେ

ଦେହକୁ କରେ ଅହଂକାର

ଏଣୁ ହରଇ ଜ୍ଞାନ ତାର

ନିରତେ ଅହଙ୍କାର ଘେନି

ସେହୁ ପଡ଼ଇ ନାନା ଯୋନି

ଯେମନ୍ତେ ଜଳେ ପ୍ରାଣୀ ପଶେ

ପୁଣି ଉଠିଲେ ଶିର ଦିଶେ

ଜନ୍ମ ମରଣ ଏହି ମତେ

ଅର୍ଜିଲା କର୍ମର ଆୟତ୍ତେ

ଆତ୍ମାର କର୍ମଫଳ ଘେନି

ଏମନ୍ତେ ଭ୍ରମେ ନାନା ଯୋନି

ଅଜ୍ଞାନେ ଏ ଘୋର ସଂସାରେ

ଜୀବ ଭ୍ରମଇ ଅହଙ୍କାରେ

ଦୁଃଖ ଲଭଇ ବାରେ ବାରେ

ଆତ୍ମାର ଗତି ନ ବିଚାରେ

ସ୍ୱପ୍ନ ଅନର୍ଥେ ଯାହାଦେଖି

ନାନା ପ୍ରକାରେ ଉପଲକ୍ଷି

ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ

ଯେହ୍ନେ ଜାଗ୍ରତେ ହୁଏ ମିଛ

ଏ ରୂପେ ଜୀବର ସଞ୍ଚାର

ଏମନ୍ତେ ମାୟାର ସଂସାର

ଏ ଜୀବ ଯାହାର ଅଧୀନ

କି ରୂପେ ପଡ଼ଇ ବନ୍ଧନ

ଏଣୁ ସଞ୍ଜମ ଚିତ୍ତ କରି

ବିଷମ ବିଷ ରୂପ ଧରି

ନିୟମେ ସ୍ଥାପିବ ନିଶ୍ଚଳେ

ଛଡ଼ାଇ ଇନ୍ଦ୍ରି ସଙ୍ଗ ମେଳେ

ବିଷ୍ଣୁ-ବିଷୟେ ମନ ଭରି

ସାଧିବ ଶରୀର ପାଶୋରି

ଯତ୍ନେ ସାଧିବ ଯୋଗ ତପ

ସତ୍ୟ ମଉନ ସିଦ୍ଧି କଳ୍ପ

ମୋହର ଗୁଣ କର୍ମ ଯଶ

ଶ୍ରବଣେ ହୋଇବ ହରଷ

ସକଳ ଜୀବେ ଜୀବ ପ୍ରାୟେ

ନିତ୍ୟ ଦେଖିବ ବିଷ୍ଣୁ ମୟେ

ପ୍ରାଣୀଙ୍କ ହିତେ ଥିବ ନିତ୍ୟେ

ଚଞ୍ଚଳ ହୃଦୟେ ସଂଯୁତେ

ଆଶ୍ରମ ଆଶ୍ରା ତତ୍ତ୍ୱ ମତେ

ସତ୍ୟ ଶଉଚ ଇନ୍ଦ୍ରିଯୁତେ

କରି ଛାଡ଼ିବ ଜଡ଼ ଦେହ

ତ୍ରିଅହଙ୍କାର ମାୟା ମୋହ

ହୋଇବ ତୁଷ୍ଟ ଦୟା ଶାନ୍ତି

ଧୈର୍ଯ୍ୟେ ଛାଡ଼ିବ ମନୋଭ୍ରାନ୍ତି

ଏତେ ସାଧନେ ଚିତ୍ତ କରି

ଦୃଢ଼େ ସାଧିବ ବ୍ରହ୍ମଚାରୀ

ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ

ନିରତେ ସାଧିବ ଯତନେ

ଏ ସର୍ବ ପ୍ରକାଶ ଅଧୀନ

ଖଣ୍ତଇ ଜୀବର ସ୍ୱାଧୀନ

ହରି ଚରର ଭକ୍ତି ବିନେ

ଉପାୟ ନ ଘଟଇ ଆନେ

ଏବେ ଜନନୀ ଧୀରେ ଶୁଣ

କହିବା ଯୋଗର ଲକ୍ଷଣ

ତେଜିବ ବିଷୟ ଭ୍ରମଣ

ମନର ସନ୍ତୋଷ ବନ୍ଧନ

ସନ୍ତୋଷ ଚିତ୍ତେ ଯଥା ଲାଭେ

ଭଜ ଚରଣ ଯଥା ଭାବେ

ଏ ଗ୍ରାମ୍ୟ ଧର୍ମ ପରିହରି

ମୋକ୍ଷ ଆସନେ ଆଶ୍ରା କରି

ଜୀବ କୁଶଳ ସର୍ବ ସ୍ଥାନେ

ଚିନ୍ତିବ ପରମ ଯତନେ

ଦୂରେ ତେଜିବ ମିଥ୍ୟା ଭାଷା

ଦୂରିତ ବୁଦ୍ଧି ପରହିଂସା

ଧନ ଅର୍ଜନ ଅତି ଗାଢ଼େ

ଚିନ୍ତା ନ କରିବ ନିବିଡ଼େ

ତପ ଶଉଚ ବ୍ରହ୍ମଚାରୀ

ବେଦ ଅଭ୍ୟାସ ନିତ୍ୟେ କରି

ପୁରୁଷ ଅର୍ଜନ ମଉନ

ସାଧିବ ଯୋଗର ଆସନ

ପଦ୍ମ ଆସନେ ସିଦ୍ଧିମନେ

ରୁନ୍ଧିବ ଇନ୍ଦ୍ରିୟ ପବନେ

ସମାଧି ଧାରଣ ମଉନୀ

ଅଷ୍ଟାଙ୍ଗ ଯୋଗେ ଥାଇ ମୁନି

ଯାହା ଚିନ୍ତନ୍ତି ତତ୍ତ୍ୱଜ୍ଞାନୀ

ପରମ ଜ୍ୟୋତି ରୂପେ ରମି

ବିଷ୍ଣୁର ଶ୍ରବଣ କୀର୍ତ୍ତନେ

ସୁସଙ୍ଗ କରିବ ଯତନେ

ଏମନ୍ତ ଦୁଷ୍ଟ ଦୂରାଚାର

ସ୍ୱଭାବେ ବଳେ ବଳିୟାର

ବିଷ୍ଣୁ ଭଜନ ରଜ୍ଜୁଗଳେ

ବନ୍ଧନ ନ ରହେ ନିଶ୍ଚଳେ

ବିଷ୍ଣୁ ଚରଣେ ପଦ୍ମ ଦୁଇ

ଧ୍ୱଜ ଅଙ୍କୁଶ ବିରାଜଇ

ଚନ୍ଦ୍ର କିରଣେ ନଖ ପନ୍ତି

ଗଞ୍ଜେ ଶଶାଙ୍କ ରବି ଜ୍ୟୋତି

ନିରତେ ଚିତ୍ତେ ଯାର ବସେ

ହୃଦୟ ତମ ବେଗେ ନାଶେ

ଯା ପାଦପଦ୍ମ ଶୌଚ ନୀର

ଭାବେ ଶଙ୍କର ବହେ ଶିର

ତେଣୁ ଈଶ୍ୱର ପଦ୍କ ଧରେ

ଅନ୍ତେ ସେ ଜଗତ ସଂହରେ

ସେ ପାଦପଦ୍ମେ ଅବିରତେ

ହୃଦେ ଚିନ୍ତନ୍ତି ଦୃଢ଼ଚିତ୍ତେ

ଦେବେ ଭକତ ତମ ନାଶେ

ପର୍ବତ ଯେହ୍ନେ ବଜ୍ର ତ୍ରାସେ

ଏମନ୍ତ ଚିନ୍ତି ଦେବହରି

ଅନ୍ତେ ଗମଇ ବିଷ୍ଣୁ ପୁରୀ

ଏବେ ଜନନୀ କହୁଁ ଶୁଣ

ଯେ ଭକ୍ତି ଯୋଗର ଲକ୍ଷଣ

ଦମ୍ଭ ମତ୍ସର ହିଂସା ଛଳେ

କ୍ରୋଧ କୁଟିଳ ଭାବ ବଳେ

ଯେ ବିଷ୍ଣୁ ଭଜେ ହୀନଜ୍ଞାନେ

ବ୍ରତ ବିଷୟ ଚିନ୍ତି ଧ୍ୟାନେ

ତାମସ ଭକ୍ତି ବୋଲି ତାର

ତା ଭାବ କେ କରୁ ଗୋଚର

ସେ ବିଷ୍ଣୁ ଭକ୍ତ ମଧ୍ୟେ ବର

ତା ଭାବ ଦେବେ ଅଗୋଚର

ଦାରା ତନୟ ଧର୍ମ ଅର୍ଥେ

ବିଷ୍ଣୁଙ୍କୁ ଭଜିବ ଯେମନ୍ତେ

ରାଜସ ଭକ୍ତ ବୋଲି ତାରେ

ପାଞ୍ଚଇ ଆତ୍ମାର ପ୍ରକାରେ

ବାହ୍ୟ ଅନ୍ତରେ ମାୟା ତେଜେ

କେବଳ ବିଷ୍ଣୁ ଭାବେ ଭଜେ

ସାତ୍ତ୍ୱିକ ଭକ୍ତି ବୋଲି ତାରେ

ନ ବୁଡ଼େ ସଂସାର ସାଗରେ

ଶୁଣ ରାଜନ ପରିମାଣି

ବିଷ୍ଣୁ ଯେ ଏମନ୍ତ ନିର୍ମାଣି

ବିଷ୍ଣୁର ଗୁଣ ଗୁଣି ଯେବେ

ରୋମ ପୁଲକ ତନୁ ଭାବେ

ଆନନ୍ଦେ ନେତ୍ରୁ ଅଶ୍ରୁ ବହେ

କଣ୍ଠ ଗଦଗଦ ବାଣୀ କହେ

ଚେତନା ବୁଦ୍ଧି ଅହଙ୍କାର

ଯେ ଭୂତ ବିଷୟ ଗୋଚର

ଏ ସର୍ବ ହରି ଭାବ ମନେ

ଗଙ୍ଗା ସମୁଦ୍ରେ ମିଶେ ଯେହ୍ନେ

ସାତ୍ତ୍ୱିକ ଭକ୍ତି ବୋଲି ତାରେ

ସେହି ଦୁର୍ଲ୍ଲଭ ଏ ସଂସାରେ

ତ୍ରିଗୁଣବଦ୍ଧ ସେ ମିଳଇ

ଉଦୟ ଅସ୍ତ ତାର ନାହିଁ

ଏମନ୍ତେ ଭକ୍ତି ଚାରିଭାବେ

ତୋ ଅଗ୍ରେ କହିଲି ପ୍ରସ୍ତାବେ

ମୁକ୍ତି ଯେ ଚାରିଭାଗ ବର୍ଣ୍ଣି

ସଂଯମେ ଶୁଣି ଗୋ ଜନନୀ

ଏ ଚାରି ମୁକ୍ତି ଯେ ପ୍ରତ୍ୟକ୍ଷେ

ଗୋବିନ୍ଦ ଭକତ ନ ଇଚ୍ଛେ

ନିତ୍ୟେ ଭାବନ୍ତି ନିର୍ବିକାରେ

ସେ ଧନ୍ୟ ସଂସାର ସାଗରେ

କେ ଜାଣି ପାରେ ତାର ଭାବ

ସେଟି ପ୍ରତ୍ୟକ୍ଷେ ପଦ୍ମନାଭ

ସେ ଚାରି ପ୍ରକାରେ ପ୍ରମାଣି

ଭକ୍ତି ଲକ୍ଷଣ ଏବେ ଜାଣି

ଅବିଦ୍ୟା ବନ୍ଧ ଏବେ ନାଶ

ନିର୍ମଳ କୈବଲ୍ୟ ପ୍ରକାଶ

ଏମନ୍ତେ ଭକ୍ତି ଯୋଗ ବାଣୀ

କପିଳ ମାତା ଆଗେ ଭଣି

ସଂସାର ଜନହିତ ଅର୍ଥେ

ତୃତୀୟସ୍କନ୍ଧ ଭାଗବତେ

ଜ୍ଞାନ ଅମୃତମୟ ରସ

କହିଲା ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ କପିଳ ଦେବହୂତି ସମ୍ୱାଦେ

ନାମ ସପ୍ତବିଂଶୋଽଧ୍ୟାୟଃ

•••

 

ଅଷ୍ଟବିଂଶ ଅଧ୍ୟାୟ

 

ଶ୍ରୀଭଗବାନ ଉବାଚ

ଶୁଣ ନୃପତି ସୁତା ତୁମ୍ଭେ

ଯୋଗ ଲକ୍ଷଣ କହୁ ଆମ୍ଭେ

ମନ ପ୍ରସନ୍ନ ଯେବେ ହୋଇ

ସନ୍ମାର୍ଗ ଭାବକୁ ଗମଇ

ଏଣୁ ଏ ଗ୍ରାମ୍ୟ ଧର୍ମ ଛାଡ଼ି

ନିବୃତ୍ତି ମାର୍ଗେ ଚିତ୍ତ ବଢ଼ି

ନିଶ୍ଚଳ ସ୍ଥାନରେ ସେ ବସି

ଲବ୍‌ଧ ଆହାରେ ପ୍ରାଣ ପୋଷି

ଅହିଂସା ସତ୍ୟମାର୍ଗେ ମଜ୍ଜି

ଅନ୍ତେ ଏ ପ୍ରତିଗ୍ରହେ ତେଜି

ଯେ ବ୍ରହ୍ମଚର୍ଯ୍ୟ ଆଚରଣ

ତପ ଶଉଚ ଅଧ୍ୟୟନ

ପୁରୁଷ ରୂପୀ ନାରାୟଣ

ତା ପାଦେ କରଇ ଅର୍ଜନ

ନିଶ୍ଚଳ ଆସନେ ବସିବ

ମଉନ ବ୍ରତ ଆଚରିବ

ମନକୁ ନିର୍ବିକ୍ଷୟ କରି

ଇନ୍ଦ୍ରିୟ ସମୂହ ଆବୋରି

ଆହାର ଜିଣି ପ୍ରତ୍ୟାହାରେ

ପ୍ରାଣକୁ ସ୍ଥାପିବ ନିଶ୍ଚଳେ

ଆତ୍ମାରେ ଆତ୍ମାକୁ ଚିନ୍ତିବ

ବୈକୁଣ୍ଠ ଲୀଳାଦି ଯେ ଭାବ

ବୁଦ୍ଧିର ବଳେ କର୍ମ ସାଧି

ନିଶ୍ଚଳ ଯୋଗରେ ସମାଧି

ଏ ବିଧି ଅନ୍ୟ ମାର୍ଗେ ନାହିଁ

ଶୁଣ ଗୋ ମାତ ମନ ଦେଇ

ବିଶୁଦ୍ଧ ଦେଶରେ ଆସନ

କୁଷ୍ଣ କମ୍ବଳ କୃଷ୍ଣାଜିନ

ସ୍ୱସ୍ତିକ ଆସନେ ବସିବ

ଆନନ୍ଦେ ଯୋଗ ଅଭ୍ୟାସିବ

ଯେ ପ୍ରାଣୀ ଅପର ବିବେକ

ପୂରକ କୁମ୍ଭକ ରେଚକ

ଏ ମାର୍ଗେ ପ୍ରାଣକୁ ଶୋଧିବ

ନିଶ୍ଚଳ ଚିତ୍ତରେ ଚିନ୍ତିବ

ଯେମନ୍ତେ ବାୟୁ ଅଗ୍ନି ଲାଗି

ଲୌହ ଦଗ୍‌ଧରେ ମଳତ୍ୟାଗୀ

ସେ ରୂପେ ପ୍ରାଣାୟମ କଲେ

ଆତ୍ମା ନିର୍ମଳ ହୋଏ ଭଲେ

ସମସ୍ତ ଦୋଷ ଏଣେ ହରେ

ଯେବା ପାତକ ପୂର୍ବେ କରେ

ପ୍ରତ୍ୟାହାରର ବଳେ ମନ

ଧ୍ୟାନରେ ଜାଣଇ ତ୍ରିଗୁଣ

ମନ ପ୍ରସନ୍ନ ଯେତେବେଳେ

ଯୋଗକୁ ସାଧିବ ନିଶ୍ଚଳେ

କଳା କାଷ୍ଠାଦି ଦଣ୍ତେ କ୍ଷଣେ

ନାସିକା ଅଗ୍ରେ ସୁଲକ୍ଷଣେ

ଧ୍ୟାନେ ଚିନ୍ତନ୍ତି ଭଗବାନ

ଅନାଦି-ପରମ-କାରଣ

ଶ୍ୟାମ ସୁନ୍ଦର କଳେବର

ବଚନ ଅମୃତ ମଧୁର

ପ୍ରସନ୍ନ ବଦନ ସୁନ୍ଦର

ତେଜ ଦେବଙ୍କୁ ଅଗୋଚର

ଶ୍ରୀବତ୍ସ ଚିହ୍ନ ବକ୍ଷ ସ୍ଥଳେ

କିବା ଉପମା ଦେବା ଭଲେ

ମୁକୁତା ଚାପସରି ହୋଇ

କଣ୍ଠେ କୌସ୍ତୁଭ ମଣି ଶୋହି

ଲମ୍ବିତ ତାର ପୃଷ୍ଠ ଦେଶେ

ପାଟଳ ପ୍ରାୟେ ସେ ପ୍ରକାଶେ

ଅମଳ ବନମାଳୀ ଗଳେ

ମନ ଭ୍ରମଇ ମଧୁଭୋଳେ

ମଧୁର ଧ୍ୱନି ସେ କରନ୍ତି

ଆନନ୍ଦେ ଉଡ଼ି ପନ୍ତି ପନ୍ତି

କିରୀଟ ଅନଙ୍ଗ ବିରାଜେ

ଅମୂଲ୍ୟ ହାର ହୃଦେ ସାଜେ

ରତ୍ନ ନୂପୁର ପାଦେ ଶୋହି

କିବା ଉପମା ଦେବା ତହିଁ

ଦିବ୍ୟ କର୍ଣ୍ଣରେ ସେ କୁଣ୍ତଳ

ଶୋଭା କରଇ ଗଣ୍ତ ସ୍ଥଳ

ଏମନ୍ତ ରୂପେ ଭକ୍ତଜନେ

ହୃଦେ ଚିନ୍ତନ୍ତି ଅନୁକ୍ଷଣେ

ଆନନ୍ଦେ ଦର୍ଶନ କରନ୍ତି

ନୟନ ନିର୍ମଳେ ଦେଖନ୍ତି

କିଶୋର ତରୁଣ ବୟସ

ଅତି ସୁନ୍ଦର ସୁପ୍ରକାଶ

ସର୍ବ ଲୋକଙ୍କୁ ନମସ୍କୃତ୍ୟ

ଅବ୍ୟୟ ସୁଶାନ୍ତ ମହତ

ଭକ୍ତାନୁଗ୍ରହ ସେ ଅଟନ୍ତି

ଭକ୍ତର କଷ୍ଟ ନ ସହନ୍ତି

ଯାହାର ଯଶ କୀର୍ତ୍ତି ସାର

ତୀର୍ଥଙ୍କ ପ୍ରାୟେ ପାପ ହର

ଯାହାର କୀର୍ତ୍ତି ପୁଣ୍ୟଶ୍ଳୋକେ

ଗାୟନ କରୁଛନ୍ତି ମୁଖେ

ସମଗ୍ର କରି ତାଙ୍କ ଦେହୀ

ନିତ୍ୟେ ଚିନ୍ତିବ ଚିତ୍ତେ ଧ୍ୟାୟି

ଆସନେ ବସି ଏକାନ୍ତରେ

ଗମନ ଶୟନ ଗୁହାରେ

ଅଙ୍ଗକୁ ଅଙ୍ଗ ପ୍ରତିଧ୍ୟାନ

ଚିନ୍ତିବ ବିଷ୍ଣୁର ଚରଣ

ଧ୍ୱଜ ଅଙ୍କୁଶ ବଜ୍ରଚିହ୍ନ

ପଦ୍ମ ସହିତେ ଯେ ଲାଞ୍ଛନ

ତୁଙ୍ଗ ସୁରଙ୍ଗ ପାଦ ଦୁଇ

ନଖ ଚନ୍ଦ୍ରିକା ବିରାଜଇ

ମହତ ହୃଦ ଅହଙ୍କାର

ଧ୍ୟାନେ ଭଜଇ ନିରନ୍ତର

ଯା ପାଦୋଦକ ଗଙ୍ଗା ନୀର

ଶିରରେ ବହିଛନ୍ତି ହର

ଯା ନୀର ବ୍ରହ୍ମାଣ୍ତ ମଧ୍ୟରେ

ସ୍ନାନ କରନ୍ତି ସୁର ନରେ

ପାପ ଶଇଳ ବଜ୍ର ପ୍ରାୟେ

ଯା ପାଦ ନାଶଇ ନିର୍ଭୟେ

ସେ ପାଦପଦ୍ମେ ଧ୍ୟାନ କରି

ନିତ୍ୟେ ବନ୍ଦଇ ଚିତ୍ତେ ଧରି

ସେ ପାଦପଦ୍ମର ମହିମା

କେ କହିପାରେ ଗୁଣସୀମା

ଯା ପାଦଯୁଗ ମନୋହର

ବ୍ରହ୍ମା ସେବଇ ନିରନ୍ତର

ଆଜାନୁଲମ୍ୱି ଭୂଜମାନ

କେୟୁର କଙ୍କଣ ଶୋଭନ

ଅତସୀ କୁସୁମର ପ୍ରାୟେ

ଅଙ୍ଗ ତାହାର ଶୋଭା ପାଏ

ତଡ଼ିତ ଜିଣି ପୀତମ୍ବର

କାଞ୍ଚନ ଦାମ ମନୋହର

ଏ ବିଶ୍ୱ ଯାହାର ହୃଦର

ସପ୍ତ ସମୁଦ୍ର ଦ୍ୱୀପବର

ଯା ନାଭି ପଦ୍ମୁ ବ୍ରହ୍ମଜାତ

ଅଖିଳ-ବ୍ରହ୍ମାଣ୍ତର ନାଥ

ଏମନ୍ତ ଭାବେ ଯାହା ଚିନ୍ତି

ଅପରେ ହୃଦୟ ଆକୃତି

ମର୍କତ ମଣି ପ୍ରାୟେ ଶୋଭା

ସ୍ତନ ଯୁଗଳ ଦିବ୍ୟ ପ୍ରଭା

ତା ମଧ୍ୟେ ବିଶଦ ଯେ ହାର

ଅତ୍ୟନ୍ତ ଶୋଭା ସେ ହୃଦର

ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ

ଅର୍ଦ୍ଧେକ ଶୋଭା ମଣିକରେ

ଅଖିଳ ଲୋକ ମନୁ ସୁତ

ଶୋଭା ଯେ କରେ ଜନ୍ମ ମାତ୍ର

ମନ୍ଦର ଗିରି ଶୃଘଂ ପ୍ରାୟେ

ତା ଭୁଜ ଦଣ୍ତ ଶୋଭା ପାଏ

ଯେ ଚକ୍ର ଧରିଛନ୍ତି କର

ଅପରିଣାମ ତେଜ ତାର

ତା କରପଦ୍ମ ଚକ୍ରେ ଶୋଭା

ରାଜହଂସର ପ୍ରାୟେ ଆଭା

ଦାନବ ରୁଧିରେଣ ଯୁକ୍ତ

ଗଦାଏ ଅଛି ତାର ହସ୍ତ

ଭୃତାନୁଗ୍ରହ ତା ଶ୍ରୀମୁଖ

ସସ୍ମିତା ସୁରଙ୍ଗ ସୁରେଖ

ଶ୍ରବଣେ ମକର କୁଣ୍ତଳ

ଚଳନ୍ତେ ଯେହ୍ନେ ବିଦ୍ୟୁନ୍ନାଳ

ତୁଙ୍ଗ ନାରଙ୍ଗ ଦିବ୍ୟ ଶୋଭା

କୁଣ୍ଡଳ ଅଳି ଗଣ୍ଡ ପ୍ରଭା

ଲୋଚନଯୁଗ ପଦ୍ମ ପ୍ରାୟେ

ଭୃଙ୍ଗର ବୀଥି କିବା ଶୋହେ

ଏମନ୍ତ ରୂପ ଯେବା ଧ୍ୟାନ

ଆନନ୍ଦେ କରେ ଅନୁକ୍ଷଣ

ତାହାକୁ ପ୍ରଭୁ କୃପାକରେ

ଏ ଘୋର ତାପ ଚୟ ହରେ

ଏଣୁ ଏ ରୂପ ଗୁଣ ଧ୍ୟାନେ

ନିତ୍ୟେ ଚିନ୍ତିବ ଦୃଢ଼ ମନେ

ଅଖିଳ ଲୋକ ତାହା ହରେ

ଯେ ମନ୍ଦହାସ ଶ୍ରୀମୁଖରେ

ମକର ଧ୍ୱଜ-ଚାପ ପ୍ରାୟେ

ଭୃଭଙ୍ଗ ଯୁଗ ତାର ଶୋହେ

କଟାକ୍ଷ ଶରପନ୍ତି ହୋଇ

ମୁନିମାନଙ୍କ ମନ ମୋହି

ଏଣେ ମୋହିତ ମୁନିଜନେ

ଧ୍ୟାନ କରନ୍ତି ଅନୁକ୍ଷଣେ

ତାହାର ଉଚ୍ଚହାସେ ଧ୍ୟାନ

ଅରୁଣ ବର୍ଣ୍ଣ ଓଷ୍ଠମାନ

କୁନ୍ଦକଢ଼ୀର ପ୍ରାୟ ହୋଇ

ଦନ୍ତପନ୍ତି ଯେ ବିରାଜଇ

ପ୍ରେମାନୁବନ୍ଧେ ଏହା ଚିନ୍ତି

ଅନ୍ୟ ଯେ କିଛି ନ ବାଞ୍ଚନ୍ତି

ଏ ରୂପେ ଧ୍ୟାନ ଯୋଗ କରି

ଭକ୍ତି ଭାବରେ ମୋଦ ଭରି

ଭକ୍ତ ସ୍ୱଭାବେ ସୁମରଣ

ପୁଲକ କରି ତନୁ ଲୋମ

ଏ ରୂପେ ଯୋଗ ସମାଧିରେ

ଯେବେ ଏ ମନ ଭ୍ରମ କରେ

ତେବେ ସଙ୍ଗମ ମନ କରି

ଧ୍ୟାନେ ଚିନ୍ତିବ ନରହରି

ଏ ରୂପେ ନିର୍ବିଷୟ ହୋଇ

ନିଷ୍କାମ ମାର୍ଗେ ଯୋଗଧ୍ୟାୟି

ପରମାନନ୍ଦ ରୂପ ଚିନ୍ତି

ବ୍ରହ୍ମ ନିର୍ବାଣ ସେ ଲଭନ୍ତି

ଜ୍ୟୋତି ସ୍ୱରୂପ ଆତ୍ମା ଏକ

ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ

ଗୁଣ ପ୍ରବାହକୁ ନାଶଇ

ଅଗମ୍ୟ ଦିବ୍ୟସ୍ଥାନ ପାଇ

ଏ ରୂପେ ଭକ୍ତିଯୋଗ ସାଧି

ତରଇ ସଂସାର ଜଳଧି

ଜାଣଇ ସୁଖ ଦୁଃଖ ଭାବ

ଜନ୍ମ ମୃତ୍ୟୁର ପରାଭବ

ଦୈବ ଅଧୀନେ ଯେତେ ନର

ଏ ମାର୍ଗେ ନୁହନ୍ତି ପ୍ରବର

ଏ ଦେହ ସତ୍ୟ ପ୍ରାୟ ମଣି

ବିଷୟ ଭ୍ରମେ ଅନୁକ୍ଷଣି

ମଦିରା ଅର୍ଥେ ଭୋଳ ହୋଇ

ଯେମନ୍ତେ ଦିବସ ସେ ହୋଇ

ସେ ରୂପେ ପ୍ରବୃତ୍ତି ନିବୃତ୍ତି

ଅଜ୍ଞାନେ ତାହା ନ ଜାଣନ୍ତି

ଏ ଦେହେ କର୍ମବଶ ହୋଇ

ସର୍ବ ସଂକଳ୍ପ କରିଥାଇ

ଯାବତ ଯୋଗସିଦ୍ଧି ନୋହି

ତାବତ ବିଷୟ ଭ୍ରମଇ

ପୁତ୍ର କଳତ୍ର ଗୃହ ଧନେ

ସ୍ନେହ ବନ୍ଧନ ପ୍ରାଣୀମାନେ

ଆତ୍ମାର ତୁଲ୍ୟପ୍ରାୟ ମଣେ

ତୋଷେଣ ଭ୍ରମେ ଅନୁକ୍ଷଣେ

ଯେମନ୍ତେ ଅଗ୍ନି ଧୂମ୍ର ବଳ

କେବେହେଁ ନୁହଇ ନିର୍ମଳ

ସେ ରୂପେ ବିଷୟାନ୍ଧେ ପ୍ରାଣୀ

କେବେହେଁ ଆତ୍ମାକୁ ନ ଚିହ୍ନି

କାଷ୍ଠରୁ ଧୂମ ଅଗ୍ନି ଜାତ

ସେ କାଷ୍ଠ ଦହଇ ଯେମନ୍ତ

ଅଜ୍ଞାନୁ ଜ୍ଞାନ ଜାତ ହୋଇ

ବିଷୟ-ବାସନା ଦହଇ

ଭୂତ ଇନ୍ଦ୍ରିୟଗଣ ଯେତେ

ପ୍ରଧାନ-ପୁରୁଷ ସହିତେ

ଏକ ଅନେକ ରୂପ ହୋଇ

ବ୍ରହ୍ମାଣ୍ତେ ଲୀଳା ସେ କରଇ

ଏମନ୍ତ ଭାବେ ବ୍ରହ୍ମଜ୍ଞାନ

ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ

ଏ ସର୍ବଭୂତ ତାର ଦେହି

ସେ ସର୍ବଭୂତ ମଧ୍ୟେ ଥାଇ

ଏମନ୍ତ ଭାବେ ସର୍ବଭୂତେ

ଅନ୍ୟୋନ୍ୟେ ଦେଖିବ ନିରତେ

ସେ ଜ୍ୟୋତିର୍ମୟ ଆତ୍ମାଯୋନି

ଗୁଣ ପ୍ରବାହ ଭେଦେ ଘେନି

ସତ ଅସତ ଆତ୍ମା ସେହି

ତା ବିନୁ ଅନ୍ୟ ନାହିଁ କେହି

ପରମ ଭକ୍ତ ଭାବ ଏହି

ଏ ଭାବେ ଚିନ୍ତ ମନ ଦେଇ

ତେବେ ଏ ସଂସାରୁ ତରିବ

ଶ୍ରୀକୃଷ୍ଣ ଚରଣ ଲଭିବ

ଭୋ ମାତ ସାଧ ଏହି ଯୋଗ

ହେଳେ ତରିବ ଘୋର ଦୁର୍ଗ

କହଇ ବିପ୍ର ଜଗନ୍ନାଥ

ସୁଜନେ ଚିନ୍ତ ଏହି ପଥ

ଏଣେ ସଂସାରୁ ତରିଯିବ

ନାହିଁ ଯାତନା ପରାଭବ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ୱାଦେ

ନାମ ଅଷ୍ଟାବିଂଶେଽଧ୍ୟାୟଃ ।

•••

 

ଉନବିଂଶ ଅଧ୍ୟାୟ

 

ଦେବହୂତିରୁବାଚ

ଭୋନାଥ ପ୍ରଭୁ ଭଗବାନ

କହ ତୁ ପରମାର୍ଥ ଜ୍ଞାନ

ଯେ ଜ୍ଞାନ ଭକ୍ତ ପ୍ରକାଶଇ

ଅଜ୍ଞାନ-ତିମିର ନାଶଇ

ମହତ ଆଦି ସେ ପ୍ରମାଣ

ପ୍ରକୃତି ପୁରୁଷ ଲକ୍ଷଣ

ଯଥା ସଂଖ୍ୟାରେ ଅଛି କହି

ତୋ ଭକ୍ତି ମାର୍ଗକୁ ଚିହ୍ନଇ

ବିସ୍ତାରି କହ ପ୍ରଭୁ ମୋତେ

ସଂଶୟ ନ ରହୁ ମୋ ଚିତ୍ତେ

ମହାପ୍ରଭାବ ଯେ ଈଶ୍ୱର

ସମସ୍ତ ଚିତ୍ତରେ ଗୋଚର

ଯେହେତୁ ଲଭି ପ୍ରାଣୀମାନେ

କୁଶଳ ହ୍ୱନ୍ତି ତତକ୍ଷଣେ

ସଂସାରେ ମୋହ ଅନ୍ଧକାରେ

ଦେହାଭିମାନି ଯେତେ ନରେ

ନିଦ୍ରିତ ହୋଇ ସେ ଅଛନ୍ତି

ଅଜ୍ଞାନେ କିଛି ନ ଜାଣନ୍ତି

ତୋ ଜ୍ଞାନ ଦେଇ ନରହରି

ବିନାଶ ଅଜ୍ଞାନ-ତିମିରି

ମୈତ୍ରେୟ ଉବାଚ

ଶୁଣ ବିଦୁର ମନ ଦେଇ

ମାତା ବଚନେ ଭାବଗ୍ରାହୀ

କହନ୍ତି ଅମୃତ ବଚନ

ଯେଣେ ସନ୍ତୋଷ ମାତା ମନ

ଶ୍ରୀ ଭଗବାନ ଉବାଚ

ଶୁଣ ଜନନୀ ସ୍ଥିର ମନେ

ଯେ ଜ୍ଞାନ ଭକ୍ତିର ଲକ୍ଷଣେ

ବହୁ ପ୍ରକାରେ ଭକ୍ତିଯୋଗ

ଜ୍ଞାନୀ ସାଧନ୍ତି ମୋକ୍ଷ ମାର୍ଗ

ସ୍ୱଭାବେ ଗୁଣ ଯୁକ୍ତ ହୋଇ

ନାନା ସଂକଳ୍ପ ମନେ ଧ୍ୟାୟି

ସା‌ତ୍ତ୍ୱିକ ରାଜସ ତାମସ

ଗୁଣ ପ୍ରବାହେ ଯେ ପ୍ରକାଶ

ଦମ୍ଭ ମତ୍ସର ଭାବ ବହି

ପ୍ରାଣୀ ହିଂସାରେ ଯୁକ୍ତ ହୋଇ

ପର ଅପରେ ଭେଦ ବୁଦ୍ଧି

ତାମସ ଗୁଣେ ଯେ ପ୍ରସିଦ୍ଧି

ଏ ଭାବେ ମୋତେ ଯେ ପୂଜଇ

ତାମସ ଭକ୍ତି ତାକୁ କହି

ଯଶ ଐଶ୍ୱର୍ଯ୍ୟ କଳ୍ପେ ମନେ

ବିଷୟ ଧ୍ୟାନ ଅନୁକ୍ଷଣେ

ଏ କର୍ମେ ମୋତେ ଯେ ପୂଜଇ

ରାଜସ ଭକ୍ତି ତାକୁ କହି

ଈଶ୍ୱର ଅର୍ଥେ କର୍ମ କରେ

ଧର୍ମ ମାର୍ଗରେ ଯେ ପ୍ରଚରେ

ସର୍ବତ୍ର ଦେଖଇ ସମାନ

ସା‌ତ୍ତ୍ୱିକ ଭକ୍ତି ତାକୁ ଜାଣ

ଏହି ପ୍ରକାରେ ନବ ନବ

ସାଧନ୍ତି କେବା ଗୁଣ ମାର୍ଗ

ମୋହର ଗୁଣ କୀର୍ତ୍ତିମାନ

ନିତ୍ୟେ ଯେ କରଇ ଶ୍ରବଣ

ମୁହିଁ ଯେ ସର୍ବ ଗୁଣାଶ୍ରୟ

ବିଚ୍ଛେଦେ ନାହିଁ କାହିଁ ମୋହ

ଏମନ୍ତ ଭାବେ ସେ ଭାବଇ

କର୍ମବନ୍ଧନୁ ମୋକ୍ଷ ହୋଇ

ସମୁଦ୍ର ଯେହ୍ନେ ନଦୀ ଜଳ

ମିଳି ହୁଅନ୍ତି ଏକ ମେଳ

ସେ ରୂପେ ମୋର ଦେହେ ଲୀନ

ଭକ୍ତି ଭାବରେ ହ୍ୱନ୍ତି ଜନ

ଶୁଣ କହିବା ମନ ଦେଇ

ନିର୍ଗୁଣ ଭକ୍ତି ତାକୁ କହି

ନିଷ୍କାମ ମାର୍ଗେ ଆତ୍ମଜ୍ଞାନ

ସର୍ବତ୍ର ଦେଖଇ ସମାନ

ପୁରୁଷୋତ୍ତମ ଭାବେ ଭଜି

ପରମ ଆତ୍ମା ମନେ ହେଜି

ନିର୍ଗୁଣ ଭକ୍ତି ଏହା କହି

ଅପରେ ଶୁଣ ମନ ଦେଇ

ସାମୀପ୍ୟ ସାରୂପ୍ୟ ଏକତ୍ୱ

ସାଲୋକ୍ୟ ଅଇଶ୍ୱର୍ଯ୍ୟ ବ୍ୟକ୍ତ

ଏମାନେ ଯାହା ମୋତେ ଦ୍ୟନ୍ତି

ଏଣେ ସନ୍ତୋଷ ନୋହେ ମତି

ମୋର ଭକତି ବିନା ଏହି

ହେଳେ ସନ୍ତୋଷ ମୋର କାହିଁ

ଏତେ ପ୍ରକାରେ ଭକ୍ତିମାର୍ଗ

ସାଧନ୍ତି ପ୍ରାଣୀ ମୋକ୍ଷ ଯୋଗ

ଯେବେ ତ୍ରି‌ଗୁଣକୁ ଜିଣଇ

ମୋହର ଭାବକୁ ଲଭଇ

କ୍ରି‌ୟା ଯୋଗରେ ନିଷ୍କାମରେ

ମୋତେ ସେବନ୍ତି କେବା ନରେ

ହିଂସା ବର୍ଜିତ ସାଧୁଗଣ

ନିତ୍ୟେ ଭଜନ୍ତି ମୋର ନାମ

କେ ଅବା ମୋତେ ପୂଜା କରେ

ସ୍ତୁତି ବନ୍ଦନେ ନିରନ୍ତରେ

ଦର୍ଶନ ସ୍ପର୍ଶନ ପ୍ରମାଣ

ଜ୍ଞାନ ବୈରାଗ୍ୟ ଆରାଧନ

ମିତ୍ର ଭାବରେ ସର୍ବଜନ

ଦେଖଇ ଆତ୍ମାର ସମାନ

ଯମ ନିୟମ ମାର୍ଗ ସିଦ୍ଧି

ବହୁ ପ୍ରକାରେ ମାନ୍ୟ ସାଧି

ବସଇ ଅନୁକମ୍ପା ହୋଇ

ମୋ ବିନୁ ଅନ୍ୟ ନ ଜାଣଇ

ମୋହର ଜ୍ଞାନ ସଂକୀର୍ତ୍ତନ

ଶ୍ରବଣେ ଆଧ୍ୟାତ୍ମ ଦର୍ଶନ

ଆର୍ଜବ ସାଧୁସଙ୍ଗ ପୁଣ

ଅହିଂସା ଧର୍ମ ପରାୟଣ

ଶୁଦ୍ଧ ନିର୍ମଳ ଭାବ ପୁଣ

ମୋହର ଧର୍ମ ଆଚରଣ

ମୋହର ଗୁଣ ଶୁଣି କର୍ଣ୍ଣେ

ଆନନ୍ଦ ହ୍ୱନ୍ତି ପ୍ରାଣୀମାନେ

ଯେମନ୍ତ ପବନର ବଳେ

ସୁଗନ୍ଧ ଦୁର୍ଗନ୍ଧ ପ୍ରସରେ

ସେ ରୂପେ ଆତ୍ମା ଅବିକାର

ଏ ରୂପେ ଦେଖିବ ଧ୍ୟାନର

ମୁଁ ସର୍ବ ଭୂତର ଈଶ୍ୱର

ଆତ୍ମା ସମ୍ପୂର୍ଣ୍ଣରେ ଗୋଚର

ଏମନ୍ତ ଭାବ ମୋର ଛାଡ଼ି

ଯେ ପୂଜେ ଅନ୍ୟ ଲାଭେ ବଢ଼ି

ମୁଁ ସର୍ବବ୍ୟାପୀ ଯେ ଅଟଇ

ଏମନ୍ତ ଭାବ ନ ଜାଣଇ

ଯେ ଭାବେ ଅନ୍ଧ ବୈର ହୋଇ

ସେ ଶାନ୍ତି କେଭେ ନ ଲଭଇ

ମୋତେ ପୂଜିବ ଯେବେ ସେହି

ତା’ର ପୂଜାରେ ତୋଷ ନୋହି

ସର୍ବ ଭୂତରେ ସ୍ଥିତ ମୁହିଁ

ଯାବତ ପ୍ରାଣୀ ନ ଜାଣଇ

ତାବତ ସ୍ୱକର୍ମ ପାଶରେ

ପ୍ରାଣୀ ବନ୍ଧନ ଏ ସଂସାରେ

ପର ଅପର ଏକ ଆତ୍ମା

ଅନ୍ତର କରେ ଯେ ମାହାତ୍ମା

ସେ ମୃତ୍ୟୁ‌ପଥୁ ନ ତରଇ

ସଂସାର ମାର୍ଗେ ଭ୍ରମହୋଇ

ଯେ ଆତ୍ମା ସର୍ବଭୂତ ମଧ୍ୟେ

ଅର୍ଚ୍ଚନା କରେ ଯେଣୁ ସଧେ

ମିତ୍ର ଭାବରେ ସର୍ବ ଦେଖେ

ସଂସାରୁ ତରେ ସେ ପ୍ରତ୍ୟକ୍ଷେ

ଅଜୀବ ମଧ୍ୟେ ଜୀବ ଶ୍ରେଷ୍ଠ

ଜୀବରେ ପ୍ରାଣ ଯେ ଗରିଷ୍ଠ

ପ୍ରାଣରୁ ଚେତନା ବିଶେଷ

ଇନ୍ଦ୍ରି‌ୟ ବୃତ୍ତିରେ ପ୍ରକାଶ

ଇନ୍ଦ୍ରିୟ ସର୍ବ ଗୁଣେ ଶ୍ରେଷ୍ଠ

ରସରେ ମତ୍ସ୍ୟ ଯେ ଗରିଷ୍ଠ

ଗନ୍ଧବେଦୀରେ ସେ ଭ୍ରମର

ଶବଦ ହେଲେ ସର୍ବେଶ୍ୱର

ରୂପରେ ଭେଦବିଦ ହୋଇ

ବର୍ଣ୍ଣେ ସେ ପ୍ରତ୍ୟକ୍ଷ ଅଟଇ

ଅପାଦ ମଧ୍ୟେ ବହୁ ପାଦ

ବହୁ ପାଦରେ ଚତୁଷ୍ପାଦ

ମନୁଷ୍ୟ ମଧ୍ୟେ ଚାରିବର୍ଣ୍ଣ

ଏଥିରୁ ବ୍ରାହ୍ମଣ ଉତ୍ତମ

ବ୍ରାହ୍ମଣ ମଧ୍ୟଣ ଦେବଜ୍ଞ

ବହୁ ଅଧୀନ ଯେ ଅର୍ଥଜ୍ଞ

ସଂଶୟ କ୍ଷୟ ଯେ ଅର୍ଥଜ୍ଞ

କରଇ କେବଳ ସ୍ୱକର୍ମ

ଆତ୍ମାକୁ ନାମ ତେଣୁ କରି

ମୁକ୍ତ ସଙ୍ଗକୁ ସେ ଆଚରି

ମୋର ଅର୍ପିତ କର୍ମ କରେ

ଆତ୍ମାର ଭାବ ନିରନ୍ତରେ

ମୋତେ ସେ କର୍ମ ସମର୍ପଇ

ଆତ୍ମା ସହିତେ ତା’ର ଯହିଁ

ଏ ରୂପେ ମୋର ମନ ତହିଁ

ବହୁ-ମାନନାରେ ନମଇଁ

ଏମନ୍ତ ଭାବେ ଯେ ଭଜଇ

ତା ହୃଦେ ବିଜେ ଭାବଗ୍ରାହୀ

ଆନନ୍ଦେ ଦର୍ଶନ ଦିଅନ୍ତି

ମୋକ୍ଷ ପଦରେ ଅଧିପତି

ଭକ୍ତି ଯୋଗରେ ମୋତେ ଧ୍ୟାୟି

ଯେ ମୋତେ ହୃଦରେ ଦେଖଇ

ପରମ ବ୍ରହ୍ମଙ୍କୁ ଲଭଇ

ଏଣୁ ଏକାଗ୍ର ଭାବେ ଧ୍ୟାୟି

ଏ ଯେ ପରମ ବ୍ରହ୍ମସାର

ପ୍ରଧାନ ପୁରୁଷଙ୍କ ବର

ତାର ଉପରେ କହେ ନାହିଁ

ସୃଷ୍ଟିର ଆଦି ଅନ୍ତ ସେହି

ତା’ର ପୀରତି ସେ ଦଇବ

ସର୍ଜ୍ଜଇ କର୍ମର ସ୍ୱଭାବ

ନାନା ପ୍ରକାରେ ରୂପ ଭେଦ

ଆଶ୍ରୟ କାରଣ ସମ୍ପଦ

ଅଦ୍ଭୁତ କାଳ ଯେ ମହିମା

ଭୋ ନାଥ ନିଶ୍ଚଳେ ଜାଣିମା

ମହତ ଆଦି ଯେତେ ଭୂତେ

ଅଖିଳ ସଂସାର ଜଗତେ

ସମସ୍ତ ଆତ୍ମା ମଧ୍ୟଗତ

ନିରତେ କରୁଅଛି ଗ୍ରସ୍ତ

ତାହାର ତହୁଁ ଭୟ ପାଇ

ନିରତେ କମ୍ପୁଅଛି ଦେହୀ

ସେ ପ୍ରଭୁ କାଳର ମହିମା

କେ କରିପାରେ ଗୁଣ ସୀମା

ପ୍ରିୟ ଅପ୍ରି‌ୟ ଯାର ନାହିଁ

ବିନାଶ କରେ ସର୍ବଦେହୀ

ସେ କାଳ ପୁରୁଷର ଭୟେ

ନିରତେ ପବନଟି ବହେ

ଯେ କାଳ ଭୟେ ସୂର୍ଯ୍ୟ ତାପେ

ଭ୍ରମେ ବ୍ରହ୍ମାଣ୍ତ ମଧ୍ୟ ଗତେ

ଯାହାର ଭୟେ ମେଘଗଣ

ବୃଷ୍ଟି କରନ୍ତି ଅନୁକ୍ଷଣ

ଯାହାର ଭୟେ ବୃକ୍ଷଗଣ

ଲତା ଔଷଧ ଶସ୍ୟମାନ

ଯଥା କାଳରେ ପୁଷ୍ପ ଫଳ

ଫଳନ୍ତି ଫୁଟନ୍ତି ନିର୍ମଳ

ଯାହାର ଭୟେ ନଦୀଗଣ

ସବୁ ଅଛନ୍ତି ଅନୁକ୍ଷଣ

ଉଦଧି ଯାହାର ଭୟରେ

ଅଦ୍ୟାପି କେବେ ନ ଉଛୁଳେ

ଅଗ୍ନି ଯାହାର ଭୟେ ପୁଣ

ସମସ୍ତ କରଇ ଦହନ

ଯାହାର ଭୟେ ଗିରିବର

ଭୂମିରେ ହୋଇଛି ନିଶ୍ଚଳ

ଯାହାର ଆଜ୍ଞା ପରମାଣେ

ଆକାଶ ଭୟ କରି ମନେ

ସ୍ୱଦେହ ବିସ୍ତାର ସେ କଲା

ସପ୍ତଲୋକଙ୍କୁ ଠାବ ଦେଲା

ବ୍ରହ୍ମାଦି ଯେତେ ଦେବଗଣ

ସଚରାଚର ଯେ ଭିଆଣ

ଯାହାର ଭୟେ ବାରେ ବାରେ

ସ୍ୱର୍ଗାଦି ହୁଅନ୍ତି ସତ୍ୱରେ

ଯେ କାଳ ଭୟରେ ତ୍ରି‌ଗୁଣ

ସୃଷ୍ଟି ପାଳନ ସଂହାରଣ

ସେ କାଳରୂପୀ ସେ ଅନନ୍ତ

ଉଦାର ଅବ୍ୟୟ ଅଚ୍ୟୁତ

ସମସ୍ତ ଉତ୍ପତ୍ତି କରଇ

ଗୁଣ ପ୍ରଭାବ ଭାବ ବହି

ଯେ କାଳରୂପେ ଅନ୍ତକରେ

ଏଣୁ ଅନନ୍ତ ରୂପ ଧରେ

ଏଣୁ ଏ କାଳର ମହିମା

କେ ଜାଣିପାରେ ଗୁଣ ସୀମା

ତୋର ଭକତ ଜନ ଯହିଁ

କାଳର ଅଧିକାର ନାହିଁ

ସୁଜନେ ଏଣେ କର ମତି

ତୁଟିବ ସଂସାର ଦୁର୍ଗତି

ଏ ମାତା-ପୁତ୍ରଙ୍କ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

କହଇ ବିପ୍ର ଜଗନ୍ନାଥ

ତୃତୀୟ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ମାତାପୁତ୍ର ସମ୍ୱାଦେ

ନାମ ଊନତ୍ରିଂଶୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ତୃତୀୟ ସ୍କନ୍ଧ

ତ୍ରିଂଶ ଅଧ୍ୟାୟ

 

ଦେବହୂତିରୁବାଚ

ଏମନ୍ତେ ପୁତ୍ର ବାକ୍ୟ ଶୁଣି

ଆନନ୍ଦେ କର୍ଦ୍ଦମ ଘରଣୀ

ଚରଣେ ପୁଣ ପୁଣ ପଡ଼ି

କପାଳେ ବେନି କରଯୋଡ଼ି

ଭୋ ପ୍ରଭୁ ମୋତେ କର ତ୍ରାହି

କହଇ ବିଷ୍ଣୁ ମୁଖ ଚାହିଁ

ବିଷ୍ଣୁର ନାଭି ପଦ୍ମମୂଳେ

ବ୍ରହ୍ମା ଉପୁଜି ମହାଜଳେ

ପ୍ରଜା ସର୍ଜିଲା ଅବଧାନେ

ସାଧିଲା ଯା’ର ପାଦ ଧ୍ୟାନେ

ସେ ହରି ନାମ ଏ ସଂସାରେ

ଯେବା ଶୁଣନ୍ତି ନିରନ୍ତରେ

ମୁଖେ ବନ୍ଦନ୍ତି ନିରବଧି

ତରନ୍ତି ଅଜ୍ଞାନ ଜଳଧି

ସୁଜନେ ଦୁର୍ଜ୍ଜନ ବିଚାର

ଯହିଁ ଚଣ୍ଡାଳ ଦୁରାଚାର

ତାର ବଦନୁ କୃଷ୍ଣ ବାଣୀ

କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ

ସ୍ୱଭାବେ ଅଜ୍ଞାନ ବିଧ୍ୱଂସେ

ଅନ୍ତେ ସେ କଇବଲ୍ୟେ ମିଶେ

ଶ୍ରୀଭଗବାନୁବାଚ

କହନ୍ତି ପ୍ରଭୁ ଭଗବାନ

ଭୋ ମାତ ହୁଅ ସାବଧାନ

ଯେ କାଳ ପୁରୁଷ ପୁରାଣ

ସେ ପ୍ରଭୁ ଅତି ବଳବାନ

ସେ କାଳ ପରାକ୍ରମ ଯେତେ

ମୁଁ କହି ପାରିବଇଁ କେତେ

ଏ ଯେତେ ଜୀବ ଲୋକେ ଛନ୍ତି

ତା ଗତି କେହି ନ ଜାଣନ୍ତି

ସେ କାଳ କଳ୍ମଶ ନାଶଇ

ଏଣୁ ତା ଗତି କେ ଜାଣଇ

ଏ ଚରାଚର ଦେହଧରି

ଏ ସ୍ଥୂଳ ସୂକ୍ଷ୍ମ ଆଦିକରି

ସକଳ କରଇ ଭକ୍ଷଣ

କ୍ଷୁଧାର୍ତ୍ତେ ଯେସନେ କୃପଣ

ଯେହ୍ନେ ସମୀର ବଳିଆର

ଜୀମୁତେ କରଇ ବିହାର

ସେ ଘନ ତା ଗତି ନ ଜାଣେ

ତେସନେ ହୋଇ ଦେବଗଣେ

କାଳର ଗତି ନ ଜାଣନ୍ତି

ସେ କାଳବଶେ ଭ୍ରମୁଥାନ୍ତି

ଏ ଜୀବ ସୁଖ ଭୋଗ ପାଇଁ

ଅର୍ଥ ଉପାର୍ଜନେ ଭ୍ରମଇ

ବିବିଧ ଦୁଃଖେ ତା ସଞ୍ଚଇ

ସେ ଅର୍ଥେ କାଳ ଯେ ହରଇ

ତ୍ରିଲୋକ ସୁଖ ଯାହା ପାଇଁ

ସେ ଅର୍ଥ କାଳ ବିନାଶଇ

ସେ କାଳ ବଶେ ବଳିୟାର

କେ ଜାଣି ପାରେ ଗତି ତାର

ସୂକ୍ଷ୍ମ ସ୍ୱରୂପେ ବିହରଇ

ମନ ବଚନେ ଭେଦ ନୋହି

କୃଷକ ଜନ ପ୍ରାୟ ହୋଇ

ସେ ଅର୍ଥେ କାଳ ବିନାଶଇ

ସେ କାଳ ମୁଖେ ଜୀବ ରହି

ନାନା ବିବାଦେ ହିଂସା ବହି

କରନ୍ତି ନାନା ଛନ୍ଦ ମାୟା

ହୃଦେ ନ ବସେ ଜୀବ ଦୟା

ନିର୍ଦ୍ଦୟ ଭାବ ମୂଢ଼ ପଣେ

କାଳ ଗରାସେ ପୂଣ୍ୟ ହୀନେ

ତାହାର ନାହିଁ ପକ୍ଷାପକ୍ଷ

ସକଳ କରଇ ସୁରକ୍ଷ

ଏ ଜୀବ ଅତି ମତିହୀନ

ଅର୍ଥ ସଞ୍ଚଇ ପ୍ରତିଦିନ

ଯେ ଅର୍ଥେ ମୃତ୍ୟୁ ଉପଗତ

ନ ଜାଣେ ଏ ମୂଢ଼ ପଣ୍ଡିତ

ଅନିତ୍ୟ ଦେହ ନ ବୁଝଇ

ବ୍ୟାପାର କରେ ଦୁଃଖ ସହି

ଗୃହ କଳତ୍ର ଧନ ଆଦି

ଏଣେ କରଇ ନିତ୍ୟେ ବୁଦ୍ଧି

ଏ ଦେହ ପରମାତ୍ମା ମୋହେ

ମୋହର ବୋଲି ନିତ୍ୟ କହେ

ଏ ମହା ମୋହେ ପଡ଼ିଅଛି

ଏଣୁ ଏ ନ ବୁଝଇ କିଛି

ସଂସାର ମଧ୍ୟେ ଜୀବମାନେ

ନିରତେ ଭ୍ରମନ୍ତି ଅଜ୍ଞାନେ

ଯାବତ ଯୋନିରେ ଭ୍ରମନ୍ତି

ସର୍ବତ୍ରେ ଫୁଟିଣ ମରନ୍ତି

ଏ ଘୋର ଦୁଃଖ ସୁଖ ମନେ

ବୈରାଗ୍ୟ ନ ଜନ୍ମେ ଅଜ୍ଞାନେ

ଯେବେ ନରକେ ପଡ଼ିଥାଇ

ଅତ୍ୟନ୍ତ ସୁଖ ତା ମଣଇ

କରଇ ନରକ ଆହାର

ତଥାପି ଦୁଃଖ ନୁହେଁ ଦୂର

ନରକ ଯୋନି ନ ଛାଡ଼ଇ

ଅଜ୍ଞାନ ମୋହେ ସ୍ନେହ ବହି

ଦେହ କଳତ୍ର ସୁଖ ଘର

ପଶୁ ଭୃତ୍ୟାଦି ବନ୍ଧୁ ମୋର

ମନକୁ ଏଣେ ଦୃଢ଼ କରେ

ସୁଖ ମଣଇ ଦୁଃଖ ଘୋରେ

ମଣଇ କୃତାର୍ଥ ହୋଇଲି

ଅନେକ ସୁଖ ମୁଁ ଲଭିଲି

ମୋ ତୁଲେ ନାହିଁ ଭାଗ୍ୟବନ୍ତ

କେ ଅଛି ମୋ ସମ ଜଗତ

ତହିଁରେ ଯେତେ ଦୁଃଖ ହୁଏ

ନ ବୁଝେ ପଡ଼ି ମାୟା ମୋହେ

କରେ ଦୁରିତ ଦୁଃଖମାନ

ଏମନ୍ତେ ମୁନିଏ ଅଜ୍ଞାନ

ଅସତୀ ଦୁଷ୍ଟ ନାରୀ ଘରେ

ବିବିଧ ଛନ୍ଦ ମାୟା କରେ

ତାର ସୁବେଶ ପ୍ରିୟ ଥାଇ

ସେବକ ଜନ ପ୍ରାୟ ହୋଇ

ତାହାଙ୍କ ବାକ୍ୟ ବିଲଘଂନ

କରି ନପାରେ ରାତ୍ର ଦିନ

ତାହାଙ୍କୁ ସମ୍ଭୋଗ କରଇ

ଏକାନ୍ତେ ତାଙ୍କ ସଙ୍ଗେ ଥାଇ

ସେ ମନ-ଇନ୍ଦ୍ରି‌ୟ-ହରିଣୀ

ତାଙ୍କ ପ୍ରତ୍ୟକ୍ଷେ ନିତ୍ୟେ ପ୍ରାଣୀ

ସେ ନାରୀ ବଶେ ବିହରଇ

ନିଶି ଦିବସେ ମନ ଦେଇ

ତାହାଙ୍କ ସୁଖ ଭୋଗ ପ୍ରୀତି

ନରକେ ଓଟାରି ପକାନ୍ତି

ନରକ ବୋଲି ଯାକୁ କହି

ସ୍ତ୍ରିରୀ ସମ୍ଭୋଗ ସୁଖ ଏହି

ଏହା ନ ଜାଣି ମୂଢ଼ ପ୍ରାଣୀ

ଦୁଃଖକୁ ସୁଖ ପରିମାଣି

ବାଳକ କୋମଳ ବଚନ

ତା ଶୁଣି ଅତି ତୋଷ ମନ

ସେ ବାଳ ଗାବନ୍ତେଣ ଗୀତ

ତହିଁ ଅର୍ପିତ କରେ ଚିତ୍ତ

ସେ ସର୍ବ ସୁଖକର ମନେ

ଯେ ହିତ ନ ଜାଣେ ଅଜ୍ଞାନେ

ସେ ଗୃହ ଅତି କୂଟ-ଧର୍ମ

କରଇ ଅତି ଛନ୍ଦକର୍ମ

କେବଳ ଦୁଃଖର ଏ ମୂଳ

ତହିଁ ପଡ଼ିଣ ସେ ବ୍ୟାକୁଳ

ସେ ଦୁଃଖ ପ୍ରତିକାର ପାଇଁ

ନାନା ବ୍ୟାପାରେ ଦୁଃଖେ ଧାଇଁ

ସେ କ୍ଳେଶ ଅତି ସୁଖ ମଣେ

କେବଳ ମୋହେ ନ ପ୍ରମାଣେ

କୁଟୁମ୍ବ-ପ୍ରପୋଷଣେ ଥାଇ

ବହୁତ ଧନ ଉପୁଜାଇ

ବହୁତ ହିଂସା ଯେବେ କରେ

ଏ କର୍ମେ ପଶେ ନିରନ୍ତରେ

ଯାହାକୁ ପୋଷେ ଦୁଃଖେ ନିତ୍ୟେ

ନରକ ଭୁଞ୍ଜେ ଦେହ ଅନ୍ତେ

ତାହାକୁ ସତତ ପୋଷଇ

ଆପଣା ସୁଖ ନ ବାଞ୍ଛଇ

ଯେବେ କ୍ଷୁଧାରେ ମରୁଥାଇ

ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ

ତେବେ ଭୁଞ୍ଜଇ ଅବଶେଷ

ଏ କର୍ମ ଧର୍ମ ଯାଇ ନାଶ

ତଦନ୍ତେ ଲଭେ ଅଧୋଗତି

ଏହା ନ ବୁଝେ ଦୁଷ୍ଟ ମତି

ସେ ଯେବେ ଦଇବ ସଂଯୋଗେ

ବିନଷ୍ଟ ହୁଏ କର୍ମ ଯୋଗେ

ପୁଣି ଜୀବିକା ଆରମ୍ଭଇ

ସେହି ଯଦ୍ୟପି ନାଶ ଯାଇ

ପୁଣି ଆରମ୍ଭେ ବାରମ୍ବାର

କୁଟୁମ୍ବ ଅର୍ଥେ ମୂଢ଼ ନର

ସମର୍ଥ ପଣ ଥିବା ଯାଏ

ତା ତହିଁ କରଇ ଉପାୟେ

ତହୁଁ ହୋଇଲେ ଅସମର୍ଥ

ଲୋଭେ ଚିନ୍ତଇ ପର ଅର୍ଥ

ଲୋଭ ବଢ଼ାଇ ପରଧନେ

ନରକ ଭୟକୁ ନ ମାନେ

ନିନ୍ଦିତ-କର୍ମେ ହରେ ଦିନ

କୁଟୁମ୍ବ ଅର୍ଥେ ଅଭାବେଣ

ଏମନ୍ତ ମନ୍ଦଭାଗ୍ୟ ହୋଇ

କୁଟୁମ୍ବ ପୋଷି ନ ପାରଇ

ଏଣୁ ହରଇ ପର ଧନ

ନାଶଇ ପୂର୍ବ-ଜନ୍ମ-ପୁଣ୍ୟ

ଦରିଦ୍ର ଜୀବନେ ବଞ୍ଚଇ

ନାନା ଆପଦ ପୀଡ଼ା ପାଇ

ବୃଥା ଉଦ୍ୟମେ ଫୁଟି ରହେ

ଆଉ ସମ୍ପଦ କେବେ ନୁହେଁ

ସର୍ବଦା ଭଜଇ କୃପଣ

କରଇ ନିତ୍ୟେ ଅର୍ଥ ଦାନ

ଅର୍ଥ ବିହୀନେ ଚିନ୍ତାକୁଳେ

ଶରୀର ଦୁଃଖ ତା ନିର୍ମଳେ

ଶ୍ୱାସ ଉଠଇ ନିରନ୍ତର

ଏମନ୍ତ ନାଶଇ ଶରୀର

ଅତ୍ୟନ୍ତ ବୃଦ୍ଧ ଭାବ ପାଇ

କୁଟୁମ୍ୱ ପୋଷି ନ ପାରଇ

ସମର୍ଥ ହୀନେ ନିଜ ଘରେ

ବଞ୍ଚଇ ଅତିଥି ବେଭାରେ

ତାହାକୁ କେହି ନ ଗଣନ୍ତି

ନାନା ବଚନେ ଗାଳି ଦ୍ୟନ୍ତି

ଚଉର୍ଯ୍ୟ ବନ୍ଦୀପ୍ରାୟ ହୋଇ

ପ୍ରାଭବ ଭର୍ତ୍ସନା ସହଇ

ଦାରା ତନୟ ଆଦି ଯେତେ

ଆଦର ଛାଡ଼ିଲେ ତୁରିତେ

ଯେବା ଆବର ପୂର୍ବେ ଥିଲା

ସେ ପୂର୍ବ ସ୍ନେହ ସବୁ ଗଲା

ମରଣ ନିକଟ ହୋଇଲେ

ବୈରାଗ୍ୟ କେବେ ନ ଭଜିଲେ

ଦାରା ତନୟ ଭକ୍ଷ ତାରେ

ଦିଅନ୍ତି ଅତି ହତାଦରେ

ଭୁଞ୍ଜଇ ଗୃହାନ୍ତରେ ଯାଇ

ଶଙ୍କିତେ ଶ୍ୱାନ ପ୍ରାୟ ହୋଇ

ଚିନ୍ତାର୍ତ୍ତ ଜ୍ୱରେ ଦୁଃଖ ମନେ

ରୋଗ ବଢ଼ଇ ପ୍ରତିଦିନେ

ଆହାର ବିନେ ଚିନ୍ତାଛନ୍ନେ

ନପାରେ ମନ୍ଦ-ହୁତାଶନେ

ଆହାର ଅଳପ ଭକ୍ଷଇ

ଦୁର୍ବଳେ ଉଠି ନ ପାରଇ

ଗୃହ ବାହାରେ ଆସି ରହେ

କଫ ବିକାରେ ଶକ୍ତି ନୁହେଁ

କଫେ ପୂରିତ ନାଡ଼ିମାନ

ଶ୍ୱାସ ନ ଚଳଇ ସମାନ

ଯେଣୁ ପବନ ମନ୍ଦ ହୋଇ

ବଚନ ନ ପାରଇ କହି

ସର୍ବଦା ଉଠେ କାଶ ଶ୍ୱାସ

ଏଣୁ ଲଭଇ ବହୁ କ୍ଳେଶ

କଣ୍ଠ କରଇ ଘୂର ଘୂର

ବଚନ ନୁହଇ ବାହାର

ବାଲି ଶଯ୍ୟାରେ ନେଇ ଶ୍ୱାଇ

ବନ୍ଧୁ ବାନ୍ଧବେ ବେଢ଼ି ତହିଁ

ସେ ସର୍ବେ କରନ୍ତି ରୋଦନ

ଶ୍ରବଣେ ଡାକନ୍ତି ସଘନ

ହେ ତାତ ବୋଲି କେ ଡାକଇ

ତା ଗୁଣ ଭାଳି କେ ରୋଦଇ

ନାନା ପ୍ରକାରେ ସେ ରୋଦନ୍ତି

ତା ଦୁଃଖ କେହି ନ ଘେନନ୍ତି

କେ ହୁ ଡାକନ୍ତି ପୁତ୍ର ଭାଇ

ପତ୍ନୀ ଡ଼ାକନ୍ତି ହେ ଗୋସାଇଁ

ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ

କୁଟୁମ୍ବ ଭରଣ ବ୍ୟାପାରେ

ଶୁଣ ଜନନୀ ଏକ ଚିତ୍ତେ

ସଂସାର ଦୁଃଖ ସୁଖ ଏତେ

ମନ ନିବିଷ୍ଟ ତହିଁ କଲା

ଇନ୍ଦ୍ରି‌ୟ ଜିଣି ନ ପାରିଲା

ତେଣୁ ହୋଇଲା ମୃତ୍ୟୁ ତାର

ଏ ଦଣ୍ତ ଅତି ଭୟଙ୍କର

ବନ୍ଧୁ ବାନ୍ଧବ ଶୋକାକୁଳେ

ତା ଦୁଃଖ ଭାଗୀ କେ ନୋହିଲେ

ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ

ସେ ଏବେ ତେଜିଲେ ବିମୁଖେ

ପ୍ରାଣ ଯିବାର ବେଳେ ମାଏ

ଅତି ବେଦନା ଜୀବ ପାଏ

ତାର ବ୍ୟଥାରେ ନଷ୍ଟ ମତି

ଚେତନା ରହିତ ହୁଅନ୍ତି

ତଦନ୍ତେ ଯମଦୁତ ବେନି

ଆସନ୍ତି ଦଣ୍ଡଫାଶ ଘେନି

ପାପୀଙ୍କୁ ଘେନି ଯିବାପାଇଁ

ସକ୍ରୋଧ-ନୟନେ ଅନାଇ

ସେ ଦୂତେ ଅତି ଭୟଙ୍କର

କୂପିତ ନୟନ ଗଭୀର

ତାଙ୍କ ଦର୍ଶନେ ପାପୀଜନ

ହୃଦୟ ଭୟେ କମ୍ପମାନ

ଆରତେ ଛାଡ଼େ ମଳମୂତ୍ର

ସମ୍ଭାଳି ନୁହେଁ କଫଗାତ୍ର

ରମ୍ଭା ପଲ୍ଲବ ପ୍ରାୟ ହୋଇ

ସର୍ବାଙ୍ଗ ସତ୍ୱରେ କମ୍ପଇ

ଯାତନା କଳେବର ନେଇ

ବଳେ ବାନ୍ଧନ୍ତି ଫାଶ ଦେଇ

ନିଅନ୍ତି ଘୋର ଦୀର୍ଘ ବାଟ

ଦଣ୍ଡନ୍ତି ଯେହ୍ନେ ରାଜଭଟ୍ଟ

ନିଅନ୍ତେ କରନ୍ତି ତାଡ଼ନା

ଭୟେ ହୃଦୟ କମ୍ପମାନ

ପଥରେ ଗମନ୍ତି କୁକୁର

ରୋଷେ କାଟନ୍ତି ତା ଶରୀର

ଦଂଶନ ତୀକ୍ଷ୍‌ଣେ ଖଣ୍ତ ଖଣ୍ତ

ବେଗେ ଭକ୍ଷନ୍ତି ତାର ପିଣ୍ତ

ବିକ୍ରମି କରନ୍ତି ଭକ୍ଷଣ

ରୋଦଇ କାତରେ ଉଚ୍ଚେଣ

ସେ ଅତି କଷ୍ଟେ ଭୟ ପାଇ

ନିଜ ପାତକ ସୁମରଇ

ଉଠି ପଡ଼ଇ ଯେ ବିକଳେ

ସେ ଘୋର ଦଣ୍ଡ ଭୟାକୁଳେ

କ୍ଷୁଧା-ପିପାସା-ଦୁଃଖତର

ପଥରେ ନିଅନ୍ତି ସତ୍ୱର

ସେ ପଥ ଅତି ତପ୍ତବଳ

ଝାଙ୍କେ ପବନ ଦାଦାନଳ

ତହିଁ ସନ୍ତାପେ ଦୁଃଖ ଭୟେ

ପୃଷ୍ଠେଣ ପୀଡ଼ନ୍ତି ନିର୍ଦ୍ଦୟେ

ତହିଁ ତପତ ବାଲୁକାରେ

ପ୍ରବେଶ କରାନ୍ତି ସତ୍ୱରେ

ଗମଇ ଅତି କଷ୍ଟ ଭରେ

ନ ଗଲେ ମାରନ୍ତି ନିର୍ଭରେ

କ୍ଷଣେ ବିଶ୍ରାମ ନ କରନ୍ତି

ଅନେକ ଘୋର ଶାସ୍ତି ଦ୍ୟନ୍ତି

ଆଶ୍ରୟ ଉଦକ ନ ମିଳେ

ସମର୍ଥ ହୀନେ ଭୟେ ଚଳେ

ପଡ଼ି ଉଠଇ ଦୁଃଖ ଶ୍ରମେ

ମୂର୍ଜ୍ଜିତ ହୁଏ ଜ୍ଞାନ ଭ୍ରମେ

ସେ ଦୁଃଖେ ଦୟା ନ କରନ୍ତି

ଦୁଃସହ ଦଣ୍ଡ ମାର୍ଗେ ନ୍ୟନ୍ତି

ଗହନ ଘୋର ଅନ୍ଧକାରେ

ନିଅନ୍ତି ପାପୀ ସେ ସତ୍ୱରେ

ଏମନ୍ତ ଦୁଃଖେ ପାପୀ ଜନେ

ପ୍ରବେଶ ଯମର ଭୁବନେ

ନବତ୍ରି ସହସ୍ର ଯାହାର

ହେ ମାତ ସଂଖ୍ୟା ସେ ବାଟର

ବେନି ବା ତ୍ରୟ ମୁହୂର୍ତ୍ତରେ

ପ୍ରବେଶ କରାନ୍ତି ସେଠାରେ

ତହିଁ ଦଣ୍ତନ୍ତି ପ୍ରତିକ୍ଷଣେ

ସମସ୍ତେ ସର୍ବାଙ୍ଗ ଚରଣେ

ତଦନ୍ତେ ଦହନ୍ତି ଅନଳେ

ରୋଦଇ ନିର୍ଘାତ ଚହଳେ

ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ

କ୍ଷୁଧାରେ ହୁଏ ଜ୍ଞାନ ଭୋଳ

ଆପଣ ହସ୍ତେ ଦେହ ମାଂସ

କାଟିଣ କରୁଥାଇ ଗ୍ରାସ

ଅଥବା କାଟି ଦେଇ କର

ତାହା ଭକ୍ଷଇ ପାପୀ ନର

ଗୃଧ୍ର କୁକୁର ଯମ ପୁରେ

ପାପୀଙ୍କୁ ବେଢ଼ିଣ ସତ୍ୱରେ

ଓଟାରି ନ୍ୟନ୍ତି କରି ଟାଣ

ତଥାପି ନ ଛାଡ଼ଇ ପ୍ରାଣ

ସର୍ପ ବୃଶ୍ଚିକ ତମସାଦି

କୋପେ କାଟନ୍ତି ନିରବଧି

ହସ୍ତ ଚରଣ ଖଣ୍ଡ ଖଣ୍ଡ

ପାପୀଙ୍କ କାଟି ଦ୍ୟନ୍ତି ଖଣ୍ଡ

ହସ୍ତୀ ସମ୍ମୁଖେ ଦ୍ୟନ୍ତି ନେଇ

ସେ ପାଦେ ମାଡ଼ି ଓଟାରଇ

ଦଶନ ଶରୀରେ ମାରନ୍ତି

ପର୍ବତ ଶିଖରୁ ପକାନ୍ତି

ତଦନ୍ତେ ଖାତ ଖୋଳି ରୁନ୍ଧି

ଧୂପ ପୂରାଇ ନିରବଧି

ବୁଡ଼ାଇ ରଖନ୍ତେ ଜଳରେ

ପଥର ଲଦି ତା ଉପରେ

ଆକୁଳେ ରୋଦଇ ବିକଳେ

ମୁଣ୍ଡ ପିଟନ୍ତି କୋପାନଳେ

ତାମିସ୍ର ଆଦି ଯେ ଯାତନା

କେତେ ତା କରିବା ବର୍ଣ୍ଣନା

ପାତକୀ ସକଳ ଭୁଞ୍ଜଇ

ସ୍ୱକର୍ମ-ପାଶେ ବନ୍ଦି ହୋଇ

ଦୁର୍ଜ୍ଜୟ ବୃକ୍ଷ ବିନିଷ୍ଠୁର

ବନ୍ଧନେ ଫୁଟେ ନିରନ୍ତର

ତହୁଁ ନ ପାରେ ପାପୀ ଯାଇ

ନାନା ପ୍ରକାରେ ପୁଣ୍ୟ ଦାହି

ଯେତେ ଅଛନ୍ତି ନରନାରୀ

ଯାତନା ଦୁଃଖ ସର୍ବ ସରି

ଉଭୟ ସଙ୍ଗ ଏତେ ହୁଏ

ନରକ ଦୁଃଖ ଭୁଞ୍ଜେ ମୋହେ

ଭୋ ମାତ ଦେଖ ସୁବିଚାରେ

ନରକ ସ୍ୱର୍ଗ ଏହିଠାରେ

ନରକ ଯାତନା ଏତେକ

ସ୍ୱର୍ଗଟି ନାନା ଭୋଗ ସୁଖ

ଏ ବେନି ବୁଝ ପରିମାଣି

ବିବେକ ମୁଖେ ଶାସ୍ତ୍ର ଶୁଣି

ଏ ରୂପେ କୁଟୁମ୍ବ ଯେ ପୋଷେ

ନିଜ ଉଦର ପରିତୋଷେ

ଏ ବେନି ସଙ୍ଗତେ ନଯାଇ

ଛାଡ଼ିଣ ଏକାନ୍ତେ ଚଳଇ

ଭୂଞ୍ଜଇ ଆପେ କର୍ମ ଫଳ

ଏ ଅର୍ଥେ ନାହିଁ ବଳିୟାର

ପ୍ରତେଜି ନିଜ କଳେବର

ଏକା ସେ ଗମେ ନିଜ ପୁର

ଅଧର୍ମେ ପ୍ରାଣୀ ହିଂସା କରି

ଯେ ଦେହ ପାଶେ ସେହି ଭରି

ସେ ଦେହ ସ୍ନେହ ତେଜି ଯାଇଁ

ପାପୀଙ୍କ ପୃଷ୍ଠରେ ବସଇ

କୁଟୁମ୍ବ ପ୍ରପୋଷଣ ଫଳ

ତାହାକୁ ଯେତେକ ସମ୍ୱଳ

ଏକା ସେ ନରକ ଭୁଞ୍ଜଇ

ଦ୍ୱିତୀୟ ସଙ୍ଗତେ ନ ଯାଇ

ସେ ପାପ ଈଶ୍ୱର ଦିଅନ୍ତି

ପାପୀ ତା ଏକାନ୍ତେ ଭୁଞ୍ଜନ୍ତି

ଧନ ହରାଇ ଯେହ୍ନେ ନର

ଭୋକରେ ଯେସନେ ଆତୁର

ତେସନ ପାପ କରେ ପ୍ରାଣୀ

ବ୍ୟାକୁଳେ ଭୁଞ୍ଜେ ପୁଣି ପୁଣି

ସେ ଦୁଃଖ ନ ଭୁଞ୍ଜଇ ପର

ତେସନେ ନରକ ଆହାର

କେବଳ ଅଧର୍ମ ଆଚରି

କୁଟୁମ୍ବ ପ୍ରପୋଷଣ ଭରି

ସେ ଗମେ ଅନ୍ଧ-ତମିସ୍ରାକୁ

ଉଦ୍ଧାର ନାହିଁ କାହିଁ ତାକୁ

ଯେ ଅନ୍ଧ-ତାମିସ୍ରା ନିର୍ଭୟେ

ନରକ ମାନଙ୍କ ନିର୍ଣ୍ଣୟେ

ମରଣେ ଦହନ ହୁଅନ୍ତେ

ନରକ ଭୁଞ୍ଜଇ ଏକାନ୍ତେ

ଯେତେକ ଯାତନା ଅଛଇ

କ୍ରମେଣ ସକଳ ଭୁଞ୍ଜଇ

ଶ୍ୱାନ ଶୂକର ଆଦି ଯୋନି

ପାପୀ ଲଭଇ କର୍ମ ଘେନି

ଏ ପାପ ଯାତନା ଯୋଗାନ୍ତେ

ପବିତ୍ର ହୁଏ ବାକ୍ୟ ଅନ୍ତେ

ତଦନ୍ତେ ନର ଦେହ ପାଇ

ଏଥେ ସଂଶୟ ନ ଘଟଇ

ତିରିଶ ଅଧ୍ୟା ସମାପତ

ଭଣଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କାପିଳ ଦେବହୂତି

ସମ୍ୱାଦେ ନାମ ତ୍ରିଂଶୋଽଧ୍ୟାୟଃ ।

•••

 

ଏକତ୍ରିଂଶ ଅଧ୍ୟାୟ

 

କପିଳ ଉବାଚ

ଶୁଣ ଜନନୀ ତଦନ୍ତରେ

ପୁଣ୍ୟ ପାତକ ସୁବିଚାରେ

ସେ ବେନି ପୁଣ୍ୟ ପାତକରେ

ମନୁଷ୍ୟ ଅଙ୍ଗ ପ୍ରାଣୀ ଧରେ

ମନୁଷ୍ୟ ଦେହ ଯେଣେ ସ୍ଥିତି

ତେଣେ ସେ ରାଜୁସୀଙ୍କ ଗତି

ଏହା କହିବା ଏ ଅଧ୍ୟାରେ

ସୁଜନ ଶୁଣ ହେତୁ ଦ୍ୱାରେ

କହନ୍ତି ପ୍ରଭୁ ଭଗବାନ

ଭୋ ମାତ ହୁଅ ସାବଧାନ

ଏ ଜୀବ ଯେ କର୍ମ ଇଚ୍ଛଇ

ଈଶ୍ୱର ତହିଁ ନ ଯୋଗାଇ

ଏ ଜୀବ ଯେ କର୍ମ ବଶରେ

ପୁରୁଷ ରେତ ଆଶ୍ରେ କରେ

ପୁଣି ଏ ଦେହ ଧରିବାକୁ

ପ୍ରବେଶ ଜନନୀ ଗର୍ଭକୁ

ସେ ଶୁକ୍ର ପ୍ରଥମ ଦିନରେ

ମିଶଇ ଶୋଣିତ ସଙ୍ଗରେ

ଏହାକୁ ବୋଲିଟି କଲ୍ଲୋଳ

ପଞ୍ଚମେ ହୁଅଇ ବର୍ତ୍ତୁଳ

ବଦରୀ ସମ ସେ କଠିନ

ହୁଅଇ ଦଶ ଦିବସେଣ

ଅପରେ ହୁଏ ମାରତଣ୍ତ

ତଦନ୍ତେ ପ୍ରକାଶଇ ଅଣ୍ତ

ମସ୍ତକ ପ୍ରଥମ ମାସରେ

ପ୍ରକାଶ ହୁଏ ତା କନ୍ଧରେ

ସମ୍ପୂର୍ଣ୍ଣ ବେନି ମାସ ଯାଏ

କର ଚରଣ ଆଦି ହୁଏ

ଅଙ୍ଗୁଳି ନଖ ତନୁ ଲୋମ

ଅସ୍ଥି ହୃଦୟ ନାଡ଼ୀମାନ

ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି

ତୃତୀୟ ମାସେ ଏ ପ୍ରସିଦ୍ଧି

ଚତୁର୍ଥେ ସପ୍ତଧାତୁ ହୁଏ

ପଞ୍ଚମେ କ୍ଷୁଧା ତୃଷା ପାଏ

ତଦନ୍ତେ ଅଷ୍ଟ ପରିମିତ

କ୍ଷୁଧା ପିପାସାରେ ପୀଡ଼ିତ

ଗର୍ଭେ ବେଷ୍ଟନେ ବଦ୍ଧ ହୋଇ

ଦକ୍ଷିଣ କକ୍ଷରେ ଭ୍ରମଇ

ଜନନୀ ଯେ ଦ୍ରବ୍ୟ ଭକ୍ଷଇ

ସେ ରସେ ତା ଧାତୁ ବଢ଼ଇ

ମୂତ୍ର ପୁରୀଷ କୃମି ନାଳେ

ରକ୍ତ ପୀଡ଼ିତ ସନ୍ନିକୁଳେ

ଯହିଁ ଯନ୍ତ୍ରିତ ଶୋଇ ଥାଇ

କୃମି ସଂଙ୍କୁଳ ମଧ୍ୟେ ରହି

ଅତି କୋମଳ କଳେବର

କୃମି ଭକ୍ଷଣେ ନୁହେଁ ସ୍ଥିର

ଅଙ୍ଗ କାଟନ୍ତି କୃମି ମାନ

ପ୍ରଜ୍ୱଳେ ଦେହ ପ୍ରତି କ୍ଷଣ

କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ

ବହୁତ କ୍ଳେଶ ତହିଁ ପାଇ

ଭକ୍ଷଣେ ତ୍ରିକଟୂକ କ୍ଷାର

ତିକତ ଆମ୍ୱିକ ମଧୁର

ଜନନୀ ଯାହା ତା ଭକ୍ଷଇ

ସେ ରସେ ତା ଅଙ୍ଗ ବଢ଼ଇ

କୁଟିଳ ଭାବ ଶିରେ ଧରେ

ପୃଷ୍ଠ କୁଟିଳ କଳେବରେ

ମାତ କୁକ୍ଷିରେ ଦେଇ ଶିର

ପଡ଼ି ସେ ଧାଏଁ ଲୋଟେ ଶିର

ଶରୀର ଚାଲି ନ ପାରଇ

ପିଞ୍ଜରୀ ପକ୍ଷୀ ପ୍ରାୟ ହୋଇ

ସେ ଗର୍ଭେ ପୂର୍ବ କର୍ମ ବଶେ

ବହୁତ ଜନ୍ମ ତାକୁ ଦିଶେ

ଶତେ ଜନ୍ମରୁ କର୍ମ ଯେତେ

ସୁମରୁ ଥାଇ ଗର୍ଭଗତେ

ସେ ପାପ ପୁଣ୍ୟ ଗର୍ଭେ ଥାଇ

ବହୁତ ନିଃଶ୍ୱାସ ଛାଡ଼ଇ

ତା ଫେଡ଼ି ନ ପାରଇ କେହି

କର୍ମ ଆୟତ୍ତେ ବଶ ହୋଇ

ସୁମରି ପୂର୍ବ ଜନ୍ମ ଦୁଃଖ

ସୁଖ ନ ଲଭି ସେ ବିମୁଖ

ସପତ ମାସ ଆଦି କରି

ତା ଦେହେ ଜ୍ଞାନ ଥାଇ ପୁରି

ତଦନ୍ତେ ଶୁଣ ଗୋ ଜନନୀ

ଭାଳଇ ଦିବସ ରଜନୀ

ଭୟେ କମ୍ପଇ କଳେବର

କେମନ୍ତେ ଏଥୁ ମୋ ନିସ୍ତାର

ଏଥୁ ନିର୍ଗତ ମୋ କେମନ୍ତେ

ଆତଙ୍କେ ଚିନ୍ତଇ ନିରତେ

ଏମନ୍ତେ ଭାବୁଁ ଭାଗ୍ୟେ ତାର

ପ୍ରସୂତାନିଳ ବଳିୟାର

ଦେହକୁ ଅସ୍ଥିର କରଇ

କୃମିର ପ୍ରାୟେ ସେ ଭ୍ରମଇ

ସେ ରୂପେ ଗର୍ଭ ତା ଭ୍ରମଣ

ଦୁଃସହ ସେ ଦୁଃଖ କଷଣ

ଅତି ବିମୁଖେ କଷ୍ଟ ସହି

ସେ ଗର୍ଭେ ଆତ୍ମାକୁ ଦେଖଇ

ସେ ରୂପେ ଅତି ମନୋହର

ଧ୍ୟାନେ ନ ଜାଣଇ ଶରୀର

ନିରତେ ଭାବୁ ଏକଚିତ୍ତେ

ଭକ୍ତ ହୃଦୟ ପ୍ରମୋହିତେ

ସପ୍ତ ଧାତୁରେ ବଦ୍ଧ ହୋଇ

ଅଞ୍ଜଳି କରିଣ ପ୍ରାର୍ଥଇ

ଜୀବ ଉବାଚ

ବୋଲଇ ଶୋକେ ଭୟଚିତ୍ତେ

ଭୋ ନାଥ ମୁଁ ଯେ ଗର୍ଭଗତେ

କଷ୍ଟ ମୁଁ ପାଉଅଛି ଯେତେ

ଏଥୁ ଉଦ୍ଧର ପ୍ରଭୁ ମୋତେ

ଏ ଦୁଃଖ ପୁନଶ୍ଚ ନୋହିବ

ଏମନ୍ତ ଆଜ୍ଞା ମୋତେ ହେବ

ଏ ରୂପେ ବ୍ୟାକୁଳେ କଷଣେ

ସ୍ତୁତି କରଇ ଅନୁକ୍ଷଣେ

ଗର୍ଭକୁ ଆଣିଲା ଯେ ମୋତେ

ତା ପାଦ ସେବଇ ନିରତେ

ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ

ଇଚ୍ଛାରେ ଶରୀର ଧରଇ

ଯେ କଲା ଏତାଦୃଶ ଗତି

ମୁଁ ପାପୀ ଦୁଷ୍ଟ ଯେ ଦୁର୍ମତି

ଏ ଦେହ ମିଥ୍ୟାରେ ଆଚ୍ଛନ୍ନ

ଇନ୍ଦ୍ରିୟ ଆଦି କରି ଜାଣ

ମୋହର ପ୍ରଭୁଙ୍କ ମହିମା

ମୋର ଶରୀର ଅନୁପମା

ଯେ ପ୍ରଭୁ ସର୍ବଜ୍ଞ ଅଟନ୍ତି

ପ୍ରକୃତି ପୁରୁଷ ନିନ୍ଦନ୍ତି

ତାହାଙ୍କୁ ବନ୍ଦୁଅଛି ମୁହିଁ

ମୋତେ ରଖିବେ ଭାବଗ୍ରାହୀ

ଏହି ସଂସାରେ ଯେତେ କର୍ମ

ସେ ଅଟେ ବନ୍ଧନ ଆଶ୍ରମ

ଯାହା ମାୟାରେ ଏ ଶରୀର

ଭ୍ରମଇ ସ୍ମୃତି ଅଗୋଚର

ତାହାଙ୍କ ଅନୁକମ୍ପା ବିନା

କରି ନ ପାରେ ଉପାସନା

ସେ ପ୍ରଭୁ ପରମ ଈଶ୍ୱର

ତ୍ରିକାଳ ଜ୍ଞାନ ଦେଲେ ଆର

ଅଧ୍ୟାତ୍ମ୍ୟ ଆଦି ତାପମାନ

ବିନାଶେ ତାହାଙ୍କ ଭଜନ

ସେ ପ୍ରଭୁ ମାତାର ଉଦରେ

ବୁଡ଼ି ରହିଛି ବିସ୍ମତିରେ

ଏ କଷ୍ଟୁ ଉଦ୍ଧରିବା ପାଇଁ

ମାସ ଗଣୁଛି ଏଥେ ରହି

ଦଶ ମାସରେ ଦେହୀ ଯେବେ

ଏ ଜ୍ଞାନ ପାଇଲା ସ୍ୱଭାବେ

ସେ ଉପକାର ସାଧିବାରେ

ପ୍ରାର୍ଥନା କେବଳ ସଂସାରେ

ବିବେକ ଜ୍ଞାନ ଯେହୁ ଦେଲା

ଦେହେ ମୋ ଶମ ଦମ ହେଲା

ଅନ୍ତର ବାହାରେ ଦେଖିବି

ସେ ପରଂପୁରୁଷ ଜାଣିବି

ଦୁଃଖ ଅଭାବ ଗର୍ଭେ ଥାଇ

ଜନ୍ମଗ୍ରହଣ ନ ଇଚ୍ଛଇ

ଜନ୍ମ ହୋଇଲା ପ୍ରାଣୀମନ

ମାୟାରେ ହୁଅନ୍ତି ଆଚ୍ଛନ୍ନ

ମୁଁ ଏହି ଗର୍ଭ ମଧ୍ୟେ ଥିବି

ଆତ୍ମାକୁ ଆତ୍ମାରେ ତାରିବି

ଆଉ ଯେପରି ଗର୍ଭବାସ

କଷଣ ନୋହିବ ଅବଶ୍ୟ

ଏହା ଶୁଣିବ ଭଗବାନ

କହନ୍ତି କୋମଳ ବଚନ

ଶ୍ରୀଭଗବାନୁବାଚ

ଦଶ ମାସରେ ଜୀବ ଯାହା

ମାତୃ ଗର୍ଭରେ ଭାବେ ଏହା

ପ୍ରସବ ହେବାର କାରଣ

ବାୟୁ ଅଟଇ ଏହା ଜାଣ

ବାୟୁ ଯୋଗରେ ଜୀବ ଜାଣ

ନିମ୍ନ ହୁଅନ୍ତି ଜୀବଗଣ

ରକ୍ତାକ୍ତ ଦେହରେ ଜନମ

ଯହୁଁ ହୁଅନ୍ତି ଜୀବଗଣ

ପୂର୍ବ ଜ୍ଞାନକୁ ଛାଡ଼ିଦିଏ

ଅଜ୍ଞାନେ ସେହୁ କାନ୍ଦୁଥାଏ

ଅଙ୍ଗ ଚାଳନେ କ୍ଷମ ନୋହେ

ଯେ ଯାହା ଦେଲେ ତା ନନିଏ

କୃମିଏ ଯେପରି କୃମିକୁ

ମଶକେ ଦଂଶନ୍ତି ଏହାକୁ

ଗର୍ଭରେ ଈଶ୍ୱର ଡ଼ାକଇ

ସଂସାରେ ସମର୍ଥ ନୁହଇ

ଶରୀର ଦୁଃଖ ଏ ପ୍ରକାରେ

ପାଞ୍ଚ ବର୍ଷ ଯେ ଭୋଗ କରେ

ବଢ଼ିବା ଦୁଃଖ ଅନୁଭବ

ପୌଗଣ୍ଡ କାଳେ ହୋଏ ଭୋଗ

ଯୌବନ କାଳେ ଅର୍ଥ ଲବ୍‌ଧ

ନୋହିଲେ ହୁଅନ୍ତି ସେ କ୍ରୋଧ

ପରେ ତାହାର ଅଭିମାନ

ବଢ଼ଇ କ୍ରୋଧ ଆଦି ଜାଣ

ଅଜ୍ଞାନ ହେତୁ ଜୀବ ଜାଣ

ମୁହିଁ ମୋହର କରେ ଜ୍ଞାନ

ଯେ କର୍ମ କଲେ ପୁଣି ଜନ୍ମ

ସଂସାରେ ହୁଅଇ ଜାଣିମ

ସେ କର୍ମ ଅନୁରକ୍ତ ହୁଏ

ଭଲ ମନ୍ଦର ଜ୍ଞାନ ନୁହେଁ

ଏପରି ଈଶ୍ୱର କହିଲେ

ନିଜ ମାତାକୁ ବୁଝାଇଲେ

ସେ ପ୍ରଭୁ ଏ କଷ୍ଟୁଁ ରଖିବେ

ତା ବିନୁ ଆଶ୍ରେ ନାହିଁ ଏବେ

ତାହାଙ୍କ ଶ୍ରୀପଦ୍ମ ଚରଣେ

ଶରଣ ଗଲି ମୁଁ କଷଣେ

କହଇ ଜଗନ୍ନାଥ ଦାସ

ସାଧୁଙ୍କ ହିତେ ଏ ପ୍ରକାଶ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୁତି ଜ୍ଞାନ କଥନେ ନାମ
ଏକତ୍ରିଂଶୋଽଧ୍ୟାୟଃ ।

•••

 

ଦ୍ୱାତ୍ରିଂଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

ବିଦୂର ଶୁଣି ତୋଷ ମନ

କପିଳ ରୂପେ ଭଗବାନ

କହନ୍ତି ମାତା ମୁଖ ଚାହିଁ

ଶୁଣ ଜନନୀ ମନ ଦେଇ

ଶ୍ରୀଭଗବାନୁବାଚ

ଭୋ ମାତ ହୁଅ ସାବଧାନ

ସଂଶୟ ତେଜି ଶୁଦ୍ଧ ମନ

ପାପୀଙ୍କ ଯାତନାଦି ଯେତେ

କହିଲି ତୁମ୍ଭର ଅଗ୍ରତେ

ଏ ଧର୍ମ ସ‌ତ୍ୟରୁ ଉଦୟେ

ବିଶୁଦ୍ଧ ଚିତ୍ତ ତହୁଁ ହୁଏ

ଏମନ୍ତେ ଯେବା ପ୍ରାଣୀ ଗଣେ

ତାହାଙ୍କ ଗମିବା ପ୍ରୟାଣେ

ସେମାନେ ସୂର୍ଯ୍ୟଦ୍ୱାରେ ଯାନ୍ତି

ପରମ-ପୁରୁଷ ଲଭନ୍ତି

ପର ଅପର ଇଚ୍ଛେ ସେହି

ପ୍ରକୃତି ରୂପେ ସେଟି ହୋଇ

ସେ ବିଶ୍ୱମୁଖ ନାରାୟଣ

ସେ କରେ ସର୍ଜନ ପାଳନ

ଏମନ୍ତ ଯେବା ଭଗବାନ

ତାଙ୍କୁ ଲଭନ୍ତି ଭକ୍ତଜନ

ଏ ନବ ପ୍ରକାରେ ଭକତି

ବେଦ ବିଧାନେ ଆଚରନ୍ତି

ନ କରି ବେଦମାର୍ଗେ ଦୂର

ଏ ମାର୍ଗ ସମ୍ମତ ମୋହର

ଯେ ପ୍ରାଣୀ ତାହା ପ୍ରତ୍ୟଜନ୍ତି

ମୋର ଭଜନେ ନ ତରନ୍ତି

ଯେବେ ବିଶ୍ରାମ ମୋର ବାଣୀ

ତାହା ଲଘଂନ୍ତି ଯେ ବା ପ୍ରାଣୀ

ମୋ ଆଜ୍ଞା ଦ୍ରୋହୀ ଯେ ହୁଅନ୍ତି

ମୋ ବାକ୍ୟ ଏଡ଼ି ନାଶଯାନ୍ତି

ଯେ ଭକ୍ତ ବୈଷ୍ଣବ ମୋହର

ନୁହନ୍ତି ସତ୍ୟ ବାକ୍ୟ ମୋର

ଯେ ଇଚ୍ଛେ ମୂକତି ଭାବକୁ

ସେ ଭଜେ ହିରଣ୍ୟଗର୍ଭକୁ

ସେ ମୁକ୍ତି କର୍ମ ଶୁଣ ମାଏ

କହିବା ତୁମ୍ଭଙ୍କୁ ଥୋକାଏ

ବ୍ରହ୍ମା ବେନି ପରାର୍ଦ୍ଧ ଅନ୍ତେ

ପ୍ରଳୟେ ନାଶନ୍ତି ସମସ୍ତେ

ତାବତ କାଳ ବ୍ରହ୍ମଲୋକେ

ହିରଣ୍ୟ ଗର୍ଭର ସାଧକେ

ସୁଖେଣ ବିହାର କରନ୍ତି

ବ୍ରହ୍ମା ସଙ୍ଗତେ ଲୟ ପାନ୍ତି

ସେ ଆଦି ପଞ୍ଚ ମହାଭୂତ

ଏ ଦଶ ଇନ୍ଦ୍ରିୟ ସହିତ

ପଞ୍ଚ ବିଷୟ ଅହଙ୍କାର

ଏ ସର୍ବେ ବ୍ରହ୍ମାଣ୍ତ ଆକାର

ଏମାନେ ରହନ୍ତି ପ୍ରଧାନେ

ପରାର୍ଦ୍ଧ କାଳ ଅବସାନେ

ଯେ ସ୍ଥାନେ ଯେତେଯୋଗୀ ଥାନ୍ତି

ବ୍ରହ୍ମାଙ୍କ ଶରୀରେ ପଶନ୍ତି

ଯେଣୁ ତାହାର ଅପମାନ

ଦେହରେ ଥାଇ ଅବସାନ

ଏଣୁ ସାକ୍ଷାତେ ମୁକ୍ତି ନୁହେଁ

ବ୍ରହ୍ମା ସଙ୍ଗତେ ହୋନ୍ତି ଲୟେ

ଯେମାନେ ହରିଙ୍କ ଭକତ

ହରି ଭାବନ୍ତି ଅବିରତ

ସେମାନେ ହରିଙ୍କୁ ଭଜନ୍ତି

ଦେହାଦି ଭାବ ନ ଜାଣନ୍ତି

ଅଛି କି ନାହିଁ ନିଜ ଦେହୀ

ନିଜ ଆସ୍ଥାନ ତାଙ୍କ ନାହିଁ

ସମେ ଦେଖନ୍ତି ସର୍ବେ ଜୀବ

ମିତ୍ର ବଇରୀ ଏକ ଭାବ

ଏଣୁ ଗୋ ତୁମ୍ଭେ ହରି ଭଜ

ଭୋଗ ବାସନା ସବୁ ତ୍ୟଜ

ଏ ସର୍ବ ଭୂତଙ୍କ ହୃଦରେ

ହରି ଅଛନ୍ତି ସର୍ବଠାରେ

ଯାହାଙ୍କ ମହିମା ଶୁଣିଲ

ମନକୁ ଯୋଗେ ଦୃଢ଼ କଲ

ତାହାଙ୍କୁ ଭଜିଲେ ତରିବ

ଦେହ ପୁନଶ୍ଚ ନୋହିବ

ଯେ ଅର୍ଦ୍ଧ ସ୍ଥିର ଚରଙ୍କର

ଯାହାକୁ ବୋଲି ସୁରେଶ୍ୱର

କୁମାର ଆଦି ସିଦ୍ଧ ଯେତେ

ଯୋଗ କରନ୍ତି ଅବିରତେ

ନିଃସଙ୍ଗ କର୍ମ ହିଁ କରନ୍ତି

ତଥାପି ଭେଦ ନ ଛାଡ଼ନ୍ତି

କରନ୍ତି ବାର୍ତ୍ତା ଅଭିମାନ

ଏଣୁ ନ ପାନ୍ତି ଶୁଦ୍ଧ ଜ୍ଞାନ

ବୋଇଲେ ସୃଷ୍ଟି ରକ୍ଷାକର

ପୁଣି ଘେନନ୍ତି ଅବତାର

ସେମାନେ ପ୍ରଳୟ କାଳରେ

ପଶନ୍ତି ଈଶ୍ୱର ଦେହରେ

ଇନ୍ଦ୍ରିକି ନ ଜିଣିଲେ ଯେଣୁ

କାମରେ କର୍ମ କଲେ ତେଣୁ

ରଜୋ ଗୁଣରେ ତାଙ୍କ ମନ

କଳ୍ପି ଯେ ଥାଇ ଅନୁକ୍ଷଣ

ଗୃହ କର୍ମରେ ହୋଇ ରତ

ପିତୃଙ୍କୁ ପୂଜି ଅବିରତ

ବିମୁଖ ଶ୍ରୀକୃଷ୍ଣ କଥାରେ

ରହନ୍ତି ଗୃହାଦି ବ୍ୟାପାରେ

ତାହାଙ୍କୁ ବିଧାତା ନାଶିଲା

ବିଅର୍ଥେ ତାଙ୍କ ଜନ୍ମ ଗଲା

ସକଳ ଅନର୍ଥ ଯେତେକ

ଏ ଜନ୍ମ କଲେ ଅବିବେକ

ଛାଡ଼ି ଅମୃତ କୃଷ୍ଣ କଥା

ନିତ୍ୟେ ଶୁଣନ୍ତି ଗ୍ରାମ ଗାଥା

ଯେସନେ ଭକ୍ତହୀନ ଜନେ

ବିଷ୍ଣୁ ଭଜନ୍ତି ହିତଜ୍ଞାନେ

ସେ ପୁଣି କର୍ମଭୋଗ ଅନ୍ତେ

ଗମନ୍ତି ପାପ ପୁଣ୍ୟ ପଥେ

ସୂର୍ଯ୍ୟଙ୍କ ଦକ୍ଷିଣ ଭାଗରେ

ବସନ୍ତି ସେ ପିତୃ ଲୋକରେ

କେ ଭୋଗ ଅନ୍ତେ ଗୋ ଜନନୀ

ସଂସାରେ ପଡ଼େ ଦେହ ଘେନି

ପୁତ୍ରାଦି ଗୃହେ ଜାତ ହୋଇ

ପୂର୍ବ ବାସନା ନ ଛାଡ଼ଇ

ଗର୍ଭ-ଆଧାନ ଆଦି କର୍ମ

ଦେହାନ୍ତେ ଶମଶାନ ଧର୍ମ

ଏ କର୍ମମାନ କରୁଛନ୍ତି

ସଂସାର ଛାଡ଼ି ନ ପାରନ୍ତି

ପୁଣି ଯେ ଯାନ୍ତି ନିଜ ସ୍ଥାନ

ତହିଁ କରନ୍ତି ଭୋଗମାନ

ପୁଣି ଲଭନ୍ତି ନର ଦେହ

ଯେମନ୍ତ କାମ୍ୟ କର୍ମ ସ୍ନେହ

ଏଣୁ ସୃଷ୍ଟିରେ ତୁମେ ମାୟେ

ମନ ନିବେଶ କୃଷ୍ଣ ପାୟେ

ଶ୍ରବଣେ ତାଙ୍କ ଗୁଣ ଶୁଣ

କୀର୍ତ୍ତନ କର ତା ଭାବିଣ

ସ୍ମରଣ ଅର୍ଚ୍ଚନ ବନ୍ଦନ

ଯେ ନବ ଭକ୍ତିର ବିଧାନ

ପାଦ ସେବନ ଦାସ୍ୟ ଭାବ

ସଂଖ୍ୟାଦି ଆତ୍ମାର ନିର୍ବେଦ

ଏତେ ପ୍ରକାରେ କୃଷ୍ଣ ପାଦେ

ଯେ ଭକ୍ତି କରେ ଅପ୍ରମାଦେ

ତକ୍ଷଣେ ଲଭେ ବଇରାଗ୍ୟ

ଛାଡ଼େ ବିଷୟ ଇନ୍ଦ୍ରିଭୋଗ

ତେଣେ ସେ ଲଭେ ଦିବ୍ୟଜ୍ଞାନ

ପାଇ ପରମ ବ୍ରହ୍ମସ୍ଥାନ

ଭକ୍ତିରେ ଚିତ୍ତ ତାର ବଳେ

ରହଇ କୃଷ୍ଣେ ସୁନିଶ୍ଚଳେ

ତେବେ ସେ ବିଷୟ ଛାଡ଼ଇ

ସେ ପ୍ରିୟାପ୍ରିୟ ନ ଜାଣଇ

ଏମନ୍ତ ଭାବ ଜନ୍ମେ ଯେବେ

ଦେହୀ ଆତ୍ମାକୁ ଦେଖେତେବେ

ପରମାନନ୍ଦ ସୁଖ ପାଇ

ଆନନ୍ଦେ ସଂସାରେ ଭ୍ରମଇ

ଛାଡ଼ଇ ସର୍ବ ସଙ୍ଗମାନ

ପରମାନନ୍ଦେ ରହେ ମନ

ସେ ବ୍ରହ୍ମ ପରମ ସମାନ

ରୂପ ବିହୀନେ ଦିବ୍ୟଜ୍ଞାନ

ସେ ଏକ ନାନା ରୂପ ଧରେ

ଭ୍ରମି ଜନ୍ମଇ ଏ ସଂସାରେ

ଯୋଗୀଙ୍କ ଯୋଗ ସିଦ୍ଧ ଏହି

ଏକାନ୍ତେ ସଙ୍ଗ ସେ ଛାଡ଼ଇ

ପରମପଦ ଲଭେ ତେବେ

ସେ ବିନା ଭ୍ରମୁଥାଇ ଭବେ

ବ୍ରହ୍ମ ନିର୍ଗୁଣ ନିର୍ବିକାର

କେବଳ ଜ୍ଞାନ ରୂପ ତାର

ସର୍ବାଧି ଜ୍ଞାନ ଯେତେ ମାଏ

ସେହିଟି ବ୍ରହ୍ମରେ ଦେଖାଏ

ପ୍ରତ୍ୟକ୍ଷେ ଦେଖୁଛି ଯେ କିଛି

ଏକ ସେ ସବୁ ହୋଇଅଛି

କହିବା ସେ ହେତୁ ପ୍ରକାରେ

ଯେ ରୂପେ ବ୍ରହ୍ମାଣ୍ତ ସଞ୍ଚରେ

ପ୍ରଥମେ ମହତ ହୋଇଲା

ତାହାକୁ ଅହଙ୍କାର କଲା

ତ୍ରିବିଧ ହୁଏ ଅହଙ୍କାର

ଏ ପଞ୍ଚଭୂତ ରୂପ ତାର

ମନ ଇନ୍ଦ୍ରିୟ ଏକାଦଶ

ଏଥିରୁ ବ୍ରହ୍ମାଣ୍ତ ପ୍ରକାଶ

ସେ ବିଶ୍ୱରୂପେ ତହିଁ ସେହି

ସ୍ୱରୂପ ଅଟେ ତାର ଏହି

ଯେବେ ସେ କରେ ଯୋଗାଭ୍ୟାସ

ଶ୍ରଦ୍ଧାରେ ଭଜଇ ପ୍ରକାଶ

ବୈରାଗ୍ୟ ସଙ୍ଗ ତ୍ୟାଗ କରେ

ମନ ନିବେଶି କୃଷ୍ଣଠାରେ

ତେବେ ଏ ପ୍ରପଞ୍ଚ ଦେଖଇ

ପରମ ଆତ୍ମାକୁ ଚିହ୍ନଇ

ଭୋ ମାତ ସାବଧାନେ ଘେନ

ତୁମ୍ଭଙ୍କୁ କହିଦେଲୁ ଜ୍ଞାନ

ଏ ଜ୍ଞାନେ ବ୍ରହ୍ମ ଦରଶନ

ଏ ଭାବ ବୁଝେ ଯେବା ଜନ

ସେ ପ୍ରାଣୀ ଦେଖ ଅତି ସତ୍ୟ

ପ୍ରକୃତି ପୁରୁଷର ତତ୍ତ୍ୱ

ଜ୍ଞାନ ଯୋଗରେ ତାକୁ ପାଇ

ଭକ୍ତି ଯୋଗରେ ଲଭେ ସେହି

କେବଳ ମାର୍ଗ ମାତ୍ର ଭେଦ

ନ ବୁଝି କରନ୍ତି ବିବାଦ

ଜ୍ଞାନରେ ନିର୍ଗୁଣ ଭଜଇ

ଭକ୍ତିରେ ସଗୁଣ ଲଭଇ

ସେ ଆତ୍ମା ଏକ ନାନାମୟେ

ଦୃଷ୍ଟାନ୍ତ ଯହିଁ ଶୁଣ ମାୟେ

ଦେଖ ଶର୍କରା କ୍ଷୀର ଆଦି

ଧରନ୍ତେ ନାନା ଗୁଣବିଧି

କିନ୍ତୁ ପଦାର୍ଥ ଏକ ମାଏ

ଇନ୍ଦ୍ରି‌ୟ ଭେଦ ତିନି ନୁହେଁ

ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେ

ରସନା ମଧୁରେ ପ୍ରତୋଷେ

କର୍ଣ୍ଣରେ ମଧୁର ଶବଦ

ନାସାରେ ସୁବାସ ଆନନ୍ଦ

ତ୍ୱକରେ ଶୀତ ଉଷ୍ଣ ଦୁଇ

ଏ ରୂପେ ଏକ ନାନା ହୋଇ

ଭୋ ମାତ ଆତ୍ମା ବ୍ରହ୍ମ ଏକ

ଗୁଣରେ ନିନ୍ଦଇ ଅନେକ

ତାକୁ ଯେ ଯେରୂପେ ଭଜଇ

ସେ ତାକୁ ସେ ରୂପେ ଦିଶଇ

ତାକୁ ଜାଣିବ ଏକ ବୋଲି

ନ ବୁଝି କରୁଥାନ୍ତି କଳି

ଶାସ୍ତ୍ର ମାର୍ଗରେ ଏକ ହୁଏ

ସେ ପୁଣି ଏକୁ ନାନା ହୁଏ

ଶୁଣ ଜନନୀ ଶାସ୍ତ୍ର ଭେଦ

ଯେବେ ଛାଡ଼ିବ ସବୁ ଖେଦ

ପ୍ରିୟା ଯେ ପୁତ୍ର ଆଦିକରି

ଯେ ଏହା କରନ୍ତି ଆଦରି

ତହୁଁ ସେ ହୁଏ ଭୋଗବାନ

ସେ ସବୁ ଦ୍ୟନ୍ତି ଭଗବାନ

ଯଜ୍ଞାଦି କର୍ମେ ପ୍ରାପ୍ୟ ସେହି

ଦାନ ବ୍ରତରେ ଆନ ନାହିଁ

କେହି କରନ୍ତି ତପମାନ

ସେ ସର୍ବଠାରେ ଭଗବାନ

ସେହିଟି ବେଦ-ଅଧ୍ୟୟନେ

ମୀମାଂସା ଶାସ୍ତ୍ର ତାହା ଭଣେ

ନିଷେଧ କର୍ମ ତ୍ୟାଗ ଯେହି

ସେ ଧର୍ମ ଜାଣିବେଟି ସେହି

ସନ୍ନ୍ୟାସ ତାହାଙ୍କର ଧର୍ମ

କେହି ଛାଡ଼ଇ କାମ୍ୟ କର୍ମ

ବିବିଧ ଅଂଶେ ଯୋଗ୍ୟ ଯେହି

ଭକ୍ତି ଯୋଗରେ ପ୍ରାପ୍ୟ ସେହି

ଜ୍ଞାନ ଯୋଗହିଁ ତାକୁ କହି

ସେ ଏକ ବସ୍ତୁ ସର୍ବମୟୀ

ସକାମ ନିଷ୍କାମ ଯେ ଧର୍ମ

ସେ ଗୁଣ ରୂପ ସବୁ ଭ୍ରମ

ଆତ୍ମା ଗୁଣରେ ବୋଧ ସେହି

ବୈରାଗ୍ୟ ଧର୍ମ ତାକୁ କହି

ଏମନ୍ତ ନାନା ଶାସ୍ତ୍ର ମତେ

ଯେ ପ୍ରାଣୀ ଭଜଇ ଯେମନ୍ତେ

ସଗୁଣ ନିର୍ଗୁଣଟି ସେହି

ତା ବିନୁ ଅନ୍ୟ ନାହିଁ କେହି

ଏ ଭକ୍ତି ଯୋଗ ଚାରି ମତ

ସ୍ୱରୂପେ କରିଲି ବ୍ୟକତ

ସେ କାଳ ଯନ୍ତ୍ରରେ ଧାବଇ

ସୁଜ୍ଞାନ ଆଦି ଯେ କରଇ

କହିଲୁ ସ୍ୱରୂପ ତାହାର

ଭୋ ମାତ କର ହେ ବିଚାର

ଗତି ଏମାନ ଜୀବଙ୍କର

ଅବିଦ୍ୟା କର୍ମରେ ପ୍ରଚାର

ଏ ଆତ୍ମା ଯହିଁ ପଶିଥାଇ

ଆପଣା ଗତି ନ ବୁଝଇ

ଏମନ୍ତେ ନାନା ଜୀବ ଗତି

କହିଲୁ ମାତ ଫେଡ଼ି ପ୍ରୀତି

ଏ ଯୋଗ ନ କରି ପ୍ରକାଶ

କହିଲେ ଧର୍ମ ହୁଏ ନାଶ

କଦା କର୍ଣ୍ଣରେ ନ କହିବ

ବିନୟ ଯେ ପ୍ରାଣୀ ନୋହିବ

ନ କହି ଦୁର୍ମତି ଅଗ୍ରତେ

ଅପର ଦୁରାତ୍ମାଦି ଯେତେ

କାମୁକ ପ୍ରଲୋଭୀ ଦୁର୍ମତି

ଯେ ଗୃହ ଧର୍ମେ ଦୃଢ଼ମତି

ଏମନ୍ତ ଲୋକେ ନ କହିବ

ସର୍ବତ୍ରେ ଭାବ ଯେ ହୋଇବ

ନ କହି ଅଭକତ ମାନେ

ନ କହି ଯେହୁ ଭକ୍ତିହୀନେ

ଯାହାର ଶ୍ରଦ୍ଧା ଏଥେ ଥିବ

ତାହାକୁ ଏ ମାର୍ଗ କହିବ

ଭକତ ଜନେ ଏହା କହି

ଯେ ଭକ୍ତଜନଟି ସେବଇ

ଯେ ପ୍ରାଣୀ ଏତେ ଶ୍ରଦ୍ଧା କରେ

ଏ ଧର୍ମ କହିବା ତାହାରେ

ଯେ ପ୍ରାଣୀ ସର୍ବ ଭାବେ ମିତ୍ର

ତାହାକୁ କହି ଏ ଚରିତ

ଯେ ପ୍ରାଣୀ ଗୁରୁଙ୍କୁ ସେବଇ

ଏ ଦୀକ୍ଷା ଭାବେ ଶିକ୍ଷା ଦେଇ

ବିଷୟେ ବୈରାଗ୍ୟ ଯାହାର

ଯେ ପ୍ରାଣୀ ଶାନ୍ତ ଚିତ୍ତ ଧୀର

ଯେବେ ସେ ହୁଏ ନିର୍ମତ୍ସର

ଶୁଚି ପବିତ୍ର ନିରନ୍ତର

ପ୍ରି‌ୟାକୁ ପ୍ରିୟ ଅତି ପ୍ରି‌ୟ

କରଇ ମୋରଠାରେ ସ୍ନେହ

ଏମନ୍ତ ପ୍ରାଣୀଙ୍କି କହିବ

ଅଧର୍ମୀ ଠାରେ ଲୁଚାଇବ

ଶ୍ରଦ୍ଧାରେ ଏହା ଯେ ଶୁଣଇ

ଅଥବା ଆଦରେ ଗାବଇ

ମୋହର ପଦବୀ ନ ପାଏ

ମୁଁ ସତ୍ୟ କହିଲି ଗୋ ମାଏ

ତୃତୀୟ ସ୍କନ୍ଧେ ଭାଗବତ

କପିଳ ମୁନି ନିଜ ଖ୍ୟାତ

ଶ୍ରବଣ କର ସାଧୁଜନେ

ବ୍ରାହ୍ମଣ ଜଗନ୍ନାଥ ଭଣେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କାପିଳ ଦେବହୂତି ବୋଧନେ

ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ।

•••

 

ତ୍ରୟୋତ୍ରିଂ‌ଶ ଅଧ୍ୟାୟ

 

ମୈତ୍ରେୟ ଉବାଚ

କହନ୍ତି ମୈତ୍ରେୟ ବ୍ରାହ୍ମଣ

ବିଦୁର ସାବଧାନେ ଶୁଣ

କର୍ଦ୍ଦମ ପତ୍ନୀ ଦେବହୂତି

ସ୍ୱଭାବେ ମନୁର ଦୁହିତି

କପିଳ ବଚନ ଶୁଣିଲେ

ମୋହ ପଟଳ ଦୂର କଲେ

ଦେବହୁତିରୁବାଚ

ତ‌ତ୍ତ୍ୱ ବିଷୟ ସାଂଖ୍ୟ ଜ୍ଞାନ

କହିଲେ ଯେଣୁ ଭଗବାନ

ଶୟନ ସଲିଳ ଭିତରେ

ପ୍ରସନ୍ନ ବିରାଟ-ଶରୀରେ

ଭୂତ ଇନ୍ଦ୍ରିୟ ମନୋମୟ

ଯହିଁରେ ଗୁଣଙ୍କ ପ୍ରବାହ

ଅଶେଷ କରଣ କାରଣ

ତୋ କଳେବର ନାରାୟଣ

ଜଠର-ପଦ୍ମରୁ ଯାହାର

ଜାତ ହୋଇଲା ବେଦବର

ତୋ ରୂପ ଦେଖିବା ନିମନ୍ତେ

ସେ ଆଜ ବିଚାରିଲା ଚିତ୍ତେ

ଅନେକ ବ୍ୟାପାରାଦି କଲା

କେବେହେଁ ଦେଖି ନ ପାରିଲା

କେବଳ ଧ୍ୟାନେ ସେ ଦେଖିଲା

ଏ ବିଶ୍ୱ ସୃଷ୍ଟି ତେଣୁ କଲା

ତହିଁ ସେ ବ୍ରହ୍ମରୂପ ଧରି

ନିଜ ଶକ୍ତିରେ ମାୟା କରି

କଲେ ସେ ବିଶ୍ୱର ସର୍ଜନ

ସ୍ୱଭାବେ ତୁମ୍ଭ କର୍ମହୀନ

ପ୍ରଳୟ କାଳେ ତୁମ୍ଭେ ହରି

ଏ ବିଶ୍ୱ ଉଦରେ ସଂହରି

ଶୟନ ବଟର ପୁଟରେ

ଧରିଣ ବାଳକ ଶରୀରେ

ଚରଣ ଅଙ୍ଗୁଳି ବଦନେ

ଦେଇ ଶୟନ ଶିଶୁ ଯେହ୍ନେ

ଏ ବିଶ୍ୱ ଯାହାର ଉଦରେ

ମୁଁ ତାକୁ କେମନ୍ତେ ଜଠରେ

ଧଇଲି ବୁଝି ନ ପାରଇ

କେବଳ ମାୟା ତୋ ଗୋସାଇଁ

ତୁ ଦୁଷ୍ଟ ନିବାରଣ ପାଇଁ

ତୁ ସାଧୁ ରକ୍ଷଣେ ଗୋସାଇଁ

ଏଣୁ ତୁମ୍ଭର କଳେବର

ଅନ୍ୟଥା କି କାର୍ଯ୍ୟ ତୁମ୍ଭର

ତୁମ୍ଭେ ବାଳାଦି ରୂପ ଧରି

ଧର୍ମ ସ୍ଥାପିଲ ଦୁଷ୍ଟ ମାରି

ଏବେ ଏ ଶରୀରେ ଗୋସାଇଁ

ଏ ଭାବ ଜ୍ଞାନ ଦେବା ପାଇଁ

ଏଣୁ କୃତାର୍ଥ ମୋତେ କଲ

ପୁତ୍ର ସ୍ୱରୂପେ ପ୍ରକାଶିଲ

ଯା ନାମ ଶ୍ରବଣ କୀର୍ତ୍ତନ

ଅଥବା କଲେ ସଂକୀର୍ତ୍ତନ

ଯା ପାଦେ କରି ନମସ୍କାର

ସ୍ମରଣ କରି ନାମ ଯାର

ପାପାତ୍ମା ଯେହୁ ଯୋଗ୍ୟ ହୁଏ

ଜାତି ବିଚାରେ ଭ୍ରାନ୍ତି ରହେ

ଯେ ପ୍ରାଣୀ ନୟନେ ଦେଖିଲା

ସେ କିମ୍ପା କୃତାର୍ଥ ନୋହିଲା

ଯାହାର ନାମ ଉଚ୍ଚାରିଲେ

ସକଳ ତପ ସେହି କଲେ

ହୋମାଦି କଲା ବିଧିମତେ

ତୀର୍ଥ ବ୍ରତାଦି ଜ୍ଞାନ ନିତ୍ୟେ

ତୋ ପରେ ନାହିଁ ସଦାଚାର

ତୋ ନାମ ଜିହ୍ୱାରେ ମୋହର

ସମଗ୍ର ସେ ବେଦ ପଢ଼ିଲା

ସେ ତୁମ୍ଭ ନାମ ଉଚ୍ଚାରିଲା

ତୁମ୍ଭେ ଯେ ପରମ ପୁରାଣ

ତୁ ବ୍ରହ୍ମ ଜଗତ ବିଧାନ

ତୁମ୍ଭଙ୍କୁ ନିଶ୍ଚଳ ମନରେ

ଯୋଗୀ ଭାବନ୍ତି ନିରନ୍ତରେ

ଗୁଣ ମହିମା ନିଜ ତେଜ

ବିକାଶ କରିଛି ସହଜ

ତୁମ୍ଭେ କପିଳ ଦେବ ଗର୍ଭେ

ତୁ ବିଶ୍ୱ ବ୍ୟାପିଅଛୁ ସର୍ବେ

ବନ୍ଦଇ ତୁମ୍ଭର ଚରଣ

ତୋ ବିନୁ ନାହିଁ ମୋ କାରଣ

ସେ ଯେ କପିଳ ଭଗବାନ

ସାକ୍ଷାତେ ପରମ ପୁରାଣ

ଗଭୀର ବଚନ ସଧୀରେ

ପ୍ରକାଶି ଜନନୀ ଛାମୁରେ

କପିଳ ଉବାଚ

ଭୋ ମାତ ଘେନ ମୋ ବଚନ

ଏ ମୋର ବାକ୍ୟେ ଦିଅ ମନ

ଏ ମାର୍ଗ ବଚନ ପ୍ରକାର

କହିଲୁ ତୁମ୍ଭର ଆଗର

ଯେବେ ଏ ମାର୍ଗେ ତୁମ୍ଭେ ଯିବ

ଏକାନ୍ତେ କୃଷ୍ଣଙ୍କୁ ଦେଖିବ

ଅଳପେ ଦେଖିବ ମୁକତି

ପାଇବ ନିଶ୍ଚଳ ଭକତି

ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର

ଲଭିବ ଗୋବିନ୍ଦ-ପୟର

ଯେମନ୍ତେ ବ୍ରହ୍ମ ଆଦିମାନେ

ମୋତେ ପାଇଲେ ସାବଧାନେ

ତୁମ୍ଭେ ପାଇବ ସେହି ମତେ

ଏଣୁ କହିଲି ତୁମ୍ଭ ହିତେ

ଏମନ୍ତେ ଯେହୁ ନ ଜାଣନ୍ତି

ଯେ ପ୍ରାଣୀ ମୋତେ ନ ଭଜନ୍ତି

ମୈତ୍ରେୟ ଉବାଚ

ସେ ବ୍ରହ୍ମବାଦୀ ଦେବହୂତି

ଯୋଗ ମାର୍ଗରେ ଦେଲେ ମତି

ଆଶ୍ରମ ସରସ୍ୱତୀ କୁଳେ

ଯୋଗ ଅଭ୍ୟାସେ ସେ ନିଶ୍ଚଳେ

ରହିଲେ ପୁତ୍ର ବାକ୍ୟ ଶୁଣି

ସେ ସ୍ଥାନେ କର୍ଦ୍ଦମ-ଘରଣୀ

ସ୍ନାନ ମାର୍ଜନା କ୍ରିୟାକାଳେ

ବିଧିରେ କରନ୍ତି ସକଳେ

କୃଶିତ ଲାବଣ୍ୟ ଶରୀରେ

ପରିଧାପନ ବକ୍ଳାମ୍ୱରେ

ଏମନ୍ତେ ତପସ୍ୱିନୀ ବେଶ

ସେ ଦେବହୂତି ଧରି ତୋଷ

ଗୃହ ସମ୍ପଦ ଦୂର କରି

ତପସ୍ୱୀ ବେଶେ ବନଚାରୀ

ଗୃହସ୍ଥ ଧର୍ମ କରିଥିଲେ

ଉପମା ନାହିଁ ଭୂମଣ୍ତଳେ

ନାନା ବିଶ୍ରାମ ସ୍ଥାନ ଶୋହେ

ଦେଖି ଦେବଙ୍କ ମନ ମୋହେ

ବିମାନେ ଯେବା ବିହରନ୍ତି

ସେ ସୁଖ ସେମାନେ ଜାଣନ୍ତି

ନାନା ବିଚିତ୍ର କର୍ମମୟେ

ସେ ଦିବ୍ୟପୁରେ ଶୋଭାପାଏ

ଦିବ୍ୟ ଘଟନ ପୀଡ଼ାମାନ

ସୁରସେ ସୁଖ ଉପାଦାନ

ମନ୍ଦିର ସ୍ଫଟିକର ମତ

ଭୂମି ରଚିତ ମରକତ

ରତ୍ନେ ଜଡ଼ିତ ଦୀପ୍ତି ପ୍ରାୟେ

ଶୋଭନେ ଯୋଗୀଜନ ମୋହେ

ଯୁବତୀ ରତ୍ନ ଶିରୋମଣି

ସେ ଦିବ୍ୟପୁର ନିବାସିନୀ

ଭୁବନେ ବେଢ଼ିଣ ଉଦ୍ୟାନେ

ଯହିଁ ଶୋଭନ୍ତି ଦ୍ରୁମମାନେ

ଫଳ କୁସୁମେ ପରିପୂର୍ଣ୍ଣ

ଲମ୍ବିତେ ଶୋହେ ନାନା ବର୍ଣ୍ଣ

ବିହଙ୍ଗେ ମିଥୁନ ଇଚ୍ଛନ୍ତି

ମତ୍ତ-ମଧୁପେ ଗୁଞ୍ଜରନ୍ତି

ବିବିଧ-ଅନୁଚରମାନେ

ବିହରୁ ଥାନ୍ତି ଉପବନେ

ସେ ଦେବହୂତି ଯଶ-କୀର୍ତ୍ତି

ସୁସ୍ୱର ରାଗେ ଗୀତ ଗାନ୍ତି

ଦିବ୍ୟ ବିଚିତ୍ର ପାପୀମାନ

ଉତ୍ପଳ ଶୋହେ ସୁବାସନ

ସେ ପୁର ତେଜି ଦେବହୂତି

ଯୋଗ ସାଧନେ କଲେ ମତି

ପ୍ରତେଜି ସ୍ୱାମୀ ସଙ୍ଗ କଲେ

ତହିଁ ବିହାରେ ନିମଜ୍ଜିଲେ

ଶୋକରେ ବ୍ୟାକୁଳ ବଦନ

ତଥାପି ଯୋଗେ ଦୃଢ଼ ମନ

ପତି-ବିଚ୍ଛେଦ ଦୁଃଖେ ଯାଇ

ପୁତ୍ରକୁ ସଙ୍ଗତରେ ନେଇ

ରହି ଆନନ୍ଦ ଧରି ଚିତ୍ତେ

ଶୋକ ବିଧ୍ୱଂସିଣ ତ୍ୱରିତେ

ସେ ପୁତ୍ର ତେଜି ଗଲେ ବନେ

ପତି ବିଚ୍ଛେଦ ଦୁଃଖ ମନେ

ବତ୍ସା ବିହୀନେ ଗାବ ଯେହ୍ନେ

ବ୍ୟାକୁଳେ ରାବଇ ତେସନେ

ସେ ରୂପେ ଆକୁଳେ ରୋଦିଲେ

ହା ପୁତ୍ର ବୋଲି ମୋହ ଗଲେ

ଜନ୍ମିତ ହେଲେ ତ‌ତ୍ତ୍ୱଜ୍ଞାନ

ତଥାପି ଶୋକେ ମୁହ୍ୟମାନ

ପୁତ୍ର ଲାବଣ୍ୟ ରୂପ ଗୁଣି

ଆକୁଳେ ରୋଦେ ସୁଲକ୍ଷଣୀ

ଧ୍ୟାନେ ନିରୋପି କପିଳଙ୍କୁ

ସଚେତେ ଡାକନ୍ତି ତାହାଙ୍କୁ

ରାଗ ଉପେକ୍ଷି ଧନ୍ୟ ତାରେ

ଧ୍ୟାନ ରହିଲା ପୁତ୍ରଠାରେ

ନିଶ୍ଚଳେ ସୁଦୃଢ଼େ ବସିଲେ

ଏମନ୍ତେ ତପ ଆରମ୍ଭିଲେ

ଯେ ଧ୍ୟାନ କହିଥିଲେ ହରି

ସେ ରୂପେ ନିତ୍ୟେ ଧ୍ୟାନ କରି

ଭକ୍ତି ଯୋଗରେ ଦୃଢ଼ ହେଲେ

ଶାସ୍ତ୍ର ବିଧିରେ ଆଚରିଲେ

ହୋଇ ଯେ ଅଛି ତତ୍ୱଜ୍ଞାନ

ଯେଣୁ ଭାବିଲେ ଭଗବାନ

ଆତ୍ମାର ମାନସ ଦେଖିଲେ

ତା ବିନୁ ଅନ୍ୟ ନ ଭାବିଲେ

ସେ ଆତ୍ମା ହୁଏ ବିଶ୍ୱ ମୁଖ

ବିନାଶି ମାୟା ଗୁଣ ଦୁଃଖ

ଏ ଜୀବ ଆଶ୍ରେ ଗତି ବ୍ରହ୍ମ

ତହିଁ ରଖିଲେ ମତି ଭ୍ରମ

ତାହାଙ୍କ ଗଲା ନିଜ ଭାବ

ପାଇଣ ଆତ୍ମା ତ‌ତ୍ତ୍ୱ ଲାଭ

ସଂସାର-କ୍ଳେଶ ବିନାଶିଲା

ଯେ ଗୁଣେ ଭ୍ରମାଦି ରହିଲା

ଆପଣା ଦେହ ପାଶୋରିଲା

ସେ ବ୍ରହ୍ମ ସ୍ୱରୂପେ ରହିଲେ

ଶୁଣ ହେ ବିଦୁର ତଦନ୍ତେ

କପିଳ ଯୋଗରେ ରହନ୍ତେ

ଲଭିବେ ସେ ବ୍ରହ୍ମ-ନିର୍ବାଣ

ଯେସନେ ଜଳେ ଜଳ ସ୍ଥାନ

ଶୁଣ ବିଦୁର ଯେଉଁ ସ୍ଥଳେ

ସେ ଦେବୀ ପ୍ରସିଦ୍ଧି ପାଇଲେ

ସେ ସ୍ଥଳେ ପୁଣ୍ୟ କ୍ଷେତ୍ର ହେଲା

ଭୁବନେ ବିଦିତ ରହିଲା

ତା ନାମ ସିଦ୍ଧ ପଦ କହି

ସିଦ୍ଧେ ସୁସିଦ୍ଧ ଯହିଁ ରହି

ସେ ଦେବହୂତି କଳେବର

ଯୋଗେ ସୁସିଦ୍ଧ ପୁଣ୍ୟକର

କୃଷ୍ଣ ଭାବନା ଧ୍ୟାନ ନିତ୍ୟେ

ଯୋଗ ସାଧନ୍ତି ସେହି ମତେ

ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା

ସେ ପୁଣ୍ୟ କ୍ଷେତ୍ର ବୋଲାଇଲା

ସେ ଯେ କପିଳ ମହାଯୋଗୀ

ବିଷୟେ ହେଲେ ବଇରାଗୀ

ମାତାଙ୍କ ସ୍ନେହ ତ୍ୟାଗ କଲେ

ଈଶାନ ଦିଗକୁ ସେ ଗଲେ

ପୟୋଧି ତାହାଙ୍କୁ ଦେଖିଲା

ବିଧାନେ ତାହାଙ୍କୁ ପୂଜିଲା

ତକ୍ଷଣେ ଦିବ୍ୟ ସ୍ଥାନ ଦେଇ

ତହିଁ ବିଜୟେ ଯୋଗ ଧ୍ୟାୟି

ସେଠାରେ ସର୍ବ ସୁରଗଣ

ସେବିଲେ ଯେଝା ନିଯୋଗେଣ

ସିଦ୍ଧ ଚାରଣ ମୁନିଜନେ

ଗନ୍ଧର୍ବ ଅପସରମାନେ

ସ୍ତବ ଯେ ନିତ୍ୟ କପିଳଙ୍କୁ

ସଭୟେ ସେବନ୍ତି ତାହାଙ୍କୁ

ନାନା ବିଧାନେ ସେବା କରି

ଦେବେ ସନ୍ତୋଷେ ଦେବହରି

ସେଠାରେ ରହି ଯୋଗେ ମୁନି

ସାଂଖ୍ୟ ଆଶ୍ଚର୍ଯ୍ୟମାନ ଘେନି

ତ୍ରି‌ଲୋକ୍ୟ ଜନେ ଶାନ୍ତି ପାଇ

ଯୋଗେ ଆପଣା ରୂପ ଧ୍ୟାୟି

ରହିବେ ବ୍ରହ୍ମ କଳ୍ପ ଯାଏ

ଲୋକ ଶିକ୍ଷାରେ ଦେବରାୟେ

ଶୁଣ ବିଦୁର ପୁଣ୍ୟ ଦେହା

ତୁ ମୋତେ ପଚାରିଲୁ ଯାହା

କପିଳ-ଦେବହୂତିଙ୍କର

ପବିତ୍ର ସୁଜ୍ଞାନ ବିଚାର

ଏହା ଯେ ଶ୍ରବଣେ ଶୁଣନ୍ତି

ଆନନ୍ଦେ ବଦନେ ଗୁଣନ୍ତି

ସେ ସାଧୁ ସଭାଜନ ମଧ୍ୟେ

ନିତ୍ୟେ ଗାବନ୍ତି ମନ ଶୁଦ୍ଧେ

ସକଳ ପାପ ବିନାଶନ୍ତି

ଜନ୍ମ ମରଣୁ ନିସ୍ତରନ୍ତି

ଅଶେଷ ଜନ୍ମ ପାପ ଦହେ

ନିର୍ଭୟ ଚିତ୍ତେ ସୁଖେ ରହେ

ସେ ସର୍ବ ଗୋବିନ୍ଦ-ଚରଣେ

ଭକ୍ତି ଲଭନ୍ତି ପ୍ରତିକ୍ଷଣେ

ଅନ୍ତେ ଲଭଇ ହରି-ସ୍ଥାନ

କେ କରିପାରୁ ଏହା ଅନ୍ୟ

ତୃତୀୟ ସ୍କନ୍ଧେ ଭାଗବତ

କପିଳ-ଜ୍ଞାନ ଉପାଖ୍ୟାତ

ମୈତ୍ରେୟ-ବିଦୁର ଚରିତ

ତେତିଶ ଅଧ୍ୟା ସମାପତ

ଏ ଯେ ପୂରାଣ ଭାଗବତ

ପ୍ରାକୃତେ କଲି ଏହା ଗୀତ

କହଇ ଜଗନ୍ନାଥ ଦାସ

ମୁଁ ତୁମ୍ଭ ଦାସଙ୍କର ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ପ୍ରାକୃତବନ୍ଧେ କପିଳ

ଦେବହୂତି ଜ୍ଞାନପ୍ରବୋଧନେ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ।

Image